Unknown

 

 

 

 

 

 

 

 

 

ମନ ଗହୀରର ଚାଷ

ଶ୍ରୀ ଗୋପୀନାଥ ମହାନ୍ତି

 

ଛୁଟି ଦିନରେ ସହର ଛାଡ଼ି, ଗାଁକୁ ଯେତେବେଳେ ମୁଁ ଗୋଡ଼ ବାଡ଼ାଏଁ, ନଈବାଙ୍କର ବଡ଼ ଦେବଦାରୁ ଗଛ ପାଖେ ଦିନେ ଦେନେ ସେ ମୋ ମନେପଡ଼େ । ଆଜି ମୁଁ ବୁଢ଼ା ହେଲିଣି, କିନ୍ତୁ ଝୋଲାମରା ଦି’ପହରେ ନଈକୂଳିଆ ଚିକ୍‍କଣ ପବନ ଯେତେବେଳେ ଦେହରେ ବାଜେ, ଆଉ ଆରପାଖର ଗହୀରିଆ ତୋଟାର ଆମ୍ବଗଛଗୁଡ଼ାକ ଘୁମେଇଲା ପରି ଦିଶେ, ମୋର ଖାଲି ବାରମ୍ବାର ମନେପଡ଼େ ସେ । ଗୋଟିକିଆ ଦୋକାନ ଘରଟିଏ, ସେହିପରି ବହିଛି ଟିକଏ ଦୂରରେ । ଆଜିକାଲି ବି ଦେଖେଁ ଦି ଚାରିଜଣ ପୂଝାରୀ ଟୋକେଇ ଥୋଇଦେଇ ବସି ଗପ କରୁଥାନ୍ତି ଆଉ ଗୁଆ କାଟୁଥାନ୍ତି । ତୋଟା ଭିତରେ ଦି ଚାରିଟା ଗାଈଗୋରୁ । ଛାଇ ତଳେ ଖୁରୁପି ଧରି ଗୋଟାକେତେ ଟୋକାଟୋକୀ ଧୋବ ଧାଉଳିଆ ମଣିଷ ଦେଖିଲେ ବନ୍ଧ ତଳକୁ ଟିକଏ ଗଡ଼ିପଡ଼ନ୍ତି-। ଭାବେଁ, କେଉଁଠି ଥିବ ସେ ।

 

ମୁଁ ସେତେବେଳେ ପିଲା, ଏହି ଦୋକାନ ବାଟ ସରୁ ରାସ୍ତାବାଟେ ଯେତେବେଳେ ବାଇଦ ବାଜଣା ଘେନି ଦାଣ୍ତ କମ୍ପେଇ ଆମର ପାଲିଙ୍କି ଚାଲିଲା, ନିଦ ମଳ ମଳ ଆଖିରେ ଭାଇଙ୍କ କୋଡ଼ରୁ ମୂଣ୍ତ ଟେକି ନାଲି ପାଟର ଚାଦରଟି ସଜାଡ଼ିଦେଇ ମୁଁ ଏପାଖ ସେପାଖ ଗୁଲୁ ଗୁଲୁ କରି ଚାହିଁଲି । ସେତେବେଳେ ରାତି, ତରା ନିଭିଯାଉଥାନ୍ତି, କିନ୍ତୁ ଆମର ରୋଷ୍‍ନିରେ କୋଡ଼ିଏ ଥର ଦିନ ହୋଇ କୋଡ଼ିଏ ଥର ନିଭୁଥାଏ । ବେଳେ ବେଳେ ବୁଢ଼ା ବାରିକ ମସାଲରେ ତେଲ ଢାଳି ଦେଉଥାଏ । ସେଇ ନାଲି ନିଆଁରେ ଦେଖୁଥିଲି, ଦି କରରେ ଜକାଜକି ଠେଲାଠେଲି ମଣିଷ ଗହଳି, ସାମ୍‍ନାରେ ବାଁ ପାଖରେ ଖସିପଡ଼ୁଥିବା ପିଣ୍ତା ଉପରେ ସବୁଠୁଁ ବେଶି, ପଲାଏ, ମାଇପେ, ମିଣିପେ ଏକାଠି ସାଲୁବାଲୁ, ନାନା କୁମ୍ପିମୁହାଁ ହାଉଁ ଭିତରେ ହଲର ହଲର ଜିଭ, ଏକର ସେକର, ଏକା ରାଆରେ ମୁଖରାବ ସଙ୍ଗୀତର ବୋବି ପବନକୁ ଚିରି ଚିରି ଆମ ଆଡ଼କୁ ଚମକି ଆସୁଥାଏ–

 

‘ଉଳୁ-ଉଳୁ-ଉଳୁ-ଳୁ-ଳୁ-କୁ –’

ଆମେ ଆଗକୁ ଚାଲିଲୁଁ ।

 

ତା’ ପରେ ମନେଅଛି ମୋଟା ମୋଟା ପଥର ଖୁଣ୍ଟଦିଆ ଗୋଟାଏ ବଡ଼ଘର । ଦୁଆରମୁହଁରେ କେତେ ଲୋକ ପାଛେଟି ନେବାକୁ ଆସିଲେ । ଗର୍ବରେ ମୋର ଛାତି ଫୁଲି ଉଠୁଥାଏ । ମନେପଡ଼େ ସେତେବେଳେ ମୋର ଖିଆଲ ହେଉଥିଲା ଭାଇଙ୍କ ସାଥିରେ ମୁଁ ବି ଜଣେ ବର । ଛୋଟ, କିନ୍ତୁ ବର । ତା ପରେ ମନେପଡ଼େ ମୋର ଟିକ ବେକଟି ଯେତେ ଉଚ୍ଚକରି ମୁଁ ଟେକଲି, ମୋର ଟିକି ପାହୁଲଗୁଡ଼ିକ ଯେତେ ଛଡ଼ାରେ ଛଡ଼ାରେ ଛାଟି ଛାଟି ମୁଁ ପକାଇଲି, ତଥାପି ଅଜସ୍ର ଆଖିର ଉଦ୍‍ବେଗ ଆଗ୍ରହ ମୋତେ ଡେଇଁ ଯାଇଁ ପହଞ୍ଚିଲା ଭାଇଙ୍କ ପାଖରେ । ମୋର ପିଲା ମନରେ ଇର୍ଷା ଆସିଥିଲା ଗୁମ୍‍ସୁମ୍ ହୋଇ ବସି ରହିଥିଲି, ଟିକଏ ଟିକିଏ ଭାବିଥିଲି, କାହିଁକି ମୁଁ ଆସିଲି ? ତହିଁ ଆରଦିନ କଥା, ଭଜନି ବୁଢ଼ା ମୋତେ ଶିଖାଇ ଦେଇଥିଲେ, ଯା ଭାଉଜ କ’ଣ ବାହୁନୁଛି ଶୁଣି ଆସିବୁ । ପରେ ଗଳିରେ ଏକନ୍ଦି ସେକନ୍ଦି ହୋଇ ହୋଇ ଅପ୍ରତିହତ କାନ୍ଦଣାର ରୋଳରେ ବାରମ୍ବାର ବାଜି ଫେରି ଯେତେବେଳେ ମୁଁ ଉଦ୍ଦେଶ୍ୟ ଭୁଲିଯାଇଥିଲି, ସେତେବେଳେ ଦେଖିଥିଲି ତାକୁ । ତା’ର ନାଲି ଜାମାଖଣ୍ତ ବୋଧହୁଏ ମୋର ମନକୁ ଟାଣିଥିଲା, ଆଉ ତା’ର ଚିକଣ-ଚାକଣ ମୁଣ୍ତ-କୁଣ୍ତିଆ ଓ ତା ଆଖିର ଲମ୍ବ ନାଞ୍ଜୀ କଳା, ଯେ ସରୁହୋଇ କାନକୁ ଛୁଇଁଥିଲା । ଖଞ୍ଜାର ବେଦୀ ପାଖର କଦଳୀ ଗଛକୁ ଆଉଜି ସେ ତୁନୀ ହୋଇ ଠିଆ ହୋଇ ଲେମନ୍‍ଚୁସ ଖାଉଥିଲା ।

 

ବନ୍ଧୁତା କିପରି ହେଲା ଜାଣେ ନାହିଁ, କିନ୍ତୁ ସେ ଆଉ ମୁଁ ହାତ ଧରାଧରି ହୋଇ ଏ ପାଖ ସେ ପାଖ ବୁଲିଥିଲୁଁ, ଫୁଲ ଛିଣ୍ତାଉଥିଲୁଁ, ଘର ତୋଳିଥିଲୁଁ, ଲୁଚୁକାଳି ଖେଳୁଥିଲୁଁ । ନିଛାଟିଆ ଦି’ପହରେ ଖାଆଣ ପିଅଣ ପରେ ପଦାରେ ଲୋକେ ଯେତେବେଳେ ଶୋଇ ଝାଳ ମାରୁଥିଲେ, ସେତେବେଳେ କରିକିଆ ଦାଣ୍ତରେ ସବାରି ଭିତରେ ଥିଲୁ ସେ ଆଉ ମୁଁ, ମନେଅଛି ସେ ହୋଇଥିଲା କନିଆ ଆଉ ମୁଁ ବର । ଜାମାକୁ ଉପରକୁ ଟେକି ମୁହଁ ଲୁଚାଇ ଓଢ଼ଣା ଦେଇ ସେ ବସିଲା, ଆଉ ମୁଁ ବାରମ୍ବାର ତା,ର ମୁହଁ ଖୋଲିବାକୁ ଚଷ୍ଟା କଲି । ବାରଣ କରି ସେ କହିଲା ‘ଛି,ଛି, ବରମାନେ କ’ଣ ମୁହଁ ଖୋଲନ୍ତି’ !

 

ତା’ର କଥାଭିତରେ ଥିଲା ଗମ୍ଭୀର ଆଦେଶର ସୂଚନା । ମୁଁ ତୁନୀ ହୋଇ ବସି ରହିଲି । ତା’ ପରେ ସତକୁ ସତ ସେ ଯେତେବେଳେ ଗୁଣୁ ଗୁଣୁ ହୋଇ ବାହୁନିବାକୁ ଲାଗିଲା, ମୁଁ ନ ହସି ରହିପାରିଲି ନାହିଁ । ଖେଳମଝିରେ ଆମେ ଗେଲ କରାକରି ହେଲୁଁ, ଆଉ ଦୁଲ୍‍ଦାଲ୍ ହୋଇ ନାଚିଲୁ-। କଏ ଜଣେ ଟାଣ ପାଟିରେ କହିଲା, ସବାରୀ କଅଣ ଭାଙ୍ଗିବ ? ଆମେ ପଳେଇଲୁଁ ।

 

କେତେବେଳେ ତିନି ଚାରୋଟି ନୂଆବୋହୂ ଆଙ୍ଗୁଠି ଦେଖେଇ ଥଟ୍ଟା କଲେ, ‘ହେଇ ଦେଖ ମାରକୁଣ୍ତିର କନିଆ’ । ଖିଦିଖିଦିଆ ହୋଇ ସେ ପଳାଇଲା । ମୁଁ ମଧ୍ୟ ମୂହଁକୁ ତଳକୁ ପୋଡି ଚାଲି ଗଲି ଆଗ ଆସ୍ତେ ଆସ୍ତେ ଚାଲି ଚାଲି , ତା’ପରେ ଦଉଡ଼ି, ଦଉଡ଼ି ଦାଣ୍ତଘରେ ଆସି ନାଲି ତକିଆରେ ଆଉଜି ବସିପଡ଼ିଲି । କିଛି ସମୟ ପରେ ଦେଖେଁ ତ ଏଣିକ ତେଣିକ ଚାହିଁ ଦେଇ ଜଣକ ପିଠିଆଡ଼େ ବସି ସେ ଉଙ୍କିମାରୁଛି ।

 

ତା’ ପରେ,–ପୁଣି ବାଜା ଆଉ ଶଙ୍ଖ ଗର୍ଜିଉଠିଲା । କାନ୍ଦି କାନ୍ଦି ଏକାଠି ଅଠା ଲାଗଲା ପରି ମେଞ୍ଚାମେଞ୍ଚି ହୋଇ କେତେଗୁଡ଼ିଏ ସ୍ତ୍ରୀଲୋକ ସବାରିପାଖେ ଭିଡ଼ ହେଲେ । ଆମେ ଯାଇ ପାଲିଙ୍କିରେ ବସିଲୁଁ । କାନ୍ଦଣା ଶୁଣି ଶୁଣି ଆପେ କାନ୍ଦିବାକୁ ମନ ହେଉଥାଏ । ପାଲିଙ୍କି ଉଠିଲା କାନ୍ଦଣା ବଢ଼ିଲା । ଦେଖିଲି ଆମରି ଆଡ଼କୁ ଚାହିଁ ଚାହି ସେ କାନ୍ଦୁଛି । ତା ମୁହଁ ଝାଉଁଳି ପଡ଼ିଛି । ତା’ର କଇଁ ଉଠୁଥାଏ । ଆମେ ଚାଲିଗଲୁଁ । କୋଶେ ଦି’କୋଶ ଯିବା ପରେ ଯେଉଁଠି ସେ ମନ୍ଦିରଟା ପଡ଼େ, ଆଉ ଡାହାଣ ପାଖେ ପଦ୍ମପୋଖରୀ, ହଠାତ୍ ମତେ କାହିଁକି ଭାରି କାନ୍ଦ ମାଡ଼ିଲା । ଭାଇ ପିଠିରେ ହାତ ବୁଲାଇ ଦେଇ କହିଲେ, ବୋଉ ମନେପଡ଼ୁଛି କିରେ ? ତୁଣ୍ତରୁ ମୋର ବାହାରିଲା, ବୋଉ । ଆଉ ମୁଁ ମନଈଛା କାନ୍ଦିଲି । ଆଜି ଭାବୁଛି ବୋଉ ବୋଲି କହିବା କେବଳ ପତିଆରା, ମୁଁ କାନ୍ଦିବି ବୋଲି ଗୋଟାଏ ମନଗଢ଼ା କାରଣ ତା’ପରେ ମନେପଡ଼େ ଇସ୍କୁଲ ଜୀବନର ସରଳ ସହଜ ବିସ୍ମୃତିମିଶା ଦିନଗୁଡ଼ିକ, ଏଇ ନଈବାଲି ଉପରେ ଦୋହଲୁଥିବା ଉଦ୍ଦେଶ୍ୟହୀନ କୁହୁଡ଼ି ପରି ।

 

ଯାହା କିଛି ସ୍ନେହ ଆଦର ମୋର ବଳି ଗଡ଼ୁଥିଲା, ସବୁ ଅଜାଡ଼ି ଦେଇଥିଲି ମୋ ସାଙ୍ଗପଢ଼ୁଆ ରମା ଉପରେ, ଶାନ୍ତ ସୁନ୍ଦର କଅଁଳିଆ ଦୁର୍ବଳ ରମା ଉପରେ । ଆମର ଖୋଲି ଆସୁଥିବା ପ୍ରାଣ ପରସ୍ପରକୁ ଘେନି ଭୁଲିଥିଲା ପଢ଼ା ଭିତରେ ତୁଷ୍ଟାମି ଭିତରେ, ଭବିଷ୍ୟତର ବାଲି-ଦେଉଳ ତୋଳା ଭିତରେ ସବୁଥିରେ ସେ ଆଉ ମୁଁ, ମୁଁ ଆଉ ସେ ।

 

ଖେଳପଡ଼ିଆରେ ଖେଳ ଶେଷରେ କେତେ ସଞ୍ଜ ଆମେ ବେଞ୍ଚ ଉପରେ ବସି ରହିଛୁଁ ମୁହଁରେ ଭାଷା ସ୍ଫୁରି ନାହିଁ ! ତା’ର ହାତପାପୁଲି ମୋର ମୁଠାଭିତରେ ଧରିଛି, ବସି ବସି ଖାଲି ଶୁଣିଛି, ନିଜ ଛାତିର ଧୁଡ଼ୁମୁସ୍‍ପିଟା ଶବ୍ଦ ।

 

ଆକାଶରେ ତାରା ବିଞ୍ଚିହୋଇ ପଡ଼ିଛନ୍ତି, ପଡ଼ୋଶୀ ଘରର ପିଲାଏ କାଲିର ପଢ଼ା ମୁଖସ୍ଥ ଆରମ୍ଭ କରୁଛନ୍ତି । ଧ୍ୟାନରୁ ଉଠି ଶୂନଶାନ୍ ହୋଇ ଦୁହେଁ ଘରକୁ ଫେରିଛୁଁ ।

 

ଘର, ସ୍ନେହୀ ବନ୍ଧୁ ଆଉ ରମା, ଏମାନଙ୍କୁ ଟପି କେବେ ମୁଁ ତାକୁ ଭାବିଛି ମୋର ମନେପଡ଼ୁନାହିଁ, କିନ୍ତୁ ଭୁଲିଯାଇ ନ ଥିଲି ବୋଧହୁଏ । ତାହା ନୋହିଲେ, ଏତେବର୍ଷର ସ୍ମୃତି ଭିତରୁ ତାହାରି କଥା ମନେପଡ଼ନ୍ତା ନାହିଁ ଆଜି ।

 

ମ୍ୟଟ୍ରିକ୍ ପରୀକ୍ଷା ସରିଥାଏ । ବହି ଘୋଷା ଆଉ ନିୟମିତ ନିର୍ଘଣ୍ଟ ଛିଣ୍ତି ପଡ଼ିଥାଏ କେଉଁଦିନୁ । ଏକଦେଶୀ ଦୁନିଆର ଧାରା ଏଡ଼ି ପଦାକୁ ମୁହଁ ବଢ଼ାଇଥାଏ ସେହି ନୂଆ ହୋଇ । ଦୀର୍ଘ ମୁକ୍ତି ଭିତରେ ସମୟର ଦାସତ୍ୱକୁ ଅସ୍ୱୀକାର କରି ଅବେଳାରେ ଗାଧୋଇବା, ଭାତ ଦୋଓଟି ଶୁଖାଇବା ଓ ବୋଉକୁ ଅପେକ୍ଷା କରି ବସାଇବା, ବେଳବୁଡ଼େ ଶୋଇ ରହିବା ପ୍ରଭୃତି ଅକାର୍ଯ୍ୟରୁ ଯେପରି ମୋତେ ଆନନ୍ଦ ମିଳୁଥାଏ, ସେହିପରି ମଧ୍ୟ କେତେ ନୂଆ ସ୍ୱପ୍ନ ଗଢ଼ି ମୁଁ ତନ୍ମୟ ହେଉଥାଏ-। ପୃଥିବୀକୁ ସତେକି ମୁଁ ନୂଆ ଦେଖୁଛି, ନୂଆ ଦେଖୁଛି ଆମ୍ବ ତୋଟାକୁ, ଘରପାଖ ଅରମା ବଣକୁ, ଆମ ଗାଁର ନଈକୁ । ବୋଉ କହେ ‘ଏତେ ଉଛୁର କାହିଁକି କରୁଛୁ ?’ ଦାଦି କହନ୍ତି, ‘ସବୁବେଳେ ଖାଲି ୟାର ଗୀତ ବୋଲା ଲାଗିଛି, ଥାଆନ୍ତା ସତେ ଯଦି ଖଣ୍ତେ ଭଲ କଣ୍ଠ–’

 

ଆଉ, ଲୁଚାଇବି କାହିଁକି –ସ୍ତ୍ରୀ ଜାତିକୁ କିପରି ନୂଆ ଦୃଷ୍ଟିରେ ମଧ୍ୟ ମୁଁ ଦେଖୁଛି । ମା, ଖୁଡ଼େଈ, ଅପା, ଏମାନଙ୍କ ପାଖରେ ସେତେ ମନଖୋଲା ମୁଁ ହୋଇପାରୁନାହିଁ, ଘୁଞ୍ଚି ଯାଉ ନାହିଁ, କିନ୍ତୁ ମନଖୋଲା ଲହଡ଼ି ଭିତରେ କେତେବେଳେ କେମିତି ନିଜକୁ ମୁଁ କଳିନେଉଛି ଓ ବୁଝଛି ପୁରାତନ ଲହଡ଼ି ଭିତରେ ଖାଲି ପାଣିବୁନ୍ଦାଟି ହୋଇ ମୁଁ ମିଶି ପାରୁନାହିଁ ।

 

ଝିଅଙ୍କ ସାଥିରେ ଉପରେ ପଡ଼ି ବନ୍ଧୁତା କରିବା କେବେ ମୋ ସ୍ୱଭାବରେ ନ ଥିଲା । ବର୍ତ୍ତମାନ ମଧ୍ୟ ନାହିଁ କିନ୍ତୁ ସେତେବେଳେ ମୁଁ ଦେଖୁଥିଲି ଯାହାର ଯେଉଁ ବିଷୟକୁ ଆଗେ ମୁଁ ନିଘା ଦେଇନାହିଁ, ଗୁରୁତ୍ୱ ଦେଇ ଭାବି ନାହିଁ, ଏବେ ସେ ବିଷୟରେ ମୁଁ ସଚେତ । ତାଙ୍କ ସାହୀ ପୂନିର ଆଖି ଯୋଡ଼ିକ ଏଡ଼େ ଢଳଢଳ ମୁଁ ପୂର୍ବରୁ ଭାବି ନ ଥିଲି । ଜାଣି ନ ଥିଲି ମାଳତୀର କାନ କର ଏଡ଼େ ସୁନ୍ଦର ଦିଶେ, ଅଥବା ନଖିଆ ବାଉରିର ଝିଅ, ଯେ କାନ୍ଥ ଲିପିବାକୁ ଆସେ, ଏତେ ଅଯତ୍ନରେ ବଢ଼ିଥିଲେ ସୁଦ୍ଧା ତା’ର କଥାଗୁଡ଼ିକ କେଡ଼େ ଗେହ୍ଲା ଗେହ୍ଲା ଶୁଭେ ଓ ତା’ର ଚାଲିଟିକୁ ଆଉ ଥରେ ନିରେଖି ଦେଖିବାକୁ ମନ ହୁଏ ।

 

କଲେଜ ଖୋଲିବାକୁ ଆଉ ଅଳ୍ପ ଦିନ ଥାଏ । ଯେଉଁ ବଡ଼ାପା ପୁଅ ଭାଇଙ୍କ ବିଭାଘରକୁ ମାରକୁଣ୍ତି ହୋଇ ଯାଇଥିଲି, ସେ ଚାକିରି ଗାଁରୁ ଫେରିଥାନ୍ତି, ସାଙ୍ଗରେ ଥାନ୍ତି ଭାଉଜ । ବିଦେଶଫେରା ଭାଉଜକୁ ପାଇ ମନ ମୋର କୁଣ୍ଢେ ମୋଟ ହୋଇ ଯାଇଥିଲା । ସେ ଭାରି ଥଟ୍ଟା କରନ୍ତି, କହନ୍ତି, ‘କିହୋ ରାଧୁ , ତେମେ କେଡ଼େ ଚଞ୍ଚଳ ଏଡ଼େ ଅଧା ତାଳଗଛଟାଏ ହେଲ ମଁ–ନା ନା ଖୁଡ଼ୀ ଶୁଣିଲେ ଗାଳିଦେବେ, ଆସ ଛେପ ପକାଇ ଦିଏଁ ।’

 

ଏଇ ଭାଉଜଙ୍କୁ ବି ସତେ କି ମୁଁ ନୂଆ କରି ଚିହ୍ନିଲି । ତାଙ୍କର ଚିଠିର ଠିକଣା ଲେଖିଦେଲି, ତାଙ୍କୁ ବଙ୍ଗଳା ଗପବହି ପଢ଼ିବାକୁ ଦେଲି ଓ କେତେବେଳେ କେଉଁ କାର୍ଯ୍ୟ ଫରମାସି ଦେବେ ମୁହଁକୁ ଅପେକ୍ଷା କରି ବସି ରହିଲି । ସେତେବେଳେ ବହି ଭିତରୁ ମୁହଁ ଟେକି ମୁଁ ଖୋଜୁଥିଲି ସ୍ନେହ ଆଦର, ଦି’ପଦ ମିଠା କଥା ଓ ଜୀଅନ୍ତା ମଣିଷର ଜୀଆଁଳିଆ ପରଶ । ତାଙ୍କଠାରୁ ସେତିକ ମୁଁ ପାଇଥିଲି ।

 

କଲେଜ ଖୋଲିବା ଦିନ ପାଖ ହୋଇ ପଡ଼ିଲା ।

ଗଲାବେଳେ ଆଖି ଛଳଛଳ କରି ଭାଉଜ କହିଲେ,

 

‘ମୁଁ ତ ଆମ ଗାଁକୁ ଚାଲିଯିବି, ଛୁଟିରେ ଆସିବଟି ଟିକଏ ? ଆଉ ମୋ ରାଣ, ମୁଁ ମଲାଦିନ କାନ୍ଦିବ, ଚିଠ ନିଶ୍ଚୟ ଲେଖୁଥିବ, ନୋହିଲେ–’

 

ସେ ହସି ହସି ବିଧା ଉଞ୍ଚାଇଲେ, ତା’ପରେ କାନ୍ଦିପକାଇ କହିଲେ ‘ଯାଅ ଯାଅ–’

 

କେତେ ସ୍ମୃତିବୋଳା ଇସ୍କୁଲ ଛାଡ଼ି, ବିଦେଶରେ କଲେଜରେ ପାଠ ପଢ଼ିବାକୁ ଚାଲି ଆସିଲି । ଘରଲୋକେ ଘରେ ହିଁ ରହିଲେ ।

 

କେବଳ ବନ୍ଧୁ ରଙ୍ଗୁ, ଯାହାର ବାଳ କେବେହେଲେ ପାଚିବ ନାହିଁ ଓ ଦାନ୍ତ କେବେହେଲେ ପଡ଼ିବ ନାହିଁ, ସେହି ରଙ୍ଗୁ ମଟରରେ ଚଢ଼ି ରେଳ ଷ୍ଟେସନ ପର୍ଯ୍ୟନ୍ତ ଗୋଡ଼ାଇ ଆସିଥିଲା । ଗାଡ଼ି ଛାଡ଼ିଦେଲାରୁ କହିଥିଲା, ‘ଚିଠି ଦବୁ’ ଓ ମୁଁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ତା’ର ଜାପାନୀ ରୁମାଲଖଣ୍ତିକ ହଲାଉ ଥିଲା ।

 

କଟକ କଲେଜରେ ପହିଲି ବର୍ଷ । ତିନିଜଣିଆ ବଖୁରିଟିଏ ପାଇଥାଏଁ, ଉପର ମାହାଲାରେ ଝରକା ପାଖେ ମୋ ଟେବୁଲ ଓ ଖଟ ।

 

କାନ୍ଥରେ ଖବରକାଗଜ ମାରି ହୁକରେ ମୋ କାମିଜ କୋଓଟ ଝୁଲାଇ ଦେଲି । ଚାରିଖଣ୍ତି ଛବି କ୍ୟାଲେଣ୍ତର, ଯୋଡ଼ିଏ ଜାପାନି ଫଟ ତିଆରି ସିନେରୀ, ଖଣ୍ତେ ବିବେକାନନ୍ଦ ଫଟୋ, ଖଣ୍ତିଏ ମହାତ୍ମାଙ୍କ ଛବି, ଓ ଖଣ୍ତିଏ ରୂପା-ଢଳେଇ ସରସ୍ୱତୀ ମୂର୍ତ୍ତି, ଏତିକରେ ମୋ ଆସ୍ଥାନ ସୁନ୍ଦର ହୋଇଗଲା ।

 

ତା’ପରେ ମୁଁ ପାଠପଢ଼ାରେ ମନଦେଲି । ମୁଁ ଥିଲି ଟିକଏ ନିଛାଟିଆ ମନର ମଣିଷ, ଯାହାର ଭିତରେ ଏପରି କିଛି ଥାଏ, ଯାହା ମଣିଷକୁ ଏକୁଟିଆ ଏକୁଟିଆ କରିଦିଏ । ଖେଳେ, ହସେ, ପାଟିକରେ, ମନଦେଇ ପାଠପଢ଼େ, କିନ୍ତୁ ବେଳ ଆସେ, ଯେତେବେଳେ ମତେ ଭାରି ଏକୁଟିଆ ଲାଗେ, ସତେକି କ’ଣ ମୋ ମନଭିତରେ କୁହୁଳୁଛି ଖାଲି ଉଦାସ ଉଦାସ ଲାଗେ ।

 

ବେଳ ମହଳଣ ସମୟରେ–ଖେଳ ପଡ଼ିଆ ଆଡ଼କୁ ଅନାଇଁ ମୁଁ ବସିଥାଏଁ, କିନ୍ତୁ ଏତେ ପିଲାଙ୍କ ଚହଳ ଓ ଗହଳ ଉପରେ ମୋର ଆଖି ଭରାଦିଏ ନାହିଁ, ମୁଁ ଚାହିଁ ରହିଥାଏ ଖାଲି ଆକାଶକୁ,–ଯେ ମୋର ମନପରି ଉଦାସ, ଆଉ ଶୂନ୍ୟ, ଏହି ଆକାଶ, ଯେ ଭାରି ଏକୁଟିଆ, ଯାହାର କେହି ନାହିଁ–

 

ଭାବିପାରେଁ କି କିଛି ? କ’ଣ ଯେ ଭାବେ ସେ ମତେ ବି ଅଜଣା, ଖାଲି ଝୁରେ, ଝୁରି ଝୁରି ଝଡ଼ିପଡେଁ ।

 

ତେଣୁ ମୋର ଭାରି ପ୍ରିୟ, ଏଇ ସଞ୍ଜ ପହର ଆଉ ମୋର ଭାବନା ।

 

ପାଖଘରୁ ଗୌର ବାବୁ ବଇଁଶୀରେ ନିତିଦିନିଆ ସେଇ ଗୋଟିଏ କରୁଣ ରାଗିଣୀ ଆଳାପ କରନ୍ତି । ଭାବନା ହଜେଇ ଅନ୍ଧାରରେ ମୋ’ର ମନଭିତର ରନ୍ଥାଳି ହୁଏ । ତାଙ୍କର ରାଗିଣୀ, ଦୂରରେ ରାସ୍ତାର ବିଜୁଳିଆଲୁଅ ଓ ପଡ଼ିଆ ସେ ପାଖରେ ଥିବା ମୁହଁ ଲୁଚାଇ କାନ୍ଦିଲା ପରି ସେଇ ଗଛ କେଇଟା ଅନ୍ଧାରକୁ ଆହୁରି ମୁନିଆଁ କରି ଦିଅନ୍ତି, ମୁଁ ଉଠି ବିଜୁଳି ଆଲୁଅର ସୁଇଚ୍ ଟିପିଦିଏ ।

 

ତା’ପରେ ବସି ଚିଠି ଲେଖେଁ ।

 

ଏହିପରି ମୋର ଦିନ କଟିଯାଏ । ସେ ଦିନ ପୁଣି ଭାଉଜବୋହୂ ଚିଠ ଲେଖିଲେ, ପୂଜା ଛୁଟିକୁ ନିଶ୍ଚେଁ ଆସିବ । ଚିଠିଟି ଭାରି ଭଲ ଲାଗିଲା । ଆଉ ଆଉ ଚିଠି ସହିତ ସୁଟ୍‍କେଶ ଭିତରେ ସାଇତି ଥୋଇଦେଲି ଚିଠି ଖଣ୍ତିଏ ଚିରିବାକୁ ମୋର ହାତ ଯାଏନାହିଁ, ଚିଠି ମୁହୂର୍ତ୍ତକର ମନର ସ୍ପର୍ଶ, ଯାହା ଆଉ ଆସିବ ନାହିଁ ଫେରି ।

 

ଛୁଟି ହେଲା । ଭାଉଜଙ୍କ ଗାଁରେ ପହୁଞ୍ଚିଲି । ବାଟ ଚାଲିବା ବାଧିଲା ନାହିଁ । ବାଧିଲା ଭିତରକୁ ପଶିଲାବେଳେ, ନୂଆ ଜାଗାରେ ମୋ’ର ଗୋଠଖଣ୍ତିଆ ସ୍ୱଭାବ ପଦାରେ ପଡ଼େ । ପାଟିରେ ଅଠା ଲାଗିଯାଏ । ଖୁବ୍ ଗମ୍ଭୀର ହୋଇ ନିଜ ମନକୁ ସମ୍ଭାଳି ଧରି କୁଞ୍ଚ ଓହଳାଇ ଦେଇ ଉଞ୍ଚ ପାହାଚ ଉପରେ ଗୋଟିଏ ଗୋଟିଏ ହୋଇ ଉଠିଲି ।

 

କାଲିପରି ଲାଗୁଛି ।

ଦାଣ୍ତରେ କୂଅମୂଳେ ଦି’ ଚାରିଟା ପିଲା ଫନ୍ଦ ଧରି ଉହୁଙ୍କି ଦେଖୁଥାନ୍ତି ଓ ଟେକା ଫୋପାଡ଼ୁଥାନ୍ତି ବୋଧହୁଏ ବେଙ୍ଗକୁ । ଗୋଟାଏ ଖୋଲା ବଳଦଗାଡ଼ି ଡେରା ହୋଇ ଥୁଆ ହୋଇଥାଏ ଗୋଟାଏ କରରେ ।

 

ପ୍ରଥମେହିଁ ବୁଢ଼ା ବୁଢ଼ା ଯାହାଙ୍କୁ ଦେଖିଲି ମୁଣ୍ତକୁ ମାଟିରେ ଛୁଆଇଁ ସେମାନଙ୍କୁ ଦଣ୍ତବତ କରିଦେଲି । ମନେ ମନେ କ’ଣ ଭାବିଥିବେ କେଜାଣି, ଚକିତ ଚକିତ ହୋଇ ମୁହଁ ଚାହାଁଚାହିଁ ହେଲେ ଓ ଆଶୀର୍ବାଦ କଲେ ।

 

ତା’ପରେ ଆସିଲେ ଆମ ଭାଉଜଙ୍କ ବାପା, ଆଉ ତାଙ୍କ ପଛେ ପଛେ ତାଙ୍କର ବଡ଼ ଭାଇ କାଳିବାବୁ, କଟକରେ ଡାକ୍ତରୀ ପଢ଼ନ୍ତି ଓ ଫୁଟ୍‍ବଲ ଖେଳନ୍ତି ।

 

ଯେତେ ଅଡ଼ୁଆ ଅଡ଼ୁଆ ଲାଗିବ ବୋଲି ଭାବିଥିଲି ପ୍ରକୃତରେ ସେତେ ଅସଜ ହେଲାନାହିଁ । ଏକେ ତ ମୁଁ ମୋଟେ ଫାଷ୍ଚ ଇୟର ପିଲା, ପୁଣି ଟିକିଏ ବାଙ୍ଗର, ଭାଉଜ ବି ନୂଆବୋହୂ ନୁହନ୍ତି, ସେ ମୋଠୁ ବୟସରେ ବି ଖୁବ୍ ବଡ଼ । କେହି ତେଣୁ ଲାଜ କଲେନାହିଁ ।

 

ଯାହାର ଯାହା ଥଟ୍ଟା ନକଲ କରିବାକୁ ଥିଲା, ସେ ପହିଲି ଦିନରେ ହିଁ ସରିଗଲା ତା’ପରେ ଭଲ ଲାଗିଲା ।

 

କାଳିବାବୁ ତହିଁ ଆରଦିନ ଚାଲିଗଲେ । ମୁଁ ଏକୁଟିଆ ପଡ଼ିଗଲି ।

ତାସଖେଳ ମୋ’ର ଭାରି ପ୍ରିୟ । ବ୍ରିଜ୍ ନିଶା ହିଁ ଏତେ ଚଞ୍ଚଳ ମତେ ସେଠି ଘରମଣେଇଁ ଦେଇଥିଲା । ମଝିରେ ମଝିରେ ଖଣ୍ତିଏ ଲେଖାଁ ପାନ-ସାଧା ପାନ ମୁଁ ନୂଆ ଅଭ୍ୟାସ କରି ଶିଖିଥାଏଁ;-–ବାଜିକ ପରେ ବାଜିଏ କରି ତାସ, ଦି’ପହର ଗୋଟାକ କଟିଯାଏ । ନୂଆବୋହୂମାନେ ଅଳସ ଭାଙ୍ଗି କହନ୍ତି, ‘କେତେଛୁଣୁକା ଖରା ପଳେଇଲା ମଁ, ଅପା !’

 

ଭଲ ନାଁଟିଏ ତା’ର, ରେଣୁକା । ସେଦିନ କଥା ପଡ଼ୁ ପଡ଼ୁ ମାରକୁଣ୍ତି ବେଳକଥା ବ୍ରିଜ୍ ଖେଳୁ ଖେଳୁ ଚର୍ଚ୍ଚା ହୋଇଗଲା । ଜଣେ କହିଲେ, ‘ଜମା କାହା ପାଖ ପଶିଲା ନାହିଁ ମଁ ଅପା,ଯୋଉ ଘଡ଼ିକ ଏଠି ଥିଲା ଖାଲି ସବୁବେଳେ ରେଣୁ ପାଖେ । ଆଉ କାହାରି…...ପାଖେ ପଶିଲା ନାଇ ।’

 

ରେଣୁକା ସେଠି ବସି ଖେଳ ଦେଖୁଥିଲା । ତାକୁ ଉପଲକ୍ଷ୍ୟ କରି ଥଟ୍ଟା ନକଲ ଦୁଇପଦ ହୋଇଗଲା ଉତ୍ତାରୁ କେମିତି କେମିତି ହୋଇ କହିଲା ‘ଆରେ…... ।’

 

ଭାଉଜ କଥା ବୁଲେଇ ଦେଇ କହିଲେ, ‘ଗଲୁ ଲୋ ରେଣୁ, ପାନ ଚାରିଖଣ୍ତ ଭାଙ୍ଗି ଆଣିବୁ, ପାଟି ଅଠା ଅଠା ହେଇ ଯାଉଛି ।’

 

ଏଁ ରାଧୁ, କ’ଣ ଦାନ୍ତ ଧୋବାଘରେ ପକେଇଚ କି ସକାଳୁ ? ହେ ରେଣୁ, ରାଧୁଙ୍କପେଇଁ ଦି’ ଖଣ୍ତ ସାଧାପାନ ଭାଙ୍ଗି ଆଣିବୁ ।’

 

ରେଣୁକା ମତେ ଲାଜ କରିବାକୁ ଚଷ୍ଟା କରିଥିଲା । ତା’ବୋଉ କହିଲେ, ‘କଲୋ ତୋର ପର ଭାଇ ହେବ, ପୁଣି ଗୋଟାଏ ଲାଜ କ’ଣ ମଁ । ଦୁଧଦାନ୍ତ ଭାଙ୍ଗି ନାହିଁ ପିଲାଟାର –ତା ଭିତରେ ମୋ ଭିତରେ ଥଟ୍ଟା ନକଲ କେବେ ହୋଇ ନାହିଁ, ଅତି ବେଶିରେ ସେ କେତେବେଳେ ଲୁଚି ଛପି ମୋ ଉପରକୁ କଦଳିଚୋପା ଫୋପାଡ଼ିଛି ଓ ଦାନ୍ତ ନିକୁଟିଛି, ପାନ ଦେଉଁ ଦେଉଁ ହାତ ଚକିରେ ଚୁନହଳଦି ମିଶେଇ ମୁହଁରେ ମୁଣ୍ତରେ ନାଲିରଙ୍ଗ ବୋଳି ଦେଇଛି, ଆଉ ମୁଁ ତା’ର ହାତ କବୁଜି ପାଖରେ ଧରିପକାଇ ବୁଢ଼ା ଆଙ୍ଗୁଠିରେ ଖୁବ୍ ଜୋରରେ ଚିପି ହାଡ଼କୁ ଠକ୍ ଠକ୍ କରିଛି, ଥଟ୍ଟା ମୋଟେ ଏତିକି । ମୋତେ ଥଟ୍ଟା କରି ଆସେ ନାହିଁ । ଆମେ, ବିନା ସଂକୋଚରେ ମିଶିଲୁଁ । ଦି’ପହରେ ବ୍ରିଜ୍ ଖେଳି ବସିଲେ, ବରାବର ସେ ମୋର ଶତ୍ରୁ ପକ୍ଷରେ ଥାଏ । ତେଣୁ ପାଖକୁ ପାଖ ଆମେ ବସିଥାଉଁ । ମୁହଁ ଉହୁଁକେଇ ତା ହାତରେ ଖେଳତକ ମୁଁ ଦେଖିବାକୁ ବାରମ୍ବାର ଚେଷ୍ଟା କରେ, ତାସ ଲୁଚେଇ ଧରି ମୁହଁ ବୁଲେଇ ସେ କହେ,

 

‘ଆରେ ! ଦେଖିଲୁ ଅପା !’

ଭାଉଜଙ୍କର ସେହି ଗୋଟିଏ ବୋଲି ଭଉଣୀ ସେ ରେଣୁକା, ଭାରି ଭଲ ପାଆନ୍ତି ତାକୁ, ସେ ତାଙ୍କର ହାତବାରିସି ।

 

ସେ ନିଜେ ଆମ ଘରକୁ ଗଲାବେଳେ ରେଣୁକା ଏଡ଼ିକିଟିକଏ ହୋଇଥିଲା, ସେତିକ ତାଙ୍କର ମନେ ଅଛି । ଏଡ଼ିକିଟିଏରୁ ଏଡୁଟିଏ ସେ ହେଲାଣି ତାଙ୍କ ଆଖିରେ ସେ ସେହିପରି ରହିଛି-। ଆଉ ସେହିପରି ରହିଛି ମୁଁ, ସବୁଦିନେ ପିଲାଟିଏ ତାଙ୍କ ଆଗରେ ।

 

ଆଉ ସେ ନିଜେ ? ତାଙ୍କର ଖାଲି ମନେପଡ଼େ ସେହି ପିଲାଦିନର କଥା । ଯେତେବେଳେ ସେ ବିଭା ହୋଇଗଲେ । ସମୟ ପଟୁଆର କରି ଆଗକୁ ଆଗକୁ ଚାଲେ, ମନଟା ଖୋଜେ ପଛେଇ ପଛେଇ ହେବାକୁ । କାହିଁକି ତାଙ୍କ ଆଗେ ଆମେ ପିଲା ? କାରଣ ଆମକୁ ପିଲା ଭାବିଲେ ନିଜର ଏଇ ନଅ ବରକ୍ଷର ବୟସର ଲହଡ଼ିକୁ ପଛୁଆଣି କରିନେଇ ତୁଳନାତ୍ମକ ସୃତି ଭିତରେ ନିଜକୁ ସେହି ସତର ବର୍ଷର ନୂଆ ବୋହୂଟି ବୋଲି ତାଙ୍କର ମନର ଗହୀର ଚେତନା ଅନୁଭବ କରେ ।

 

ମୁଁ ବି କଅଁଳ ହୋଇ ଆସେ । ଭାବେ ମୁଁ ବଢ଼ି ନାହିଁ ।

ରେଣୁକୁ ସେ ଭାରି ଭଲ ପାଆନ୍ତି । ତେଣୁ ତାକୁ ଭାରି ଚିଡ଼ାନ୍ତି । ରେଣୁ ତାଙ୍କୁ ଚୁମୁଟି ଆଞ୍ଚୁଡ଼ି ପକାଏ, ତା’ର ହାତ ଦି’ଟାକୁ ଝିଙ୍କିଝାଙ୍କି ପକାଏ, ଭାଉଜ ବୋଉ କହନ୍ତି,

 

‘ହେ ସଇତାନି ମାଙ୍କିଡ଼ି, ପାରିବୁନା କ’ଣ ଲୋ ମୋ ସାଙ୍ଗରେ ।’

ମୁଁ ମନେ ମନେ ଭାରି ଖୁସିପାଏଁ, ହସେଁ । ରେଣୁକା ଭଉଣୀ ପିଠିରେ ମୁହଁ ଲୁଚେଇ ମୁହଁଭ୍ରୂକୁଟି କରି ମତେ ଦାନ୍ତ ଦେଖାଏ ।

 

ଆଉ ଆଉ ମଣିଷଙ୍କୁ ତ ଦେଖିଥିଲି ସେଠି, ସେମାନେ ମନେ ନାହାନ୍ତି କାହିଁକି ? ଗଲେ ସେମାନେ ସପ ପାରି ଦେଇଛନ୍ତି, କହିଛନ୍ତି, ବସ ।

 

ମୁଁ ଗୁରୁ ଗମ୍ଭୀର ହୋଇ ବସିଛି । କଥା କହିଛି, ସୁଖ ଦୁଃଖ ପଚାରିଛି, ସୁଖ ଦୁଃଖ କହିଛି, ଛୁଆ କାଖେଇଛି, ପିଲାଙ୍କୁ ଗେଲ କରିଛି, ସେମାନେ କହିଛନ୍ତି, ‘ଛି ଛି ଜାମା ହଳଦି ହେଇଯିବ ।’

 

କେତେଠିଁ ବସିଛି, କେତେଠିଁ ଶୁଣିଛି, ‘ଦିଅ ଗୋ ବୋହୂ ଦିଅ, ଏଇଆଙ୍କୁ ପୁଣି ଏତେ ନାଜ ?’

 

ମୁହଁ ଆଗରେ ଓଢ଼ଣା ଓହଳାଇ ଦେଇ କାଚ ଝୁଣୁ ଝୁଣୁ ହାତରେ ପାନରେ ଚୂନ ଲଗାଈ ଦେଇଛନ୍ତି, ହାତକୁ ବଢ଼ାଇ ଦେଇଛନ୍ତି ।

 

ପୁଣି ସେହି ତୁଳନାତ୍ମିକ ସ୍ମୃତି ଭିତରେ କେତେ ଛବି ଯାଇଛି ନିଭି, ଆଜି ସହଜରେ ମନେପଡ଼ୁ ନାହିଁ ।

 

କିନ୍ତୁ ରେଣୁକା କଥା ମୁଁ ଭୁଁଲି ନାହିଁ, କାରଣ ତା’କଥା ମୁଁ କେବେ ଭାବି ନାହିଁ । ମୁଁ ତା ପାଖେ କେବେ କୁଣିଆଁ ହୋଇ ନାହିଁ, ସେ କେବେ ହୋଇ ନାହିଁ ପର ।

 

ସେ ଦିନ ଖରାବେଳେ,–।

ଗଲା ରାତିରେ ଆମେ ସବୁ ଉଜାଗର ହୋଇ ବସି ଟ୍ୱେଣ୍ଟିନାଇନ୍ ଖେଳୁ ଖେଳୁ ବହୁତ ରାତି ହୋଇ ଯାଇଥିଲା ।

 

ତେଣୁ ଖରାବେଳେ ମୁଁ ଶୋଇପଡ଼ିଥିଲି । ନିଦ-ବାଉଳାରେ ଆପଣା ଦେହ ଉପରେ କେତେ ଚଟକଣା ମୁଁ ମାରି ହୋଇଛି ଜାଣେ ନାହିଁ, କିନ୍ତୁ ଟିକଏ ଟିକଏ ଚେତ୍ ଆସିବାରୁ ମତେ ଲାଗିଲା ଯେମିତି ଗୋଟାଏ ମାଛି ଦୁଗୁଣେଇ ହୋଇ ମୋ ଦେହ ଉପରେ ବସୁଛି, ଏଠୁ ଉଠି ସେଠି ବସୁଛି । ଆପଣା କାନ ଉପରେ ଏକ ବ୍ରହ୍ମଚାପୁଡ଼ା ମାରି ହୋଇ ମୋର ହୋସ୍ ଆସିଗଲା, ଆଉ ସାଙ୍ଗେ ସାଙ୍ଗେ ଶୁଣିଲି ସତେ ଯେମିତି କିଏ ଯେପରି କି ଦାବି ରଖୁଥିବା ହସର ଶବ୍ଦ । ଅନାଇଲି, ଦେଖିଲି, ପାଖରେ ଠିଆ ହୋଇ ରେଣୁକା ହସି ହସି ଫାଟିପଡ଼ୁଛି, ଆଖି ଛଳଛଳେଇ ଆସିଲାଣି ହସରେ ।

 

କିଛି ନାହିଁ, ଖାଲି ଖଣ୍ତେ କାଗଜକୁ ବଳି ବଳି ଗୋଜଆ କରି ସେ ହାତରେ ଧରିଥାଏ ତାକୁ ହିଁ ସେ ମୋ ଦେହରେ ବରମ୍ଭାର ଗେଞ୍ଜୁଥିଲା ପରା !

 

ଖପ୍ କରି ଏକାମୁଠାରେ ତା’ର ଦି’ହାତକୁ ଧରି ପକାଇଲି । ସେତେ ବେଳଯାଏ ତା ହସ ସରି ନ ଥାଏ କହିଲି, ‘ଏଥର’ ?

 

କହିଲା, ‘ଓଃ, ଓଃ ମତେ ଛାଡ଼ିଦିଅ ରାଧୁଭାଇ, ତମ ଗୋଡ଼ତଳେ ପଡ଼ୁଛି, ଏଁ, କେଡ଼େଘାଏଁ ଧରିଚ ମଁ ।’

 

ହାତ ଛାଡ଼ିଦେଲି । କହିଲା ‘ହେଇ, ଦେଖିଲ, କେମିତି ଦାଗ ବସିଗଲା’ କହିଲି, ‘କାଇଁ କାଇଁ ।’

 

ବାଁହାତ ଟେକି ଧରିଲା, ଆସ୍ତେ ଧରି ପକାଇ ଫୁଙ୍କି ଦେଲି ଆଉ ଆଉଁଷିଲି, କହିଲି, ଏଥର ଭଲ ହୋଇଯିବ ।

 

ମୁଁ ଉଠି ବସିଥିଲି । ସେ ମୋ ପାଖକୁ ଘୁଞ୍ଚି ଆସିଥିଲା । କହିଲା ଆଉ ଲାଗିବି ନାଇଁ ତୁମ ସାଙ୍ଗରେ, କେଉଁଦିନ ପୁଣି ହାତଫାତ ଭାଙ୍ଗିଦେବ । ଇରେ ବାପରେ ।

 

ମୁଁ ଏକଧ୍ୟାନରେ ତା’ର ହାତ ଆଉଁଷୁଥିଲି ବସି ବସି । ହଠାତ୍ ଆର ହାତରେ ଗୁଡ଼ାଏ ନାଲିରଙ୍ଗ ବୋଳିଦେଲା ମୋ ମୁଣ୍ତରେ; ବାଁ ହାତଟି ଚିଲପରି ଝାମ୍ପିନେଇ ଆଖି ପଛୁଡ଼ାକେ ମୁହଁରେ ଗାଲରେ ବେକରେ ମୁଣ୍ତରେ ଦିହାତରେ ବୋଳି ଦେଇଗଲା ରଙ୍ଗ ।

 

ଉଠି ଗୋଡ଼େଇ ଗଲି । କହିଲା, ‘ଆସ ଆସ, ସମସ୍ତେ ଚାହିଁ ବସିଛନ୍ତି ତୁମକୁ ତାସ ଖେଳିବାକୁ ।’

 

କେମିତି ଲାଗୁଥିଲା ମତେ ? ଭଲ ଲାଗୁଥିଲା, ସଙ୍କୋଚ ଥିଲେ ମନରେ ବିକାର ଆସିଥାନ୍ତା, ଲାଜ ମାଡ଼ିଥାନ୍ତା କେବେ କେବେ । କଳ୍ପନା ଜାଗି ଉଠୁଥାନ୍ତା । ମୁଁ କବିତା ଲେଖୁଥାନ୍ତି ।

 

କିନ୍ତୁ ସଙ୍କୋଚ ନ ଥିଲା ଯେମିତି ବହୁ ଦିନଠୁଁ ମୋର ଜଣାଶୁଣା, ଯେମିତି ପରସ୍ପରଠି ଏକୁ ଆରେକର ଗୋଟାଏ ଟାଣ, ଗୋଟାଏ ଦାବୀ । ତା ସାଙ୍ଗେ ଲାଗିବା ମୋର ଗୋଟାଏ ଦାବୀ, ମୋ ସାଙ୍ଗେ ଲାଗିବା ତା’ର ଗୋଟାଏ ଦାବୀ । ମୁଁ ତା’ର ଅଧା ସିଲେଇ ହୋଇଥିବା ରୁମାଲ ବାଜ୍ୟାପ୍ତି କରିବି ଓ ତା’ର ପଶମ ବଣ୍ତୁଳି ଅଲଗା କରି ପକାଇବି; ସେ ମୋର ପାନ ଭିତରେ ଜାଣି ଜାଣି ବେଶି ଚୂନଦେବ, ଫାଉଣ୍ଟେନ୍ ପେନ୍‍ର ସେହିତକ ନିଗାଡ଼ି ପକେଇବ ଓ କାମିଜ ଲୁଚେଇ ଦେବ ।

ବେଶ୍, ଏତିକ !

ଦିନେ ଦିନେ ମତେ ଚମକେଇ ଦେଇ ସେ ପଚାରିବ, ‘ବରକୋଳି ଖାଇବ ବରକୋଳି-?’ ଗଣ୍ତାଏ ଛଟା’ ଆଣି ଅଣ୍ଟିରେ ଅଜାଡ଼ି ଦେଇଯିବ ଆଉଦିନେ ଦିନେ କହିବ, ‘ତୁମେ ଗଲେ ମୋ ପେଇଁ ଗୋଟାଏ ଭଲ ଫାଉଣ୍ଟେନ୍ ପେନ୍ ପଠେଇଦେବ, ମୋ କଲମରୁ ସେହି ବୋହିଯାଉଛି । ଜାଣି ଥା–’

 

ମୁଁ ତା କଥା ତେବେ ଭାବିନାହିଁ ସେଠି ଥିବାତକ । ଜାଣି ଶୁଣି କେବେ ଭବି ବସିନାହିଁ, ସେ କିପରି, କେମିତି ଅଥବା ମୋ ପ୍ରତି ତା’ର ସ୍ନେହ କେତେଦୂର । ମଝିରେ ହିଡ଼ ବାଡ଼ ନ ପଡ଼ିଲେ ସେ ସବୁ ଧାରଣା ଆସେ ନାହିଁ । ଡାକେ ରାଧୁଭାଇ, ରାଧୁଭାଇ, ମତେ ଭାରି ଭାଲ ଲାଗେ, ମୋର ଆପଣାର ଚାରୋଟି ଭଉଣୀ ଏଇ ଗୋଟିକ ଜାଣି ମୋ ତଳେ ।

 

କିନ୍ତୁ ଭାଇ ଆଉ ଭଉଣୀ ଏକାଠି ଖୁଜବୁଜ୍ ହୁଅନ୍ତି ନାହିଁ କେବେ, କିମ୍ୱା କେବେ ଜଣଙ୍କର ବ୍ୟକ୍ତିତ୍ୱର ଛାଇ ଆରଜଣଙ୍କୁ ପ୍ରକାଶ୍ୟରେ କବ୍ କବ୍ କରି ଦିଏ ନାହିଁ, ଅଥବା ଜଣଙ୍କର ଅସ୍ତିତ୍ୱ ଆରଜଣଙ୍କୁ ଏତେ ପ୍ରବଳଭାବେ ଗୋଚର ହୁଏ ନାହିଁ ।

 

ତା ସାଙ୍ଗେ ଲାଗିବାକୁ ଭଲ ଲାଗୁଥିଲା । ତା ପଖେ ବସି ଗପିବାକୁ ଭଲ ଲାଗୁଥିଲା । ତା ଆଡ଼କୁ ଚାହିଁ ରହିଥିଲେ ସୁଦ୍ଧା ବେକରେ ରକାପଶୁ ନଥିଲା । ତା’ର ଚୁଟି ଝିଙ୍କିବାକୁ ବା ହାତ ମୋଡ଼ିଦେବାକୁ ଭଲ ଲାଗୁଥିଲା । ସେ ଦିନ ମୋ ଆଖିରେ କ’ଣ ଗୋଟାଏ ପଡ଼ିଯାଇଥିଲା ଯେ ସେ ତା’ର କାନି ଦସିକୁ ପାଟିରେ ଓଦା କରି ବଳି ମୋର ମୁହଁ ଉପରେ ଝୁଙ୍କିପଡ଼ି ଯେତେବେଳେ ମୋ ଆଖି ଆବିଷ୍କାର କରିବାକୁ ଚେଷ୍ଟା କରୁଥିଲା, ସେତେବେଳେ ଭଲ ଲାଗୁଥିଲା । ସବୁ କଥା ତା’ର ମତେ ଭଲ ଲାଗୁଥିଲା, ଆଉ ସେତେବେଳେ ମୁଁ ଭାବୁଥିଲି, କେଡ଼େ ସୁନା ଭଉଣୀଟିଏ ମୋର !

 

ଆଉ ଭାବୁଥିଲି, ଆହା, ସୁଖରେ ଥାଉ ଇଏ, ଭଗବାନ ତା’ର ମଙ୍ଗଳ କରନ୍ତୁ ।

ମତେ ଯାହା ଲାଗୁଥିଲା, ତାହାକୁ ମୁଁ ଭାବୁଥିଲି ଆମର ସ୍ନେହ । ମିଛ ଭାବୁ ନ ଥିଲି; ସ୍ନେହହିଁ ତ ସବୁ, କେବଳ ପ୍ରକାରଭେଦ । ସେତେବେଳେ ପ୍ରକାର ପ୍ରକାର ଭିତରେ ବାଡ଼ ମୋ ଆଖିରେ ଲୁହା ବାଡ଼ ପରି ଦିଶୁଥିଲା, ଅନ୍ୟଥା ଭାବିଲେ ଆପଣା ମନ ଭିତରେ ମୋର ସଂସ୍ମୃତି ଠେଙ୍ଗା ଉଞ୍ଚାଇ ଠିଆ ହୁଏ । କେତେ ବଡ଼ ବଡ଼ ଆଦର୍ଶବାଦର ଧାରଣା ତାହା ପଛରେ ଠିଆ ।

 

ବର୍ତ୍ତମାନ ଭାବୁଛି, ଲୁହା ବୋଲି ମୋର ଆପଣାର ମନ ହିଁ ତାହାକୁ ଧରି ନେଇଥିଲା । ସେଇ ସବୁ ପୋଥିଗତ ନ୍ୟାୟ ନୀତିର ଧାରଣା, ଜୀବନ ସହିତ ସାମଞ୍ଜସ୍ୟ ତାହାର କେଉଁଠି ? ଏ ପ୍ରକାର ଆଉ ସେ ପ୍ରକାର, ଏହା ଭିତରେ ମିଶାମିଶି ଚାଲିଛି, ଘଟନାଚକ୍ରରେ ମଝିରେ କେତେ ନୂଆ ନୂଆ ବାଡ଼ପଡ଼ି ନୂଆ ନୂଆ ‘ପ୍ରକାର’ ତିଆରି ହେଉଛି । ଉପରେ ଉପରେ ଆଖି ପ୍ରକାର ପ୍ରକାରକୁ ହିଁ ଦେଖିଥାଏ, ଏଠି ସୋରିଷ କ୍ଷେତ, ସେଠି ଧୂଆଁ ପତ୍ର; କନ୍ତୁ ତଳର ମାଟିକୁ ଭୁଲିଯାଏ ।

 

ମୋର ଛୁଟି ସରିଆସିଲା । ଘରୁ ବାପା ଛିଠି ଲେଖିଲେ, ଯେ ଛୁଟି ଗୋଟାକ ଆଡ଼ା ଦେଇ ଦେଇ କଟେଇ ଦେବ ନା ଘରକୁ ଯାଇ ଦଣ୍ତେ ଓଳିଏ ରହିବ ? ବାଧ୍ୟ ହୋଇ ବାଟୋଇ ଗଣ୍ଠିରି ବାନ୍ଧି ବସିଲା ।

 

ହଁ, ମାଣ୍ଟେଇ ମାଣ୍ଟେଇ ଦିନ ଚାରିଟା ବାଜିଗଲା । ବିଦାବିଦି ଦଣ୍ତବତ ସାରି ବାହାରି ପଡ଼ିବାକୁ ଉଠିଲି ।

 

ଘଣ୍ଟାଏ ହେଲା ରେଣୁକାର ହେଖା ନାହିଁ । ଯାଇ ଦେଖେଁ ତ ଖଟ ଉପରେ ଚାଦରଟାଏ ଘୋରି ହୋଇ ସେ ଶୋଇଛି ।

 

ଡାକି ଡାକି ଶୁଣିଲା ନାହିଁ ? ଭାଉଜ ବିରକ୍ତ ହୋଇ ଚାଲିଗଲେ । ଥିରି ଥିରି ତା ପାଖରେ ଯାଇ ପହଞ୍ଚି ଆସ୍ତେ ଆସ୍ତେ ହଲେଇଲି, ନାଁ ଧରି ଡାକିଲି । ହଲାହଲି କରିବାରୁ ମୁହଁ ବାହାର ନ କରି ସେହିପରି ଶୋଇ ରହି ସେ କହିଲା, ‘ଉଁ କହୁଚି ମୁଣ୍ତ ବଥୋଉଚି ବୋଲି’ ।

 

ଚାଦର ଭିତରେ ହାତଗଳେଇ କପାଳ ଉପରେ ରଖିଲି, କହିଲି କାହିଁ, ତାତି ଫାତି ତ ତିଛି ନାହିଁ, ଖାଲି –

 

ମୁହିଁ ଖୋଲି ଦେଲି । ସାଙ୍ଗେ ସାଙ୍ଗେ ପୁଣି ଟାଣି ଦେଲା ଆଖି ନ ଖୋଲି । ମୁହ ନାଲି ଦିଶୁଥାଏ, ନାକ ଫଣ ଫଣ ଦିଶୁଥାଏ । ବାଳ ଅଲରା ହୋଇ ପଡ଼ିଥାଏ । ମେଞ୍ଚାଏ ଅଡ଼ୁଆ ହୋଇ ଲାଗିଥାଏ କାନ ମାଙ୍କେଡ଼ିରେ ।

 

‘ରେଣୁ –’

‘କହିଲି ମୁଣ୍ତ ବଥୋଉଚି ବୋଲି, କାହିଁକି ପୁଣି ଲାଗୁଚ ଭଲା ତୁମେ ଗଲ– ।

ରେଣୁକା କାନ୍ଦୁଥିଲା ।

ମନଟା ଫିକା ପଡ଼ିଯାଇଥାଏ ବାଟଯାକ ।

କ’ଣ ଯେପରି ଛାଡ଼ିଦେଇ ଅଇଲି ତାଙ୍କ ଘରେ, ଯହିଁ ପାଇଁ ଛାତି ରହି ରହି କରତି ହେଉଛି । ଉଦାସ ଲାଗିଲା ବନ୍ଧ ରାସ୍ତାଟା ଷ୍ଟେସନ ପର୍ଯ୍ୟନ୍ତ କେତେଦୂର ! ସବୁ ଚୁପ୍‍ଚାପ୍, ତୁନିତାନି ।

 

ଡାହାଣ ପାଖେ ନଈବାଲି ଖାଲି ଖାଁ ଖାଁ ଗୋଡ଼ାଉଥାଏ, ସେପାଖେ ନଈ, କେଡ଼େ ମଉନ ।

 

ଗୋରୁପଲ କଣ୍ତିଆ ଉପରେ ଧୂଳି ଉଡ଼ାଇ ଗାଁକୁ ଗଡ଼ିଲେ, ନୂଆବୋହୂଏ ପାଣିକ ଗଡ଼ିଲେ, ସଞ୍ଜହେଲା ଚଢ଼େଇ ଫେରିଲେ । ଚାରିଆଡ଼େ କେବଳ ଘରବାହୁଡ଼ା ନିଶା ।

 

ମୋର ସତେ କି ଘର କେଉଁଠି ନାହିଁ, ଉପରେ ସଞ୍ଜୁଆ ଆକାଶ ତଳେ ମୁଁ । କେତେ ଗାଁ ଗଣ୍ତା, ବାରିଘର । କିନ୍ତୁ କେଉଁଠି ବୋଲି ମୋର କିଛି ନାହିଁ । କେହି କିଛି ନୁହେଁ ମୋର । ‘ଆହା, –ସୁନା ଭଉଣୀଟି, –ରେଣୁ !’

 

ପୁଣି କଲେଜ ଖୋଲିଲା, ପୁଣି ପାଠ ପଢ଼ା, ପରୀକ୍ଷା ଉତ୍ତାରୁ ପରୀକ୍ଷା ।

ସକାଳ ହୁଏ, ଘଣ୍ଟା ବାଜେ, ସବୁ ଶୂନଶାନ୍ ପଡ଼ିଆସେ, ମୁଁ ପାଠପଢ଼େ । ଘଣ୍ଟାବାଜେ, ମୁଁ ଖାଇବାକୁ ଯାଏ । ଘଣ୍ଟା ବାଜେ, କ୍ଳାସରେ ଯାଇବସେ ।

 

ଦିନ ସାରା ଖାଲି ଘଣ୍ଟାହିଁ ବାଜଛି, ଆଉ ବହି ।

ପରୀକ୍ଷା ପରୀକ୍ଷା ହୋଇ ଦିନଗୁଡ଼ାକ ସରି ଆସେ । ଛୁଟି ଦିନଗୁଡ଼ାକ ମଧ୍ୟ କଟିଯାଏ, ବହି ଆଉ ବନ୍ଧୁ, ବନ୍ଧ ଆଉ ବହିକରି ।

 

କେତେ ନୂଆ ନୂଆ କଥା ମୋର ମନକୁ ଆଛନ୍ନ କହି ରଖେ, –କ୍ଳାସ, ବନ୍ଧୁ, ହଷ୍ଟେଲ୍‍ କଥା, କଲେଜ କଥା, ଦେଶ ମିଶ୍ରଣ କଥା, ଦେଶ ବିଦେଶ କଥା ।

 

ଏବଂ ମୋ ନିଜ କଥା । ମୋ ନିଜ ଭବିଷ୍ୟତ୍ । ବାପା ବେଶି ବେଶି କରଜ କରି ପକାଉଛନ୍ତି । ବୋଉକୁ ଜର ଛାଡ଼ୁନାହିଁ, ମତେ ଝୁରୁଛି ଖାଲି ବିଛଣାରେ ପଡ଼ି ପଡ଼ି । ଛୁଟିଦିନ ହେଲେ ଧାଇଁଯାଏ ।

 

ମୁଁ ଖାଲି ସ୍ୱପ୍ନ ଦେଖେଁ ନାହିଁ, ଭାବେ, ଭାବି ଭାବି ଥଳକୂଳ ପାଏନାହିଁ ।

ଏତେ ଭାବନା ଭିତରେ କେଉଁଠି ଥାଏ ସେ ? ଥରେ ଅଧେ ସଞ୍ଜପହରେ ଏକୁଟିଆ ଥିଲାବେଳ ମୁଁ ତାକୁ ଦେଖିଛି, ମୋର କଳ୍ପନା ଭିତରେ କେବେ କେବେ ମନେପଡ଼ି ନାହିଁ, ନୂଆ ଲୋକେ ମୋର ଆଖି ଝଲସାଇ ଚିନ୍ତାକୁ ବାନ୍ଧି ନେଇଛନ୍ତି ।

 

ଯେତେଥର ମୁଁ ତାକୁ ଭାବିଛି; ଭାବିଛି ସୁନା ଭଉଣୀଟି ସେଥର କଥା ମନରେ ଗୁନ୍ଥି ମନକୁ ଖୁସି କରିଛି । ପୁଣି ସ୍ୱପ୍ନ ଭିତରେ ଚିନ୍ତା ଆସି ପଶିଛି, କଳ୍ପନାର ପରିସର ଗଢ଼ି ହୋଇଛି ଆପେ ଆପେ ।

 

ନୂଆ ଛବି–ମଞ୍ଜୁଳିକାର ଆଖି ଯୋଡ଼ିକ । କ୍ଲାସରେ ପାଠ ଯେତେବେଳେ ମରୁଭୂମିର ତତଲା ପବନ ପରି ଶୁଖିଲା ଟାଆଁସିଆ ଝୋଲାମରା ହୋଇଆସେ, ସେତେବେଳେ ଶାନ୍ତି ଦିଏ ସେହି ମରୀଚିକା, ମଞ୍ଜୁଳିକାର ଭଅଁର ଚଢ଼ା–କୁନ୍ଦ ଫୁଲ ପରି ଆଖି ଯୋଡ଼ିକ, ସଜ ଦୁହାଁ ଦୁଧପରି ସୁନ୍ଦର ।

 

ମଞ୍ଜୁଳିକା ଭାରି ସୁନ୍ଦର । ସେ ଆମ କ୍ଳାସରେ ପଢ଼େ ।

ସୂୀର୍ଯ୍ୟମୁଖୀ ଫୁଲ ପରି କ୍ଲାସ ଗୋଟାକ ତାହାରି ଆଡ଼କୁ ମୋହିଁବସୁଁ । କେବେ କେବେ ପିଲାଏ ନିଜ ଭିତରେ ଖୁଜୁବୁଜୁ ହୁଅନ୍ତି, ଖାଲି ନିଜେ ପଦାକୁ ଫୁଟିବା ଆଶାରେ । ପ୍ରଫେସରଙ୍କୁ ଏଣୁ ତେଣୁ ପ୍ରଶ୍ନ ପଚାରନ୍ତି । ହସ ଉଠାନ୍ତି । କେହି ପ୍ରଫେସର ପିଠି ଆଡ଼େଇଲେ ମେଣ୍ଢାପରି ବୋବେଇ ଉଠନ୍ତି । କେହି ବା ରୁମାଲଟା ଛାତି ପକେଟରୁ ଝୁଲାଇ ପକାନ୍ତି । କେହି ବା ପାଣ୍ତିତ୍ୟ ଦେଖାନ୍ତି; ସବୁ ତାହାରି ଉଦ୍ଦେଶ୍ୟରେ, ସେ ଯେପରି ଚିହ୍ନିବ । କିନ୍ତୁ ସେ ମୁଣ୍ତ ବୁଲାଏ ନାହିଁ, ଡୋଳା ବୁଲାଏ । କଥା କହେ ନାହିଁ, ଓଠ ଚାପି ଚାପି ହସେ । ବେଶି ହସ ମାଡ଼ିଲେ ମୁହଁରେ ଲୁଗା ମାଡ଼େ-। ଲାଜମାଡ଼ିଲେ ମୁହଁ ନାଲି କରି ବହ ଉପରେ ଓହଳାଇ ପକାଏ ।

 

ଘରେ ନିଭୃତ ମୁହୂର୍ତ୍ତରେ ତାହା କଥା ଭାବିଲେ ଖୁସି ଲାଗେ । ଯେଉଁ ସାହିତ୍ୟ ଆମେ ପଢ଼ୁଥିଲୁ ଇଂରାଜୀ, ଓଡ଼ିଆ, ଆଉ ସଂସ୍କୃତ, ସବୁ ଆମର ସ୍ୱପ୍ନପାଇଁ ଭାଷା ଯୋଗାଉଥିଲା ।

 

ଓଦା ଫୁଲ ଧରି ଠାକୁରଙ୍କୁ ଦେଲେ ହାତରେ ମଧ୍ୟ ଓଦା ଲାଗେ, ବାସ୍ନା ଲାଗେ ।

କିନ୍ତୁ ସବୁ ଗୋଲମାଲ ହୋଇ ମିଶିଯାଏ । କେତେ ସ୍ମୃତି । ସାନ ବଡ଼ କେତେ ଲହଡ଼ି ପିଟିହୋଇ ସୁଲୁସୁଲିଆ ଦକ୍ଷିଣା ପବନରେ ନଈ ପରି ମନ ଭିତର ଚବର ଚବର କରି ଉଠେ । ମୁଁ ବେଳେ ବେଳେ ବିଭୋର ହୋଇ ସେହି ଚବର ଚବର ଶୁଣେ, କେଉଁ ଲହଡ଼ିରୁ ଛିଲିକାଏ ବା କେତେବେଳେ ଦେଖେଁ, ଯେ ମୋର ଅତି କତିରେ ।

 

ସବୁ ଦେଖିପାରେ ନାହିଁ ।

କ’ଣ କେତେବେଳେ ମନେପଡ଼େ ସ୍ୱପ୍ନରେ ।

ପୁଣି କଳ୍ପନା ଆଉ ଚିନ୍ତା ଏକାଠି ଗୋଟେଇ ପୋଟେଇ ହୋଇଯାଏ ।

ଦୁଇଟା ବର୍ଷ କଟିଗଲା । ଖରାଛୁଟିରେ ଘରେ ଅଟକି ରହିଗଲି ତାହାପରେ ପୁଣି ପଢ଼ା-

 

ରେଣୁକା ତା’ର ସିଲେଇ ଓ ତା’ର କାମଦାମ ଘେନି ଘରେ ହିଁ ରହିଲା । ଏ ଦୁଇବର୍ଷ ଭିତରେ କେବଳ ଦୁଇଖଣ୍ତ ଚିଠି ତା’ଠାରୁ ପାଇଛି ଓ ଦୁଇଖଣ୍ତ ଚିଠି ତାହା ପାଖକୁ ଲେଖିଛି । ଥରେ ଲେଖିଥିଲା, ‘ତୁମେ, –ଲେଖିଥିଲ ଆସିବ ବୋଲି ଯେ ବୋଉଗୋଡ଼ ତଳେ ପଡ଼ୁ ନ ଥିଲା । ଆସିଲ ତ ନାହିଁ, ଅନେଇଁ ଅନେଇଁ ଆଖିରୁ ପାଣି ମଲା । ବରକୋଳି ଦିନ ଗଲା । ଆଉ କ’ଣ ଆମ୍ବକସି ଦିନେ ଆସିବ ?’

 

ଆଉ ଥରେ ଲେଖିଥିଲା,– ‘ଓହୋ, ଚାରିମାସ ପରେ ଖଣ୍ତ ଚିଠି ! ମନେ ପଇଲା କି ?

 

କାହିଁକି ଆମକୁ ପଚାରିବ ? ତୁମେ କାହିଁ କଲେଜ ପଢ଼ୁଆବାବୁ, କାହିଁ ଆମେ ମଫସଲି-!

 

ଲେଖିଥିଲ ମନ ଭଲ ନାହିଁ, ଏ କେମିତି ଆଚମ୍ବିତ କଥା । ଥିଏଟର, ସରକସ୍ ଆଉ ନୂଆ ଲୋକଙ୍କୁ ଦେଖି ମନ ଖରାପ ହେଉଛି ପରା । ଆମ ଏଠି ସମସ୍ତଙ୍କୁ ଜର । ମୋ କାନ ପାଚିଛି କ’ଣ ଓଷଦ ଜାଣି ଥିଲେ ଲେଖିବ ।’

 

ତା’ର ଚିଠି ପଢ଼ିଲେ ପୁଣି ମୋ,ର ସବୁ ମନେପଡ଼େ । ମନହୁଏ ପୁଣି ଚାଲିଯାଏଁ ଟିକିଏ-। ଯାଇ ପାରେଁ ନାହିଁ, ଗୋଡ଼ ଛନ୍ଦି ହୋଇଯାଏ ଘଟନାଚକ୍ରରେ । କାମଶେଷରେ ପୁଣି ତା’ର ଚିଠି ପଢ଼େଁ । କ’ଣ ଗୁଡ଼ାଏ ଲେଖିଛି ପାଗଳୀ ଭଉଣୀଟା । କ୍ରମେ ଭଉଣୀ ଫଉଣୀ ଧାରଣା ମନରୁ ଉଡ଼ିଯାଏ । ଦେଖେଁ, ଆଖି ଆଗରେ ତାକୁ ରଖି ମୁଁ ମନେ ମନେ ସୁଖ ପାଉଛି । ଦେହ ଶିରିଶିରେଇ ଆସୁଛି । ପୁଣି କେଉଁ ଅଜଣା ଅଚିହ୍ନା ପ୍ରହରୀ ମନଭିତରେ ସଙ୍ଗିନ୍ ଉଠାଇ ଠିଆ ହୁଏ, ଆଉ ପୁଣି ଭାବେଁ, ‘ସୁନା ଭଉଣୀଟି !’ ସତେକି ମନକୁ ମନ ମୁଁ କହି ଉଠିଛି, ‘ଆରେ ! –’

 

ଭାଉଜ ଚିଠି ଲେଖନ୍ତି ବିଦେଶରୁ–

‘‘ଏଠି ଗପବହି ଜମା ମିଳୁ ନାହିଁ । ବେଳ କଟୁ ନାହିଁ । କେବେ ଆସିବ, ଲେଖିଲେ ଷ୍ଟେସନକୁ ଗାଡ଼ି ଯିବ । ମୋ’ର ପ୍ରାଣଭରା ଆଶିଷ ନେବ । ଇତି ।

 

ତୁମର ଭାଉଜ–’’

 

ପୁଣି କେବେ କେବେ–

‘‘ମନ ଭଲ ନାହିଁ । ମୁଣ୍ତ ବଥୋଉଚି । ତୁମେ ବୋଧହୁଏ ଭାରି କାମକାର୍ଯ୍ୟରେ ବ୍ୟସ୍ତ ଅଛ । ଯାଉଛି ରୋଷେଇବାସ କରିବି । କେତେ ଧନ୍ଦା । ଅକ୍ଷରଗୁଡ଼ାକ ଖରାପ ହୋଇଗଲା ତରବରରେ । କ’ଣ କରିବି !

। ଇତି ।

ତୁମର ଅଭାଗିନୀ ଭାଉଜ–’

 

ମୋ’ର ଜଣିକିଆ କୋଠରୀରେ–ସେତେବେଳେକୁ ମୁଁ ଜଣିକିଆ କୋଠରୀ ପାଇଲିଣି–ଶୋଇ ଶୋଇ ମୁଁ ଅନୁଭୂତିରେ ଡୁବ ଦିଏ ଆଉ ଉଠେଁ ନାହିଁ । ଭାଉଜ ବୋଉଙ୍କ ମୁଣ୍ତ ଚିପିଦିଏଁ, ତାଙ୍କ କୋଡ଼ରେ ମୁଣ୍ତ ରଖି ଶୋଇପଡ଼େଁ । ରେଣୁ ସାଙ୍ଗେ ଗୋଡ଼ିଆଗୋଡ଼ି ଖେଳେଁ, ସେ ଧାଏଁ ମୁଁ ଗୋଡ଼ାଏଁ । ବେଳେ ବେଳେ ଦିଶେ ମଞ୍ଜୁଳିକାର ଆଖିଯୋଡ଼ିକ, ସେ ଯେପରି ମୁହଁ ନୁଆଇଁ ଡୋଳା ବୁଲାଉଛି, ଏପାଖ ସେପାଖ ।

 

ମଞ୍ଜୁଳିକା ସମ୍ବନ୍ଧ ସେତେ ଚମଳାଇ ଦିଏନାହିଁ, ସେ ଯେପରି ବାଲିସାରା ସେପାଖର ନଈ, ବାଲି ବି ଅଛି, ନଈ ବି ଅଛି, ସବୁଦିନେ ।

 

ଯଦି ଦିନେ ଦିନେ କ୍ଲାସକୁ ସେ ନ ଆସେ, ପଢ଼ା ନୀରସ ହୋଇଯାଏ । ପାଣି ପିଇ ଯିବାକୁ ମନ ହୁଏ ।

 

ସେ ନ ଆସିଲେ ଅନ୍ୟ ପିଲାଏ ଧକ୍‍କାଧକି ଠେଲାଠେଲି ହୋଇ ତା’ସିଟରେ ବସନ୍ତି, ତହିଁରୁ ସୁଖ ପାଆନ୍ତି, କ’ଣ ଚେତନ ଯେପରି ଲାଗିରହିଛି ସେ ଅଚେତନ କାଠରେ । ମୁଁ ବ୍ୟଗ୍ର ହୁଏନାହିଁ, କିନ୍ତୁ ଖରାପ ଲାଗେ ଗମ୍ଭୀର ଲାଗେ ।

 

ନିତି ଦେଖା, କିନ୍ତୁ ପରିଚୟପାଇଁ କାହାରି ଗରଜ ପଡ଼େ ନାହିଁ । ଥରେ ଯାଇଥିଲି ଚାନ୍ଦା ମାଗି । ପଦେ ଦି’ପଦ କଥାଭାଷା କ’ଣ ହୋଇଥିଲା । ଫେରି ଆସି ନ ପହଞ୍ଚୁଣୁ ବନ୍ଧୁଣୁ ବନ୍ଧୁମାନେ ମତେ ଆନ୍ତ୍ରମଣ କଲେ, ଯେପରି ଭାରି ଗୋଟାଏ ବଡ଼ ମହାଜନ ହୋଇଛି ମୁଁ, ଆଉ ସେମେନେ ଡକେଇତ । ନିଭୃତରେ ଅନୁତାପ କଲି, କାହିଁକି ମୁଁ ଗଲି ।

 

ଖୁବ୍ ବେଶ ନିରୋଳା ଲାଗିଲେ କେବେ କେମିତି ମଞ୍ଜୁ କଥା ଭାବେଁ, କିନ୍ତୁ ଦେଖିଛି, ଯଦି କେଉଁଠି ବନ୍ଧୁମାନେ ତା’ନାଁରେ ସାତ ପାଞ୍ଚ କହି ଉପହାସ କରିଛନ୍ତି, ଶୁଣିବାକୁ ମେତେ ଭଲ ଲାଗିଛି, ମନଭିତରେ କୌତୂହଳ ହୋଇଛି, –ଆଉ କିଛି ପଡ଼ନ୍ତା କି, ଆଉ କିଛି !

 

ଏଇ ମଞ୍ଜୁଳିକା କଥା ଏତଲୋକ ଦିନେ ଭାବୁଥିଲେ । ହରିଶ୍ କବିତା ଲେଖୁଥିଲା, ସତ୍ୟ ଜୋରିମାନା ଦେଇଥିଲା, ତା’ର ଗାଡ଼ି ପଛେ ପଛେ ଉଡ଼ୁଥିବା ଧୂଳିରେ ଥିରି ଥିରି ସାଇକଲ ଚଲାଉ ଚଲାଉ ଉଦି ମଟରଗାଡ଼ିରେ ଧକ୍‍କା ଲଗେଇ ଗୋଟିଏ ବର୍ଷ ଲୋକସାଣ କରିଥିଲା ।

 

ଆଜି ସେମାନେ କାହାନ୍ତି ? କାହିଁ ବା ମଞ୍ଜୁଳିକା ? ହରିଶ୍‍ର କବିତାକୁ ତା’ର ନାତି ଡଙ୍ଗା କରି ଭସାଇ ଦେବଣି । ସତ୍ୟର ନଖ ଓ ଦାନ୍ତ ମୁଣ୍ତା ହୋଇଯିବଣି ।

 

ସେମାନେ ଦୁଃଖ ପାଇଥିଲେ । ମୁଁ ସ୍ମୃତିହିଁ ପାଇଥିଲି, ଯେଉଁ ସ୍ମୃତି ଆପଣା ସୁଖେ କେବେ ତେଜି ହୁଏ, କେବେ କମିଯାଏ, କିନ୍ତୁ ନିଭି ନ ଥାଏ, ଦେହଟା ଶୀତଳ ହେବା ପର୍ଯ୍ୟନ୍ତ ।

 

ଆଇ. ଏ. ସରିଲା । ଦିନାକେତେ ହୁମଦୁମରେ କଟିଲା । ଠିକ୍ ଏତିକିବେଳକୁ ବାପା ପେନ୍‍ସନ୍ ନେଇ ଘରକୁ ଆସିଲେ ।

 

ଆମର ଅବସ୍ଥା ଖରାପ ହୋଇଯାଇଥାଏ । କରଜ ଛିଣ୍ତି ନାହିଁ ।

ମତେ କହିଲେ, ‘ମୁକ୍ତିଆରି ପଢ଼୍‍, ନୋହିଲେ କେଉଁଠି ଖଣ୍ତେ ଚାକିରି ବାକିରି ଦେଖ୍ । ମୁଁ ଆଉ ପାରିବି ନାହିଁ ।’

 

ବୋଉ କହିଲା, ‘ମୋ ଦେହ ବି ଭଲ ରହୁ ନାହିଁ ବୋହୂଟିଏ ଆସୁ ଘରକୁ ନିଘା କରିବ-।’

 

କାହିଁ କେତେ ବଡ଼ ବଡ଼ ଆଶା ସବୁ ଚୂନା ହୋଇଯିବାକୁ ବସିଲା । ଭାବିଲି, ୟା ପରେ-? ବିଭା ବା ବନ୍ଦ ହୋଇପାରେ, କିନ୍ତୁ ପଢ଼ା ଚଳାଇବି କେମିତି ? ବାପା ବୋଉଙ୍କୁ ଅନାଇ ମନ ଭିତର ମନ୍ଥର ହୋଇ ଆସୁଥିଲା ସତ, କିନ୍ତୁ ପଦାକୁ ମୁଁ ଏକଦମ୍ ତିଖଡ୍, ନାଁ, ପଢ଼ା ବନ୍ଦ ହୋଇ ନ ପାରେ ।

 

କିନ୍ତୁ ପଛରେ ଯାହା ଆସୁଛି, ଏ ଯେପରି ତାହାର ପହିଲି ଧକ୍‍କା, ଏହିପରି ଆଶଙ୍କାରେ ମନ ପୂରିଯାଏ ।

 

ଆଉ ବିଭା ହେବା କଥା,–ବୋଉ ବା ଆଉ କେହି ସେପରି କଥା ଉଠାଇଲେ ହସି ହସି ମୁଁ କଥା ଉଡ଼ାଇ ଦିଏଁ । ଅଥଚ ନିରୋଳାରେ ମନଭିତରେ ମୁଁ ସେହି କଥା ଭାବେଁ । ମୋ’ର ନିଜର ମତାମତ ତଉଲେଁ, ପୂବେଂ କେବେ ଭାରି ନ ଥିଲି । ପ୍ରସଙ୍ଗରେ କଥାଟା ଉଠିଲାରୁ ଏଇ ନୂଆ କରି ଭାବିଲି, ଭାବି ଦେଖିଲି, ବିଭାଘର ଆଉ ମୋ’ର ଭବିଷ୍ୟତର ସ୍ୱପ୍ନ ଯେପରି ଏକାଠି ମିଶିମାଶି ଯାଉଛି, ମୋ’ର କବିତାମୟ ଧ୍ୟାନ ଓ ମୋ’ର ଆଦର୍ଶ, ମୋର ଉଚ୍ଚ ଆଶା ଓ ମୋର ଉନ୍ନତି, ସବୁ ତହିଁରେ ଆପଣାର ରଙ୍ଗ ଅଜାଡ଼ି ବେଉଛି, ଯହିଁରେ ସେ ଧାରଣାଟା ପାଲଟୁଛି ଗୋଟାଏ ବଡ଼ ଅବାସ୍ତବ ସ୍ୱପ୍ନ । ଅନୁଭୁତିରେ ବୁଝୁଛି, ସେ ମୋ’ର ପ୍ରତ୍ୟେକ ପ୍ରବୃତ୍ତି ପ୍ରତ୍ୟେକ ଇଛାକୁ ପୂର୍ଣ୍ଣ କରୁଛି, କିନ୍ତୁ କ’ଣ ସେ ପ୍ରବୃତ୍ତି, କ’ଣ ସେ ଇଛା ମୁଁ ତାକୁ ଆଖି ଆଗରେ ରୂପ ଦେଇ ପାରୁନାହିଁ । ମୁଁ ଦେଖି ପାରୁନାହିଁ କ’ଣ ମୋ’ସ୍ୱପ୍ନର ଆକୃତି, ସୀମା ବା ସୌଷ୍ଠବର ପରିସର ।

 

ଏତେଗୁଡ଼ାଏ ଚିନ୍ତା, ନିଜ ଘେନି ଓ ବାହାର ଘେନି । ଚିନ୍ତା ଯୋଗୁଁ ଏତେଗୁଡ଼ାଏ ଦାୟିତ୍ୱବୋଝ । ତେଣୁ ସେଥର ବଡ଼ ଛୁଟି ଭିତରେ ମୋ’ର ମନ ଫୁଲ ଆଉ ଆକାଶକୁ ଘେନି ମାତି ରହି ନ ଥିଲା । ଅପ୍ରିୟତା କରିବାକୁ ହୋଇଛି । ଚାରି ଉପାୟ ଚେଷ୍ଟା କରିବାକୁ ହୋଇଛି, ସାତ ପାଞ୍ଚ ଭାବିଛି । ଆଶଙ୍କା ଉପୁଜିଛି । କେବେ ବା ଫାଙ୍କା ମନରେ ଦୂରକୁ ଚାହିଁ ଦେଖିଛି ବାଲି ଦେଉଳ ଆପେ ଖସିପଡ଼ିଛି ।

 

ଯାହାହେଉ, ଭଲ ପାଶ୍‍ଟାଏ ହୋଇଗଲା ।

ବାପାଙ୍କୁ ପଟେଇ, ବୋଉଙ୍କୁ ଭୁଲେଇ ପୁଣି ଯାଇ ହଷ୍ଟେଲରେ ରହିଲି । ବି. ଏ. ପଢ଼ିଲି-। ଗୋଟାଏ କାମ–କ୍ଳାସକୁ ଯିବା, ଗୋଟାଏ ଧ୍ୟାନ,–ପଢ଼ା, ଗୋଟାଏ ଚେତନା–ପରୀକ୍ଷା । ଆଉ ବାକି ସବୁ ସହଜ । ତେଣୁ ବାହାରର ତୋଫାନ ଓ ଅଭାବ ଦୁର୍ଗତି ପଦାରେ ପଦାରେ ଘାଉଁ ଘାଉଁ ହେଲା ।

 

ମୁଁ ନିତିଦିନିଆ କାମ ସୁରୁଖୁରୁରେ କରିଗଲି, କିନ୍ତୁ ମନ ପରିଷ୍କାର ରହି ପାରିଲା ନାହିଁ । ସବୁ ସ୍ୱପ୍ନ ସବୁ କଳ୍ପନା ଭିତରେ ତୁହାଇ ତୁହାଇ ସେହି ପ୍ରଶ୍ନ ଜାଗିଉଠେ,–କ’ଣ କରିବି ?

 

ୟା ପରେ କ’ଣ ?

ମୁଁ ବର୍ତ୍ତମାନ ବଡ଼ ହେଲିଣି; ଭିତରେ ଭିତରେ ଓଜନ ଓଜନ ଲାଗୁଛି; କିନ୍ତୁ ମନର ଗୋଟାଏ ପାଖ ଅଛି, ଯାହା ହାଲୁକା ରହିଛି ।

 

ସବୁ ଭାବନା ଉପରେ ଉତୁରିପଡ଼େ ଯୌବନର ସ୍ୱପ୍ନ ।

ମଞ୍ଜୁ କଲିକତାକୁ ଚାଲିଗଲା । ଆହୁରି କେତେ ଆସିଲେ । ସେମାନଙ୍କ ମୁହଁ ସବୁ ଆଜି ଦିଶିଯାଉଛି ସ୍ୱପନ ପରି । ସେତେବେଳେ ସେମାନେ ଥିଲେ ଜୀବନ୍ତ ବର୍ତ୍ତମାନ ।

 

ସାଙ୍ଗ-ମେଳରେ ସ୍ତ୍ରୀଜାତି ସହିତ ସମ୍ପର୍କର ଅଭାବ ଅନେକ ଅଂଶରେ ଭୁଲି ହେଉଥିଲା ସତ; କିନ୍ତୁ ସେ ଅଭାବର ସ୍ୱରୂପ ବିଚିତ୍ରଭାବେ ନିଜଭିତରେ ଆଖିରେ ପଡ଼ୁଥିଲା । ଫଳରେ ଅଧୀରତା ଆସୁଥିଲା ଓ ସେହି ଅଧୀରତାକୁ ଦଶବାଟରେ ଖେଳାଇ ଦେବାକୁ ହେଉଥିଲା । ରାତି ରାତି ଉଜ୍ଜାଗର ରହି ପାଠ ମୁଖସ୍ଥ କରିବାବେଳେ କଠିନ ସମସ୍ୟା କଥା ଭାବିଲାବେଳେ ସେଭଳି ଅଧୀରତା ଆସେନାହିଁ ।

 

କିନ୍ତୁ ଯେତେବେଳେ ଚାପି ରଖିବା ଚିନ୍ତା ନ ଥାଏ ଓ ନିରୋଳାରେ ହୁଗୁଳା ମନ ଏ କନ୍ଦି ସେ କନ୍ଦି ଉଂକି ମାରୁଥାଏ, ସେତେବେଳେ ମନକୁ ଛାଇ ପକାଏ ଗୋଟାଏ ନିଃସଙ୍ଗ ନୀରବତା ଓ କ୍ଷୀଣ ବିଷାଦର ରଶ୍ମି ଭିତରେ ଏହି ଅଧୀରତା ପ୍ରକଟି ଉଠେ ।

 

ବିଜୁଳିବତି ନିଭାଇ ଦିଏଁ ଚମ୍ପାକଢ଼ୀ ପରି ଆଙ୍ଗୁଠି କାଢ଼ି ଜହ୍ନ ଆଲୁଅ କିମିଆକରା ନିଛାଟିଆ ରାତିରେ ଇଙ୍ଗିତ ଦେଖାଇ ପାଦାକୁ ଡାକୁଥାଏ । ବଗିଚାର ବଡ଼ ଛୋଟ ଗଛ ନୀରବରେ କ’ଣ ରହସ୍ୟ ଯେପରି ଭାବୁଥାନ୍ତି । ନିଜକୁ ଘେନି ନିଜେ ହିଁ ବ୍ୟସ୍ତ ହୁଏ ।

 

କ’ଣ ମୁଁ ଚାହେଁ ଜାଣେ ନାହିଁ, କିନ୍ତୁ କ’ଣ ଯେପରି ମୁଁ ଚାହେଁ, କ’ଣ ଯେପରି – ।

 

ଶୋଇ ଶୋଇ ନିଦ ହୁଏନାହିଁ । ପିଲାଦିନର ଖିଆଲ ମନେ ପଡ଼ିଯାଏ, ଏକଠୁଁ ଶହେ ଯାକେ ଗଣେଁ–ଏକ୍–ଦୁଇ–ତିନି–ଚାରି..... ।

 

ପୁଣି ପୂଜାଛୁଟି ହେଲା । ଘରକୁ ଆସି ଏଠି ଦିନେ ସେଠି ଦୁଇଦିନ ହୋଇ ଗାଁରେ ପହଞ୍ଚି ଗଲି ।

 

ଠିକ୍ ଗଲାବେଳକୁ କେମିତି ଗୋଟାଏ ଲାଗୁଥାଏ, ଯେପରିକି ଗୋଟାଏ କିଛି ଘଟିବ । ମେଘ ଘୋଡ଼ାଇଥିବା ପବନ ଥମ୍ବିଯାଇଥିବାବେଳ ପରି ରହସ୍ୟମୟତା, କିନ୍ତୁ ପହୁଞ୍ଚି ଗଲାପରେ ମନରୁ ସେପରି ଭାବ ଉଭେଇ ଗଲା । ଭଲ ମନ୍ଦ ପଡ଼ିଲା, ସୁଖ ଦୁଃଖ କଥା ପଡ଼ିଲା, ସେ ବି ସରିଲା, ତା’ ପରେ ସରଳ ସହଜ ହୋଇ ସେ ପରିବେଷ୍ଠନୀ ଆରେଇ ଗଲା, କିନ୍ତୁ ଲାଗୁଥାଏ, ମୁଁ ନିଜେ ନିଜେ କିପରି ଟିକିଏ ଗମ୍ଭୀର ହୋଇ ଯାଇଛି, ଯହିଁରେ ରେଣୁକା ସହିତ ମିଶିବା ଅପେକ୍ଷା ରେଣୁଳା କଥା ହିଁ ବେଶି ବେଶି ମୁଁ ଭାବୁଛି ।

 

ପାନ ଆଣି ଦେଲାବେଳେ ତା’ ହାତପାପୁଲି ଧରି ପକାଇ ଅନେକ ଗୁଡ଼ାଏ କଥା ଏକାମୁହଁକେ କହିଯିବାକୁ ମନ କରି ଥିଲି, ଅଥଚ ଖାଲି ପଚାରିଲି, ‘କ’ଣ, ସବୁ ଭଲ ତ ?’

 

ସେ ମୁହଁ ନୁଆଇଁ କାନ୍ଧ ଉପରକୁ ଲୁଗାଟା ଉଠେଇ ଦେଇ କହିଲା, ‘ଭଲ କ’ଣ ମନ୍ଦ କ’ଣ ? ଚାଲିଛି ।’

 

ଆଉ କିଛି କହି ପାରିଲି ନାହିଁ । ତା’ପରେ ଅଳ୍ପସମୟ ଠିଆହୋଇ ରହି ସେ ଚାଲିଗଲା, କିନ୍ତୁ ଏଇ ଥରକରେ ମୁଁ ଟିକିଏ ସାହସ ପାଇଲି । ଅଳ୍ପ ସମୟ ପରେ ମୁଁ ଜଳଖିଆ ଖାଇବାକୁ ଗଲାବେଳେ ସେ ଯେତେବେଳେ ଜଳଖିଆ ଆଣି ଥୋଇ ଦେଲା, ତାକୁ ଜବରଦସ୍ତି ଗୋଟିଏ ମିଠେଇ ଖୋଇବାକୁ ଚେଷ୍ଟା କଲି । ସମସ୍ତେ ହସିଲେ, ମୁଁ ବି ହସିଲି, ସେ ନାନା ଭଙ୍ଗୀ କରି ପଳାଇଗଲା ।

 

ୟାପରେ ମୋର ଅଣସର ଗୁଳୁଗୁଳି କିଟିଗଲା, ତା’ର ବି । ମୋର ସାହସ ହେଲା ତାକୁ ଡାକି ତା’ ସହିତ ଗପ କରିବାକୁ । ସେ ଥିରିହୋଇ ଠିଆହୋଇ ଗପ କଲା, ସ୍ଥିର ଶାନ୍ତ ଥିଲା ତା’ ଠାଣି । ଗ୍ରାମୋଫୋନ ରେକଡ୍ ବାଜିଲା ପରି ମୁଁ କଥା କହି ଯାଉଥାଏଁ, ଯାହା ମୋ ମନକୁ ଆସୁଥାଏ. ତା ସେ ଧୀରସୁଅରେ କଥା ଗପୁଥାଏ । ତା’ ପରେ ତା’ର କ’ଣ ଦରକାର ପଡ଼ିଲା ଯେ ସେ ଉଠି ଚାଲିଗଲା ।

 

ଏହିପରି ସମୟ କଟିଲା । ତା’ର ସାନ୍ନିଧ୍ୟ ମତେ ଭଲ ଲାଗେ, ବେଳେ ବେଳେ ମୁଁ ଚିନ୍ତାଶୀଳ ହୋଇପଡ଼େଁ । ଚାଲି ଆସି ସେ କହେ, ‘ଭାରି ଭାବୁଚ ତ ବସି ବସି କ’ ଣ ?’ ସେ ବେଶି ଆସେ ନାହିଁ, ଥଟ୍ଟା ନକଲ ଲଗାଏ ନାହିଁ । ହୁରୁହୁରୁ ଫୁରୁଫୁରୁ ହୁଏ ନାହିଁ, କିନ୍ତୁ ତାଠି ସଙ୍କୋଚ ନ ଥାଏ ।

 

ହେଇ ଦେଖନା, ତା’ ବୋଉ ପାନ ଭାଙ୍ଗି ବସିଥିବେ, ସେ ବାଳମୁକୁଳା କରି ମୁଣ୍ତବାନ୍ଧି ବସିଥିବ ଓ ମୋ ସଙ୍ଗେ କଥା କହୁଥିବ । ବେଳେ ବେଳେ କହିବ, ‘କୁଣ୍ତେଇ ଦେବିକି ମୁଣ୍ତ ?’

 

ଓଦା ଲୁଗା ନ ପାଲଟି ଆସି ମୁହଁରେ ସ୍ନୋ ବୋଳି ହେଉଥିବ, କହିବ, ‘ଆସ ଆସ ସ୍ନୋ ଟିକିଏ ବୋଳିଦିଏଁ ତମ ମୁହଁରେ’ ଥରେ ଆଙ୍ଗୁଠି ବୁଡ଼େଇ ସ୍ନୋ ଟିକିଏ ଆଣି ତା ମୁହଁରେ ଲଗାଈବାକୁ ଚେଷ୍ଟା କଲି, କେବେ ମୁହଁ ଦେଖେଇଲା ନାହିଁ, ଲୁଗା ଘୋଡ଼େଇ ଦେଲା । ବହୁତ ଚେଷ୍ଟାକରି ତା ମୁହଁରେ ବୋଳିଲି, ସାଲୁବାଲୁ ହୋଇ ଲାଗି ଗଲା, ସେ ତାକୁ ରଗଡ଼ି ପୋଛି ପକେଇଲା । ଆଖିଯୋଡ଼ିକ ଦିଶୁଥାଏ କେଡ଼େ କଅଁଳ ଆଉ ଥଣ୍ତା । ସେ ହଲଚଲ ହେଲା ନାହିଁ, କିନ୍ତୁ ମୋ’ର ଆବେଗ ନିଭି ଆସୁଥାଏ, ଥିରି ଥିରି ପଦାକୁ ଚାଲି ଆସିଲି ।

 

ସେ ମତେ ଭଉଣୀ ଭଳି ଲାଗୁଥାଏ ବେଶି ବେଶି, ଥରେ ତା’ ବୋଉ ନେହୁରି ହୋଇ କହିଲେ,‘ରାଧୁ, ତୁମେ ରେଣୁକୁ ଏତେ ଭଲପାଅ, ଏଥର ଗୋଟିଏ ବି କୋଉଠୁ ଖୋଜ ତା’ପାଇଁ । ତୁମେ ସହରରେ ଅଛ, ଏତେ ଲୋକ ତୁମ ସଙ୍ଗରେ ପଢ଼ୁଛନ୍ତି, କେତେ ଯୋଗ୍ୟଲୋକ ତୁମ ନିଘାରେ ଥିବେ; ମୁଁ ଦର୍ବ ଅନୁଭବ କଲି । ତା’ର ଭଲ ମନ୍ଦରେ କହିବାକୁ ମୋର ଅଧିକାର ଅନୁଭବ କଲି ଓ ବରମାନଙ୍କ ସମ୍ବନ୍ଧରେ ଛୋଟ ବକ୍ତୃତାଟିଏ ଦେଲି । ଖୁସି ଲାଗୁଥାଏ । କଥା କହୁ କହୁ ଶେଷ ଆଡ଼କୁ ମୁଁ ଅନ୍ୟମନସ୍କ ହୋଇ ଯାଉଥାଏଁ । ତା’ ବୋଉ ଭଲ କରି ଭାଙ୍ଗି ପାଚିଲା ପାନ ଦି’ ଖଣ୍ତି ବଢ଼େଇ ଦେଲେ । ମୁଁ ପଦାକୁ ବାହାରି ଆସିଲି ।

 

ବହି ଖଣ୍ତେ ପଢ଼ୁ ପଢ଼ୁ ଅନ୍ୟମନସ୍କ ହୋଇ ଏଣୁ ତେଣୁ ଭାବୁଥାଏଁ, ବାସ୍ତବିକ, କେତେ ପରିବର୍ତ୍ତନ ହୋଇଛି ତାହାର । ଏ ପୁଣି ଦିନେ ବିଭା ହେବ । ବିଭାହେବ ଭାବିଲେ ବିଦାବିଦି କଥା ମୋର ସବୁଦିନେ ମନେପଡ଼େ । ଶକୁନ୍ତଳା ବିଦା ହେବ ବୋଲି କଣ୍ୱଋଷିଙ୍କ ଚିନ୍ତା । ଏତିକି ୟା ସହିତ ସମ୍ବନ୍ଧ । ତା’ପରେ ସେ ଚାଲିଯିବ, ସେ ହେବ ଜଣେ ଆଉ ମଣିଷ ।

 

କ’ଣ ତା’ର କାମ ଥିଲା ବୋଲି ସେ ଘରଭିତରକୁ ପଶି ଆସି ଅଲଗୁଣିରେ ଲୁଗାପଟା ଅଣ୍ତାଳିଲା । ତା’ କାମରେ ସେ । ହଠାତ୍ ପଚାରିଲା ,’କିଛି ବହି ଆଣି ଦେଲ ନାହିଁ ରାଧୁଭାଇ ?’ ଏଣୁ ତେଣୁ କଥାଭାଷା ସାରି ସେ ଚାଲିଗଲା । ମୁଁ ବହୁତ ଚେଷ୍ଟା କରି ବହିରେ ମନ ଦେଉ ଦେଉ ଶୋଇ ପଡ଼ିଲି ।

 

କେତେ ସମୟ ଶୋଇଛି ଜାଣେ ନାହିଁ, ପୁଣି ରେଣୁକା ଆସି ମତେ ହଲେଇ ହଲେଇ ଉଠେଇଲା । କହିଲା, ‘ଭାତ ଖାଇବ ଆସ, ବୋଉ ଡାକୁଛି ।’

 

ତା’ର ସ୍ପର୍ଶ ଲାଗି ମତେ କେମିତି ଅସଜ ଅସଜ ଲାଗିଲା, ଧଡ଼ପଡ଼ ହୋଇ ଉଠି ଖୁବ୍ ଦମ୍ଭରେ ତିନି ଚାରିଥର କହିଲି, ‘ହଁ ହଁ ଭାତ ? ହଁ ଚାଲ୍ ଚାଲ୍ ଚାଲ୍ ଚାଲ୍’ ମୋର ଉତ୍ସାହ ଦେଖି ତାକୁ ଭାରି ହସ ମାଡ଼ିଲା । କହିଲା, ‘ଭାରି ଭୋକ କରୁଥିଲା ବୋଧେ ?’ ନିଜେ ଅପ୍ରସ୍ତୁତ ହୋଇ ତା’ର ପଛେ ପଛେ ଗଲି ।

 

ଏହିପରି ସବୁ ।

ସତେ ଯେମିତି ବହୁଦିନୁଁ ସେ ମତେ ଚହ୍ନେ, ମୁଁ ତାକୁ ଚିହ୍ନେ ।

 

କିନ୍ତୁ ଏଇ ଚିହ୍ନାଚିହ୍ନି ଭିତରେ ବେଳେ ବେଳେ ମୋ ନିଜ ମନକୁ ନୂଆ କ’ଣରୁ ମୁଁ ଚାହିଁ ରହି ଦେଖେଁ, ସେତେବେଳେ ରେଣୁକାଠାରେ ନୂଆ କିଛି ଦେଖେଁ, ତେଣୁ କଥା ମଝିରେ ହଠାତ୍ ଗମ୍ଭୀର ହୋଇପଡ଼େଁ ବା ହଠାତ୍ ପ୍ରଳାପ କରି ବସେଁ । ଆଉ ବୋଧହୁଏ ସ୍ତ୍ରୀଜାତିଙ୍କର ବ୍ୟବସାୟୀ ବୁଦ୍ଧି ବେଶି ଅଛି ବୋଲି କି କ’ଣ ତା’ର ମନ ନୂଆ ପୁରୁଣା ସବୁ ପରିସ୍ଥିତିତୁ ସହଜ-ଭାବେ ଘେନି ପାରିଥିଲା ଓ ନିଜ ମନର ଚାଞ୍ଚଲ୍ୟକୁ ସେ ଘୋଡ଼ାଇ ଶିଖିଥିଲା ।

 

କିନ୍ତୁ ମୃଦୁଳତା ଭିତର ରାଞ୍ଚଲ୍ୟ ମୁଁ ଦେଖିଥିଲି, ନୋହିଲେ ମୋ’ର ମନରେ ତରଙ୍ଗ ଉଠି ନ ଥାନ୍ତା ବୋଧହୁଏ ।

 

ସଂଜବେଳେ, ଟେବୁଲ ଉପରେ ହାମୁଡ଼େଇ ହେଲା ପରି ମୁଁ ମୁହଁ ଅଜାଡ଼ି ଦେଇଥାଏଁ । ଜହ୍ନ ଆଲୁଅ ବିଞ୍ଚିହୋଇ ପଡ଼ୁଥାଏ ଝରକାବାଟେ । ସେପାଖେ ତାଙ୍କର ସୁନ୍ଦର ବଗିଚା ।

 

ସେ ଆସିଲା, ତା’ର କ’ଣ କାମ ଥିଲା ସେ ଘରେ, ପଚାରିଲା, ‘ଦିଆ –ସିଲିଟା ଏଠି କୋଉଠି ଥିଲା ତୁମେ ଦେଖିଛ କି ?’

‘ନାଁ –ଶୁଣ୍’

‘ରହ ରହ ମୁଁ ଆସେଁ ।’

‘ନା, –ଶୁଣିଯା ଟିକିଏ ।’

ଆରପାଖ ଟେବୁଲ ଉପରେ ଭରାଦେଇ ନଇଁପଡ଼ି ସେ କହିଲା, ‘କ’ଣ ?’

ମୁଁ କିଛି କହିଲି ନାହିଁ ।

କହିଲା, ‘କାହିଁକି ଡାକିଲ କ’ଣ କହୁନା ତ, ମିଛରେ –’

‘ରେଣୁ– !’

ମୋ’ ସ୍ୱର ଶୁଣି ସାପ ପରି ସେ ମୁଣ୍ତ ନୁଆଁଇ ଦେଲା, ତର ତର ହେଲା ନାହିଁ କହିଲା କ’ଣ କହୁଛ ? ‘ମୁଁ କିଛି କହିଲି ନାହିଁ ମୁହଁ ନ ଟେକି ପୁଣି ସେ କହିଲା ‘ତୁମେ କାଲି ଚାଲିଯିବ ରାଧୁଭାଇ ?’

‘ହଁ ।’

‘କାହିଁ ଆଉ ଦିନେ ଅଧେ ରହିଗଲେ ?’

‘କଲେଜ ଖୋଲିବ ପରା–’

ଦୁହେଁ ତୁନୀ ରହିଲୁଁ । କେହି କାହା ମୁହଁକୁ ଚାହିଁଲୁଁ ନାହିଁ । ପାଖକୁ ପାଖ ଯୋଡ଼ିଏ ମୁଣ୍ତ-। ମୁହଁ ତଳକୁ, ଖାଲି ଦୀର୍ଘଶ୍ୱାସ ।

 

ଦୀର୍ଘଶ୍ୱାସରେ ଦୀର୍ଘଶ୍ୱାସରେ ନିର୍ବାକ୍ ଭାର-ବିନିମୟ, ଆମେ ପରସ୍ପରକୁ ବୁଝିଥିଲୁଁ ।

 

ମୁହଁ ଟେକିଲା, କହିଲା, ‘ଯାଉଛି ମୁଁ ପରେ ଆସିବି । ଭାରି କାମ ଅଛି । ଦିଆସିଲିଟା କୋଉଠୁ ପାଇବି ମଁ !’

 

ତହିଁ ଆର ଦିନ ସକାଳୁ ମୁଁ ଚାଲିଆସିଲି ।

ମୁଁ ଚାଲିଆସିଲି ଫେରି, କିନ୍ତୁ ମୋ’ର ମନରେ ପରାସ ଟିକିଏ ରହିଗଲା ।

କାମ କାର୍ଯ୍ୟର ବିହ୍ୱଳକା ଭିତରେ ତରୁଣ ମନରେ ପରାସ ଆପେ ଆପେ ନିଭିଯାଏ କହନ୍ତି ପରା, ମୁଁ କହୁଛି କିଛି ନିଭେ ନାହିଁ, ଖାଲି ବଦଳିଯାଏ । ବଡ଼ ଦୁନିଆର ସଜ ପବନ ଯେତେବେଳେ ମୁହଁରେ ହାତ ବୁଲାଇ ଦିଏ, ବାହାରଟା ଶୀତଳ ହୋଇଯାଏ, ଭିତରର ଭାବନା ଅନ୍ୟ ବାଟ ଦେଖେ ।

 

ସକାଳର ସ୍ଫୂର୍ତ୍ତି ଓ ରାତିର ତନ୍ଦ୍ରା ଭିତରେ ସମ୍ୱନ୍ଧ ନାହିଁ କିଏ କହିଲା ? ସକାଳର ଜାଗରଣ ରାତିର ଅଳସ ନିଦର ପ୍ରତିବାଦମୂଳକ ପ୍ରକାଶ ।

 

ତେଣୁ ଲୁହଟୋପାକ କବିତା ପାଲଟିଯାଏ ।

ଜୀବନରେ କବି କେବେ ବୋଲାଇ ନାହିଁ, କବିତା ଲେଖି ନାହିଁ, ସାଧାସିଧା ମଜୁରିଆ ମୂଲିଆ ପରି ବଞ୍ଚିଆସିଛି, କିନ୍ତୁ ଯଦି ଥାଆନ୍ତା ସେଦିନର ଚିଠିଗୁଡ଼ାକ ମୋ ପାଖେ, ତେବେ ଦେଖାଇ ପାରନ୍ତି, ସାଧା କଥାରେ ସାଧା ମଣିଷ ପୁଣି କିପରି କବିତା ଲେଖେ ।

 

କାରଣ ହଷ୍ଟେଲକୁ ଫେରି ଅବସର ସମୟରେ ଚିଠି ହିଁ ଖାଲି ଲେଖିଲି, ବଡ଼ ବଡ଼ ଚିଠି, ଯାହାର ମୂଳ ନାହିଁ କି ଶେଷ ନାହିଁ । ସମସ୍ତଙ୍କ ପାଖକୁ ଚିଠି ଲେଖିଲି, ଏ ବୋଧହୁଏ ମୋ’ର ଭିତର ମନର ମୋ ନିଜ ପ୍ରତି ପତିଆରା, କାରଣ ବେଶି ଚିଠି ଲେଖିଲି ରେଣୁକା ପାଖକୁ ।

 

ବୋଉ ପାଖକୁ ଚିଠି ଲେଖେଁ–

ବୋଉ, ମନ ଭଲ ଲାଗୁନାହିଁ । ଏ ଧୋବଲା କୋଠାରେ ବିଜୁଳି ଆଲୁଅ ତଳେ ବସି ମୋ’ର ପ୍ରାଣ ଝରିମରୁଛି ଆମ ଗାଁର ଚାଳଘରକୁ, ଯେଉଁଠି କଅଁଳ ମାଟି କାନ୍ଥକୁ ତୁ ନିପି ପୋଛି ଆଉଁଷି ଆଉଁଷି ଶାଉଁଳିଆ କରିଦେଇଛୁ, ଯେଉଁଠି ଜଳୁଥିବ ଆମର ପୁରୁଣା ପିତଳ ନଲ୍‍ଟଣଟି, କାଚ ଫାଟି ଯାଇଛି ଠାଏ ଠାଏ । ବୋଉ, ଆମ ଘର ପରା ଆମର, ତୋର ମୋ’ର, ଆମ ସମସ୍ତଙ୍କର । ଏ ଘର ଆମର ନୁହେଁ, ଖାଲି ଗୋଟାଏ ପାନ୍ଥଶାଳା, କିଏ କେତେ ଆସିଛନ୍ତି ଯାଇଛନ୍ତି, କିଏ କେତେ ଯିବେ ।

 

ପିଲାଏ କେତେ ସଉକ କରି ଘର ସଜାଇ ରଖିଛନ୍ତି, ଦେଖୁଥିବୁ ପରୀକ୍ଷା ସରିଲାଦିନୁ ଓଳିଟାଏ ଅଟକିଗଲେ ବାହାରର କୁଣିଆ ପରି, ମୁଠାଏ ଖାଇବାକୁ ହେଲେ, ମୁଠାଏ ପଇସା ପଡ଼ିବ-

 

ଏତେ ବଡ଼ କଲେଜ, ଆମ କଲେଜ, ଯେଉଁମାନେ ଏଠୁ ବାହାରି ଯାଇଛନ୍ତି, କାହାନ୍ତି ସେମାନେ ଆଜି ଏକତିରିଶ ତାରିଖ ଗଡ଼ି ପହିଲା ହୋଇଗଲେ ଦରମା ନ ଦେଇଥିଲେ ପରା ନାଁ କଟିଯିବ !

 

ଆମର ପ୍ରଫେସରମାନେ ଚାହିଁଛନ୍ତି । ଦଳ ଦଳ ପିଲା ଆସୁଛନ୍ତି, ପୁଣି ଦଳ ଦଳ ଉଡ଼ି ଚାଲିଯାଉଛନ୍ତି । ଦି’ ଦିନିଆ ସ୍ନେହ ଆଦର, କାନ୍ଥରେ ବାଡ଼ରେ ବଡ଼ ଫଟୋ,–ତା’ପରେ ?’

 

ବେଶି ଚିଠି ଲେଖେଁ ରେଣୁ ପାଖକୁ, କିନ୍ତୁ ଦଶଟାରୁ ଗୋଟାଏ ଡାକରେ ଦିଏଁ କି ନାହିଁ । ବାକିଗୁଡ଼ାକ ଚିରି ପକାଏଁ କେତେଗୁଡ଼ାଏ ଲେଖି ବାକ୍‍ସରେ ଥୋଇଦିଏଁ ।

 

ଚିଠି ଲେଖିଲେ ନିଜ ପାଖେ ନିଜେ ବାରମ୍ବାର ଧରାପଡ଼ିଯାଏଁ ପରା ! ଯାହା ମୋ ଚିନ୍ତାରେ ନାହିଁ, ତାହା ଅଜାଣତରେ କିପରି ବାହାରି ଆସେ ମୋରି ମନରୁ, ନିଜ ଚିଠି ପଢ଼ି ନିଜକୁ ହିଁ ଲାଜମାଡ଼େ, ଏଗୁଡ଼ା ମଣିଷ ଦିଏ, ନା କ’ଣ ?

 

ଲେଖେଁ–

‘ଆଦରର ରେଣୁକା,

ଏଇ ନିର୍ଜନ ରାତିରେ, ଜହ୍ନ ଉଠୁଛି ମେଘ ଆଢ଼ୁଆଳରୁ, ଆଉ ତୁ ମୋ’ର ମନେ ପଡ଼ୁଛୁ-। ଚାହିଁ ଦେଖୁଛି ତୋର ଅଖଳା ହସ ପରି ପଡ଼ିଆ ଉପରେ ଜହ୍ନ ଆଲୁଅ ଲୋଟୁଛି । ରହିପାରେଁ କି ତାକୁ ଭୁଲି ଏଇ କୋଠରିଭିତରେ ? ମୁଁ ଏଠି ପଡ଼ି ରହିଛି ସତ, କିନ୍ତୁ ଭାବିଲା ମାତ୍ରକେ ମୋ’ର ମନ ପଳାଉଛି ଦୂରକୁ, –ବହୁ ଦୂରକୁ ।

 

ତୁ କ’ଣ ମୋରି ପରି ମତେ ଭାବିପରୁଛୁ ? ପାଛୋଟି ନେବାକୁ ତୋ’ର ମନ ଫିଟି ଚାଲି ଆସିଛି, ନଈ ସେପାରିର କେଉଁ ନିଛାଟିଆ ସୋରିଷ କିଆରି ମୁଣ୍ତକୁ ?

 

ସ୍ୱପ୍ନ ପରି ଲାଗୁଛି ସବୁ, ଯେପରି ତୁ ଆଉ ମୁଁ, ମୁଁ ଆଉ ତୁ କେଉଁ ଅନ୍ଧାରୁଆ ନିଛାଟିଆ ରାଜପୁରୀରେ, ଲୋକ-ଗହଳିଠୁଁ ଦୂରରେ ଶୁନଶାନ୍ ଗୋଟାଏ ପାହାଡ଼-ମହୁଡ଼ ଉପରେ । ଅନ୍ଧାରଭିତରେ ଜହ୍ନ ଆଲୁଅ ଛିରିକି ପଡ଼ୁଛି ସ୍ଥାନେ ସ୍ଥାନେ, ଘରେ ଘରେ ଚେମଣି ଆଉ ବାଦୁଡ଼ି, ବାହାରେ ନିସ୍ତବ୍‍ଧ ଚାନ୍ଦିନୀ ରାତି–କାହିଁ ତୁ ଅବା କାହିଁ ମୁଁ,–କିନ୍ତୁ ଆମେ ପରସ୍ପରକୁ ଖୋଜୁଛୁଁ, –ଖୋଜୁଛୁଁ ।’

 

ଲେଖିସାରି ପଢ଼ି ଦେଖେଁ କ’ଣ ଗୁଡ଼ାଏ ପାଗଳ ପରି ଗାରେଇଛି ! ଏପୁଣି ରେଣୁକା ପାଖକୁ ଯାଆନ୍ତା ! କ’ଣ ଭାବନ୍ତା । ସେ ।

 

ଜାଣିପାରି ନଥିଲି ସେତେବେଳେ ଯେ ଏଇ ପାଗଳାମି ଭିତରେ ମୋ’ର ମନ-ଗହୀରର ଗୋପନ କଥା ଛନ୍ଦ ପର୍ଯ୍ୟାୟରେ ଝରି ପଡ଼ୁଥିଲା, ଯେପରି ହୁଏ, ଅଥଚ ଆମେ ବୁଝି ନ ପାରି ହସରେ ଉଡ଼ାଇ ଦେଉଁ । ବୋଉ ପାଖକୁ ଚିଠି ବା ରେଣୁକା ପାଖକୁ ଚିଠି,–ତା’ର କାହାଣୀ ହସରେ ଉଡ଼ାଇ ଦେଇ ହୁଏ, ରାଗିଣୀ ଅବହେଳା କରି ହୁଏ ନାହିଁ । ମନ ଭିତରେ ଯେଉଁ ଭାବର ଗୁଞ୍ଜନ ଲାଗେ, ତାହାରି ରାଗିଣୀକୁ ପ୍ରକଟାଇବାକୁ ଯେ କୌଣସି କାହାଣୀ ଗଢ଼ି ଦେବାକୁ ପଡ଼େ, ନିଜେ ଯେପରି ଧରା ନ ପଡ଼ିବି ସେଥିପାଇଁ କାହାଣୀ ଆପେ ଆପେ ସୁତୁରାଇ ହୋଇଯାଏ, ଯେପରି ଘରକୁ ଦେଖାଇ ପରକୁ ।

 

ଦୁନିଆର ଦଶଲୋକ କାହାଣୀର ମାୟାରେ ଭୁଲନ୍ତି, ତେଣୁ ରାଗିଣୀ ଧରା ପଡ଼େନାହିଁ, ଅଥଚ ପ୍ରକାଶ ପାଏ ।

 

ଚିଠି ଚିରିପକାଏ ମନ ଭିତରେ ଜଗୁଆଳ ଭାଇ ନାଲି ଆଖି ଦେଖାଇ ମୋ’ରି ହାତରେ ଚିଠି ଚିରେଇ ପକାଏ ।

 

ପୁଣି ମୁଁ ଚିଠି ଲେଖେଁ–

‘କଲ୍ୟାଣୀୟା ରେଣୁକା,

ମୋ’ର ସ୍ନେହ ଆଶୀବାଦ ଘେନିବୁ । ମୁଁ ଭଲ ଅଛି –ମାନେ ସୁଖେ ଦୁଃଖେ ଚଳିଯାଉଛି, ସଂସାରରେ କିଏ ନ ଚଳେ ?

 

ଲେଖିବା ଭଳି ସେପରି କିଛି ବଡ଼ତି ଘଟି ନାହିଁ । ମୋର ବା ପରିବର୍ତ୍ତନ କ’ଣ ଅଛି ? ଲଣ୍ତା ପାହାଡ଼ରେ ଅକର୍ମଶିଳା ପିରି ମୁଁ ଅପରିବର୍ତ୍ତନୀୟ ।

 

କିନ୍ତୁ ମତେ ଭଲ ଲାଗୁନାହିଁ । ବେଶି ବେଶି ମନ ଖରାପ ହେଉଛି, ତହିଁର କାରଣ ବୋଧହୁଏ ଏହା ହିଁ ଯେ, ମୁଁ ବେଶି ଭାବେଁ ।

 

ମୁଁ ଭାବେଁ କେତେ ଦୂରରେ ପଡ଼ିଛି ମୁଁ, ଯେପରି ଗୋଟାଏ ତେଲଘଣାରେ ବନ୍ଧା ହୋଇଛି । ମୋ’ର ଧରାବନ୍ଧା ଡିଉଟା ଛଡ଼ା ଆଉ କିଛି କରିବାକୁ ନାହିଁ ।

 

ପୁଣି ଭାବେଁ, ସମସ୍ତଙ୍କ କଥା ଗୋଟି ଗୋଟି କରି । ମୋ’କଥା ବୋଧେ କହି ଭାବେ ନାହିଁ ।

 

ହେଇ ଦେଖ, ରାତି ଏଗାରଟା,–ହଷ୍ଟେଲ୍ ଶୂନ୍‍ଶାନ୍, ମୁଁ ବସି ତୋ ସୋଙ୍ଗେ କଥା ଗପୁଛି ।

 

ବାରମ୍ବାର କହିଥିଲୁ ଯିବାପାଇଁ । ତୋ’ର ଏତେ ଶ୍ରଦ୍ଧା, ଆଦର, ଗଲେ କ’ଣ ହ’ନ୍ତା ନାହିଁ-?

 

ଚାହିଁରେ ଯଦି ସବୁ ଘଟୁଥାନ୍ତା, କେଡ଼େ ସୁନ୍ଦର ହୁଅନ୍ତା ଜୀବନ, କିନ୍ତୁ ଘଟେ ନାହିଁ । ତୁମ ଘର ଆଉ ଏ ହଷ୍ଟେଲ୍, ମଝିରେ କେତେ ଗାଁ ଗଣ୍ତା, ନଈ ନାଳ, ପାହାଡ଼ ଜଙ୍ଗଲ ! କେତେ ଦୂର ।’

 

ରାତିରେ ଉଦାସ ମନରେ, ପଢ଼ି ଦେଖେଁ, ଭଲ ଲାଗେ । ସକାଳେ ଆଉ ଥରେ ପଢ଼େଁ, ଦିନ ଆଲୁଅରେ କେତେ ଅସଙ୍ଗତ ଅବାନ୍ତର କଥା ବୋଝେ ଲେଖିଛି, କ’ଣ ହେବ ସେଗୁଡ଼ାକ ? କାଟିକୁଟି ନୂଆ ଚିଠି ଲେଖେ ।

 

‘ମୁଁ ଭଲ ଅଛି, ତୁ କିପରି ଅଛୁ, ଚିଠି ଦେଉଥିବୁ’ ତା’ ପରେ ଆପେ ଆପେ ହୋଇଯାଏ-

 

ଭୁଲିବୁ ନାହିଁ ଜେମି କେମିତି ଅଛି, ରମା କେମିତି ଅଛି’, ଭାଉଜ ଚିଠି କେବେ ଦେଇଥିଲେ, ପୁଣି ଗଡ଼େଇ ଆଣେ ସେଇ କଥାକୁ ।

 

‘ଚାହିଁଲେ ଯଦି ସବୁ ଘଟୁଥାନ୍ତା ! ତୁମ ଘର ଆଉ ଏଠା ମଝିରେ ଯେ କେତେ ବଣ ଜଙ୍ଗଲ, ନଈ ନାଳ, ରେଳରାସ୍ତା ଆଉ ଶଗଡ଼ ଗୁଳା,–କେତେଦୂର ! ନାଲି ସଡ଼କ ଉପରେ ଖୋଜ ପକାଇଲେହେଁ ମୁଁ ବୁଝେ,–କେତେଦୂର ! କ’ଣ ଆଉ ଲେଖିବି ମନ ସୁଖ ନାହିଁ ।’

ରେଣୁକା ଜବାବ ଦିଏ–

‘ପୂଜନୀୟ ରାଧୁଭାଇ,

ତୁମ ଚିଠି ପାଇ ଭାରି ଖୁସି ହେଲି । ଯାଇହଉ ତୁମେ ଭୁଲିଯାଇନା, ମୁଁ ଭାବିଥିଲି ବା ରାଧୁଭାଇ ପାସୋରି ସାରିବେଣି ।

 

ଆମ ଘର କୁଆଡ଼େ ଭାରି ଦୂର । ହଁ, ଦୂର ହବ ନାଇଁ କାହିଁକି ! ଯାହାର ଆସିବାକୁ ମନ ନ ଥାଏ, ତାକୁ ତ ସବୁ ଦୂର ! ହଉ ହଉ ମନ ଥିଲେ ଆସି ପାରନ୍ତ ନାହିଁ କୁଆଡ଼େ ! ଖାଲି କଥା !’

 

ପୁଣି ମୁଁ ଚିଠି ଦିଏଁ । ସେ ତା’ର ଉତ୍ତର ଜବାବ ଦିଏ । ‘ଭାରି ଭଲ ଲାଗିଲା ତୁମ ଚିଠି । ସତ କହୁଚି, ମୋ ମୁଣ୍ତ ବିନ୍ଧା ଭଲ ହୋଇଗଲା ତୁମ ଚିଠି ପଢ଼ି ।

 

ମତେ ଏଡ଼େ ସୁନ୍ଦର ଚିଠି ଲେଖି ଆସେ ନାହିଁ, ଲେଖି ବସିଲେ ଡର ମାଡ଼େ । କ’ ଣ ଏଣୁ ତେଣୁ ଲେଖି ଦଉଥିବି, ତୁମେ କାନିରେ ଗଣ୍ଠି ପକେଇ ଧରୁଥିବ, ଥଟ୍ଟା କରୁଥିବ ।

 

ଭାବେ ୟା ଲେଖିବି, ତା ଲେଖିବି, ମନେ ପଡ଼େନାଇଁ କିଛି ଲେଖିବସିଲା ବେଳକୁ, ତଥାପି ଯାହା ଆସେ ଲେଖେଁ, ନଇଲେ ତୁମେ ତ ଯେଉଁ ମଣିଷ ! ତୁଛା କଥାରେ ମୁହଁ ଫୁଲେଇ ଅଡ଼ି ବସିବ । ଶେଷରେ, ‘–ଯାଉଚି, ମୁଣ୍ତ ବାନ୍ଧିବି, ଗାଳି ଦବନାଇଁ ମୋ’ରାଣ ।’

 

ଯେ କୌଣସି କାମରେ ବୁଡ଼ି ରହିଥାଏଁ ପଛେ, ତା’ର ପିଲାଳିଆ ଚିଠି ମୋର ଧ୍ୟାନ ଭାଙ୍ଗିଦିଏ । ଇଛା ହୁଏ, ତରବର କରି ଖଣ୍ତେ ଜବାବ ଲେଖିଦିଏଁ, କିନ୍ତୁ ହୁଏ ନାହିଁ । ଖାଲି ବସି ବସି ଭାବେ ।

ସ୍ୱପ୍ନ ପରି ସବୁ ଦିଶିଯାଏ । ହେଇ, ମୁଣ୍ତ ବାନ୍ଧୁଥିବ ସେ ବସି ।

ମନ ଉଛୁଳି ଉଠେ, ତା’ର କଳ୍ପିତ ହସର ଉତ୍ତର ସ୍ୱରୂପ ମୁଁ ନିଜେ ହସି ପକାଏଁ ।

କ୍ରମେ ଆନନ୍ଦ ଚାଲିଯାଏ, ଆସେ ପ୍ରତୀକ୍ଷାର ଦୁଃଖ, ପରେ ଦୁଃଖ ହିଁ ରହିଯାଏ । ମୋ’ର ଦୁଃଖ, ମୋର ନିଛାଟିଆ ଉଦାସୀ ମନର ଦୁଃଖ । ଯହିଁରେ ଦିନ ସରେ, ଚାନ୍ଦ ଉଠେ ନାହିଁ, ତାରା ଫୁଟେ ନାହିଁ ।

ଖାଲି ଅନ୍ଧାର-ବିଲବି୍‍ଲ୍..... ।

କାହା ପାଇଁ ମନରେ ଦୁଃଖ ହୁଏ ? ଏ ପର୍ଯ୍ୟନ୍ତ ଜାଣିପାରିଲି ନାହିଁ, ତେଲ ସରିବାକୁ ଆସିଲା । ଦେଖିଛି, ବୁଃଖ ମାଡ଼ିଆସେ ମନର କେଉଁ କୋଣରୁ, ଅଜଣା ଦୁଃଖ । ଆନନ୍ଦ ଭିତରେ ଦୁଃଖ ଛାତିରେ କୋହ, ଉଠାଇ ଯାଏ, ସୁଖର ମଜଲିସ୍ ଦୁଆର-ମୁହଁରେ ପଡ଼େ ଦୁଃଖର ପ୍ରେତଛାଇ, କାରଣ ଭାବିବାକୁ ତର ମିଳେନାହିଁ ।

 

ରେଣୁକାପାଇଁ ମୁଁ ଦୁଃଖ କରନ୍ତି କାହିଁକି ? ଆହା, ସୁନା ଭଉଣୀଟି, ଭଗବାନ୍ ତା’ର ମଙ୍ଗଳ କରନ୍ତୁ । ତା’ଘରେ ସେ, ମୋ ଗୁହାଳେ ମୁଁ । ଦେଖା ତ ପୁଣି ହେବା ।ପୃଥିବୀଟା ଅତି ଛୋଟ ଯେ !

 

କିନ୍ତୁ ତଥାପି ମୁଁ ସୁଖରୁ ଦୁଃଖକୁ ଗଡ଼ିପଡ଼େଁ, ଆପେ ଆପେ, ସେ ଯେପରି ମୋର ଚୁମ୍ବକ ।

 

କଳ ସ୍ୱିଚ୍ ଟିପେ, କଳ ବହି ଖୋଲେ, କଳ ତୂନୀତାନି ବସି ବହି ପଢ଼େ । ପଢ଼ା–ଘଣ୍ଟା । ପଢ଼ୁ ପଢ଼ୁ ପୁଣି କଳ ବିଗିଡ଼ିଯାଏ, ପାଠ୍ୟ ସାହିତ୍ୟର ବାଣୀ ଜୀବନ ପାଏ, ଅତୀତ କଅଁଳି ଉଠେ ।

 

ସୁଲୁସୁଲୁ ପବନ ଦିଏ, ଅନ୍ଧାର ଭାଙ୍ଗେ, କେଉଁ ନିଛାଟିଆ ଜଙ୍ଗଲ ମଝିରେ ବଡ଼ ପୋଖରୀ ଉପରେ ଜହ୍ନ ଉଠେ । ଘୂରି ଘୂରି ଟେଁ ଟେଁଇଁ ଚଢ଼େଇ ବୋବାଏ । ଧୀର ପବନରେ ପାଣି ଛଳ ଛଳେଇ ଉଠେ ।

କଳ ବିଗିଡ଼ିଯାଏ ।

ଉଛନ୍ନ ହୋଇ ଟେଁ-ଟେଁଇଁ ଚଢ଼େଇ ବୋବାଏ .....

ଭାଉଜବୋଉ ବେଳକାଳକେ ଚିଠି ଖଣ୍ତେ ଲେଖନ୍ତି ।

‘ରାଧୁ, ଭୁଲିଗଲକି ? କାହିଁକି ପଚାରିବ ? ତୁମ ଚିଠିର ଜବାବ ଅବଶ୍ୟ ମୁଁ ଦେଇନାହିଁ; କିନ୍ତୁ ଦେଇ ନ ଥିଲେ ବି ମୁଁ ଦେଇଛି । କାହିଁକି ଜାଣ ? ମୁଁ ଭାବିଛି ନିତିଦିନ ତୁମ ପାଖକୁ ଯେପରି ଚଠି ଦେଇଛି । ମନେ ମନେ ଦେଇଛି । ଲେଖିଥିଲେ ଆଉ ଅଧିକ କ’ଣ ହୁଅନ୍ତା ।

 

ଏଥର ରାଧୁ ସାଙ୍ଗ ଗୋଟିଏ ରାଧୁଆଣୀ (ନା ରାଧୀ ?) ହେଲେ ଭାରି ଭଲ ହ’ନ୍ତା, ନୁହେଁ ? ରାଧୁଆଣୀ (ନା ରାଧୀ ?) ଆଇଲେ କ’ଣ ମନେ ପଡ଼ନ୍ତୁ ଆମେ ? ଆଝୋଉଁ ତ ପଚାରୁନା–ଆଉ !

 

ଚିଡ଼ୁଛ କି ? ଛି–ମୋ’ରାଣ–ସୁନା ଭାଇଟା ପରା !

ତୁମେ ଲେଖିଥିଲ ଆମେ ସବୁ ଏକାଠି ଯଦି ଗାଁରେ ରହିଥାନ୍ତୁ କେଡ଼େ ଭଲ ହ’ନ୍ତା । କିନ୍ତୁ ତା’ହୋଇପାରିଲା କିପରି ? ବିଧାତାଙ୍କ ନିର୍ଦ୍ଦେଶରେ ଯେଝା କର୍ମ ଯେଝା ଆଦରି ବାତଚତ୍ର ପରି ବୁଲିବାକୁ ପଡ଼ୁଛି, ସେଥିପାଇଁ ଭାବି କ’ଣ ହେବ ? ସେ ସବୁକଥା ମନେ ପକେଇଲେ ମନରେ କଷ୍ଟ ହୁଏ ।

 

ଏପରି ଅନେକ କଥା ତ ଅଛି ଯାହା ଭାବିଲେ କଷ୍ଟ ହେବ, କ’ଣ ହେବ ସେଗୁଡ଼ା ଭାବି-? ତୁମେ ସ୍ନେହରେ ମତେ ଭାଉଜୋଉ ବୋଲି ଡାକିବ, ମୁଁ ସ୍ନେହରେ ପାନ ଖଣ୍ତେ ଦେବି, ଏତିକି ଆମର ସୁଖ, ଆଉ ବେଶି କ’ଣ ହେବ ? ଯେତେ ଦିନ ସଂସାରରେ ଥିବା ଏଇ ଖୁସିରେ ଖୁସିରେ ଦିନ କଟିଯାଉ, ଭାଗବାନ କରନ୍ତୁ ।

 

କ’ଣ ଆଉ ଲେଖିବି ? ଯାଉଚି ରୋଷେଇ ଆରମ୍ଭ କରିବି । ବଡ଼ ତରବର ହେଉଛି । ଏଣୁ ତେଣୁ ଗାରେଇ ପକେଇଲି ଅକ୍ଷରଗୁଡ଼ାକ ଖରାପ ହୋଇଗଲା, ଦୋଷ ଧରିବ ନାହିଁ । ଚିଠି ଦବ, ମୋ ‘ରାଣ ଇତି ।’

 

ତାଙ୍କ ଚିଠି ପଢ଼ିଲେ ମନ ଭିତର କୁତୁକୁତୁ ହୁଏ, ଭାରି ଖୁସି ଲାଗେ ତାଙ୍କର ସ୍ନେହ ସତକୁ ସତ ଝରିପଡ଼େ ଯେପରି ଆକାଶରୁ, କଅଁଳ ଖିଅରେ ବାନ୍ଧ ହୋଇଯାଏ ଦେହଗୋଟାକ । ମନ ମହକି ଉଠେ ।

 

ବେଳେ ବେଳେ ମୁଁ ଭାବେଁ,–

କାଳି-ଜୋରର ପଦ୍ମବଣଭିତରେ ପାଣି ଉପରେ କାନିଟି ବିଛେଇ ଯେପରି ମୁଁ ଶୋଇ ପଡ଼ିଛି, ମୋ’ରି ଦେହ ଉପରେ ପଦ୍ମ ଫୁଟୁଛି, ପଦ୍ମ ମୁଦି ହେଉଛି, ଦିନ ବୁଡ଼ି ଯାଉଛି, ଦିନ ଉଁ’ଛି.....।

 

ପରୀକ୍ଷା-ଭୋଳରେ କାହାରି ପାଖରୁ ଚିଠି ଲେଖି ପାରି ନ ଥିଲି କେଉଁ ଦିନୁ ।

ଦିନେ ସେ ଚିଠି ଲେଖିଥିଲା, ବସି ପଢ଼ୁଥିଲି–

 

‘ମନ ଦେଇ ପଢ଼, ପାଶ୍ କରିବ, ଚାକିରି କରିବ, ବାହା ହବ ତୁମ ବାହଘରକୁ ଆମକୁ ସବୁ ନବ କି ନାହିଁ କହିଲ ? ଅପା ବୋଧେ ଆସିବ, ତାକୁ ଆମ ଗାଁକୁ ଆଣି ତା’ କାନି ଧରି ମୁଁ ଚାଲିଯିବି ।

 

ଯୌତୁକରୁ ଭାଗ ଦବ କି ନାହିଁ ଲେଖିବ । ନ ଦେଲେ ମୁଁ କଜିଆ କରିବି । ମୁଁ ଗୋଟିଏ ରୁମାଲ ବୁଣୁଛି । ତୁମେ ପରୀକ୍ଷା ପରେ ଯଦି ଆସିବ, ତୁମ ନାଁ ଲେଖିଦେବି, ପୁଲ ପକେଇ ଦେବି; ନାଁ ସିଲେଇ କରିଦେବି ।

 

ଏ ଚିଠି ଭିତରେ ଯେଉଁ ଉଲ୍‍ ଟିକକ ଦେଲି, ସେମିତିଆ ଉଲ୍ ବଜାରରେ ଅଛି କି ନାଇଁ ଲେଖିବ । ମୁଁ ଗୋଟିଏ କୁକୁର ବୁଣୁଥିଲି, ଉଲ୍ ସରିଗଲା, ଲାଙ୍ଗୁଡ଼ଟା ହୋଇ ପାରି ନାହିଁ ।

 

ମୁଆଁ ପିଠା ଖାଇ ପେଟଟା କଳ୍ କଳ୍, କଳ୍ କଳ୍ ହଉଚି, ହାକୁଟି ଆସୁଚି ମୁଁ ଆଉ ଲେଖି ପାରୁ ନାଇଁ ।’

 

କେତେଗୁଡ଼ାଏ କଥା ଏକାବେଳକେ ସେ କହି ପକେଇଛି । ତା’ଉଲ୍ କଥା, ଆଉ ମୁଆଁ ପିଠା କଥା । ମୁଁ ଭାବିଲି, ଥଟ୍ଟା କରିଛି ଦେଉଛି ରହ ।

 

ସେଦିନ ରାତିରେ ପୁଣି ମୋ ଭବିଷ୍ୟତ୍ କଥା ମୁଁ ଭାବିଲି । ପାଶ୍ ହେଇଯିବ ତା’ପରେ-?

 

ଏଇ ‘ତା’ପରେ’ କଥାଟା ନିରୋଳା ହୋଇ ଭାବିଲେ ବରାବର ମୋ ଆଖି ଆଗେ ଦିଶିଯାଏ–ଯେପରି ଗୋଟାଏ ଅସୁମାରି ବାଟ, ବାଟେ ବାଟେ ଘୋର ଅନ୍ଧାରରେ ମୁଁ ଚାଲିଛି । ଦି’ ପାଖର ଗହଳି ଗଛ ଦି’ଧାଡ଼ି ଦିଶୁଛି ଅନ୍ଧାରୁଆ ସୁଡ଼ଙ୍ଗର କାନ୍ଥ ପରି । ଅନ୍ଧାର ଆଡ଼କୁ ମୁଁ ସତେ ଚାଲିଛି । କେବଳ ବହୁତ ଦୂରରେ, କୋଶେ କି ଦି’ କୋଶ ଦୂରରେ, ଗୋଟାଏ ନଲ୍‍ଟଣ ଆଲୁଅ । ଯେତେ ଚାଲେଁ, ଆଲୁଅଟା କତି ହୁଏ ନାହିଁ, ସବୁବେଳେ ଆଗରେ । କେଉଁ ବାଙ୍କରେ କେତେବେଳେ ଲୁଚିଯାଏ ପୁଣି ଆଗେ ଆଗେ ।

 

ସେଇ ନଲ୍‍ଟଣଟା ମୋର ଭବିଷ୍ୟତ୍ ।

ଭାବୁ ଭାବୁ ବିଭାଘର କଥାଟା ଝାପ୍‍ସା ହୋଇ ଆଗରେ ଦିଶିଲା । ଯେପରିକି ପଞ୍ଝାଏ ଜୁଳୁଜୁଳିଆ ପୋକ ପାଖକୁ ପାଖ ଲାଗି ଉଡ଼ି-ଉଡ଼ିକା ଚାଲିଛନ୍ତି ଆଗେ ଆଗେ ଦୂରେଇ ।

 

ଉଡ଼ନ୍ତା ଆଲୁଅ ବୁନ୍ଦାର ପରିକ୍ରମା ଭିତରେ ରେଣୁର ଷୋଳଣା ରହିଛି, ଆହୁରି କେତେ ଅଧା ଅଧା ସ୍ମୃତି ଅବୟବ ଲୁଚାଇଛି; କିନ୍ତୁ କେହି ସମୁଦାୟ ପରିକ୍ରମାଟାକୁ ଆବୋରି ରହି ପାରୁନାହିଁ ଯେ ।

 

ସେଇ ନଲ୍‍ଟଣ ଆଉ ସେ ଜୁଳୁଜଳିଆ ପୋକପଞ୍ଝାକ, ଉଭୟେ ଝାପ୍‍ସା ବହୁ–ଦୂରରେ.....।

 

ପରୀକ୍ଷା ପାଖେଇ ଆସିଲା । ସମସ୍ତେ ସବୁବେଳେ ପାଠ ପଢ଼ିଲେ । ସ୍ମେଲିଂସଲ୍‍ଟ ଆଉ ନାଶ ଶୁଘିଂଲୁଁ, ରୁଟି ଖାଇଲୁ, ଚାହା ପିଇଲୁ । ପାଠ ପଢ଼ିଲୁଁ । ଶତାବ୍ଦୀ ପଛେଇ ଯାଇ ଘୋଟି ଆସିଲା ରୁକ୍ଷ କଠିନ ବ୍ରହ୍ମଚଯ୍ୟାଂଶ୍ରମ । ଦିନ କଳା ହେଲା ଘଣ୍ଟାରେ, ସମୟ କଳା ହେଲା ଦିନରେ-। ଆମେ ପରୀକ୍ଷାପାଇଁ ଅଣ୍ଟା ଭିଡ଼ି ପ୍ରସ୍ତୁତ ହେଲୁଁ ଦୁଶ୍ଚିନ୍ତା ।

 

ମଳୁମୁହଁରେ ହସ ପରି ଅବୁଝା ମନର ନିରୋଳା କଥା ସେଇ ଦୁଶ୍ଚିନ୍ତା ଭିତରେ ବେଳେ ବେଳେ ଛପି ଛପି ଆସି ଚାଲିଯାଏ । କେତେ ଲୋକ ମନେପଡ଼ନ୍ତି । ଆଉ ମନେପଡ଼େ–ରେଣୁକା, କୌଣସି ସ୍ମୃତି ମନକୁ ଆବୋରି ଅଟକି ରହେନାହିଁ । ଆଖି ଆଗରେ ଖାଲି ଜଳଜଳ ଦିଶେ, ଆପଣାର ସ୍ୱାର୍ଥ । ସ୍ୱାର୍ଥପରତା କେତେ ବେଶରେ ମନକୁ ଭୁଲାଉଥାଏ , ଯଥା ଭବିଷ୍ୟତ୍–ପ୍ରତିଷ୍ଠା–କର୍ତ୍ତବ୍ୟ,–ନ୍ୟାୟ ।

 

ତାହାରି ଫାଙ୍କରେ ଥରେ ଥରେ ମନ–ଗହୀରର ଗୋପନ କଥା ପଦାକୁ ଉଠି ମନକୁ ରଙ୍ଗେଇ ଦିଏ । କେତେବେଳେ କେଉଁ ଭାବ,–ଆନନ୍ଦ, ଉଛ୍ୱାସ, ଦୁଃଖ ଅଥବା ଶୂନ୍ୟତା,–ଆସି ଚାଲିଯାଏ, ଏଇ ଭାବ କେବଳ ଗୋପନ ସ୍ୱପ୍ନର ପ୍ରକାଶର ରୂପାନ୍ତର ।

 

ସେଦିନ ସେମିତି,–ମହାନଦୀ ଆନିକଟ ପାଖେ । ବସୁ ବସୁ ସଞ୍ଜ ବୁଡ଼ି ଆସିଲା । ଦୂର ପାଣି କଳା ପଡ଼ି ଆସିଲା । ଅନ୍ଧାର ଓହ୍ଲେଇଲା ।

 

ଆକାଶ ସେମୁଣ୍ତୁ କିପରି ଯେମିତି କଳାକଳା କବାଟଗୁଡ଼ାଏ ପଟ ପଟ କରି କିଳି ହୋଇଗଲା ।

 

ଗୋଟା ଗୋଟା ମେଘ-ଘୋଡ଼ିଆ ତରା ତାହାରି ଫାଙ୍କରୁ ଜୂକୁଜୁଳୁ କରି ଚାହିଁ ରହିଲେ ।

 

ପୋଲ ଉପରେ ରେଲଗାଡ଼ି ପଡ଼ିଲା । ଚାଲି ଗଲା । ସବୁ ଗୁମ୍ ମାରି ଆସିଥାଏ । ମିଳାଇ ଯାଉଥିବା ହାହାକାର ପରି ଅନୁଭୁତି ଖାଲି ଛାଇ ରହିଥାଏ । ତରା ଜୁଳୁଜୁଳୁ ଆକାଶ, ଚବର ଚବର କାଳିଆ ପାଣି, ଆଉ ବେଣା ପଠା ।

 

ଖରାପ ଲାଗିଲା, ଲେଉଟିଲି ସେଦିନ ମୋ’ର ଡେରି ହୋଇ ଯାଇଥାଏ ।

ଏହିପରି ଦିନେ ସତକୁ ସତ ପରୀକ୍ଷାଟା ଆସି ଚାଲିଗଲା । ତା’ପରେ ଦିନାକେତେ ଆସି ଗାଁରେ ରହିଲି ।

 

ଗାଁ, ଢୁଳୋଉ ଢୁଳୋଉ ଦିନ ଚାଲିଯାଏ ।

ଚିରନ୍ତନୀ ଗାଁର ଚିରନ୍ତନୀ ରାତି, କିଛି ସରେ ନାହିଁ, କିଛି ଆରମ୍ଭ ହୁଏ ନାହିଁ, ବିବିତ୍ର ।

 

ଭୋର୍ ସକାଳେ ବଡ଼ ନାଳ କରେ କରେ ଥରେ ଥରେ ଏକୁଟିଆ ମୁଁ ବୁଲିଯାଏଁ । କଜଳପାତି ଏ ଗଛରୁ ସେ ଗଛ ଉଡ଼ି ବୋବାଏ । ଦଣ୍ତା ଉପରେ ସୂର୍ଯ୍ୟକିରଣ ବିଞ୍ଚି ହୋଇପଡ଼େ । ଦି’ପାଖରେ ଠାଏ ଠାଏ ଦିଶେ ଏପାଖୁ ସେପାଖ ଖାଲି ବିଲ । କେତେ ଯତ୍ନରେ କେତେ ମଣିଷ ପୁରୁଷ ପୁରୁଷ ଧରି ଏଇ ମାଟିରୁ ଭାତ ଗୋଟାଇଛନ୍ତି, କେତେ ଶତାବ୍ଦୀର କେତେ ମଣିଷଙ୍କ ହାତମୁଠାରେ ପଶି ପୁଣି ବିଲ ଉପରେ ଝଡ଼ି ପଡ଼ିଛି,–ମୁଠାଏ ମୁଠାଏ ମାଟି ।

 

ଦିନ ଦି’ପହରେ ଖରା ଝାଞ୍ଜିରେ ହାଲିଆ ଘାଲିଆ କଦଳିବାରିକୁ ଚାହିଁ ରହୁ ରହୁ ଛାଇ ବଡ଼ ହୁଏ, ଖରା ନେଉଟେ, ସଞ୍ଜ ବୁଡ଼େ । ପିଣ୍ତା ପହଣ୍ତରେ ବସି ଗପୁ ଗପୁ ମାଇପେ ଅଣ୍ଟାପାଣିକରି ଫେରିଆସନ୍ତି । ରାତିରେ ଭାଗବତଘରେ ମୃଦଙ୍ଗ ମାଡ଼ ଶୁଣି ଫେରିଲାବେଳକୁ ଆମ ଦାଣ୍ତରେ ଅନ୍ଧାର ପୁରି ଯାଇଥାଏ । ତା’ପରେ,–ସାଇଁ ସାଇଁ ନିଶା ।

 

ଗାଁ ମତେ ଭଲପାଏ, ମୁଁ ଗାଁ’କୁ ଭଲପାଏ ।

କିନ୍ତୁ ବେଳେ ବେଳେ ପଦା ପୃଥିବୀର ଡାକ ଆସି ଆପେ ଆପେ କାନରେ ବାଜେ । ନିଃ ପ୍ରାଃ ସ୍କୁଲ ହତାରେ ଶୁଖି ଆସୁଥିବା ଗେଣ୍ତୁବଗିଚାର ଶେଷ ଫୁଲମୁଥକ ଆଡ଼କୁ ଚାହିଁ ଚାହିଁ ସଞ୍ଜବୁଡ଼େ ଟୋକା ମାଷ୍ଟ୍ରଙ୍କ ସାଙ୍ଗରେ ଅଳସ କଥା ଗପିଲାବେଳେ, ମନେ ପଡ଼ନ୍ତି ବେଳେ ବେଳେ ମନେପଡ଼େ, ସହରର କୋଠାଗହଳି, କାଠଯୋଡ଼ି କୂଳର ଉପାସୀ ବନ୍ଧୁମାନେ–ଆଉ–କେତେ ଲୋକ ।

 

‘ୟାପରେ ପୁଣି କ’ଣ ପଢ଼ିବେ ଆଜ୍ଞା ?’

‘ଦେଖାଯାଉ-କିଛି ଠିକ୍ କରିନାହିଁ.....’

ଆପଣାକୁ ଭୁଲାଇ ହୁଏ ନାହିଁ, ଭାବେଁ, ସତେ ତ !

 

ସାହି ବୁଲି ବାହାରେ । ଗାଁରେ ମୁଁ ଜଣେ ବଡ଼ଲୋକ । ସବୁ, କଥାରେ ଲୋକେ ମତେ ଉପଲକ୍ଷ ଦିଅନ୍ତି, ଦେଖ କି କଥା, କି ବୁଦ୍ଧି, ଏତେ ଅଳ୍ପ ବୟସରେ କେତେ ପାଠ ସେ ପଢ଼ିଗଲାଣି । ବୁଢ଼ୀମାନେ ଆଉ ଥଟ୍ଟା ମଣିଷମାନେ ଖାଲି ଗହନ୍ତି ବାହାଘର କଥା, କେବେ ହେଉଛି ? କେଉଁଠି, ଇତ୍ୟାଦି । କିଏ ଆଡ଼ହୋଇ କଥା କହେ, ଖାଲି ବାହାଘର କଥା ।

 

‘ଏଁ ! ସବୁଦିନେ କ’ଣ ଏମିତି ଖାଲି ବସିଥିବେ ନା କ’ଣ ମ ?’ କିଏ କହେ, ‘ହଁ ଲୋ ସୋଦରିବୋଉ, ଏମିତି ସମସ୍ତେ ଦିନେ ହେଉଥାନ୍ତି ଲୋ, ଅଭିଆଡ଼ା ଥିଲାବେଳେ । ବାହାସାହା ହୋଇ ସାରିଲେ–ଆଉ କିଏ କାହାକୁ ପଚାରେ– !’

 

ପଦାକୁ ଦେଖେଇବାକୁ ଲାଜ ଲାଜ ଲାଗେ, ଭିତରେ ଭତରେ ସତେ ଖରାପ ଲାଗେ ନାହିଁ । ଏସବୁ ବାଜେଗପ ମଧ୍ୟ ମନକୁ ତୋଷକରେ । କ୍ରମେ, ଯେତେବେଳେ ସେଇ କଥା ସେଇ କଥା ଖାଲି ଘୋରତେଇ ଘୋରତେଇ ହୋଇ ଲୋକେ ପକାନ୍ତି, ଭାରି ବିରକ୍ତ ଲାଗେ, ମୁଁ ପଳେଇ ପାରିଲେ ବଞ୍ଚେ ।

 

ଏତିକି, ୟାଠୁବେଶି ମୁଁ ବାହାଘର ବିଷୟରେ ଭାବେନାହିଁ । ଭାବି ବସିଲେ ସାମାଜିକ ବନ୍ଧନର ପ୍ରତିକୃତି ଭଲ ପାଇବାର ସବୁ ରସୁଆଳି ଧାରଣାକୁ ଶୁଖାଇଦିଏ ।

 

କଳ୍ପନା ଘେନି ଯେ ବଞ୍ଚେ ବାସ୍ତବତାର କୁସୁମ-ଗଣ୍ଠିକୁ ଭାବି ବସିଲେ ତାକୁ ଦିଶେ ଯୁଆଳି ।

 

ଗାଁ ରେ ସେହି କେଇଟା ଦିନ ମତେ ବିଶେଷ ଭଲ ଲାଗିଥିଲା ଗାଁ ମଣିଷଙ୍କ ସ୍ନେହ ।

ମଣିଷ କହିଲେ ଦାଢ଼ିଆ ପୁରୋହିତ ମନେ ପଡ଼ନ୍ତି ନାହିଁ, ଅଥବା ଚୁଟିଆ ବଡ଼ବାପା, ହାଡ଼ହାଡ଼ୁଆ ଜେ-ଜେ । ସେମାନେ ବି ମତେ ଭଲ ପାଉଥିଲେ ।

 

ପୁରୋହିତଙ୍କର ଦେଖାହେଲେ ତ ଖାଲି ଆଶୀର୍ବାଦ, ପ୍ରଶଂସା । ବୁଢ଼ା ବ୍ରାହ୍ମଣ ଆଞ୍ଜୁଳା ଆଞ୍ଜୁଳା କରି ଆଶୀର୍ବାଦ ଢାଳିଛି । ସ୍ନେହ ଢଳ-ଢଳ ଆଖିରେ ଶୁଦ୍ଧାଶୁଦ୍ଧ ଭୁଲି ସବୁ ପାଠ ଝାଡ଼ଝୁଡ଼ କରି ମନ୍ତ୍ର ପଢ଼ିଛି । ଦୂବାଘାସ ଅରୁଆଚାଉଳ ଅଜାଡ଼ିଛି । ଗୋବାନ୍ଦଜୀଉ ଠାକୁରଙ୍କ ପାଦୁକ ଦେଇଛି-

 

ବଡ଼ବାପା ଭାତ ଖାଇଲାବେଳ ହେଲେ ସାଙ୍ଗରେ ଖୋଇବେ ବୋଲି ଗଧୁ ଗଧୁ ରଡ଼ି ଛାଡ଼ି ଗାଁ ଏ ମୁଣ୍ତୁ ସେ ମୁଣ୍ତ ଖେଦି ଆସିଛନ୍ତି ।

 

ମୁଁ ବେଇମାନ୍ ନୁହେଁ, ବୁଢ଼ାଦିନେ ପଛକୁ ଚାହିଁଲାବେଳକୁ ସେହି ବୁଢ଼ାଟିମାନଙ୍କର ମନଖୋଲା ସ୍ନେହ ସ୍ମୃତି ଭିତରେ ଫୁଲପାଖୁଡ଼ା ପରି ମୋ ଉପରେ ଜଡ଼ିବାର ମୁଁ ଅନୁଭବ କରୁଛି, ଝୁରୁଛି......

 

କିନ୍ତୁ ସେତେବେଳେ ସେମାନଙ୍କ ଆଦରଠାରୁ ଭଲ ଲାଗୁଥିଲା ଅପା, ଖୁଡ଼େଇ, ଭାଉଜ, ଭଉଣୀମାନଙ୍କ ଗେହ୍ଲା, ସେମାନଙ୍କ ନିର୍ବୋଧ ଗପ, ସେମାନଙ୍କ ନିର୍ବୋଧ ପ୍ରଶଂସା, କାହା ହାତର ଶାଗକେରାକ, କାହାଠାରୁ ପାନଖମଣ୍ତେ, କାହାର ପରଷା, କାହାର ବା ଚର୍ଚ୍ଚା ।

 

ମା’ ଆଉ ଭଉଣୀ–ମୋର ସଂସ୍କୃତ ଧାରଣା ଭିତରେ ଏହିମାନେ ଥିଲେ ଆଦରର, ସ୍ନେହର ନିର୍ଝର । ଏହିମାନଙ୍କୁ ଘିତି ଗାଁ, ୟାଙ୍କରି ପାଇଁ ବନ୍ଧନ ।

 

ଜାଲିଜାଲିଆ ବାଉଁଶବୁଦା ଘେରେଇ ନାଲିକଇଁଫୁଟା ଢଳଢଳ ଗାଁ ପୋଖରୀ, ଗୋଡ଼ରେ ଘଷି ହୋଇ ହୋଇ ପାହାଚ ଯାହାର ଘୋରି ହୋଇ ଗଲାଣି । ଛାଇଛାଇଆ ଦଳବନ୍ଧା ଗାଁ ପୋଖରୀ । ଶାନ୍ତ ସ୍ନିଗଧ ଧୀର । ସର୍ବସହଣୀ । ତାହାରିଠେଇଁ ମୋର ମମତା ।

 

ସେହିପରି ସେମାନେ, ମା ଆଉ ଭଉଣୀ ।

ଏହିମାନେ ମିଶି ଗାଁ ।

ସେଇ ପୋଖରୀର କାଳିଆ ପାଣିରେ କେଉଁ କଇଁମନ୍ଦାତଳେ ପୋତା ହୋଇଛି ମୋର ମଞ୍ଜି, କେତେ ପରସ୍ତ ଫରୁଆ ଭିତରେ, କେଉଁ ଅଶରୀରୀ କଳ୍ପନାର ପରୀ ତାକୁ ଜଗି ବସିଛନ୍ତି । ସାତତାଳ ପଣିଭିତରେ କେଉଁଠି ସେ ଯାଇଛି ହଜି, ସେହିଆକୁ କେନ୍ଦ୍ରକରି ମୋ’ର ମନ ଭଉଁରି ଭଉଁରି ବୁଲୁଛି......ଖାଲି .......ବୁଲୁଛି ।

 

କିଏ କହେ–କେତେ ବହି ତୁମେ ପଢ଼ିଛ କହ ତ ? ଆମ ଏ ଶୋଇଲା ଘରେ ଘରେ ବହି ହେବ ?’

 

ଆଉ କିଏ କହେ–‘ବୁଢ଼ୀର ଶେଷ ଆଶା ଅଛି, ତୁ ଚାକିରି ପାଇଲେ ତୋ ସାଙ୍ଗେ ଯାଇ କାଶୀ ବୃନ୍ଦାବନ ଟିକିଏ ବୁଲି ଆସିବ ମୁଁ କ’ଣ ଅଇଛା ସରୁଛି ? ଭୁଲିବୁ ନାହିଁଟି ସେତେବେଳେ ?’

 

ମୋ’ଠାରେ କିଏ କେତେ ନିଜ ଆକାଙ୍‍କ୍ଷାର ସଫଳକା ଖୋଜେ, କେତେ ପ୍ରକାର ବହିନା ମୁଁ ପାଏଁ, ଆମ ସେ ଛୋଟିଆ ଗାଁ –ଖଣ୍ତକରେ ମୁଁ ଗଡ଼ଜିତା ଗୌଡ଼ –ବିଜେତା ।

 

ତାଙ୍କରି ଭଲପାଇବାର ଅମୃତ-ପାଣିରେ ମନ ଫୁଲିଆସେ । ଭଲପାଇବା ଆଉ ମତେ ବାନ୍ଧିରଖେ ନାହିଁ, ଦେଖେଁ ମୋର ଭବିଷ୍ୟତ୍ । ବଢ଼ି ବଢ଼ି ମନରେ ଖେଞ୍ଚା ଲାଗେ, କେଉଁଠି କେତେ କଞ୍ଚା ଶୁଖିଲା କଣ୍ଟା-ଝାଟିର ବାଡ଼, ଯାହା ସମ୍ଭବ, ସେତିକିରେ ଆପଣା ଆପେ ବାନ୍ଧି ହୋଇ ରହି ମନ ଛଟପଟ ହୁଏ । ମୁଁ ଜାଣେ ମୁଁ କ’ଣ । ସେମାନଙ୍କ ଆଖିରେ ମୁଁ ଖୁବ୍ ବଡ଼, କିନ୍ତୁ......। ମନେପଡ଼େ କିଏ କେତେ କପାଳରେ ଆଖି ଖୋସି ଦେଇ ମୋତେ ଚାହୁଁଛି । ଏତେ ପୂଜା, ଅର୍ଘ୍ୟ, ମୁଁ ବଡ଼, ମୁଁ ଖୁବ୍ ବଡ଼...କିନ୍ତୁ ଫିନ୍ତୁ ସବୁ ପାସୋରି ପକାଏଁ । ପାପୁଲିରେ ଥୋମଣି ରଖି ଦଣ୍ତାର କୁଦ ଉପରେ ଦୂରକୁ ଚାହିଁ ରହେଁ । ବଡ଼ ବଡ଼ ସହର, କୋଠାବାଡ଼ି, ରାସ୍ତା ଗଳି, ସାରୁବାଲୁ ମଣିଷ, ତାଙ୍କରି ଭିତରେ ମୁଁ, ଖୁବ୍ ବଡ଼.....।

 

ଦେଖେଁ, ଦରିଆରେ ଢେଉ, ଜାହାଜ ଚାଲିଛି, ଏତେ ବଡ଼ ଦରିଆରେ ଖଣ୍ତିଏ ବୋଲି ଜାହାଜ, .....ମିଶି ଆସିଲା.....ଚେମେଣିରୁ ଧୁଆଁ ହିଁ ଖାଲି ରହିଲା । କିଏ ଚାଲିଛି ? ମୁଁ ।

 

ଗାଈ ଜଗୁଆଳୀ ଟୋକାଏ ଆମ୍ବଗଛତଳେ ବାଗୁଡ଼ି ଖେଳନ୍ତି, ଏକଶିଙ୍ଗା ଟୋକାଟାଏ ଗଛ ଡାଳରୁ ଗୋଡ଼ ଓହଳେଇ ଦେଇ ବଇଁଶିଟାଏ ଧରି ଫୁଁ ଫାଁ କରେ, ବଜାଏ–‘କି ନାମ ବୋଇଲୁ ତୁହି ଗୋ ଲଳିତେ–’

 

ଭାଲ ଲାଗେନାହିଁ । ଚିଡ଼ିମାଡ଼େ । ମଣିଷ ମୁଣ୍ତ ଦି’ ତିନିଟା କିଛି ଦୂରରେ ଗଡ଼ଗଡ଼ୋଉଛ । ବିରକ୍ତ ଲାଗେ । ଏଇ ଗୋଟାଏ ଗୋଟାଏ ମୁଣ୍ତ, ଖରା ଖାଉଛି, ବର୍ଷା ଖାଉଛି, ଦଣ୍ତାରେ ପଡ଼ି ପଡ଼ି ହାଡ଼ଗୁଡ଼ାକ ଚୂନ ଫୁଟି ଆସିଲାଣି । ବଞ୍ଚିବା ଭିତରେ ଖାଲି ଘରୁ ଗହୀର,–ଗହୀରରୁ ଘର । କୋଡ଼ିଏ ବର୍ଷ ଜୀଉ ବା ବିଶାଶହେ ବର୍ଷ, ଏକା କଥା ।

 

ଉଠି ଚାଲି ଆସେଁ ।

ମୋ’ର ଆକାଶୀ ଭବିଷ୍ୟତ୍ ଦେହରେ ଲାଗିଯାଏ ବୋଝେ ଲେଖାଁ ଗାଁ ଗୋହିରାର ଧୂଳି, ଆଉ ବିଲର ଫଳ ।

ଭାବେଁ ମୁଁ ଏପରି ହେବିନାହିଁ, ମନେ ମନେ ବୁଝେଁ, ଆନ ଉପାୟ ନାହିଁ ।

ତେଣୁ ବିରକ୍ତ ଲାଗେ । ଉଠି ଚାଲିଆସେଁ । ଗାଈଜଗା ଟୋକାଏ ତୁଛାଟାକୁ ପଛରେ ହସନ୍ତି । ଷଣ୍ଢଟା ଗାରଡ଼େଇ ଗାରଡ଼େଇ ଚାହେଁ । ଗୋଟାଏ ଗୋଟାଏ ଗାଈ ମୁଣ୍ତ ଟେକି ଚାହିଁନ୍ତି, ପୁଣି ମୁଣ୍ତ ନୋଇଁ ଘାସ ଚୋବାନ୍ତି ।

 

ଶୂନଶାନ୍ ଦଣ୍ତାଟା ପଡ଼ିରହେ । ପଛରେ କିଏ ଯେପରି ମତେ ଟାପରା କରୁଛି । ପରାଜୟ ମରମକୁ ବାଧେ, ଦେହ ଜଳେ ।

 

ଆପଣାର ଆଗ କଥା ଭାବି ଭାବି ଆସେ ।

ଅର୍ଜ୍ଜୁନିଭାଇଙ୍କ ଦାଣ୍ଡବାଟେ ଆସୁଆସୁ ଦେଖେଁ କବାଟଟା ମେଲା ଅଛି। ଅର୍ଜ୍ଜୁନି ଭାଇ ନ ଥିବେ । ଜନୁମୁ ଅଜାଘରେ ସାଙ୍ଗସାଥି ନେଇ ପାଲିପାଖେ ଡାକୁଥିବେ, ‘ପୁଅ ବାଆର,’ ଡାକ ପଡ଼ିଥିବ,’ମାର ମାର’ । ମନ ଛକପକ ହେଉଛି; କିନ୍ତୁ ଗୁରୁଜନ ଥିବେ, କହିବେ ଟୋକାଏ ପାଠପଢ଼ି କାନ୍ଧରେ ହାତ ପକେଇଲେ ।

 

ଅର୍ଜ୍କୁନିଭାଇ ନ ଥିବେ । ଗଲେ ତା’ସ୍ ଦି’ହାତ ପଡ଼ିବ । ଭାଉଜ ବୋଉଙ୍କୁ କବାଟରେ ବାଡ଼େଇ ବାଡ଼େଇ ଉଠାହେବ । ପାନ ମଧ୍ୟ ସରିଛି । ଡାକଟାଏ ମାରି ଦାଣ୍ତଘରେ ପଶିଯାଏଁ ।

 

ନିଦୁଆ ନିଦୁଆ ଆଖି ମିଞ୍ଜି ମିଞ୍ଜି କରି ଅର୍ଜ୍କୁନିଭାଇଙ୍କ ସ୍ତ୍ରୀ ଉଠି ଆସନ୍ତି, କହନ୍ତି, ‘କିହୋ ରାଧୁ, ଏତେବେଳଟାରେ କୁଆଡ଼େ ମଁ ? ନା–ଶୋଇଥିଲି କି ? ଛୁଆଟା ତ ଖାଲି ରଟରଟ କରି ଖାଉଚି, ଶୁଆଇ ଦଉଚି କୋଉଠି ? ବସ ପାନ ଆଣେ ।’

 

ଖେଳ ଜମେ, ଖରା ନେଉଟେ । ମୁଁ ଘରକୁ ଫେରେଁ । ମୁଣ୍ତ ଭିତର ଖାଲି ଲାଗେ, ଯେପରି କି ମୁଣ୍ତରେ କିଛି ନାହିଁ, ଖାଲି ଫମ୍ପାଟା ।

 

ଘରୁକୁ ଆସୁ ଆସୁ, ନାହାକଘର ଝିଅ ଦୋ’ଟି, ସେବତୀ ଆଉ ରେବତୀ, ଗେଲରେ ଗେଲରେ ଲାଗୁ ଲାଗୁ କିଲିକିଲିଆ ହୋଇ ଦଉଡ଼ା ଦଉଡ଼ି ହୁଅନ୍ତି । ସେଦିନ ସେବତୀ ଦେଖା ପଡ଼ିଯାଇଥିଲା, ଦାଣ୍ତରେ ତାଙ୍କ ଚଉରାମୂଳେ । ଗୋରା ଗୋଲଗାଲ ମୁହଁଟି, ଚାହାଣିରେ ଦୁଷ୍ଟାମି । ମତେ ଦେଖି ଲୁଗାପଟା ସଜାଡ଼ି କଁ’ଳକହୀ ମଉନମୁହୀଁ ହୋଇ ଠିଆ ହୋଇ ରହିଥିଲା ।

 

ଅଧ ଆଉଜା କବାଟ ସନ୍ଧିରେ ଠିଆ ହୋଇଥିଲା ରେବତୀ, କଣେଇ କଣେଇ ଚାହୁଁଥିଲା ।

 

ସେଦିନ ମୋର ଫାଙ୍କା ମନ ପୁରି ଯାଇଥିଲା ।

କେବେ କେବେ ନାଳବନ୍ଧ ପଖେ, ଗାଁ’ଠୁ ଟିକିଏ ଦୂରରେ,–ପୋଲ ଉପରେ ବସି ସେପାଖକୁ ଚାହିଁ ରହିଥାଏ । ନାଳ ଉପରେ କଳା ପାନିଆର କୁଜାପିଠିପରି ଗୋଟାଏ କାଠପୋଲ, ତା’ ସେପାଖେ ଖାଲ ଭୂଇଁ,–ବାଲିସରା,–ଗୋଟାଏ ଶୁଖିଲା ନଈ । ନଈବାଲି ଆରପାଖେ ଗାଁ’ଟିଏ ଦିଶେ, ଗାଁର ଧଡ଼ି ବାନ୍ଧିଛି ଧାଡ଼ି ଧାଡ଼ି ଗଛ, ମଝିରେ ମଝିରେ ଖଣ୍ତେ ଖଣ୍ତେ ଘରର ମହୁଡ଼ ।

 

ସେଇ ଉଞ୍ଚ ପୋଲ ଉପରେ ବସି ଆର ପାଖର ମଲା ନଈ ଉପରେ ସୂର୍ଯ୍ୟାସ୍ତ ଦେଖେଁ-। ସେପାଖରୁ ଏପାଖକୁ ଗୋରୁ ଆସନ୍ତି, ମଣିଷ ଆସନ୍ତି । ବୋହୂଘରୁ ଭାର ଆସେ, ବାହୁଙ୍ଗି କାନ୍ଧେଇ ବୋଝିଆ ଆସେ, ବାଲି ଉପରେ ଟୋପା ଟୋପା ଦୃଶ୍ୟ ଦିଶିଯାଏ । ପଶ୍ଚିମପଟେ, ପଛଆଡ଼େ ଅପନ୍ତରା ବାଲିକୁଦଗୁଡ଼ାକ ଯେଉଁଠି, ଲମ୍ବଲାଞି ବେଣାଫୁଲର ଜଙ୍ଗଲ ଫିକା ପଡ଼ିଆସେ, ସଞ୍ଜ ବୁଡ଼େ ।

 

ଅନ୍ୟମନସ୍କ ହୋଇ ବସିଥାଏଁ ।

ମୋ’ରି ଗୋଡ଼ତଳେ ନାଳପାଣିରେ ଗରା ମାଠିଆ ବୁଡ଼ାଇବାର ଘୁମୁରା ଶବ୍ଦରେ ଧ୍ୟାନ ଭାଙ୍ଗିଯାଏ, ଗାଁ-ମାଇପେ ପାଣିକି ଗଡ଼ନ୍ତି, ପଣି ଛଳଛଳ କରି ଉଠେ, ଜୁଳୁ ଜୁଳୁ ତରା ପାଣିକୁ ଖସନ୍ତି ।

 

ଗୋଟିଏ ଗୋଟିଏ ହୋଇ ନାଳବନ୍ଧେ ବନ୍ଧେ ଘରକୁ ମୁହେଁ ।

ଦି’ବନ୍ଧର ଦି’ଧାଡ଼ି ଗଛ ମୁହଁଅନ୍ଧାରରେ ତୂନୀତାନି ଠିଆ ହୋଇ ରହିଥାନ୍ତି । ପତ୍ର ହଲେ ନାହିଁ, ପବନ ଥରେ ନାହିଁ, ଅନ୍ଧାର ଟାଣିହୋଇ ରହେ ।

 

ମନଭିତରେ ଚାଇଁ ପଶିଯାଏ । ଏତେ ବଡ଼ ସୃଷ୍ଟିସାରା ଶୂନ୍ୟତା ଭିତରେ ପୂରି ରହିଛି ଯେପରି କିପରି ଗୋଟାଏ ପ୍ରତୀକ୍ଷା । ଏଇ ଶୁନଶାନ୍ ଉଢ଼ୁଆଳରେ ଅକାବକା ହୋଇ ଅନାଇଁ ରହିଛନ୍ତି ଯେପରି କୋଟି କୋଟି ରୂପ, କୋଟି କୋଟି ଆତ୍ମା, ସତେକି ଏ ଗହଳ ନୀରବତା ଭିତରେ କ’ଣ କିଛି ଘଟିବ । ପ୍ରକଟିବ କେଉଁ ଅଜପା ଅଣାକାରଙ୍କ ରହସ୍ୟ, ଧ୍ୱଂସ-ସୃଜନ ମୃତ୍ୟୁ-ଜୀବନର ରହସ୍ୟ, କାଳର ରହସ୍ୟ ।

 

ଯନ୍ତ୍ରପରି ପଡ଼ିଯାଏ ଧଳା ରାସ୍ତା ଉପରେ ଗୋଟାକ ପରେ ଗୋଟାଏ ହୋଇ ମୋର ପାହୁଲ, ଚାପି ରଖିଥିବା ନିଃଶ୍ୱାସ ପରି ପବନରେ ଚିନ୍ତା-ଭିତରେ ମିଶିଯାଏ ବିସ୍ମୟ ଓ ଆଶଙ୍କା ।

 

ହଠାତ୍ ପୁନ୍ନାଗ ଗଛ ଖୋଲରୁ ଗୋଟାଏ ଝିଙ୍କାରି ବୋବାଇ ଉଠେ । ତା’ପରେ ଆଉ ଗୋଟାଏ, ତା’ପରେ ଆଉ ଗୋଟାଏ । ତା’ପରେ କେତେ ଛୋଟ ଛଟ ଶବ୍ଦ, ଖସ୍ ଖସ୍, ଖଡ୍ ଖଡ଼୍ ତା’ପରେ ସବୁ ଟିକି ଶବ୍ଦକୁ ପଛରେ ପକାଇ ଶୁଭେ ଗାଁ-ଦେଉଳର ସଞ୍ଜ ଆରତି ବାଜଣା, ଘଣ୍ଟା, ମାଦଳ, ଝାଞ୍ଜ । ବିରାଟ ଆକାଶତଳେ ଖୋଲା କ୍ଷେତ ଆଉ ଗାଁ ଉପରେ ଶବ୍ଦର ଲହଡ଼ି ମାଡ଼ିଯାଏ, କେତେ ମନ୍ଦିରରେ କେତେ ଆରତି ।

ଗାଁକୁ ଗାଁ ଗାଁକୁ ଗାଁ......

ଏଇ କ’ଣ ପ୍ରତୀକ୍ଷାର ଉତ୍ତର ?

ମୁଣ୍ତ ନଇଁ ପଡ଼େ, ଅନ୍ଧାରଭିତରେ କୋଟି କୋଟି ମଣିଷଙ୍କ କୋଟି କୋଟି ଆତ୍ମା ସତେକି ଗଅଁଠାଳ ପଡ଼ି ନଇଁ ପଡ଼େ, ଅନ୍ଧାରି ଶକ୍ତିର ଅନ୍ଧାରି ପ୍ରକାଶ ଆଗରେ ।

 

କ୍ରମେ ସ୍ଥିତିର ଭାବ କଟିଯାଏ, ଆସେ ଗତି, ଆଉ ଆସେ ଉଳ୍ଲାସର ହିଲ୍ଲୋଳ ।

ପବନ ଦିଏ ।ଜହ୍ନ ଉଏଁ । ଖଣ୍ତ ଖଣ୍ତ ବଉଦ ଭାସିଯାଏ ହଲୁଥିବା ନଡ଼ିଆ-ପନ୍ତ୍ରର ଥରିଲା ଥରିଲା ଲମ୍ବ ଆଙ୍ଗୁଠିରେ ଜହ୍ନ-ଆଲୁଅ ଝିଲି ଝିଲି ଦିଶେ, ଠାଏ ଠାଏ ଧଳା-କଳା, ଧଳା-କଳା ଛାପି ଛାପିକା ହୋଇଯାଏ ।

 

ସବୁ ଚିନ୍ତା ସବୁ କ୍ଷୋଭ କିଏ ପରିଷ୍କାର କରି ପୋଛିନିଏ, ଅନୂଭୂତି ଜଡ଼ିତ ହୋଇ ଆସେ, କେବଳ ରହେ ସ୍ପନ୍ଦନ ।

ଅଶବ୍ଦ, ଅରୂପ, ଅବ୍ୟୟ, ବିସ୍ତୃତି ସହିତ ସମତାଳ ରଖିକେବଳ ସ୍ପନ୍ଦନ....।

ଗାଁ–ସୁନ୍ଦର ଗାଁ–ମା ଭଉଣୀ ଭାଉଜଙ୍କ ଗାଁ–ଗମ୍ଭୀର ପ୍ରକୃତିର ଗାଁ, ଭାବର ଢେଉ ପଦା ପ୍ରକୃତିରେ ସୁଦ୍ଧା ଫୁଟି ଉଠେ, ବିଲରେ, ବଣରେ ମନର ସବୁ କ୍ଷତପାଇଁ ଏଠି ଅଞ୍ଜନ ଅଛି, ଆଉ ଅଛି ସବୁ ମୂଷାଙ୍କ ପାଇଁ ଗାତ–

 

ଶ୍ରାନ୍ତ ମୁହୂର୍ତ୍ତର ଲୋକେ ମନେ ପଡ଼ନ୍ତି, ରେଣୁକା ମନେପଡ଼େ, ଉଦାସ ଲାଗେ, ପୁଣି ଆକାଙ୍‍କ୍ଷା ବଢ଼େ, ଛଟପଟ ହୁଏ ।

ପୁଣି କେତେ ନୁଆ ଖେଳଭିତରେ ସମୟ କଟିଯାଏ ।

ମୋ’ର ବିଭାଘର ସମ୍ବନ୍ଧ ସବୁ ଆସିଲାଣି । ଲୋକେ ଟୁପୁରୁ ଟାପୁରୁ ହେଲେଣି । ଭଲ ହେବ କି ମନ୍ଦ ହେବ ଭାବି ନିଜ ଭିତରେ ମତ କଷାକଷି ହୋଇ କଜିଆ କଲେଣି । ଶୁଣିବାକୁ ମତେ କୌତୁକ ଲାକୁଛି, କାହିଁକି ନା ମୁଁ ଭଲକରି ଜାଣେ ଯେ ଏଠି ମୋ’ ବିଭାଘର ହେବନାହିଁ ।

 

କିନ୍ତୁ ସମ୍ଭବତା ସାମାନ୍ୟଭାବରେ ରହିଛି ଓ ତେଣୁ ଆଗ୍ରହ ଆସୁଛି ।

ଆମଗାଁଠୁ ଦଣ୍ତାଏ ଦଣ୍ତାଏ ଦେଢ଼ମାଇଲ୍ ଗଲେ ବେଁକୋଳୀଶ୍ୱରଙ୍କ ମନ୍ଦିର ଡାକେ ବାଟ ଥାଇ ଯେଉଁ ବଡ଼ ପୋଖରୀଟି ପଡ଼େ, ତାହାରି ଉପରେ କାନୁଗୋଇଙ୍କ ଘର । ବାଟରେ ଗଲେ ଆଖିରେ ପଡ଼ିବ ଗୋଟାଏ ବଡ଼ ବାଡ଼, କହିଁରେ ରାଧାତମାଳ ଫୁଟେ ? ଚେଣିଚମ୍ପା ଫୁଟେ, ଚାରି ପାଞ୍ଚଟା ଝଙ୍କା ଝଙ୍କା କୃଷ୍ଣଚୂଡ଼ା ଗଛରେ ଫୁଲ ନଦିହୋଇ ପଡ଼େ ।

 

ବାଡ଼ କତିକି ପୋଖରୀ ଲାଗିଛି । ପୋଖରୀରେ ସଡ଼କ କରୁକୁ ଗୋଟାଏ ପୁରୁଣା ବରଗଛ । ତାହା ତଳେ ଗୁଡ଼ାଏ ଭଙ୍ଗା ପାହାଚ ଓ ଗୋଟାଏ ଛୋଟ ଭଙ୍ଗା ଦେଉଳ, ଯାହାର ପ୍ରତି ପଥରକୁ ବରଗଛର ଚେର ଯାକି ଧରିଛି । ଆର ପାଖେ କାନୁଗୋଇ-ଘର ତୁଠ ।

 

ଏଇ ବରଗଛ ମୂଳେ ଖଣ୍ତେ ପୁରୁଣା ଭଙ୍ଗା ଦୋକାନ ଘର, ଯେଉଁଠି ମୋ’ ଦେଖନ୍ତରେ କେବେ ଦୋକାନ ବସି ନାହିଁ । ଠାଏ ଠାଏ ଫଟା କାନ୍ଥ ଏପାଖ ସେପାଖ ଝଡ଼ି ପଡ଼ିଛି, ତଥାପି ଘରଟା ସେଠି ଥିଲା ।

 

ପିଲାବେଳେ ଥରେ ଥରେ ଇସ୍କୁଲ-ଛୁଟିଆ ଦଣ୍ତାଏ ଦଣ୍ତାଏ ଭୂଇଁବରକୋଳି, ଭଇଁଞ୍ଚିକୋଳି ଖୋଜି ଖୋଜିକା ଚାଲି ଆସି ଏଇ ଗୋଟିକିଆ ଭଙ୍ଗା ଦୋକାନ ଘରେ ଆମେ ଝାଳମାରିଛୁଁ, ପୋଖରୀ ଭିତରକୁ ଝୁଙ୍କି ପଡ଼ିଥିବା ବରଗଛ ସିଅ ଉପରେ ଚଢ଼ିଛୁ ଓ ଆରପାରିକୁ ଚାହିଁଛୁ । ପାଣିକୁଆ ଉବେଇ ଟୁବେଇ ହୋଇ ପୋଖରୀସାରା ବୁଲୁଥାଏ । ବରଷଣା ପାଣି ସୁଅରେ କାଗଜ ଡଙ୍ଗା ପରି ମାଳ ମାଳ ରାଜହଂସ ଓ ବତକ ଭାସି-ଭାସିକା ଚାଲିଯାଆନ୍ତି । ଆମେ ଅଣ୍ଟିରୁ କୋଳି କାଢ଼ି ଖାଉଥାଉଁ ଦେଖୁଥାଉଁ, କେହି ସେତେବେଳେ ଆମକୁ ବିଶେଷ ନିଘା ଦେଇନାହିଁ ।

 

କାନୁଗୋଇ ଘର କଥା ମନେପଡ଼ିଲେ, ତାଙ୍କ ଘରର ବଡ଼ ବାରିଟା ମନେପଡ଼େ, ଦିଶିଯାଏ କେତେ ଲୋକ ଆସୁଥିଲେ ଆରପାରି ପାହାଚ-ବାଟେ ପୋଖରୀକୁ । ଥରେ ଥରେ ଦିଶେ, ତାମଜାନ୍‍ରେ ଚଢ଼ି ଜଣେ ଥନ୍ତଲପେଟା ବୁଢ଼ା ଘର-ଦୁଆରମୁହଁରୁ ଚାଲିଯାଆନ୍ତି । କେତେବେଳେ ତାମଜାନ୍‍ରୁ ଓହ୍ଲାଇ ପିଣ୍ତାକୁ ଚଢ଼ନ୍ତି । ମନେ ପଡ଼ୁଛି, କେବେ ଦେଖିଥିଲି ଦିନେ ଚାରି ଜଣ ଭେଣ୍ଡା ଟୋକା, ମୁଣ୍ତରେ ଝିଲିପି ବାଳ–ବିଡ଼ି ଫୁଙ୍କି ଫୁଙ୍କି ସେ ଘରଆଡ଼ୁ ଆସନ୍ତି, ପୋଖରୀ ପଶ୍ଚିମ ପଟ ପଡ଼ିଆରେ ଗୋଟାଏ ଦଳଖିଆ ଘୋଡ଼ା ପଛରେ ଗୋଡ଼ିଆ ଗୋଡ଼ି ହୁଅନ୍ତି-

 

ସମ୍ବନ୍ଧ ଶୁଣି ଦାଣ୍ଡରେ ବଡ଼ବାପା ମୂଳହୁଁ ମୂହଁ ମୋଡ଼ିଦେଲେ, ‘କ’ଣ ଦେବେ ସେମାନେ-? ରଘୁ ଦାସ ମହାଜନ ତ ସବୁ ନିଲାମ କରେଇ ନେଇଛି, କ’ଣ ଅଛି ଯେ ! ଖାଲି ନାଟା ସିନା–’

 

ମଧ୍ୟସ୍ଥ କହିଲେ– ‘ଦେବେ ନାହିଁ ଏଇ ଶେଷ ନିମିତ୍ତ ତାଙ୍କର, ଆଉ କାହାପାଇଁ ରଖିବେ? ଆଗ ମେଳକ ଶୁଝାଶୁଝି ସରିଯାଉ ।’

 

ଉହାଡ଼ରେ ରହି ସବୁ ଶୁଣିଲି । ତେବେ କ’ଣ ଆଉ ପୋଖରୀ ତୁଠରେ ଗହଳ ଚହଳ ଏତେ ନ ଥିବ । ତାମାଜାନ୍‍କୁ ଉଇ ଖାଇବଣି ହୁଏ ତ, ହୁଏ ତ ପୋଖରୀ ଦଳ ଭଡ଼ି ଜିବଣି । ଶୁକୁ ଶୁକୁ ନେଳି ବେଙ୍ଗଫୁଲା ପାଣିରେ ବହଳ ବଧ ଦଳ ।

 

କୃଷ୍ଣଚୂଡ଼ା ଗଛ କଟାଇହୋଇ ସାରିବଣି କି !

ଭାରି ଇଛା ହେଲା, ମଧ୍ୟସ୍ଥକୁ ଡାକିନେଇ ତାକୁ ଦିଟା କଥା ପଚାରେଁ । କିନ୍ତୁ ତା ତ ସମ୍ଭବ ନୁହେଁ । ମନର ପ୍ରଶ୍ନ ମନରେ ରହିଲା । କାନୁଗୋଇ ଘରରୁ ଦୁର୍ଦ୍ଦିନ ଆସିଛି । ଘର ପଡ଼ିଯାଇଛି ।

 

ତହିଁରେ ସେ ପାତ୍ରୀଟି, ନାଁ ଟି କାଞ୍ଚନମାଳା ?

ସହାନୁଭୂତି ଆସିଲା । କବି ହୋଇଥିଲେ ଗୋଟିଏ ଛୋଟ ପଦ୍ୟ ଲେଖିଥାନ୍ତି,–କେତେ କଥା ତା ବିଷୟରେ ମୁଁ ଅନୁମାନ କରିନେଲି ।

 

ଢଳ ଢଳ କରୁଣ ଗହୀର ଚାହାଁଣି, କେଶର ମେଘ ଉଢ଼ାଳରୁ ଚନ୍ଦ୍ରମା ପରି ମୂହଁ, ପଡ଼ିଯାଇଥିବା କାନୁଗୋଇ ଘରର ଝିଅ କଞ୍ଚନମାଳା ।

 

ଇତି ଶ୍ରୀ…...

ଘରେ ପସନ୍ଦ କଲେ ନାହିଁ, କିଏ ଚାହେଁ ବୁଡ଼ୁଥିବା ସୂର୍ଯ୍ୟ ସହିତ ସମ୍ୱନ୍ଧ ଥାପିବାକୁ ? ବୋଉ ଟିକିଏ ଦୋଦୋ ପାଞ୍ଚ ହେଉଥାଏ, କହୁଥାଏ ମୁଁ ଦେଖିଛି ତାକୁ, ସେ ଭଲ ପିଲାଟାଏ ।

 

ଅଦେଖା କାଞ୍ଚନମାଳାର ସ୍ମୃତି ମନରେ ସୌରଭ ଉଡ଼ାଇ ଦେଲା । ସ୍ୱପ୍ନ ଗଢ଼ିଲି, କିନ୍ତୁ ଇଛାର କ୍ରମ ବେଶି ଦୂରକୁ ଘେନି ପାରିଲେ ନାହିଁ । ଭଲ ପାଇବା ଜୁଆରରେ ଭଟ୍ଟା ପଡ଼େ–ଯେବେ ଭାବେ ବିଭାଘର କଥା ।

 

ବିବାହ–ବନ୍ଧନ–ଘୋରତେଇ ପୋରତେଇ ବନ୍ଧାଗତ–ଉଠୁପଢ ତିନିଗୋଡ଼ିଆ ଦଉଡ଼-–କାନ୍ଧରେ ଜୁଆଳି, ମୁହଁରେ ଲଗାମ... ଅପାଠୋଇ ଜିଦିଖୋର ଝିଅ, ଅକୁହାର, ଅବୁଝା, ।

......ବିବାହ ।

 

ବଡ଼ ବିଚିତ୍ର ଲାଗୁଥିଲା । ରେଣୁକା ପାଖକୁ ଚିଠି ଲେଖିଲାବେଳେ ଚିଠି ଅଧରେ ହାତ ଅଟକିଯାଏ । କ’ଣ ଲେଖିବି ? ଥାଉ ପରେ ଲେଖିବି । ଭାଉଜ ଚିଠି ଦେଲେଣି ‘ଆସ’–ଜବାବ୍ ଲେଖିପାରେ ନାହିଁ । ମାଣ୍ଟେଇ ମାଣ୍ଟେଇ ଦିନ ଯାଏ ।

 

ଭାବୁଥିଲି ମଫସଲରେ ପଡ଼ି ପଡ଼ି ମୁଁ ଅଳସୁଆ ହୋଇଯାଇଛି ।

କିନ୍ତୁ ନା, ଅଳସୁଆ ନୁହେଁ । ଗବସ୍ତ ଗାଁରେ ସତାର୍ ମିଆଁ ଗୋଟିଏ ନିରକ୍ଷତା-ନିବିରଣୀ ଖୋଲୁଛନ୍ତି, ଆଉ ମଧ୍ୟ ସେଠି ସୂତା କଟା ହେଉଛି ଓ ଛୋଟ ହୋଇ ଗୋଟିଏ ଗ୍ରାମ ସଂଗଠନ ଉଦ୍ୟମ ହେଉଛି ଅନେକ ଥର ସାଇକଲ ଚଢ଼ି ମୁଁ ସେଠିକୁ ଗଲିଣି । ଦଣ୍ଡାଏ ଦଣ୍ଡାଏ କାନୁଗୋଇ ଘର ରାଜା-ରାଣୀ ପୋଖରୀବାଟେ ଗବସ୍ତ ଗାଁ ଗୋହିରୀକୁ ସାଇକଲ ମଡ଼ାଇ ନିଏ, ପୋଖରୀ ପାଖ ହେଲାବେଳକୁ ସାଇଁ କରି ସାଇକଲ ଚଳାଇ ନିଏଁ, ଭାରି ଚଞ୍ଚଳ ଆପେ ଆପେ ଗୋଡ଼ଦିଟା ଉଠେ ପଡ଼େ......

 

ଅଳସୁଆ ମୁଁ ନୁହେ, କିନ୍ତୁ ଚିଠି ଲେଖିଲାବେଳକୁ କିଛି ମନେପଡ଼େ ନାହିଁ । ଭାବେ, ସୁନ୍ଦର କରି ଭାବି ଚିନ୍ତି ଲେଖିବା କାଲି ।

 

ଦିନେ ତୋଟାଭିତରେ ସେ ମଧ୍ୟସ୍ଥ ବୁଢ଼ାକୁ ଦେଖିଥିଲି । କାଖରେ ବସ୍ତାନିଟିଏ ଜାକି ଗୁଆ ଭାଙ୍ଗି ଭାଙ୍ଗିକା ଚାଲିଥିଲେ ସେ । ତା’ପରେ ଆଉ ମୁଁ ଗବସ୍ତ ଯାଇନାହିଁ ।

 

ଜାଗର ଅମାବାସ୍ୟକୁ ବେଁକୋଳୀଶ୍ୱରଙ୍କ ମନ୍ଦିରରେ ବଡ଼ ଯାତ୍ରା ହୁଏ । ସଞ୍ଜ ବୁଡ଼ୁ ବୁଡ଼ୁ ଲୋକ ଚାଲିଲେ, ଠେଙ୍ଗାବାଡ଼ି ଧରି ମିଣିପେ, କାନି ଧରାଧରି ହୋଇ ନାଲି ବାଇଗରୀ ଲୁଗା ସବୁ ପିନ୍ଧି ମାଇପେ। ଦୂରରୁ ବଳଦଗାଡ଼ି ଭିତରେ ଓଦରରେ ଖୁନ୍ଦିଖାନ୍ଦି ହୋଇ ପଶି ମାଇପେ ଆସିଥାନ୍ତି-

 

ଘରେ ବୋଉହେରିକା ରା ଧରିଲେ, ଯିବା, ତେଣୁ ବଳଦଗାଡ଼ି ପଛେ ପଛେ ଆମେ ସବୁ ସେମାନଙ୍କ ସାଙ୍ଗରେ ଗଲୁ ।

 

ମହାଦୀପ ଉଠିବାର କିଛି ସମୟ ପୂର୍ବରୁ,–ବେଢ଼ାଭିତରେ ବୋଉହେରିକା ବୁଲୁଛନ୍ତି । ମୁଁ ପଛରେ ରହି ଏପାଖ ସେପାଖ ଚାହିଁ ଚାହିଁ ଆସୁଛି । ଦେଖିଲି ବୋଉହେରିକା ଦଳ ଆଉ ଗୋଟିଏ ଦଳ ସାଙ୍ଗେ ମିଶିଲେ ।

 

ଆର ଦଳକୁ ମୁଁ ସେତେ ନିଘା ଦେଇ ନ ଥାଏଁ, ଯେତେ ଦେଇଥାଏଁ ତହିଁରୁ ଜଣକୁ । ସେ ଆକୃତିରେ ଛୋଟ । ନୂଆ ଫେସନର ପାରସୀ ରୀତିରେ ଖଣ୍ଡେ ଜର୍ଜେଟ ଶାଢ଼ି ପିନ୍ଧିଥାଏ । ମୁଁ ତାର ମୁହଁକୁ ଦେଖିଛି । ପିଲାଳିଆ ଶାନ୍ତ । ଅଳ୍ପ ବୟସ, ନିର୍ବୋଧ ମୁହଁ, ହୁଏତ ସେ ଯଦି ଜର୍ଜେଟ ଶାଢ଼ି ପିନ୍ଧି ନ ଥାନ୍ତା ମୁଁ ତାକୁ ମୋଟେ ଅନାଇଁ ନ ଥାନ୍ତି, କିନ୍ତୁ ଚାହିଁସାରି ଦେଖିଲି, ବିଶିଷ୍ଠ ଥିଲା ତାର ଗତି, ଲଳିତ, କିନ୍ତୁ ସଂଯତ । ଧାଡ଼ି ଧାଡ଼ି ଘିଅଦୀପ ଆଲୁଅରେ ତାର ମୁହଁଟି ସୁନ୍ଦର ଦିଶୁଥାଏ-। ବେଶି ଗୋରା ନୁହେଁ, କାଟଟି ଭଲ, ଧାର ମୁହଁଟିଏ ।

 

ଆଗକୁ ଚାଲିଯାଇଥାନ୍ତି କିନ୍ତୁ ହଠାତ୍ ଦୁଇ ଦଳ ଚିହ୍ନା ପରିଚ ହେଲେ,–ମାଇପେ କିପରି ଏତେ ଚଞ୍ଚଳ ଚିହ୍ନା ପରିଚ ହୁଅନ୍ତ ସେମାନଙ୍କୁ ଜଣା,–ଝିଅଟି ଉଢ଼ୁଣା ଟାଣି ଝାଉଁଳ ପଡ଼ିଲା । ଏପାଖରୁ କେତେ ଲୋକ ଯାଇ ତାକୁ କୁଣ୍ଢାକୁଣ୍ଢି କରି ଗେଲ ଆରମ୍ଭ କରିଦେଲେ,–ସେ ପାଖରୁ ଦୃଷ୍ଟି ପଡ଼ିଲା ପଛକୁ, ମୋତେ ଖୋଜିଲା ପରି । କାନରେ ଥରେ ଅଧେ କଞ୍ଚନ କଞ୍ଚନ ବେଲି ନାଁ’ ଟା ବାଜିଗଲା । ବୁଲିପଡ଼ି ପଛକୁ ଚାହିଁ-ଚାହିଁକି ଚାଲି ଆସିଲି ।

 

ଘରେ ଥଟ୍ଟା ମଣିଷମାନେ ଖୋଳେଇ ଖୋଳେଇ ପଚାରିଲେ, କେମିତି ଲାଗିଲା ? ଦେଖିଲଟିକି ? ବାର ପ୍ରକାରେ ଲହସେଇ ପ୍ରମାଣ କଲି, ଯେ ମୁଁ ଦେଖି ନାହିଁ । ବୋଉ ୟାକୁ ତାକୁ ପଚାରି ବସେ,’ ହଇ ଗୋ ବୋହୁ, ନାଁକରା କ’ଣ ହବ ?’

 

‘ବାର ଲୋକେ କଥା ଭିତରେ ମୁଣ୍ଡଗଳାନ୍ତି, ରହସ୍ୟ ଲଗାନ୍ତି । ସବୁ ଶୁଣେ । କ୍ରମେ ଘଟଣା ଘଷରା ହୋଇ ଆସେ ।

 

ବିବାହ ବୟସରେ ଭାବେଁ, ଭାବି ଭାବି ଅନ୍ତପାଏ ନାହିଁ । ବିଚାରି–ବାର ନିଶା ସ୍ୱପ୍ନମୟ ଉନ୍ମାଦାନଠାରୁ ବଳିପଡ଼େ । ମୁଁ ନିକିତି ପକାଇ ତଉଲେଁ । କ୍ରମେ ବିରୋଧି ଚିନ୍ତାଗୁଡ଼ାକ ଆଗୁଆଳି ହୋଇ ଠିଆହୁଏ । ଅସମ୍ଭବ, ମୁଁ ପ୍ରସ୍ତୁତ ନୁହେଁ । ନିଜେ ନିଜର ପେଟ ପୋଷି ପାରିନାହିଁ । ତହିଁରେ ପୁଣି ଆହୁରି ବୋଝ ! ଏତେ ଚଞ୍ଚଳ ବିଭାହେବା ମୂର୍ଖତା । ବୋଉ କହେ, ଲୋକ କହନ୍ତୁ, ସେମାନେ ସେପରି କହିଥାନ୍ତି, କଅଁଳ ସଅଁଳ ବେଳେ ସମସ୍ତ । ଭାଉଁ ବେଳକୁ କେହି ନାହିଁ ।

 

କଞ୍ଚନମାଳା ଆଉ ମୋର ସ୍ୱପ୍ନଗଢ଼ା ନାରୀମୂତ୍ତି ନୁହେଁ । ମୁଁ ତାକୁ ଦେଖିଛି । ବାସ୍ତବତା ଆଦର୍ଶର ବୁଢ଼ିଆଣୀ ଜାଲ ଭିତରେ ଧରା ଦେଇ ନାହିଁ, ବରଂ ଜାଲକୁ କାଟି ତଳେ ପଡ଼ିଯାଇଛି ।

 

ଆକାରରେ ଏଡ଼ିକି ଟିକିଏ ବୋଲି । ନୁହେଁ–ବେଶି ଗୋରା, ସାଧାରଣ ଝିଅଟିଏ ସେ, ସେହିଁ ଘେନବ ମେର ହୃଦୟ–ବୋଝେଇ ପ୍ରେମର ଅର୍ଘ୍ୟ । (ଓଡ଼ିଶାରେ କେତେ ଝିଅ ଅଛନ୍ତି । କ’ଣ ୟାର ବାଶେଷତ୍ୱ ?)

 

ଖାଲି ଗୋଟାଏ ରକ୍ତମାଂସରେ ଖେଳେଣ କଣ୍ଢେଇ ।

ଲୋକଙ୍କର ପୁଣି ପୁଣି ଆଲୋଚନାରେ ମୋର ହାଡ଼ଜଳେ । କିନ୍ତୁ ଲୋକ କହନ୍ତି, ବିଶେଷତଃ ବୁଢ଼ା ବୁଢ଼ୀମାନେ, କାରଣ ଏଇ ସାଧରଣ ଆଲେଚନା ବାଟେ ତାଙ୍କର ନିଭୃତ ପ୍ରବଣତା ଝଙ୍କାରି ଉଠେ ।

 

ଆଜି ଭାବୁଛି, କ’ଣ ବା କ୍ଷତି ହୋଇଥାନ୍ତା ତାକୁ ବିଭା ହୋଇଥିଲେ ? ସମସ୍ତେ ତ ସମାନ ।

ଭାବୁଛି, ଯାହା ଅଜଣା ଅଛପା ସେହି ଆମର କବିତା, ଜଣାଶୁଣା ପ୍ରକୃତ କଥାରେ କବିତା ହଟିଯାଏ । ସ୍ଥୂଳ ପ୍ରକୃତ ବସ୍ତୁତ୍ୱ ଭିତରେ ଯେତିକି କବିତା ସମ୍ଭବେ ତାକୁ ମଣିଷ ଅବହେଳା କରେ, କାରଣ ମଣିଷ ଚାହେଁ ‘ନିରୋଳା’, କବିତା, ଅର୍ଥାତ୍ ମଣିଷ କ’ଣ ଚାହେଁ ତା ନିଜେ ବୁଝିପାରେ ନାହିଁ, କିନ୍ତୁ ଯାହା ପାଏ ତାକୁ ପାସଙ୍ଗରେ ପକାଏ ନାହିଁ ।

ଆଜି ଭାବୁଛି, ଶେଷରେ କବିତାହିଁ ମିଳେ ନାହିଁ, ବାଧ୍ୟ ହୋଇ ମଣିଷ ନିଜ ମନକୁ ପ୍ରବର୍ତ୍ତାଏ, ଯେ ଏଇ ମୋ’ର କବିତା,–ଶ୍ରେଷ୍ଠ କବିତା–ଜୀବନର ଇପ୍‍ସିତ ଅଭୀଷ୍ଟ ଆଦର୍ଶ–ଏଇ ଏତିକି ଯାହା ମିଳିଲା ସେଇଆ ।

ଯଦି ମୁଁ ତାକୁ ଦେଖି ନ ଥାନ୍ତି ତେବେ କ’ଣ ହୋଇଥାନ୍ତା ଜାଣେ ନାହିଁ । କିନ୍ତୁ ଦେଖିପକାଇଲି ଯେ । ସେ ସୁନ୍ଦର, କିନ୍ତୁ ମୋର ଦେଖିବା ହିଁ ଆଣିଦେଲା ବସ୍ତୁ ଓ ସୀମା ବିରୁଦ୍ଧରେ ମୋର ବିଦ୍ରୋହ ।

ମୁଁ ନାହିଁ କଲିନାହିଁ କିନ୍ତୁ ବାରମ୍ବାର କହିଲି ଯେ ସବୁ ବଡ଼ ହଠାତ୍ ହଠାତ୍‍ ଲାଗୁଛି ଓ ମୁଁ ଏତେ ଚଞ୍ଚଳ ବିଭା ହେବାକୁ ଅନିଛୁକ ।

ମନର ତଳେ ତଳେ ବିଦ୍ରୋହ କୁହୁଳ ଉଠେ,–ସାତ ସାରରେ ସାର ଏତେବଡ଼ ଯେଉଁ ପ୍ରେୟସୀ–ଆଦର୍ଶ ଏଇ କ’ଣ ସେ ? ଏଇ କଞ୍ଚନମାଳା ଏଇ ପ୍ରଥମ ସମ୍ବନ୍ଧ ଆସୁଁ ଆସୁଁ କ’ଣ ତାର ସନ୍ଦନ ମିଳିଗଲା ? ଏତେ ଶୀଘ୍ର ?

ଭବିଷ୍ୟତକୁ ଚାହେଁ, ମୋର ଭବିଷ୍ୟତ୍ ଯାହକୁ ମୁଁ ଦେଖିଛି ଅନ୍ଧାର ଗୁମ୍ଫା ଭିତରେ ଥାଇ ବାହାରର ପ୍ରଭାତୀ ପୃଥିବୀକୁ ଦେଖିଲେ ପରି, କଞ୍ଚନମାଳା କେବଳ ପାଖର ଝରଣା । ସେଠି ଦୃଷ୍ଟିଭରା ଦିଏ, କିନ୍ତୁ ଅଟକି ରହେ ନାହିଁ ।

 

କାହିଁକି ଏହିପରି ନିଜର ମନଗଢ଼ା ସ୍ୱପ୍ନକୁ ନିଜର ହିଁ ଇନ୍ଦ୍ରୟ ଅନୁଭୂତି ନିର୍ଦ୍ଦୟଭାବେ ଭାଙ୍ଗିଦିଏ ।

 

ବେଳେ ବେଳେ କଞ୍ଚନମାଳାକୁ ମନେ ମନେ ଭଲପାଇ ଭାବେଁ, ସେ ସୁନ୍ଦର, ସେ କଅଁଳ ।

 

ବିଭାଘର କଥା ପଡ଼ିଲେ ତାକୁ ପଛରେ ପକାଇ ମୁଁ ଆଗକୁ ମାଡ଼େଁ ନା ନା,–‘କେବଳ’ ଏତିକି ନୁହେଁ, ମନର ଶୋଷ ମେଣ୍ଟିବ ନାହିଁ ଏତିକିରେ, ଆଦର୍ଶକୁ ସଂକୀର୍ଣ୍ଣ କରାଇ ଦେଲେ ପ୍ରାଣକୁ ବାଧେ ।

 

ଦେଖିଲେ, ଜାଣିଲେ, ଅନ୍ୟକୁ ବର୍ଣ୍ଣନା କରାହୁଏ ‘କେବଳ’ ‘କେବଳ’ରେ, ଏ କେବଳ ଏତିକି, ୟାଠୁ ବେଶି ନୁହେ, ତେଣୁ ଦେଖା ପରଖାଠାରୁ ଅଦେଖାର ମୋହ ବେଶି ।

 

ହୁଏତ ଚିହ୍ନି ପାରିଲେ କେବଳ କେବଳ ଧାରଣା ଲୋପପାଏ, କିନ୍ତୁ ନିରାକାର ସହିତ ଆକାରର ସାଲିସ୍ ସହଜରେ ଆସେନାହିଁ,–ଆସେ ନାହିଁ ଏତେ ହଠାତ୍ । ବିଶେଷରେ ତରୁଣର ଶୋଷୀ ମନର ।

ରେଣୁ ପାଖକୁ ଚିଠି ଲେଖିବାକୁ ବେଳ ପାଇଲି,–

‘କଲ୍ୟାଣମୟୀ ରେ,–ବହୁଦିନୁ ଚିଠି ଲେଖିନାହୁଁ,ସତେ କି ମଝିରେ ଯୁଗଟାଏ ବିତିଗଲାଣି ।’

 

‘ଭାଉଜଙ୍କ ପାଖରୁ ଖଣ୍ଡେ ଚିଠି ପାଇଲି,

ରାଧୁ, ରାଗିଛି କି ? ଚିଠି କାହିଁକି ଦେଉନା ? ଅଭାଗିନୀ ଭାଉଜକୁ ଏତେ ଚଞ୍ଚଳ ପାସୋରି ପକାଇଲ ? ଦୁନିଆଟା ଏପରି ।

 

ମୁଁ ବଡ଼ ଆଶା କରିଥିଲି ରାଧୁଙ୍କ ପରୀକ୍ଷା ସରିଲେ, ଏଥର ଆସିବେ । ଖରାବେଳେ ଏକୁଟିଆ ପଡ଼ି ପଡ଼ି ଏଣୁ ତେଣୁ ଗୁଡ଼ାଏ ଖାଲି ଭାବେ, ତୁମର ଗରଜ ପଡ଼ିଛି ଆସିବ ।

 

ମୁଁ ତୁମମାନକର କଥା ଭାବେଁ କି ନାହିଁ ସେକଥା ଯେ ଦିନରାତି କରୁଛି ସେ ଜାଣେ, ବନ ପୋଡ଼ିଲେ ସମସ୍ତେ ଜାଣନ୍ତି, ମନ ପୋଡ଼ିଲେ କିଏ ଜାଣେ ?

ଆଉ ତାକୁ ଆସିବାକୁ ଲେଖିବି ନାହିଁ ।

ତାଙ୍କର ଚିଠି ମୋ ବାଟ କଢ଼ାଇ ନେଲା, ଆଉ ଭାବିବାକୁ ଦରକାର ନାହିଁ ଯିବା ।

 

ଫଳ ବାହାରିବା ମୋଟେ ଦୁଇ ସପ୍ତାହ ରହିଲା, ମନ ଉଚାଟ ଲାଗୁଛି । ଗାଁ ଆଉ ଭଲ ଲାଗୁନାହିଁ । ଅଳସୁଆମି କରି କରି ନିବୃତ୍ତି ଆସିଗଲା, ଆତ୍ମା ଖୋଜିଲା, ନୂଆ–ନୂଆ–ନୂଆ ।’

ବାଟରେ ଡାକ ମରମରେ ବାଜିଲା । ମୁଁ ଚାଲିଲି ।

ପିଲାଳିଆ ସୁନା ସାନଭଉଣୀଟି, ରେଣୁକା, କେଡ଼େ ଭଲପାଏ ।

 

ତାପରେ ମଞ୍ଜୁଳିକା, ସମ୍ବନ୍ଧ ସହାନୁଭୂତି ମିଶା ସ୍ନେହବୋଳା ହସ ଛିରିକି ପଡ଼େ ତା’ର ମଉନ ଢଳ ଢଳ ଆଖି ଯୋଡ଼ିକରୁ ।

 

କଞ୍ଚନମାଳା,–ଜୀର୍ଣ୍ଣ ପ୍ରାଚୀନ ଧ୍ୱଂସସ୍ତୂପ ଆବୋରି କରୁଣା ରାଗିଣୀଟିଏ ପରି ।

ମା’ ଭଉଣୀ ଓ ଭାଉଜମାନକର ସ୍ନେହ, ଶାଗୁଆ ଘାସର ଅସଂଖ୍ୟ ଚେରପରି ଯାହା ବାନ୍ଧି ରଖିଛି ମୋ’ର ମାଟିପିଣ୍ଡଟାକୁ ।

 

ଏହିମାନଙ୍କ ଅନୁଭୂତିରେ ଭାସି ଭାସି ଚାଲେ ମୋର କଳ୍ପନାମୟ ଜୀବନ, ଏହିପରି ଇଙ୍ଗିତ–ସଙ୍କେତ–ପୁଷ୍ଟ ଅନୁଭୂତିକୁ ଗୋଟାଇ ଗୋଟେଇ ଜୀବନ ବିତିଯାଏ–ତୁଛା କଳ୍ପନା, ଜୀବନବ୍ୟାପୀ କଳ୍ପନା–ମାୟା–ପବନ, ଆକାଶ, ଗଛଲତା, ପ୍ରକୃତର ଛବି, ସୃଷ୍ଟିର ଛାୟା, ରୂପ, ରସ, ଗନ୍ଦ, କେବଳ ଅନୁଭୂତି ।

 

କେତେବେଳେ ଭାବେଁ ଯେ ମୁଁ ଅଛି । ପୁଣି କେତେବେଳେ ଭାବେଁ ଯେ ମୁଁ ନାହିଁ ।

ଭାବେଁ ପାଇଛି, ପୁଣି ମୁଠା ଖୋଲେଁ, ଦେଖେଁ ଶୂନ୍ୟ, କିଛି ନାହିଁ ।

 

ସେଦିନର ରେଲରେ ଗୋଟିଏ ଏକୁଟିଆ କୋଠରୀରେ ବସି ଭାବୁଥିଲି, ଗାଁ ଛଡ଼ା ଯେତେବେଳେ ଭାଉଜବୋଉଙ୍କ ବିଦେଶକୁ ଧାଉଁଥିଲି । ଟାଣି ଓଟାରି ଭାବିବାକୁ ଚେଷ୍ଟା କରୁଥିଲି, ଯେ ସଂସାରଟା ମିଛ, ସବୁ ସମ୍ବନ୍ଧ ଅନ୍ଧାର ଖାଲି–ଯେତେଦିନ ବଞ୍ଚିଥାଇଁ, ଆମକୁ ଦର୍ପଣ ପାଇ ସଂସାରର ସବୁ ଛବି ନିଜର ପ୍ରତିଚ୍ଛବିକୁ ଆମର ଉପରେ ଦେଖି ନେଉଛି ।

 

ସେଇ ସକାଳ ବେଳଟା, ପଦାକୁ ଚାହିଁ ଚାହିଁ କ୍ରମେ ମୋର ପାରୁପର୍ଯ୍ୟନ୍ତ ଚେଷ୍ଟାରେ ଅବିଶ୍ୱାସବାଦ କେଉଁଆଡ଼େ ଉଭେଇ ଯାଉଥାଏ । ପାଖରେ ପଟ୍ଟଭୂମି ପଛକୁ ଯାଉଛି, ଦୂରର ଯାଉଛି ଆଗକୁ,–ଯାଉଛ କିନ୍ତୁ ବାହାରର ଦୃଶ୍ୟରୁ ଏତେ ବଡ଼ ଆଖି ଦୁରୁଶା ସ୍ଥୂଳ ବାସ୍ତବିକ ସ୍ଥାୟିତ୍ୱ ହିଁ ଜଣାଗଲା ବେଶି । ପାହାଡ଼, ଟାଙ୍ଗର, ବସନ୍ତର ବଣ ଜଙ୍ଗଲ, ସବୁଜା ଚେକା ଭଉଁରୀ ଖେଳର ଦୃଶ୍ୟ ଭିତରେ ଅଦେଖା ଶିଳ୍ପୀର ରୂପଯୋଜନା ଓ ପାଳଧୂଆ ଫୁଲର ମଉଛବ, ଝଙ୍କାଝଙ୍କା ବଡ଼ବଡ଼ ଗଛ, ଅସୁମାରି ଗାଁ-ଗଣ୍ଡା । ଏଥିରୁ ନାହିଁ ନାହିଁ ଅପେକ୍ଷା ଅଛି ଅଛି ହିଁ ବେଶି ଜଣାପଡ଼େ ମାୟା ରୂପ ଘେନିଛି, ଏବଂ–ଅଛି ।

 

ପ୍ରକୃତିକୁ ଚାହୁଁ ଚାହୁଁ ବିନା ଭାବି ବିଚାରି କେତେବେଳେ ମୋ’ର ମନ ମଣିଷକୁହିଁ ବାଛି ନେଲାଣି, ବୁଝି ପାରିଲି ନାହିଁ । ଗାଡ଼ିରେ ସେହି ନିରୋଳା କୋଠରୀରେ, ଯେଉଁଠି ସମାଜରେ ଆଇନ ମୋତେ ଛୁଇଁ ପାରିବ ନାହିଁ–ଯେଉଁଠି ପାପ ପୁଣ୍ୟ ନ୍ୟାୟ ବିଚାରକୁ ପତିଆରା ଦେଖାଇ ମଣିଷର ଇର୍ଷାରେ ବିଷ ମୋତେ ଛୁଇଁ ପାରିବ ନାହିଁ–ଯୌବନ ଉଛନ୍ନ କରୁଥିଲା ମୋତେ । ପଦାକୁ ଚାହିଁ ଚାହିଁ ମୁଁ ଗୋଟାଉଥିଲି, ସୁନ୍ଦର ମୁହଁ, ସୁନ୍ଦର ରୂପ । କେଉଁ ନଈରେ ନିରୋଳା ତୁଠରେ କେଉଁ ସୁନ୍ଦରୀ ନଗ୍ନ ଦେହର ଜ୍ୱାଳା ଜଳରେ ଶୀତଳ କରୁଛି । କିଏ କେଉଁଠି କେଉଁ କେଉଁ ଆବସ୍ଥାରେ ରହିଛି, କିଏ ବସିଛି, କିଏ ଚାଲୁଛି । ହଠାତ୍ ରେଲ୍‍ଗାଡ଼ି ଚାଲିଗଲା, ମୁଁ ମନେ ମନେ ଫଟୋ ନେଇଗଲି ।

 

ଦେହର ଭୋକ ଆଉ ମନର ଶୋଷ ଏକାଠି ମୋଡ଼ିମାଡ଼ି ହୋଇ ମିଶି ଯାଇଥାଏ ମୋ’ଠାରେ ।

 

ଗାଡ଼ି ଚାଲିଯାଏ, ମୁଁ ପଛକୁ ଚାହିଁ ରହୁଥାଏ ଯେ ପର୍ଯ୍ୟନ୍ତ ଦୃଷ୍ଟିରୁ ଅନ୍ତର ନ ହୋଇଛି ।

 

ସେ ଗୁଡ଼ାକ,–ଛାଇ, ଖାଲି ଛାଇ, ସେଥିପାଇଁ ଖାଲି ଶୋଷ ହିଁ ବଢ଼େ, ମେଣ୍ଟିବାର ଆତ୍ମାପ୍ରାସାଦ ଆସେ ନାହିଁ ।

 

ହେଇ ଯେଉଁ ତରୁଣୀଟିକୁ ଏବେ ମୁଁ ଦେଖିଲି, ଯାହାପାଇଁ ଏତେ ପଛକୁ ପଛକୁ ମୁଁ ଚାହୁଁଥିଲି, ହଠାତ୍ ଯଦି ଗାଡ଼ି ସେଠି ଅଟକ ଯାଉଥାନ୍ତା, ମୁଁ ସେଠି ରହାବାକୁ ସୁବିଧା ପାଆନ୍ତି, ତେବେ କ’ଣ ମୁଁ ତାହା ପଛରେ ଏହିପରି ଆଗ୍ରହରେ ଧାଇଁ ଯାଆନ୍ତି ? ନା, ମୁଁ ତାକୁ ପାଟି ଫିଟାନ୍ତି ନାହିଁ ମୋଟେ । ସେ ମୋର ଆଖିରେ ଆଦୌ ପଡ଼ନ୍ତା ନାହିଁ, ବାସ୍ତବତାରେ କେତେ ସୀମା ପରସୀମାର ବାଡ଼ ତାକୁ ଉହାଡ଼ କରି ରଖିନିଅନ୍ତା । ସେ ହୁଅନ୍ତା ମଣିଷ, ଛାଇ ହୋଇ ରହନ୍ତା ନାହିଁ-

 

କିନ୍ତୁ ଗାଡ଼ି ଅଟକି ରହିବ ନାହିଁ, ତେଣୁ ମୁଁ ମନଇଛା ଚାହିଁ ଯିବି । ପ୍ରବଣତା ଉଛୃଙ୍ଖଳ ହୋଇ ଖୋଜି ବୁଲିଲା, କେଉଁଠି କିଏ ଅଛି, ଖୋଜିଲା,–ଛାଇ–ପିତାଶୁଣୀ ଛାଇ ଖାଲି ମୋର ରକ୍ତ ଶୋଷିଲା, ମନକୁ ଖେଞ୍ଚିଲା, କିନ୍ତୁ ଶାନ୍ତି ଦେଲା ତାହିଁ ।

 

ତଥାପି ମୁଁ ଚାହିଁ ଚାହିଁ ଗଲି ।

ଲୋକେ କହିବେ ସେ ମୋର ମନର ଦୁର୍ବଳତା । ମୁଁ ଭାବିଛି କେବଳ ଦୁର୍ବଳତା ନୁହେଁ, ଅମାର୍ଜନୀୟ ପଶୁତ୍ୱ, କିନ୍ତୁ ଜୀବନର କେଇଟା ଦିନ ସବଳ ଦେବତ୍ୱ ଘେନି କଟେ ? ତାହା ମଧ୍ୟ ଗୋଟାଏ ସଂସ୍କାର ମାତ୍ର । ସ୍ଥିତିର ବୈଚିତ୍ର୍ୟ ଭିତରେ ଏହି ପଶୁତ୍ୱ ପରି ଗୋଟାଏ ସଂସ୍କାର । ବିନାଶ ପାଇଁ ଯେ ଯେତିକି ଉପଯୋଗୀ, ଆମେ କହୁଁ ସେ ସେତିକି ଦୁର୍ବଳତା, କେବଳ ଭାବନାର ଦିଗ, କେଉଁଟା ଭାବନାର ଦିଗ, କେଉଁଟା ବିନାଶର ହେତୁ ଓ କେଉଁଟା ନୁହେଁ.ସେହି ଅନୁଯାୟୀ ପଶୁତ୍ୱ ବା ଦେବତ୍ୱର ଧାରଣା ।

 

କିନ୍ତୁ ସେହି ରେଲ୍‍ଗାଡ଼ିର ନିରୋଳା ଡବାରେ ବସି ଦେଖୁଛି, ସବୁ ଖାଲି ଛାଇ, ମିଳାଇ ଯାଉଥିବା ଛାଇ, କେଉଁ ଛାଇକୁ କେତେ ସମୟ ଦେଖିହେବ–କ୍ଷୁଦ୍ର ସମୟର ତାରତମ୍ୟ ।

 

କାହା ପାଇଁ ଆୟୁଷରୁ ବାରପଣ ଉଜାଡ଼ି ଦେଇସାରି ସେ ଚାଲିଯାଏ, କିଏ ଅବା ଚାଲିଯାଏ ଆଗ ।

 

ଛାଇ ପଛରେ ଗୋଡ଼ାଇ ଗୋଡ଼ାଇ ଦିନ ଯାଏ, କିଛି ଧରି ରଖି ହୁଏ ନାହିଁ ।

ମୋର ଦୁର୍ବଳ ପଶତ୍ୱ ଉଣ୍ଡି ଉଣ୍ଡି ଦେଖିଲା, କେଡ଼େ ସୁନ୍ଦର ମୁହଁ, ସୁନ୍ଦର ଦେହ ! ସେଇ ମୁହୂର୍ତ୍ତରେ ଆଖିର ନିଶା ପୂରିଯାଏ, ଦେଖୁ ଦେଖୁ ପୁଣି ମୁଁ ଚାଲିଯାଏ ଦୂରକୁ–ଦୂରକୁ । କେତେ ଛବି ଆସେ, କେତେ ଯାଏ, ସ୍ମୃତି ସ୍ମୃତି ଲଦାଲଦି ହୁଏ । ସ୍ମୃତି ସ୍ମୃତି ତୁଳନା ଭିତରେ କଟାକଟି ଲଗାଇ କେତେ ବୁଡ଼ିଯାଏ ।

 

କ୍ରମେ ସବୁ ଯାଏ ବୁଡ଼ି–ମନର ଗହୀର ପାଣିରେ ବୁଡ଼ିଯାଏ...... ।

ବହୁତ ଦୂର ବାଟରେ ପାହାଡ଼ ଜଙ୍ଗଲ ବାଘ ଭାଲୁଙ୍କ ଦେଶରେ ମଫସଲୀ ସହରରେ ଥାନ୍ତି ସେ ବଡ଼ା’ପା ପୁଅ-ଭାଇ ଓ ଭାଉଜବୋଉ ସେଠି ଥାଆନ୍ତି ।

 

ରେଲରୁ ଓହ୍ଲାଇ କେଁ କଟର ବଳଦଗାଡ଼ିର ବଙ୍କା-ଢଙ୍କା ଜଙ୍ଗଲ ରାସ୍ତାରେ ବୋଝେ ବାଟ, ଠାଏ ଠାଏ ନାଲି ପଥର କଳା ପଥରର ଲଣ୍ଡା ପାହାଡ଼ ତଳେ ରାସ୍ତା ବଙ୍କେଇ ବଙ୍କେଇ କେନ୍ଦ୍ରେଇ କେନ୍ଦ୍ରେଇ ଯାଇଛି, ପୁଣି ଠାଏ ଠାଏ ଘନ ଜଙ୍ଗଲ, କ୍ରମେ ପାତାଳା ହୋଇ ଆସିଛି, ଖାଲି ବୁଦିବୁଦିକିଆ ଜଙ୍ଗଲ ।

 

ଉଠୁପଡ଼ ନାଲି ରାସ୍ତାରେ କେଁକଟର ଶଗଡ଼, ବଳଦଙ୍କ ବେକରେ ଘଣ୍ଟି ଠୁଣୁ ଠୁଣୁ ବାଜେ, ହଲି ହଲି ଢଳି ଢଳି ଗାଡ଼ି ଚାଲେ ।

 

କାଠ କଟାଳୀଙ୍କ ଠୋଠା ପାହାର ଶୁଭେ, ଶଅରଝିଏ ଗୀତ ବୋଲି ବୋଲି, ବା ବକର ବକର ହୋଇ କାଠବିଡ଼ା ବୋଝୋଇ ହୋଇ ଦଳବାନ୍ଧି ଯାଆନ୍ତି ।

 

ନୂଆ ଜାଗା, ସବୁ ଭଲ ଲାଗୁଥାଏ, ସବୁଠୁ ବେଶି ଭଲ ଲାଗୁଥାଏ ଯୋଗ-ନିବଦ୍ଧ ଶମିତ ଅଞ୍ଚଳରେ ଉଦାର ପ୍ରକୃତି, ଯାହାର ଧୂଳି ପବନ ସୁଦ୍ଧା ଆଣେ କେଉଁ ସ୍ଥିତିମାନ୍ ପ୍ରାଚୀନତାର ଧାରଣା, କେଉଁ ଚିରନ୍ତନ ସନ୍ଦେଶ ।

 

କ୍ରମେ ଛାଇ ନେଉଟିଲା, ଜଙ୍ଗଲ ସରିଲା, ପଡ଼ିଲା ଢେଉଢେଉକା ଟାଙ୍ଗରା ପଦର ଭୂଇଁ, ଯେତେ ଦୂରକୁ ଆଖିଯାଉଛି ଖାଲି ବଡ଼ ବଡ଼ ଢେଉ, ଦିଗ୍‍ବଳୟର ଏପାଖକୁ ସେପାଖ ହଲି ହଲି ଯାଉ ଯାଉ ଯେପରି ହଠାତ୍ ସେହିପରି ଟାଙ୍ଗର ପାଲଟି ଯାଇଛି ।

 

ଗଛ ନାହିଁ, ଫସଲ ନାହିଁ, କେବଳ ଟାଙ୍ଗରା ମୁଣ୍ଡରେ ସରି ଆସୁଥିବା ଶେଷ ବାଳପରି ଠାଏ ଠାଏ ଶୁଖିଲା ଚାକୁଣ୍ଡା ଗଛର ଥଣ୍ଟା, କଳା କହରା, କଳା କହରା ।

 

ଏଇ ଢେଉ ଶେଷରେ, କେତେ ଦୂରରେ ତାଙ୍କର ଘର–ଖଣ୍ଡେ ଛୋଟ ଗାଁ’ରେ ।

 

ଆବୁଖାବୁଡ଼ା ଢେଉ-ଢେଉକା ଟାଙ୍ଗରା ଭୂଇଁ, ଚାରିପାଖ ଖୋଲା, ବେ-ଛପରି । ଉପରେ ଖୋଲା ଆକାଶ । ସତେ ଯେପରି ବିସ୍ତୃତିର ଖେଳ, ସ୍ଥିତି ଆଉ ବିସ୍ତୃତିର ପରିବତ୍ତନ ନାହିଁ, କେବଳ ସ୍ଥିତି ।

 

ଛାଇ ଲେଉଟି ଆସିଲା, ଢୋଉ-ଢେଉକା ଟାଙ୍ଗରା ଉପରେ ଚାକୁଣ୍ଡା ଖୁଣ୍ଟା ମଝିରେ କ୍ରମେ ଛାଇ ଖୁନ୍ଦି ହୋଇ ଆସିଲା । କେଁ-କଟର ବଳଦଗାଡ଼ି ଭିତରୁ ମୁହଁ ପଦାକୁ କାଢ଼ି ଦେଖଲି, ଖଣ୍ଡେ ବସ୍ତି, ତା ସେପାଖକୁ ପିଠି ଉଢ଼ୁଆଳ କରି ରହିଛି ଅରାଏ ଛୋଟ ଜଙ୍ଗଲ ।

 

ଭାଇଙ୍କ ବସା ସାମ୍ନାରେ ଗାଡ଼ି ଠିଆ ହେଲା, ସେତେବେଳକୁ ଟାଙ୍ଗର ଉପରେ ସୂର୍ଯ୍ୟ ବୁଡ଼ୁଛି ।

 

ବାହାରେ ଠିଆ ହୋଇ ଡାକଟାଏ ଯେମିତି ମାରିଛି, କିଲିକାଲିଆ ହୋଇ ଆଗ ଭାଉଜବୋଉ ଦଉଡ଼ି ଆସିଲେ, ମୁହଁରେ ହସ ଖୁସି ବ୍ୟଗ୍ରତା ଆଉ ଅଜସ୍ର ପ୍ରଶ୍ନ । ତାଙ୍କର ଛୋଟ ଝିଅଟି, କୁନି, ଆଁ କରି ଠିଆ ହୋଇଥାଏ କତିରେ । ପଦାରେ ଠିଆ ଠିଆ ତାଙ୍କ କଥାର ଜବାବ ଦେଉ ଦେଉ ଭାଇ ଆସି ପହୁଞ୍ଚିଲେ, କହିଲେ ଆଗ ଖୋଇ ପେଇ ଥଣ୍ଡା କରିବ ନା ଖାଲି ପଚାରି ପଚାରି ହଇରାଣ କରିଦେବ ? ଭାଉଜବୋଉ ହସିଲେ, କହିଲେ ମୋ ଗରଜ ପଡ଼ିଛି, ଆଉ, ମାଲୋ, ୟାଙ୍କରି ଖାଲି ପେଟ ଚିନ୍ତା, କେମିତି ବାଢ଼ି ବସିଲେ ନିଜେ ଚେକା ପକେଇ ବସି ପଡ଼ିବେ ।

 

ଭିତରକୁ ଗଲୁଁ, ଖୁସିରେ ଖୁସିରେ ଗୋଡ଼ ତଳେ ପଡ଼ୁ ନ ଥାଏ । ମଣିଷଙ୍କ ବସ୍ତିଠୁ ଦୂରରେ କେଉଁ ପାହାଡ଼ ଟାଙ୍ଗର କଣରେ ଖଣ୍ଡେ ଛୋଟ ଗାଁ, ଅଜ୍ଞାତ ବନବାସରେ କେତେଟା ଲୋକଙ୍କର ଛାଉଣି ପରି, ଶେଷ ବସନ୍ତର ସେହି ଗୋଟିଏ ମହୁଲଫୁଲିଆ ସଞ୍ଜରେ ସେଠି ଆରମ୍ଭ ହେଲା ଗୋଟାଏ ନୂଆ ଅନୁଭୂତି, ରଙ୍ଗୋଲି ଜୀବନର ଗୋଟାଏ ପୃଷ୍ଠା ସେଠି ଓଲଟିଲା, ଭାବ ଅନୁଭୂତିର ଜୀବନ ଆହୁରି ଟିକଏ ଆଗକୁ ଚାଲିଲା ।

 

ସଞ୍ଜପହରୁ ଅଛିଣ୍ଡା ଗପ ଓ ମାନ ଅଭିମାନର ଅଭିନୟ ବହୁତ ରାତି ପର୍ଯ୍ୟନ୍ତ ଚାଲିଲା, ମଝିରେ ଭାଉଜବୋଉ ଯେତେବେଳେ ରୋଷ ଘରକୁ ଚାଲିଯାଆନ୍ତି ବସି ବସି ଗ୍ରାମଫୋନ୍ ବଜାଏଁ-

 

ବହୁତ ରାତିରେ ଜାଗା କରି ସାରି ଭାଉଜ ଆସି ପଚାରିଲେ,

 

‘ଏ କ’ଣ ରାଧୁ, କ’ଣ ଗିଳିବ ନାଇଁକି ?’

 

ଭାଇ ଓ ମୁଁ ଖାଇ ବସିଲୁ । ସେ ମୋପାଖେ ବସି ଛୋପରୀ ହୋଇ ଖାଲି କହୁଥାନ୍ତି,

 

‘କ’ଣ ଲାଜ କରୁଛ କି । ଆଛା ମୁଁ ଖୋଇ ଦେଉଛି ।’

 

ତାପରେ ନିଜେ ଗୁଣ୍ଡାମାନ ବଳି ସତକୁ ସତ ମତେ ଖୋଇ ଦେଉଥାନ୍ତି ଓ ଭାଇଙ୍କ ଆଡ଼କୁ ଚାହିଁ ଚାହିଁ ହସୁଥାଏ । ମତେ ଭଲ ଲାଗୁଛି କି ଅସଜ ଲାଗୁଛି ମୁଁ ଠିକ୍ କରି ପାରୁ ନ ଥାଏ ।

 

ସମସ୍ତେ ଖାଇ ସାରିଲେ । ମୁଁ ଶୋଇବାକୁ ଗଲି । ନିଜେ ଆସି ମଶାର ପକାଇଦେଲେ-। ମଶାରି ପକାଇଦେଲେ-। ମଶାରି ଭିତରେ ମୁହଁ ଗଳେଇ ମୋ’ର ମୁଣ୍ଡକୁ ଟିକିଏ ଆଉଁଷି ଦେଇ କହିଲେ–

 

ଶୁଅ ଏଥର, ମୁଁ ମେଲାଣି ନେଉଛି କହି ଚାଲିଗଲେ ।

ପ୍ରଶଂସା, ଭକ୍ତି, ଓ କୃତଜ୍ଞତାରେ ମୁଁ ଭିତରେ ଭିତରେ ଫୁଲି ପାଟି ଯାଉଥାଏଁ । ଘର ମନେପଡ଼ିଲା ନାହିଁ, ବାଟ ମନେପଡ଼ିଲା ନାହିଁ, କିଛି ମନେପଡ଼ିଲା ନାହିଁ । ସ୍ନେହ ଓ ଆନନ୍ଦର ଧୂଆ ପୋଛା ଧୋବ-ଧାଉଳିଆ ମନରେ ଖାଲି ଆସିଲା ଶୁଭଇଛା, ଏହିମାନଙ୍କପାଇଁ ଯେଉଁମାନେ ମତେ ଏତେ ଆଦର ଦେଖେଇଛନ୍ତି । ଯାହାଙ୍କ ସାଙ୍ଗରେ ଗୋଟାଏ ଛାତତଳେ ମୁଁ ଏଠି ଶୋଇଛି । ଏତେ ଦୂରରେ ଘରଠୁ ଏତେ ଦୂରରେ । ବୋଉ ବାପା ମନେପଡ଼ିଲେ–ସମସ୍ତେ ମନେପଡ଼ିଲେ–

 

ସମସ୍ତିକୁ ମୁଁ କେତେ ଭଲ ପାଏ ! ସମସ୍ତେ ମତେ କେତେ ଭଲ ପାଆନ୍ତି !!

ଆଖିପତା ଅଠା ଲାଗିଗଲା ।

ସତେ ମୁଁ ତାଙ୍କୁ କେଡ଼େ ଭଲପାଏଁ,–ଏକା ଆତ୍ମାରେ ମା’ ଆଉ ଭଉଣୀ, ସାଙ୍ଗ ସାଥି ସବୁ ।

 

ସେଠି ଖାଲି ଏକୁଟିଆଟା, ଏଇ ଏକୁଟିଆ ନିଛାଟିଆ ସମୟ ଆମକୁ ଆହୁରି କତିକୁ କତି ଘିଞ୍ଚି ଆଣିଥିଲା ।

 

ଭାଇ ବେଳ ଅବେଳରେ କାମକୁ ଚାଲିଯାନ୍ତି ଯେ ପୁଣି ଫେରୁ ଫେରୁ ଆସି ଦିନ ଦି’ପହର । ତା’ପରେ ବନସୀଟାଏ ଧରି ଚାଲିଯାନ୍ତି ମାଛ ଧରି, ରାତି ଘଡ଼ିକେ ଫେରି କହନ୍ତି, ’ଆହା ଏତେ ବଡ଼ ମାଛଟାଏ ଲାଗିଥିଲା,ଖସି ଗଲାତ ଉଠୋଉ ଉଠୋଉ ।

 

ସକାଳ ସଞ୍ଜ ସେ ଆଉ ମୁଁ, ମୁଁ ଆଉ ସେ, ଏକାଠି ଖାଲି ବସିଥାଉଁ, ଆଉ ଗପୁଁ କେବଳ ସାନ୍ନିଧ୍ୟ ବଜାୟ ରଖିବାକୁ ।

 

‘ତୁମ ପାପଲିଗୁଡ଼ାକ କେଡ଼େ ଟାଣୁଆ ମ,’ ସେ କହନ୍ତି ।

ମୁଁ କହେ,’ କାହିଁ ହିଂସା ହେଉଚି କି’ ? ଆଉ ଖାଲି ତମର ହାତ ପରି, ନରମ ପୁଚ୍ ପୁଚ୍-?’

‘ଓଃ କାଟିଲା, ନାଇଁ ତମ ଟାଣ ହାତ ଆମର ଦରକାର ନାହିଁ’, ସେ କହନ୍ତି ।

 

ନିହାତି ବ୍ୟସ୍ତ ହେଲେ ସେ କହନ୍ତି, ଆଛା ‘ମୁହଁକୁ ମୁହଁ ଯୋଡ଼ି ଏହିପରି ଖାଲି ବସି ରହିଥିବା ନା ରୋଷେଇ ବାସ କିଛି ହେବ ?’

 

‘ବେଶ୍ ତୁମେ ରୋଷଇବାସ କର, ମୁଁ ଯାଉଛି ମାଛ ମାରି–’

‘ନାଇଁ ନାଇଁ ତୁମେ ଯାଅନା, ପଛେ ରୋଷଇବାସ ନ ହେଉ’, ସେ କହନ୍ତି । ଆଉ ହସି ହସି ଗାଲ ଚାପୁଡ଼େଇ ଦିଅନ୍ତ । କହନ୍ତି ‘ଆସ ରୋଷେଇ କରିବ’ ।

 

ନିଜେ ଗ୍ରାମୋଫୋନ୍‍ରେ ରେକର୍ଡ ଖଞ୍ଜିଦେଇ ଚାଲି ଯାଆନ୍ତି, କହନ୍ତି ଶୁଣ ବସି ବସି ।

 

ଆମ ପରସ୍ପର ଭିତରେ ଏପରି ଗୋଟାଏ ସ୍ନେହର ସମ୍ବନ୍ଧ ଥିଲା, ଯହିଁରେ ଆନନ୍ଦ ହିଁ ଥିଲା ସାର, ସଂକୋଚ ଲଜ୍ଜା ବା ଗୁରୁ ଗଉରବ, ମାନ ଅପମାନର ଧାରଣା କେବେ ଭୁଲକରି ସୁଦ୍ଧା ଛାଇ ପକାଇ ନାହିଁ ।

 

ତାଙ୍କର ସ୍ୱଭାବର ବିଶିଷ୍ଟ ଗୁଣ ଥିଲା, ସବୁ ପରିସ୍ଥିତିରେ, ନିଜକୁ ମିଳାଇ ଦେଇ ପାରିବା ଶକ୍ତି, ଗୋଟାଏ ତୁମେ–ଯେପରି–ଚାହିଁ, ଭାବ । ତେଣୁ ସବୁଦିନ ସେ ନୂଆ, ସବୁଦିନ ତାଙ୍କର ସମ୍ବନ୍ଧ ସ୍ନିଗ୍‍ଧ ଆଉ ମଧୁର । ତହିଁରେ ଶାନ୍ତ ଆସେ, ଉଷ୍ଣତା ଆସେନାହିଁ । ଆନନ୍ଦ ଆସେ, ଦୁଃଖ ଆସେନାହିଁ ।

 

ଦୁଃଖ କଲେ ସୁଦ୍ଧା ତାଙ୍କ ପାଖକୁ ନିସ୍ତାର ମିଳିବା ସହଜ ନୁହେଁ । ସେଠିକାର ଅବସ୍ଥିତିଭାବ ଭିତରେ ଯେତେଥର ମୁଁ ମୋର କୁହୁଳୁଥିବା ଚିନ୍ତାଗୁଡ଼ିକୁ ପସରା ମେଲେଇ ଦେଇ ବସି ଭାବିଛି, ସେତେ ଥର ତାଙ୍କ ପାଖେ ଧରାପଡ଼ି ଯାଇଛି, ସେ ବୁଝିପାରିଛନ୍ତି । ଏହି ବୁଝିପାରିବା ବୋଧହୁଏ ନାରୀ-ଜୀବନର ବିଶିଷ୍ଚତା । ଏହି ବୁଝିପାରିବା ଶକ୍ତିର ତାରତାମ୍ୟ ଅନୁସାରେ ମୂଲ ହୁଏ । ନାରୀ–ପ୍ରାଣର ସ୍ନେହ..... ବୁଝି ପାରିବା ଅନୁସାରେ ।

 

ସେ ଦିନ–କେତେକଥା ବସି ଭାବୁଥିଲି । ଝୋଲାମରା ଦି ପହରଟା, ଦୁଆରମୁହଁ ପାଖେ ଭାଉଜବୋଉ ବସି ବସି ଅଧ ଅଧ ଅନ୍ୟମନସ୍କ ହୋଇ ଗୋଟାଏ ତାଳପତ୍ରର ବିଉଣା ଧରି ତହିଁରୁ ପତ୍ରଗୁଡ଼ାକ ମୋଡ଼ି ମୋଡ଼ି ଛିଣ୍ଡୋଉଥିଲେ, ଆଉ କଥା ଗପୁଥିଲେ ।

 

ଗ୍ରାମୋଫୋନ୍‍ରେ ବାଜୁଥିଲା ସୁରବାହାର୍‍ ଯନ୍ତ୍ରରେ ଗୋଟିଏ ଭୈରବୀ ଆଳାପ ।

 

ଖଟଉପରେ ତକିଆକୁ ଆଉଜି ବସି ମୁଁ ଶୁଣୁଥିଲି, ଆଉ କେତେ ଛୋଟ ଛୋଟ ମୁହଁ ମୋ ଆଖି ଆଗରେ ଏପାଖ ସେପାଖ ହୋଇ ଭାସି ଚାଲି ଯାଉଥିଲେ, ମୁଁ ଏଣୁ ତେଣୁ ଭାବୁଥିଲି । ମୋର ଅନ୍ୟମନସ୍କତା ତାଙ୍କ ଆଖିରୁ ଲୁଚାଇ ପାରିଲି ନାହିଁ । ଗ୍ରାମୋଫୋନ୍ ଆପେ ଆପେ ବନ୍ଦ ହେଲା, ସେ ଉଠି ଆସି ମୋ’ କତିରେ ବସି ପଚାରିଲେ,–

 

‘କ’ଣ ଏତେ ଭାବୁଛ ମଁ ରାଧୁ ? କ’ଣ କହ ମୋ’–ରାଣଟି, କହ କହ ।’

ମୁଁ କହିଲେ,’ କାହିଁ କିଛି ନାହିଁ ତ ।’ କଅଁଳ କରି ମୋ’ର ହାତ ପାପୁଲିକୁ ଧରି ପକାଇ ସିଧା ମୁଁହକୁ ଅନାଇଁ କହିଲେ,’ କହ କହ, ସତେ ମୋ’–ରାଣ ।’

 

ସେ ଗାରଡ଼େଇ କରି ଚାହିଁବା ଦେଖି ତୁଚ୍ଛାଟାକୁ ମୁଁ ହସି ପକେଇଲି ଓ ତାଙ୍କ କୋଳର ମୁଣ୍ଡ ରଖି ଢଳି ପଡ଼ିଲି । ମୋର ମୁଣ୍ଡ ଆଉଁସୁଥାନ୍ତି ସେ ବସି ବସି, ଆଉ ଏଣୁ ତେଣୁ କଥା ଗପୁଥାନ୍ତି । ଝରକା ସେପାଖେ କେତେଗୁଡ଼ିଏ ବଣୁଆ ଛୁଆ ଗୀତ ବନ୍ଦ ହୋଇଯିବା ଦେଖି ଉହୁଙ୍କି କରି ଡବ ଡବ ଆଖିରେ ଅନାଇଁ ରହିଥାନ୍ତି, କେତେବେଳେ ଗ୍ରାମୋଫୋନ୍ ପୁଣି ବାଜିବ । ଭାଉଜବୋଉ ମୋର ମୁଣ୍ଡ ଉପରେ ଆଙ୍ଗୁଠିରେ ଫିରେଇ କାଟୁ କାଟୁ କହିଲେ, ‘କହିବ ନାହିଁ ରାଧୁ, କ’ଣ ଏତେ ଭାବୁଥିଲ ବସି ?’

 

ତାଙ୍କର ସହାନୁଭୂତିଶୀଳ ଡୋଳା ଯୋଡ଼ିକୁ ଚାହିଁ ସବୁ ଚିନ୍ତା ସବୁ ଭାବନା ବରଫ ବାନ୍ଧି ଯାଉଥାଏ, ମୁଁ ସ୍ଥିର ହୋଇ ପଡ଼ି ରହିଥାଏ ।

 

କହିଲେ, ‘ଆହା ଭୁଲି ଯାଇଛି କହିବାକୁ, ରେଣୁ ତୁମକୁ ଦଣ୍ଡବତ ପଠେଇଛି–’

‘ଓଃ ଭାରି ଖବର ତ, ମୁଁ ଭବିଲି ବା–’

‘ଭାରି ନୁହେଁ–ସତ କରି କହିଲ– ?’

 

ଉଭୟେ ହସିଲୁଁ । ମୁଁ କହିଲି, କହିଲ କହିଲ ଭାଉଜବୋଉ କ’ଣ ତୁମ ବାହାଘରକୁ କାନ୍ଦିଥିଲ ?

 

‘ଭାକ୍ ଭାକ୍–’

‘ହଁ, ମୋର ମନେ ନାହିଁ କି ପଦେ ଅଧେ–‘ଆଜି ଏତେବେଳ ନାଳକୂଳରେ ହୋ ହାଁ ବାପା,’

କାଲି ଏତେବେଳେ ନଈକୂଳରେ ଲୋ ହାଁ ବୋଉ ।

 

ହସି ହସି ଦି ହାତରେ ମୋ ମୁଣ୍ଡକୁ ଧରି ଝିଙ୍କି ପକେଇଲେ ଓ ବାରମ୍ବାର ପାଟିରେ ହାତ ଦେଲେ । ଆମେ ହସିଲୁଁ, ପଦାରେ ଠିଆହୋଇ ସେ ବଣୁଆ ଛୁଆଗୁଡ଼ିକ ହସିଲେ ।

 

ଭାଉଜବୋଉ ଭୁସ୍‍ କରି ଚାଲିଗଲେ, କହିଲେ ଯାଉଚି ମୁଁ ମୁଣ୍ଡ ବାନ୍ଦିବି, ତୁମେ ଏଠି ବସିଥାଅ ।

 

ନିତି ନିତି ଏହିପରି ରହସ୍ୟ କରି ଆମେ ଦିନ କଟାଇ ଦେଉଁ, କଥାବାର୍ତ୍ତାର ଯେ କିଛି ଗୋଟାଏ ମୁଲ୍ୟ ଥାଏ, ବା ଅର୍ଥ ଥାଏ ତା ନୁହେଁ, କେବଳ ଗପର ଆନନ୍ଦପାଇଁ ଗପ ହୁଏ । ଯେତେବେଳେ ମନେ ନ ପଡ଼େ, ସେତେବେଳେ ପୁଣି ପୁଣି ସେଇ କେଇଟା ପୁରୁଣା କଥା ପକାଇ ସମୟ କାଟୁଁ । ଗଳ୍ପ ନୂଆ ନୁହେଁ, ନୂଆ ଆମର ଅନୁଭୂତି, ଆମର ସାଙ୍ଗସରିସା, ସ୍ନେହର ପ୍ରତି ଛୋଟ ମୁହୂର୍ତ୍ତର ଅନୁଭୂତି ।

 

ଫଗୁଣ ବଉଳର ସୌରଭ ମିଶା ପବନ ପରି ଆମର ସମୟ କାଟିବା କେବଳ ସ୍ୱପ୍ନମୟୀ ଅନୁଭୂତି, ମୁହୂର୍ତ୍ତ, ମୁହୂର୍ତ୍ତକର ଅନୁଭୂତି, ଅବଛେଦ ବା କ୍ରାନ୍ତି ଚିହ୍ନ ଅନୁଯାୟୀ ତହିଁରେ ଗତିର ମାପ ହୁଏନାହିଁ । ତାର ସାରତା କେବଳ ଉଦ୍ଦେଶ୍ୟଭୁଲା ଭାସିବାରେ, ବଉଳର ମହୁ ଟୋପାକୁ ଛୁଇଁ ଘାସ ଉପରେ ଲହଡ଼ି ଖେଳିବାରେ ।

 

ଭାଇ ମୋ ନିଜର, ଭାଉଜ ପରଘର ଝିଅ, ଭାଇ ମୋ ରକ୍ତର, ଭାଉଜ ପରଗୋତ୍ରୀ ।

କିନ୍ତୁ ମୋର ସବୁ ଅଳି ସବୁ ଓଜର ସବୁ ସୁଖ ଦୁଃଖ ଭାଉଜଙ୍କ ସାଙ୍ଗରେ ।

 

ଭାଇ ଗୁରୁଜନ, ଭାଉଜ ଲଘୁଠାରୁ ଆହୁରି କତିରେ । ଭାଇକୁ ଦେଖିଲେ ମୁଁ ଆପଣାକୁ ମନେପକାଏ, ଚିନ୍ତା ଆଉ ଭାବ ସବୁ ଗୋଟେଇ ପୋଟେଇ ସଜାଡ଼ି ହୋଇ ଠିଆ ହୁଏ, ଆଡ଼େଇ ହୋଇ ରହି ମାନ୍ୟ ଧର୍ମକରେଁ, କଥା କହି ବସିଲେ ମଝିରେ ମଝିରେ ଆପଣକୁ କଳି ନେଉଥାଏଁ, କେଉଁଟା ଠିକ୍‍ ହେଲା, କେଉଁଟା ଅବା ଭୁଲ ହେବ, ଆଉ,–ଗମ୍ଭୀର ହୋଇଯାଏଁ । ଯେତେ ଥର ତାଙ୍କ ସଙ୍ଗେ ମାଛମରା ପାଖକୁ ଯାଇଛି, ତୁନିତାନି ଚାଲିଛି, ବେଶି ଗପି ନାହିଁ, ହୁମଦୁମୁ ହୋଇ ନାହିଁ । ଯାହା ପଚାରିଛନ୍ତି ତାର ଠିକ୍ ଠିକ୍ ଉତ୍ତର ଦେଇଛି । ଆଉ ଯଦି କେବେ କାମରେ ପଠାଇଛନ୍ତି, ଯେ ‘ଯା ପାନ ଆଣ୍ ଯା ମାଛ ମସଲା ଆଣ୍‍,’ ଚିଲ ପରି ଧାଇଁ ଯାଇଛି, ଯେପରି ଡେରି ଟିକିଏ ହେଲେ ନ ହୁଏ, କାଳେ କ’ଣ ଅସୁବିଧା ତାଙ୍କର ହେବ ।

 

ସେ ହସନ୍ତି, ମୁଁ ମଧ୍ୟ ପାଳି-ଧରେଁ । ହସ ନ ମାଡ଼ିଲେ ସୁଦ୍ଧା ହସେଁ । ତାଙ୍କର ସୁଅ ବନ୍ଦ ହୋଇଗଲେ, ଠିପି ମାରିଲା ପରି ମୁଁ ମଧ୍ୟ ହଠାତ୍ ତୁନି ହୋଇପଡେଁ । ୟା ତା ଆଗରେ ବେଳେ ବେଳେ ଯଦି ମତେ ପ୍ରଶସା କରିବସନ୍ତି, ଏଡ଼େ କୃତଜ୍ଞ ହୋଇଯାଏଁ ଯେ ମନେ ମନେ ତାଙ୍କୁ କେତେ ନମସ୍କାର କରେଁ, ଏଣେ ଲାଜରେ ଓଠକାମୁଡ଼ି ମୁହଁ ତଳକୁ ପୋତେଁ; କିନ୍ତୁ, ହଁ ଭାରି ଭଲପାଏଁ ତାଙ୍କୁ, ମୁହଁ ଖୋଲେ ନାହିଁ, ମନ ଖୋଲେ ନାହିଁ ।

 

କେତେ ଲେକଙ୍କପାଇଁ ମନ ହୁଏ, ସମସ୍ତିଙ୍କ ପାଖେ ମୁହଁ ଖୋଲେ ନାହିଁ । କେତେକ ମନର, କେତେ ଲୋକ ଭାବର, ଆଉ କେତେ ଅଛନ୍ତି ଯେଉଁମାନଙ୍କୁ ଏଇ ଦୁଇ ପୃଥକ ବିଶିଷ୍ଟତା ଭିତରେ ତାରତମ୍ୟ ରଖି ଭିନ୍ନ ଭିନ୍ନ ଉପାୟରେ ମିଶାଇ ଘେନିବାକୁ ହୁଏ । ସବୁ ସମ୍ବନ୍ଧ ଆପଣାକୁ ଆପେ ଘେନେଇଁ ହୁଏ, ଏହିପରି ଗୁଣ ଅଂଶ–ବିଶିଷ୍ଟତାରେ, ଆପେ ଆପେ,ନିଶ୍ୱାସ ନେଲା ପରି ।

 

ସମ୍ବନ୍ଧଶୀଳ ଭାବ ଅନୁଭୂତିର ଜୀବନଭିତରେ ଏହିପରି କେତେ ସୁବାସ ଆମେ ପାଉଁ, କିଏ ରଜନୀ ଗନ୍ଧାର, କିଏ ଅବା ଧୂଳିମାଟିର, ଯହିଁପାଇଁ ଦି’ଟା ମୁହୂର୍ତ୍ତ ସୁଦ୍ଧା କେହି ଭାବେ ନାହିଁ ।

 

ତେଣୁ ମୁଁ ଭାଇଙ୍କୁ ଭଲ ପାଏଁ, ଭାଉଜଙ୍କୁ ଭଲ ପାଏଁ, ଅଥଚ ଭାଇଙ୍କ ପାଖେ ସଙ୍କୋଚ ଆସେ, ଭାଉଜଙ୍କ ପାଖେ ଆସେ ନାହିଁ ।

 

ସଞ୍ଜବୁଡ଼େ, ଆମେ ଦୁହେଁ ବସି ଗପ କଲାବେଳେ, ଭାଇ ଦିନଯାକର ଖଟଣି ସାରି ଆସି ପହଞ୍ଚି ଯାଆନ୍ତି । ଲମ୍ବା ହୋ-ଟାଏ ମାରି ଆସି କହନ୍ତି,

 

‘ବୁଝିଲ ନା, କେଡ଼େ ମାଛଟାଏ ପଡ଼ିଥିଲା ଆଜି, କ’ଣ ହବ, ଉଠୋଇ ଉଠୋଇ ତ ଗଲା ଖସି ।’

 

ଭାଉଜବୋଉ ହସି ହସି ଗଡ଼ିଯାଆନ୍ତି, ତାଙ୍କ ପିଠିପଟେ ମୁଁ ମଧ୍ୟ ଶବ୍ଦ ନ କରି ହସି ହସି ଲୋଟିଯାଏଁ ।

 

ଦେହର ଗେଞ୍ଜି ଖଣ୍ଡ ଓହ୍ଲାଉ ଓହ୍ଲାଛ କହନ୍ତି, ‘କିରେ ରାଧୁ, ଖାଇନୁଁ ପରା କିଛି–ଆଃ, ଗପ ଖୋଇ ଖୋଇ ପେଟ ପୂରେଇବ କି ? ଏମିତି ଭାଉଜ ତମେ– !’

 

ଭାଉଜ କହନ୍ତି, ‘କ’ଣ ଆଉ ପେଟ ପୂରେଇବି, ମାଛଟା ତ ଖସିଗଲା–’

 

ତା’ପରେ ଉଠି ଚାଲିଯାଆନ୍ତି । ପନ୍ଦର ମିନିଟ୍ ପରେ ଗ୍ରାମୋଫୋନ୍‍ ବାଜେ । ଭାଇ କହନ୍ତି, ‘ଖାଲି ଘରକୁ ପଶୁ ପଶୁ କାନ ଅତରା ପକେଇଦବ ।’ ଭାଉଜବୋଉ କହନ୍ତି, ‘ନା ମୁଁ ନୁହେଁ ମଁ, ରାଧୁ ଶରଧା କରି ତାଙ୍କ ଭାଇଙ୍କ ଶୁଣୋଉଛନ୍ତି ନା ।’ ଭାଇ ଦାଣ୍ଡ ଅଫିସ ଘରକୁ କାମ କରିବାକୁ ଉଠି ଯାଆନ୍ତି । ଭାଉଜବୋଉ ହସି ହସି ଆସି ପିଠି ଚାପୁଡ଼େଇ କହିଦେଇ ଯାଆନ୍ତି,’ ରାଧୁ, ସୁନା ଭାଇଟା, ବସିଥାଟି ଏଠି, ମନଈଛା ରେକଡ଼ ବାଛି ବାଛି ବଜୋଉଥା । ମୁଁ ଟିକିଏ ତରକାରିଟା ଓହ୍ଲାଇଦେଇ ଆସେଁ ? ଏଁ ?’

 

ତୁନି ହୋଇ କାଠକଣ୍ଢେଇ ପରି ବସି ରହେଁ । ରେକଡ୍‍ ଉତ୍ତାରୁ ରେକଡ଼ ବଜାଏ । ଗୀତ ମଝିରେ ଭାଉଜବୋଉ ବୋଲି କେବେ ଡାକେ ନାହିଁ । ପୁରୁଣା ଗୀତ ମଧ୍ୟ ଶୁଣେଁ । ଗୋସାଇଁଙ୍କ ଗହାସର ସ୍ୱର ଭିତରେ ମାତ୍ରା କଳେଁ । ରେକଡ଼ ବାଜେ, ତୁନିତାନି ହୋଇ ବସି ରହେଁ । ଶୁଣେ ସେ କାମ କରୁଛନ୍ତି । ବେଳେ ବେଳେ ଏ ଘରକୁ କଣ ତାଙ୍କ କାମରେ ଆସି ବିଜୁଳି ପରି ଚାଲିଯାଆନ୍ତି, ଚାହିଁ ଦେଲେ ଫାଇଁ କରି ହସି ଦିଅନ୍ତି, କହନ୍ତି, ‘ବଜୋଉଛ ? ବଜୋଉ ଥା, ଆଉ ଟିକିଏ ।’

 

ଥିରି-ଥାରି ବସି ଘର ମନେପଡ଼େ । କେତେଦିନ ହେଲା ଆସିଲିଣି ଚିଠି ଖଣ୍ଡେ ଯେ ଦେଇଥିଲି ଏଠି ପହୁଞ୍ଚି ଆଉ ନାହିଁ । କୋଣାରକ ଯିବା କଥା ଥିଲା ପରା– ?

 

ଘର ମନେ ପଡ଼େ । ଘର ।

ଆମର ନୂଆଁଣିଆ ଚାଳ । ବୋଉ, ବାପା ।

କିଛି ମନେପଡ଼େ ନାହିଁ । ଦେଖେଁ ରେକଡ଼ଟା ବୁଲୁଛି । ଗୋଟାଏ ଆଡ଼କୁ ଅନେଇଁ ରହେଁ । ଦେଖେଁ ବୁଲୁ ବୁଲୁ ଉଠୁଛି ପଡ଼ୁଛି । ଦେଖେଁ ନେଲିଆ ସମୁଦ୍ର, କାଠକଣ୍ଢେଇଟିଏ ଭାସୁଛି, ଢେଉ ଆସୁଛି ଯାଉଛି ।

 

କାଠକଣ୍ଢେଇଟା ଉଠୁଛି ପଡ଼ୁଛି ।

ପଛାଆଡ଼ୁ ଚୁଟିଝିଙ୍କା ପାଇ ସ୍ୱପ୍ନ ଭାଙ୍ଗିଯାଏ । ଭାଉଜବୋଉ ଦୁଇଗାଲ ହସ । ମୁହଁରେ ଝାଳ ବୁନ୍ଦା ବୁନ୍ଦା । ଲାଲପଡ଼ି ଯାଇଛି ।

 

‘କି–ଗିଳିବ ନାହିଁ ?’

ଗ୍ରାମୋଫୋନ୍‍ ବନ୍ଦ ହୁଏ ।

 

ସେଦିନ ବଡ଼ ଜହ୍ନଟିଏ ଉଠିଥାଏ । ଠିକ୍ ଝରକା ସେପାଖେ ଉଞ୍ଚ ଉଞ୍ଚ ଦେବଦାରୁ ଗଛ ତାହାରି ମୁଣ୍ଡ ଉପରେ ଜହ୍ନ । ବାହାରେ ଭାରି ମଲିଫୁଲ ଫୁଟିଥାଏ । ସଞ୍ଜ ବୁଡ଼ୁବୁଡ଼ୁ ଶୋଇ ଶୋଇ ମୁଁ ଦେଖୁଥିଲି, ଚିକ୍ ଚିକ୍ ଚାନ୍ଦ ଆଲୁଅରେ ଚିକ୍ ଚିକ୍ ଫୁଲ । ଧୀର ପବନ ।

 

କଲେଜ ହଷ୍ଟେଲରେ କେତେଥର ବତି ନିଭେଇ ଦେଇ ଏହିପରି ଶୋଇ ଶୋଇ ମୁଁ ଚାହିଁଛି । ସେହିପରି ଗୋଟିଏ ସଞ୍ଜ ।

 

କିଏ କହେ ମୁହୂର୍ତ୍ତଗୁଡ଼ାକ ଖାଲି ଚାଲିଯାଏ ବୋଲି ? କେଉଁ ବିଚିତ୍ର ଗତିରେଖାରେ ବୁଲି ବୁଲି ଥରେ ଥରେ ପୁଣି ମୁହୂର୍ତ୍ତରେ ସବୁ ଆସେ । ଲାଗେ ଧରା ପଡ଼ିଛି । ପୁଣି ଚାଲିଯାଇ ରଖିଯାଏ ଶତାବ୍ଦୀ ଶତାବ୍ଦୀର ବ୍ୟବଛେଦ ।

 

ଶୋଇ ଶୋଇ ମୁଁ ଦେଖୁଥାଏ ଦିନଯାକ ପାଖେ ପାଖେ ବସି ସଞ୍ଜ ହେଲେ ବେଳେ ବେଳେ ମୁଁ ମଞ୍ଜୁଳିକାକୁ ଯେପରି ଦେଖୁଥିଲି । ସେ ଆଜି କାହିଁ ?

 

ଜହ୍ନୁଆଁ ସଞ୍ଜରେ ମୁଁ ତାଙ୍କୁ ଦେଖୁଥିଲି, ଯେତେବେଳେ ବଗିଚାରେ ଫୁଲ ଗଛ ଭିତରେ ଭୁଷୁ ଭୁଷୁ ହୋଇ ପବନ ଖେଳି ବୁଲୁଥିଲା ।

 

ମନେପଡ଼ିଲା କାନୁଗୋଇ ଘରର ସେ ନିଛାଟିଆ ବଡ଼ ପୋଖରୀ ପାଣିରେ ଜହ୍ନ ଚବ ଚବ ଖେଳୁଥିବ । ଉପରେ ଖୋଲା ଆକାଶ । ତା ସେ ପାଖରେ ଭୁଷୁଡି ପଡ଼ିଥିବାର ସେ ପାହାଚଗୁଡ଼ାକ । ଆଉ ତା ଉପରେ ଉଢ଼ୁଆଳ କରି ଗଛର ଛାଇ । ମଞ୍ଜୁଳିକାକୁ ଆମ ଘରେ ଫେରାଇ ଦେଇଥିଲେ, କିନ୍ତୁ ମଞ୍ଜୁଳିକାକୁ ସେ ଦୂର ବନସ୍ତରେ ସେ ଦିନ ସଞ୍ଜରେ ମୁଁ ଦେଖୁଥିଲି । ଭଲ ଲାଗୁଥିଲା । ଜହ୍ନ ଆଲୁଅ ମୁହଁକୁ କଅଁଳ କରିଦିଏ ପରା ।

 

ଭାବୁଁ ଭାବୁଁ ରେଣୁକାକୁ ମୁଁ ମନେ ପକାଇଲି । ନିଜକୁ ଲୁଚାଇ ପାରିଲା ନାହିଁ ।

ଦେବଦାରୁର ଅନ୍ଧାରରୁ ଓହ୍ଲାଇ ହସ ଟହ ଟହ ମଲ୍ଲି ବଗିଚା ଉପରେ ଭାସିଲା ପବନରେ ଭାସି ଭାସି ଯେପରି ସେ ଅନ୍ଧାର ଘରର ଝରକାବାଟେ ଆସି ପହଞ୍ଚିଗଲା ।

 

ତାର ଟିକ ମୁହଁଟିକୁ ଦୁଇ ହାତରେ ମୁଁ ଟେକି ଧରିଲି । ସୁନ୍ଦର ଆହା କେଡ଼େ ସୁନ୍ଦର, ସୁନା ଭଉଣୀଟି ରେଣୁକା ।

 

ନା, ପବନ ଅଟକ ରହେ ନାହିଁ । କେତେଦୂରରୁ ଦୂରରୁ କେତେ ଢେଉ ଆସି ବାଜେ । କେତେ ସୁରଭି, କେତେ ଅଧ ତିଆର ସ୍ୱପ୍ନ । କେତେ ଭୁଲିଲା ନ-ଉଇଁଲା ସ୍ୱପ୍ନ ।

 

ନିଜକୁ ପାସୋରି ପକାଇଲି ।

ନିଦ ହେଲା ।

ସ୍ୱପ୍ନରେ ଦେଖିଲେ, ଅସ୍ପଷ୍ଟ ଅନ୍ଧାରରେ ମୋର ମୁହଁ ସାମ୍ନାରେ ଖୁବ୍‍ ଉଞ୍ଚ ହୋଇ ଗୋଟିଏ ଦେଉଳ । ମୁଁ ଖାଲି ତଳୁ ଉପରକୁ ଦେଖୁଛି । କେତେ ଉଞ୍ଚରେ ତାର ଚୂଡ଼ା ।

 

କବାଟ ଫିଟିଲା । ଏକା ଚାହାଣିରେ ଗୋଟିଏ ପାଖକୁ ମୁଁ ଚାହିଁ ରହିଛି । କେଜାଣି କେତେ ନାରୀମୂତ୍ତି ଚାଲିଛନ୍ତି । ମୂତ୍ତି, ଅସ୍ପଷ୍ଟ ଅନ୍ଧାରରେ କେବଳ ଚଳନ୍ତି ପ୍ରତିମା । ମୁଁହରେ ଆବରଣ, ହାତରେ ଦୀପ । ଅନ୍ୟମନସ୍କ ହେଲା ପରି ସେହି ଆଡ଼କୁ ଅନାଇଁ ଚାହିଁ ଚାହିଁ ଦେଖୁଥିଲି-। ସେମାନେ ଦୁଆର ପାଖ ହେଲେ । ହଠାତ୍ ତାହାର ଭିତରୁ ଜଣେ,–କିଏ ସେ ଜାଣେ ନାହିଁ–ଧାଡ଼ିରୁ ଭଙ୍ଗି ମୋରି ପାଖକୁ ଚାଲି ଆସିଲା ।

 

ଚାଲିଆସିଲା ମୋରି ପାଖକୁ ।

ମୁହଁରେ ଆବରଣ, ହାତରେ ଦୀପ, ହଠାତ୍ କଅଁଳ ହାତରେ ମୋ ହାତକୁ ଧରି ପକାଇଲେ । ଆସ୍ତେ ଝିଙ୍କିଲା ।

 

କହିଲା, ‘ଆସ’ ଯେପରି ମୋର ବହୁଦିନର ଚିହ୍ନା–ଅତି ଆପଣାର, କିନ୍ତୁ ଚିହ୍ନି ପାରିଲି ନାହିଁ ।

 

ବୟସ ଓ ଆନନ୍ଦରେ ଅଭିଭୂତ ହୋଇ ଚାହିଁ ରହିଲି ।

Unknown

ତାପରେ ଆସିଲା ପବନ, ଅନ୍ଧାର ନିଭିଗଲା । ତାରା ନିଭିଗଲେ । ସ୍ୱପ୍ନ ମିଳାଇଗଲା ।

ଚାହିଁ ଦେଖିଲି ଘର ଭିତରେ ଜହ୍ନ ଆଲୁଅ ଆସି ପଡ଼ିଛି । ମୋର ଅତି ପାଖରେ ବସି ପଡ଼ିଛନ୍ତି ଭାଉଜବୋଉ, ଆଉ ଦୁଇ ହାତରେ ମୋର ମୁହଁକୁ ଧରି ହଲାଉଛନ୍ତି । ଭାରି ଆରାମ ଲାଗିଲା, କିଛି ନ କହି ମୁହୂର୍ତ୍ତରେ ରହି ମୁଣ୍ଡ ଏପାଖୁ ସେପାଖ ଝାଙ୍କିବାର ସୁଖ ଅନୁଭବ କଲି । ନିଃଶ୍ୱାସଟିଏ ମାରି ତାଙ୍କର କୋଡ଼ରେ ମୁହଁକୁ ଭୂଷି ସ୍ଥିର ହୋଇ ଶୋଇଲି ।

 

ମୁଣ୍ଡ ଉପରେ ଆଙ୍ଗୁଠି ଖେଞ୍ଚି ସେ କହିଲେ,

‘କ’ଣ ପିଲାଟିଏ ପରି ତୁନି ହୋଇ ଶୋଉଛମଁ, ଉଠିବ ନାହିଁକି ?

‘କାହିଁକି ?’

‘ଭାତ ପରା ତେଣେ ଥଣ୍ଡା ହେଲା–’

‘ଭାତ ନ ଖାଇଲେ– ?’

ଧଡ଼୍‍ କରି ଉଠିପଡ଼ି ମୋର ହାତକୁ ଓଟାରି ଦେଇ ସେ କହିଲେ ‘ହଁ ନ ଖାଇବେ ଗୋ ନ ଖାଇବେ–ଉଠ ଉଠ ।’

 

ମୋର ସ୍ୱପ୍ନ ଭାଙ୍ଗି ଥିଲା ।

ବେଳେ ବେଳେ ମନେହୁଏ ସ୍ୱପ୍ନ ବୋଲି କିଛି ଗୋଟାଏ ନାହିଁ । ସ୍ୱପ୍ନ ବାସ୍ତବ, ବାସ୍ତବ ସ୍ୱପ୍ନ, ସବୁ ମିଶି ମିଳାଇଯାଏ ସେ ଦୂର ଦିଗ୍‍ବଳୟ ସେପାରିରେ । କେବଳ ଅନୁଭୂତି, ସେହି ଅନୁଭୂତିର ରୂପାନ୍ତର ସୃଷ୍ଟିକରେ ସ୍ଥିତି ମଧ୍ୟରେ ଅବସ୍ଥିତିର ଇଦ୍ରଧନୁ, ତାହାର ବର୍ଣ୍ଣ ପ୍ରକର୍ଷରେ ସ୍ୱପ୍ନ ବାସ୍ତବ, ବାସ୍ତବ ସ୍ୱପ୍ନ । କେତେବେଳେ କହେଁ ନେତି, ନେତି, ପୁଣି କେତେବେଳେ କହେ ସୋଽହମ୍-

 

ଏହିପରି ଦିନ କଟୁଥିଲା । ସମୟର ମାପ ମୁଁ ରଖି ନାହିଁ, ନିରୋଳାରେ ଅକର୍ମା ହୋଇ ବସି କେବଳ ଚିନ୍ତା ଆଉ ଅନୁଭୂତିରେ ଢୁଳେଇ ଢୁଳେଇ କିଏ ବା ରଖେ, ମୁଁ ରଖନ୍ତି ? ସକାଳୁ ଉଠି ଦେଖେଁ ଘଣ୍ଚା ଟିକ୍ ଟିକ୍ ବାଜୁଛି, ଏଇ ଛଅଟା ବାଜିଲା । ତା’ରି ଫଳକ ଉପରେ ଘଣ୍ଟାର କଳାକାଠି ଏପାଖୁ ସେପାଖ ବୁଲି ବୁଲି ଯାଏ । ଏହି ପରା ମଣିଷର ସମୟ ମାପ । ଆଜିର ଛଅଟା କାଲିର ଛଅଟାରେ ପୂର୍ଣ୍ଣ ହୁଏ । ଆଜିର ସୂର୍ଯ୍ୟ ପୁଣି କାଲି ପୂର୍ବ ଆକାଶରେ ମା କୋଳରୁ କୁଦା ମାରେ । ସେହି ହୁଏ ସମୟର ଗତି ।

 

କିନ୍ତୁ, ପରିବର୍ତ୍ତନ ଯାହା ଆଖିରେ ପଡ଼େ ନାହିଁ, ତାହା ପକ୍ଷରେ ସମୟ ସ୍ଥିର ।

ପରିବର୍ତ୍ତନରେ ଯାହାର ବିଶ୍ୱାସ ନାହିଁ, ତାହା ପକ୍ଷରେ ସମୟ ସ୍ଥିର ।

ବେଳେ ବେଳେ ସେହି ଅନାଦି ଅନନ୍ତ ଅପରିବର୍ତ୍ତନୀୟ ମହାକାଳକୁ ବସି ଧ୍ୟାନ କରେଁ, ତାହାର ଭିତରେ କଳି ନିଏଁ ମୋର ଭାବ ଅନୁଭୂତିର ଜୀବନ ।

 

ସେହି ଧ୍ୟାନରେ ମୋର ଆତ୍ମା ମହାଶୂନ୍ୟକୁ ଉଠେ, ବିଶାଳ ଆକାଶର ଅସୀମ ବିସ୍ମୃତିକୁ କ୍ଷୀଣ ଧୂପ ଧୂଆଁ ପରି ।

 

କଳ୍ପନାର ଇଦ୍ରଧନୁରେ ସେ ମଧ୍ୟ ହୁଏ ବର୍ଣ୍ଣର କ୍ଷୁଦ୍ର ବିନ୍ଦୁ ।

ତା’ର ସତ୍ତା ଆଉ ପାଏ ନାହିଁ ।

ସେଦିନ ରେଣୁକାର ଚିଠି ଆସିଥାଏ, ଭାଉଜବୋଉଙ୍କ ପାଖକୁ, ତାହାର ଭିତରେ ଦୁଇ ଆଙ୍ଗୁଳି ଚଉଡ଼ା ଚାରି ଆଙ୍ଗୁଳି ଲମ୍ବା ମୋ ପାଖକୁ ମଧ୍ୟ ଖଣ୍ଡିଏ ଚିଠି–

 

‘ରାଧୁଭାଇ,

ଅପା ଲେଖିଥିଲା ତୁମେ ସେଠି ଅଛ । ସବୁଠିକି ଯିବାକୁ ତୁମର ବେଳ ଅଛି, ଆମ ଘରକୁ ଆସିବାକୁ ବେଳ ନାହିଁ । ବାପା କେତେ କହୁଥିଲେ, ରାଧୁ ବୋଧହୁଏ ଆସିବ । ବୋଉକୁ ଜର ଛାଡ଼ୁନାହିଁ । ଆଉ ଚିଠି ଦଉନ, ତୁମେ ତ ବଡ଼ଲୋକ । ମୁଁ ଭଲ ଅଛି, ବଡ଼ବଡ଼ ଗୁଣ୍ଡା ଖାଇବ । ଇତି ରେଣୁକା ।’

 

ଭାଉଜବୋଉ କହିଲେ, ‘ଆସ ରାଧୁ, ତୁମେ ଆଜି ବଡ଼ବଡ଼ ଗୁଣ୍ଡା ଖାଇବ, ସ୍ୱୟଂ ରେଣୁକା ଦେଈଙ୍କ ହୁକୁମ୍ ।’

 

ମୁଁ କହିଲି, ‘ହୁକୁମ୍ ଜାରି କରେଇବାକୁ ରେଣୁକା ଦେଈ ତ ଏଠି ଉପସ୍ଥିତ ନାହାନ୍ତି–’

ସେ କହିଲେ, ‘ନିଶ୍ଚୟ ଅଛନ୍ତି, ମୁଁ ତାଙ୍କର ପ୍ରତିନିଧି, ଅତଏବ ରାଧୁବାବୁ,ଶୀଘ୍ର ପ୍ରସ୍ତୁତ ହୁଅ ।’

 

ନିଶ୍ଚିନ୍ତ ହୋଇ ବସି ଚିଠି ଚାରି ଆଙ୍ଗୁଳି ନିଠେଇ ନିଠେଇ ଦେଖୁଥିଲି, ହତାଟ ଧରି ଝିଙ୍କି ନେଇଗଲେ ଭାତ ଖାଇବାକୁ ।

 

ଗୋଜାତିର ଭାଷା ଗୋଜାତି ବୁଝେ । ସ୍ତ୍ରୀ ଜାତିର ଭାଷା ସ୍ତ୍ରୀ ଜାତି ବୁଝନ୍ତି ।

(କିନ୍ତୁ ଆମେ ବୁଝିପାରୁ ନାହିଁ, ହାୟ ମଣିଷ ।)

ଖାଇ ବସି ବସି ମୁଁ କହିଲି, ପ୍ରକୃତରେ ଭାଉଜବୋଉ, ବହୁତ ଦିନ ହେଲା ମୁଁ ଆସିଲିଣି, ଯିବାକୁ ବେଳେ ହେଲାଣି ବୋଧହୁଏ ।

 

‘ହଁ ଖାଲି ‘ବୋଧହୁଏ’ ‘ବୋଧହୁଏ’ କରି ଜିତିଯିବ, ନୁହେଁ ରାଧୁ ? ଓଃ–ବୋଧହୁଏ ।’ ହସି ହସି ଗଡ଼ିଗଲେ ।

 

‘ନାଇଁ ସତରେ ।’

‘ହଉ, ଭାଇଙ୍କ ଆଗରେ କହିବ ସେ ସବୁ କଥା । ବାଜେ କଥାରେ କ’ଣ ଅଛି, ରେଣୁଟି ଆମର ଭାରି ଭଲ ପିଲା ।’

 

‘ଠିକ୍ ତମରି ପରି ।’

‘ରେଣୁକୁ ଆମର କୌଣସି କାମରେ କେହି ଜିତି ଯିବେ ନାହିଁ ।’

‘ନା, ଜିତିବେ କେମିତି–ଗାଁର ମାଟି–।’

‘ସେଇ ଗାଁର ମାଟି ମୁହଁରେ ବୋଳି ତୁମେ ଧନ୍ୟ ହୁଅ ।’

‘ତା ହାଲେ ମୁଁ ବି କରଛୁଲି କଲମ ହାଣ୍ଡି ଦୁଆତ, ଆଉ ରୋଷଘର କଚିରି ଖୋଲିବି ।’

ମୁଣ୍ଡ ହଲେଇ ହଲେଇ କହିଲେ ‘ବାଜେ କଥା –ବାଜେ –କଥା –, ରେଣୁକା ତୁମୁକୁ ଠିକ୍ ମଣିଷ କରିଦେବ ।’

 

ହସି ହସି ଫାଟିପଡ଼ି ପୁଣି ସେ କହିଲେ, ‘ଅର୍ଥାତ୍ ରେଣୁକାକୁ ତୁମେ ବାହା ହୁଅ ।’

ମୁଁ ବି ହସିଲି, ମୋର ହସ ହେଲାନାହିଁ । ଯେପରିକି କଲେଜ ଘଣ୍ଟାରେ ଟାଇଁ ଟାଇଁ କରି ଚପରାସୀ ଚାରିଘଣ୍ଟା ପିଟିଲା, ଆଉ ମାଡ଼ଗୁଡ଼ାକ ପଡ଼ିଲା ଠିକ୍ ମୋର ଛାତିରେ ।

 

‘ଦେଖ ଭାଉଜ, ତମେ ଏମିତି ଚିଡ଼ାଅ ନାଇଁ, ନଇଲେ ମୁଁ ଆଉ କଥା କହିବି ନାଇଁ ତୁମୁକୁ ।’

 

ମୋ ପଛରେ ଗୋଡ଼େଇ ଗୋଡ଼େଇ ସେ ଖାଲି ବକିଲେ ।

‘ଯଥା ରାବଣସ୍ୟ ମନ୍ଦୋଦରୀ–’

‘ହଉ ପଛେ ତମ ରେଣୁକା ମନ୍ଦୋଦରୀ ମୋର ରାବଣ ହେବା ଲୋଡ଼ାନାହିଁ.....

‘ନାଇଁ ନାଇଁ, ଶୁଣ, ସୁନା ଭାଇଟି ପରା, ରାଧୁ–ସୁନା ଭାଇଟି ପରା-ସୁନା–’

ନିହାତି ବିରକ୍ତ କଲେ । ବୁଲି ପଳେଇଲି–

କ’ଣ ନ କହିଲେ ସେ ଭାବିଲି ।

କାହିଁକି ଲୋକେ ସ୍ୱପ୍ନ ଭାଙ୍ଗି ଦିଅନ୍ତି ଜାଣେ ନାହିଁ, ତଥାପି ଲୋକେ ସ୍ୱପ୍ନ ଭାଙ୍ଗିଦେବାକୁ ଭଲ ପାଆନ୍ତି ।

 

ଯେ ଯାହାକୁ ଯେତେକି ଭଲ ପାଏ, ସେ ତାକୁ ସେତିକି କଷ୍ଟ ଦେଇ ଖୁସି ହୁଏ । ତେଣୁ ସେ ତାର ସ୍ୱପ୍ନ ମୂଳରେ କୁର୍‍ହାଡ଼ି ମାରେ । କିନ୍ତୁ ଏ ନାରୀ ଜାତି ! ଏମାନେ କଷ୍ଟଦେଇ ନିରସ୍ତ୍ର ହୁଅନ୍ତି ନାହିଁ । ଏମାନେ କଷ୍ଟଦେଇ କଲବଲକୁ ନିରେଖି ଅନାନ୍ତି, ତେଣୁ ମଣିଷ କଷ୍ଟ ତ ପାଏ, ଆଉ, ପରାଜୟ ଭୋଗେ ବେଶୀ ।

 

ଆଜି ବିଶ୍ଲେଷି ଦେଖୁଛି, ରେଣୁକାକୁ ମୋ ସହିତ ବିଭା ଦେବାପାଇଁ ତାଙ୍କ ମନ ଯେତେ ବ୍ୟାକୁଳ ହେଉ ନ ଥିଲା, ତାଙ୍କର ସନ୍ଧାନୀ ସୂଷ୍ମଦୃଷ୍ଟି ମୋର ସ୍ୱପ୍ନକୁ ସନ୍ଧାନ କରି ତାକୁ ହସି ଉଡ଼େଇ ଦେବା ପାଇଁ ସେତେ ଉତ୍ସୁକ ଥିଲା ।

 

ମନେ ମନେ ପଳ୍ପନା କଲି, ରେଣୁକାକୁ ମୁଁ ବିଭା ହେଉଛି–କିନ୍ତୁ ମୋ ଚେତା ମନର ସଂସ୍ମୃତି ପ୍ରତିବାଦ କରି ଉଠିଲା ।

 

‘ସୁନା ଭଉଣୀଟି ରେଣୁକା’

ମୁଁ ତାର ପିଠି ଆଉଁଷିଲି, ମୁଣ୍ଡ ଆଉଁଷିଲି, ମୁହଁଟି ଟେକି ଧରି କହିଲି ‘ଆହା’ ସେ ଚାହିଁ ଚାହିଁ ହସିଲା, ମନର ସଂସ୍କାର ସାମାନ୍ୟରେ ମୁହଁ ବୁଲେଇ ନେଲା, ଭାରି ଆନନ୍ଦ ହେଲି, ତୋ’ର ଡାଳାକୁ ଚାହିଁ ରହିଲି, ସବୁ ପାସୋର ପକାଇଥିଲି । କ୍ରମେ ଚେତନ ଚେଇଁ ଉଠିଲା–ଚିନ୍ତାର ଧାର ଭିନେ ବାଟ ଧରିଲା । ଏଁ ବିବାହ ! କିଏ ବିଭା ହେବ ? ସ୍ୱପ୍ନର ଧାରା କେଉଁଠି ଛିଣ୍ଡିଗଲା । ମନରେ ଭାରି କଷ୍ଟ ହେଲା, ‘କେଡ଼େ ଅପସନ୍ଦ କଥା ବିବାହ । ଏତେ ଶୀଘ୍ର ! କେଡ଼େ ଅମୂଳକ–’

 

ଅମୂଳକ ଅମୂଳକ ବୋଲି ରେଣୁକା ସହିତ ବିବାହ ମୁଁ ଭାବିଗଲି । କେତେ କଳ୍ପନା ମନରେ ଆସେ, କେତେ ସୁଖର କଳ୍ପନା, ପୁଣି ଅମୂଳକ ବୋଲି ମୁଁ ହସି ଉଡ଼ାଇଦିଏଁ । ବୌପରୀତ୍ୟ ସୂତ୍ରରେ ସେହି ମିଳନ ସୁଖକୁ ହୃଦୟେ ହୃଦୟେ ବୁଝେଁ–

 

କିନ୍ତୁ, ପୁଣି ମନରେ ଆଘାତ ଲାଗେ, ଦେଖେଁ, ଆଦର୍ଶର ଅସୀମତା ଚାଲିଯାଇ ସେ ରୂପ ପରିଗ୍ରହ କରିଛି । ଭବିଷ୍ୟତକୁ ଚାହିଁ ଦେଖେଁ, ଆକାଶ ସେ କ’ଣରେ ରହିଛି କଳାମେଘର ଦରିଆ, ମନ ଦବିଯାଏ ।

 

ବେଳ ଗଡ଼ିଲେ ମୁଁ ତୁନାତୁନି ଏକୁଟିଆ ପ୍ରାୟ ସବୁଦିନ ବୁଲି ବାହାରେ ।

 

ଅଳ୍ପ ଦୂରରେ ଦୁଇତିନି ଘର ବସ୍ତି, ତା ସେ ପାଖକୁ ଖଣ୍ଡେ ଦୂରକୁ ସରୁହୋଇ ଗୋଟିଏ ଝରଣା ପଥର ଉପରେ ଡେଇଁ ଡେଇଁ ତଳକୁ ଗଡ଼ି ଆସି ସମଭାବରେ କିଛି ଦୂର ବହିଯାଇଛି । ଝରଣା ସେପାଖେ ଅଳ୍ପ ଉଞ୍ଚ ଧାଡ଼ି ଧାଡ଼ି ବଣ, ତାହା ପଛକୁ ଗୋଟିଏ ଟାଙ୍ଗରା ପାହାଡ଼, ତା ସେପାଖେ ଖାଲି ଉଠୁପଡ଼ ଭୂଇଁ, ଖାଁ ଖାଁ ।

 

ସୋଇ ଝରଣା କୂଳରେ ନିଛାଟିଆରେ ଖଣ୍ଡେ ଉଞ୍ଚ ପଥର ଉପରେ ମୁଁ ବସେଁ, ପଥୁରିଆ ଝରଣାର ଶୋଭା ଦେଖେଁ, ଆଉ ଦେଖେଁ ତା ସେପାଖେ ସୂର୍ଯ୍ୟାସ୍ତ ।

 

ଦୂରରେ ଆକାଶ ନଇଁପଡ଼େ ସେଇ ଢେଉ ଢେଉକା ଭୂଇଁ ଉପରେ । ଜନମାନବର ଚିହ୍ନ ନାହିଁ, କୋଳାହଳ ନାହିଁ, କେବଳ ନିର୍ଜନତା ।

 

ଗହରୀ ଝରଣା କୂଳରେ ବସି ତଳକୁ ଚାହେଁ । ତଳକୁ ଖୁବ୍ ବଡ଼ ବଡ଼ ଗଛ, କେତେକାଳର ପରୁଣା, ଧାଡ଼ି ଧାଡ଼ି ହୋଇ ଚମ୍ପାଗଛ କେତୋଟି ଅଛି । ଅଶ୍ୱତ୍‍ଥ ପରି ଉଞ୍ଚ, ପୁରାତନ ବରଗଛ ପରି ତାର କାଣ୍ଡ ।

 

ଚମ୍ପାଫୁଲର ବାସ୍ନାରେ ଯେତେବେଳେ ପବନ ନିଦୁଆଳି ଲାଗେ, ତଳେ ପଥୁରିଆ ଝରଣାର ଜଳପ୍ରପାତର ଧୋବ ପାଣିର ଶଙ୍ଖ ପାହାଚ ଉପରେ ଅସ୍ତ ସୂର୍ଯ୍ୟର ରଙ୍ଗ ବିଞ୍ଚିହୋଇପଡ଼େ, ଗୋପନ ରହସ୍ୟ କଳୁଁ କଳୁଁ ମୋର ଚିନ୍ତାର ଧାରା ସୀମା ଭାଙ୍ଗି ଅସୀମକୁ ଚହଟି ଚାଲିଯାଏ । କିଛି ସମାଧନ କରିପାରେ ନାହିଁ । ଦିନ ସରେ ।

 

ଆରପାଖ ଜଙ୍ଗଲର ମୁଣ୍ଡ ଉପରେ ସତେକି ସେ ଦୂର ପ୍ରାନ୍ତର ସୋପାଖେ ଲାଲହୋଇ ସୂର୍ଯ୍ୟ ତଳକୁ ଖସିପଡ଼େ । ସନ୍ଧ୍ୟା ହୁଏ ।

 

ସେଇ ସଞ୍ଜର ନିରେଳାରେ ଝରଣା କୂଳରେ ବସି ଅନେକ ଥର ମୁଁ ଆଗକୁ ପଛକୁ ଚାହିଁ ଦେଖିଛି, କେତେବେଳେ ସ୍ୱପ୍ନ ଦେଖିଛି, କେତେବେଳେ ବା ଦେଖିଛି ଜାଗ୍ରତ ଭବିଷ୍ୟତଟାକୁ, ବସ୍ତୁବାଦୀର ଦୃଷ୍ଟିରେ ।

 

ଝରଣାର ପାଣିରେ ମୋର ଅସ୍ପଷ୍ଟ ସ୍ୱପ୍ନ ଭାସି ଭାସି ଯାଏ, ତା’ର ଅବିଶ୍ରାନ୍ତ କଳକଳ ଯେପରି ଚିନ୍ତା ପଛରେ ଧ୍ୱାନ୍ତ ଚିରନ୍ତନ ମହାକାଳର ପୃଷ୍ଠପଟ ।

 

ଯାଏ ରେଣୁକା, ଯାଏ କାଞ୍ଚନମାଳା, ଯାଆନ୍ତି ଆଉ କେତେ ଦେଖା ଅଦେଖା, କେତେ ମୋର ମରମଭାବର ପ୍ରତିଛବି, କେତେ ମୋର ଉଦ୍ଦାମ ରକ୍ତର, ମାସଂର, ଯୌବନର ।

 

ସେହିପରି ଦିନେ, ପାଷାଣ ହୋଇ ବସି ମୁଁ ଭାବୁଛି, କେହି କୁଆଡ଼େ ନାହିଁ, ସୂର୍ଯ୍ୟ ଅସ୍ତ ଯାଉଛି, ତଳ ଝରଣାର ଚବ୍‍ଚବ୍‍ ଶୁଣି ଚାହିଁଲି ।

 

ପଦର ଷୋଳବର୍ଷର ଝିଅଟିଏ, ଛେଚାପିଟା ଚିକ୍‍ଚିକ୍ ପିଠି ଆଉ ହାତଗୋଡ଼, ପାଣିରେ ସେ ନଇଁପଡ଼ିଥାଏ, ତାର କଳା ଖୋଷାରେ ପେନ୍ଥାଏ ବଣଫୁଲ, ଚାରିପାଖେ ଝରଣାରେ ସାନ ବଡ଼ କେତେ ଭଉଁରି । ଚାହିଁ ରହିଲି, ନିର୍ଜନତା ଭିତରେ ସେ ମଧ୍ୟ ଗୋଟିଏ ଛୋଟ ନିର୍ଜନ ଛାଇ ।

 

କ୍ରମେ ସେ ପାଣିରେ ବସିଲା, ଆହୁରି ଶବ୍ଦକରି ହାତଗୋଡ଼ ଚିକ୍‍କଣ କରି ଧୋଇଲା, ପାଣିରେ ଭାସିଲା, ବୁଡ଼ିଲା, ସଙ୍କୋଚ ନାହିଁ, ଭୟ ନାହିଁ, ସତେକି ନିର୍ଜନତା ଭିତରେ ସେହି ଏକା ସେଠି ।

 

ପ୍ରଥମେ ଆମୋଦ ଲାଗିଲା, କ୍ରମେ କୁତୁହଳରୁ ଆସିଲା ନିର୍ଜନତାର ଆକର୍ଷଣ, ତାର ପ୍ରତ୍ୟେକ ଅଙ୍ଗଭଙ୍ଗୀ ଲକ୍ଷ୍ୟକରି ରହିଲି ।

 

କିଛି ସମୟ ପରେ ଉପରକୁ ଅନାଇଁ ସେ ମୋତେ ଲକ୍ଷ୍ୟକଲା । ପାଣିରେ ଥାଇ ପ୍ରଥମେ ଛାତି ଉପରେ ଲୁଗାଟି ଟାଣି ବାନ୍ଧିହେଲା, ତା’ପରେ ଏପାଖ ସେପାଖ ଅନାଇଁ ଦେଖିଲା, ଭୟ ବିହଳ ଆଖିରେ । ଖାଲି ଝରଣାର କଳ କଳ । ତଳେ ସେ, ଉପରେ ମୁଁ । ପାଖରେ କେହିନାହିଁ । ଦୂରରୁ କାହାର ସୋର ଶବଦ ନାହିଁ । ତାପରେ ପୂର୍ବ ସ୍ୱାଧୀନତାକୁ ସାମାନ୍ୟରେ ଫେରାଇ ଆଣି ତାର ପାଣିଖେଳରେ ସେ ମନ ଦେଲା ।

 

କଳ କଳ ପାଣି ମୁହଁରେ ଧରି ଫୋପାଡ଼େ, ମୁହଁ ହାତ ଚିକ୍‍କଣ କରି ସେ ଧୁଏ, ପାଣିରେ ବସିଥାଏ, ଯେପରି ସେ ମୋର ଅସ୍ତିତ୍ୱ ଭୁଲି ଯାଇଛି । ଜାଣି ଜାଣି ମୁଁ ମୁହଁ ବୁଲାଇ ନିଏଁ । ଖୋଜିଲା ଖୋଜିଲା ଚଞ୍ଚଳ ଚାହାଣିରେ ସେ ଏ ପାଖକୁ ଥରେ ଦେଖେ, ପୁଣି ଅପ୍ରସ୍ତୁତ ହୁଏ, ହସ ଢୋକି ନେଇ ପାଣିରେହଁ ମନ ଦିଏ । ଆଲୁଅ ମଳିନ ହେଉଣୁ ନ ହେଉଣୁ ପାଣିରୁ ଉଠି ଖଣ୍ଡେ ପଥର ସେପାଖେ ଆଡ଼ ହୋଇ ସେ ଠିଆ ହେଲା, ଲୁଗା ପାଲଟିଲା । ତନ୍ମୟ ହୋଇ ମୁଁ ତାକୁ ଲକ୍ଷ୍ୟ କରୁଥିଲି, ଦେଖୁଥିଲି ତାର ଛାଇ ଅନ୍ଧାରମିଶା ଆକୃତିର ସଙ୍କେତ ।

 

ଝରଣାରୁ ଉଠିଲା,ଏକ ମୁହାଁ ହୋଇ ଚାଲିଗଲା, ଯେପରି ସେ ମତେ ଦେଖିନାହିଁ ।

ମୁଁ ମଧ୍ୟ ତାହା ପରେ ବସି ରହିଲି, ମୁଁ ବି ଯେପରି ଦେଖିନାହିଁ ।

ସେ ଚାଲିଗଲା, କିନ୍ତୁ ସେହି ଝରଣା କୂଳରେ ରଖିଗଲା ଗେଟିଏ ବସ୍ତୁ–ଆଦର୍ଶମିଶା ସ୍ମୃତି, ଯାହା ମାଟିର, ପୁଣି ପବନର, ତାହା ଆଦର୍ଶ ନୁହେଁ । ଆଦର୍ଶଠାରୁ ଅତିଶୟ ଖର୍ବ । ଅସ୍ପଷ୍ଟ ଭବିଷ୍ୟତ୍ ନୁହେଁ, ଅତି ପରିଷ୍ଫୁଟ ବର୍ତ୍ତମାନ । ତାର ଧ୍ୟାନରେ କବିତାର ଉତ୍ସ ଉପରକୁ ଉଠିଲା ନାହିଁ, କେବଳ ରକ୍ତ ମାଂସ ଛଟପଟ ହେଲା । ସେହି ଚିନ୍ତାରେ ଚିରନ୍ତନ ଆଦର୍ଶର ବନ୍ଧନ ନ ଥିଲା, କେବଳ ସାମୟିକ ସନ୍ତୋଷ ଓ ଫଳପ୍ରାପ୍ତିର ଆକାଙ୍‍କ୍ଷା ଥିଲା । ତେଣୁ ତାହା ପାପ ।

 

ସେହି ପାପର ପ୍ରେତ ସନ୍ଧ୍ୟାର ନିର୍ଜତନରେ ମନକୁ ଆଛନ୍ନ କରି ରଖିଲା ।

ପାପ, ସେ–ରକ୍ଷଣଶୀଳ । ସେ ସଂସ୍ଥିତି-ମୂଳକ ।

ଆଜି ଭାବୁଛି, ସେହି ପାପ ହିଁ ପ୍ରତି ମୁହୂର୍ତ୍ତରେ ଚିନ୍ତାକୁ ଆକାଶକରୁ ଆଣି ପୃଥିବୀର ବାନ୍ଧେ, ପରକାଳର ବିନିମୟରେ ଇହକାଳର ସଂସ୍ଥିତି ଦିଏ, ଅମରକୁ ମରଣଶୀଳ କରେ, ଦିବ୍ୟଦୃଷ୍ଟି ହଜାଇ ଦେଇ ଦିଏ ଜଡ଼ବାଦୀ ମାୟା ।

 

ସେହି ପାପର ପ୍ରତିକୃତି ଆତ୍ମାକୁ ଦେହରେ ବାନ୍ଧେ । ତାହାର ଧୂଆଁରେ ବର୍ଷା ହୁଏ । ଖତ କାଦୁଅ ପଚ୍ ପଚ୍ କ୍ଷେତରେ ଧାନ ଗଜୁରି ଉଠେ, ଗଛ ହୁଏ, ଫସଲ ପାଚେ, ପୁଣି ଝଡ଼ିପଡ଼େ ଶୁଖିଲା ମାଟି ଉପରେ ।

 

ସେଇ ଝରଣାର ଧୋବଲା କାଳିଆ ପାଣିରେ ମୋର ସ୍ୱପ୍ନ ଆଦର୍ଶର ସଂସ୍କୃତି ପରାଜୟ ପାଇ ବୁଡ଼ି ମରିଥିଲା ।

 

ସେଦିନ ରାତିରେ, ମୁଁ ତାକୁ ସ୍ୱପ୍ନ ଦେଖିଥିଲି ।

ଛି, ଛି ।

 

ତହିଁ ପରଦିନ ପୁଣି ସଞ୍ଜରେ ମୁଁ ସେଠିକି ଗଲି । ଆଗରୁ କିଛି ସାତ ପାଞ୍ଚ ଭବି ଯାଇନାହିଁ, ଧାରଣ ମଧ୍ୟ କରି ନାହିଁ ପୁଣି ସେଠିକୁ ସେ ଆସିବ । ଆପେ ଆପେ ସେଇଠି ଯାଇ ପହୁଞ୍ଚିଲି । ପହୁଞ୍ଚି ଭାବିଲି, ନିରୋଳା ଚିନ୍ତା ପାଇଁ ଏ ସ୍ଥାନଟି କେଡ଼େ ସୁନ୍ଦର ।

 

ଅନ୍ୟମନସ୍କ ହୋଇ ବସି ବସି ବେଳବୁଡ଼ିବା ସମୟ ହେଲା । କୌଣସି ବିଶିଷ୍ଟ ବିଷୟରେ ଧ୍ୟାନ ନ ଥିଲା ।

 

ଖସ୍ ଖସ୍ ହୋଇ ଗୋରୁଟାଏ ଏ ପାଖୁ ସେ ପାଖକୁ ଚାଲିଗଲା, ଜାଣିପାରି ନ ଥିଲି, ଛନ ଛନ ହୋଇ ପଛକୁ ଚାହିଁ ଦେଖିଲେ, ପୁଣି ତୁନିତାନି ବସି ରହିଲି ।

 

ଆହୁରି ଥରେ ଦୁମ ଦୁମ ପାଦ ଶବ୍ଦ ଶୁଣି ଚାହିଁ ଦେଖିଲ । ଏଥର ସେ । ଆବିଷ୍ଟ ମନରେ ଅନାଇଁ ରହିଲି । ପ୍ରତୀକ୍ଷମାଣ ଚେତନା । ରକ୍ତର ଗତି ଦ୍ରୁତ । ଗୋପନ ମନର ପାପର ସ୍ଫୁଲିଙ୍ଗ । ଚେତନ ମନରେ ସଂସ୍କାରର ବନ୍ଧନ ।

 

ଚାହିଁ ଦେଖିଲି, ସେଇ ନିର୍ଜନତାର ଆତ୍ମା ଯେପରି ରୂପ ଘେନି ତଳକୁ ଓହ୍ଲାଇ ଗଲା, ଅଚଞ୍ଚଳ ସହଜ ଗତିରେ । ତାର ପ୍ରତ୍ୟେକ ଭଙ୍ଗୀ ଆଖିରେ ଆଖିରେ ମୁଁ ପିଇ ଯାଉଥିଲି ବାଚାଳ ଚାହାଣିରେ ।

 

ପୁଣି ସେ ଏପାଖକୁ ଚାହିଁଲା । ପୁଣି ସେ ପାଣିକୁ ଚାଲିଗଲା, ସ୍ନାନରେ ମନ ଦେଲା । ଥାଇ ଥାଇ ପୁଣି ସେ ଚାହେଁ । ଜାଣି ନ ଜାଣିଲା ପରି ହେହକୁ ଖଳାଏ । ନିଜର ଯୌବନରେ ନିଜେ ବିଭୋରା ହୋଇ ଆପଣା ସାଙ୍ଗେ ଛଟାଇ ଖେଳ ଖେଳେ । ପାଣି ସଙ୍ଗେ ସତେକି କଥା କହେ । ପାଣିକୁ ମୁହଁରେ ମାରେ, ପାଣିକୁ ଆଉଁଷେ, କୁଣ୍ଢାଏ, ପାଣିରେ ଲୋଟିପଡ଼େ ।

 

କ୍ରମେ ଯହୁଁ ଅନ୍ଧାରରେ ଆଲୁଅ ମିଶିଗଲା, ପାଣିରେ ଥାଇ ଘନ ଘନ ସେ ମୋର ଆଡ଼କୁ ଚାହିଁଲା । ମୁଁ ମଧ୍ୟ ତାକୁ ଚାହିଁ ରହିଲି । କେହି କୁଆଡ଼େ ନାହିଁ । ସେପାଖେ ପଦା ଭୂମି ଉପରେ ଛାଇ ପଡ଼ି ଗଲାଣି । ଜଙ୍ଗଲ ଅନ୍ଧାର ଦିଶୁଛି । ତଳେ ଛଳ ଛଳ ଝରଣା । ପବନର ଗତି ନାହିଁ ।

 

ଯେତେ ଚାହିଁଲେ, ରକ୍ତ ଆଉ ମାଂସ ସେତେ ଟାଣିହେଲା । ଭାବିଲା ତଳକୁ ଚାଲିଯିବି । ପୁଣି କ’ଣ ମୋର ହାତଗୋଡ଼କୁ ଏକାଠି ବାନ୍ଧି ରଖିଲା । ଚିନ୍ତାରେ ମୁଁ ଗଲି, ଚିନ୍ତାରେ ମୁଁ ତାହା ପାଖେ ପହୁଞ୍ଚିଲି, ସବୁ ମନେ ମନେ । ଶରୀର ଅଧୀର ହୋଇ ଡାକିଲା ।

 

କେବଳ ଚିନ୍ତାରେ.....

ବସ୍ତୁତଃ ମୁଁ ସେଠିହିଁ ବସି ରହିଲା ।

 

ସେ ପୁଣି ଉଠି ଆସିଲା । କୂଳକୁ ଗଲା କିଛି ନ ଜାଣିଲା ପରି, ତାପରେ ସିଧା ଚାଲିଗଲା ।

 

ଅନ୍ଧାରରେ ମନେହେଲା, ଯେପରି ସେ ମୋତେ ଚାହିଁ ହସି ଦେଇ ଗଲା ।

 

ସେଇ ଝରଣା କୂଳରେ ଏକୁଟିଆ ବସି ରହିଲି । ରାତି ହେଲା, ଆକାଶରେ ତାରା ଜିକ୍ ଜିକ୍ ହେଲେ, ପ୍ରଶାନ୍ତ ଆକାଶରେ ତାରାବନ୍ଧା ଶାନ୍ତି ମୋର ମନରେ ପଶିଲା, ଆଉ ଶୀତଳ ପବନ-। ଭାବୁଁ ଭାବୁଁ କ୍ରମେ ମନର ତାତି ଉଭେଇଗଲା, ଯେପରି ଉଦ୍‍ବେଗ ନାହିଁ, ଉଚ୍ଛ୍ୱାସ ନାହିଁ, କେଡ଼େ ସହଜ ଆଉ ଉତ୍ତେଜନା ଶୂନ୍ୟ,–ତାରା ଆଲୁଅର ମିଟି ମିଟି ଝରଣାର କଳ କଳ, ନିସ୍ତବ୍‍ଧ ଅନ୍ଧାର, ଧାଡ଼ି ଧାଡ଼ି ଗଛର ଛାଇ, ତାହାର ମଝିରେ କିଛି ସମୟ ପଥର ପାଲଟି ମୁଁ ପୁଣି ବସାକୁ ଫେରିଆସିଲି ।

 

ବାଟରେ ମନ ପତିଆରା ଦେଖାଇଲା, ନା ପାପ ନୁହେଁ, କୌତୂହଳ ମାତ୍ର ସଂସାରରେ ପାପ ପୁଣ୍ୟ କିଛି ନାହିଁ । ସବୁ କ୍ରିୟା ଆଉ ଫଳ; ଫଳ କ୍ରିୟା । ସବୁ ମଙ୍ଗଳମୟ ଏବଂ ସବୁ ପବିତ୍ର ।

 

ଗୋଟାଏ ଗୋଟାଏ ସ୍ମୃତି, ସେ ପଥର ଉପରେ ଗାର ଟାଣେ, ଗାର କାଟେ, ଗାର ଆଞ୍ଚୁଡ଼େ । ତାପରେ ଭୁଲି ହୋଇ ପଡ଼ିଥାଏ ଗୁଡ଼ାଏ ଆଞ୍ଚୁଡ଼ା ଆଞ୍ଚୁଡ଼ି କଟାକଟି ଜାଲ ପରି ଛବି, ଅଳନ୍ଧୁ ପରି ମେଞ୍ଚା ହୋଇ ଲାଖି ରହେ, ଯାଃ, ସରିଲା ।

 

ଆଜି ମୁଁ ଚାହିଁ ଚାହିଁ ଆଶ୍ଚର୍ଯ୍ୟ ହେଉଛି, କେତେ କଟାକଟି ସେଠି, ଆଉ ସେ ପଥରତଳେ ଝରଣାର ପାଣିରେ ଆକର୍ଷଣର ଅନ୍ଧାରି ଶରୀର, କାହିଁ, ସେ ମନେ ନାହିଁ ତ ।

 

ଆଉ କେତେ ଥର ସେଠିକି ମୁଁ ଭବୁବାକୁ ଯାଇଛି, ନୂଆ ଲୋକଙ୍କୁ ଦେଖିଲି, ତାଙ୍କୁ ଦେଖି ନାହିଁ, ଅଥବା ତାକୁ ଦେଖିଛି ଚିହ୍ନି ପାରି ନାହିଁ । ନୂଆ ଆଲୁଅ, ନୂଆ ସମୟ, ନୂଆ ପରିସ୍ଥିତିରେ ସେଥରର ସେ ଆଉ ସେହିପରି ହୋଇ ଦେଖା ଦେଇ ନାହିଁ ।

 

ଛଳ ଛଳ ପାଣିରେ ମେଞ୍ଚାମେଞ୍ଚ ସ୍ୱୀଲୋକ, ମେଞ୍ଚାମେଞ୍ଚ ମୋକଙ୍କର ମେଞ୍ଚାମେଞ୍ଚ ଖାଲି–ଦେହ, ଖଲି ବିସ୍ମୟ ଜନ୍ମେଇଛି ଆପଣାର ପରମ୍ପରା ପଥାମନେ ପକାଇ, କବିତା ବଦଳରେ ଦର୍ଶନ ବଉଳଛି, ସେ ସେଠି ନାହିଁ ।

 

ଦିନ ସରି ଆସିଲା, ସେଠୁ ବିଦା ହେଲା । ଭାଉଜବୋଉ ରୁମାଲରେ ଅତର ଡାଳି ଦେଇଥିଲେ, କାନ୍ଦିଥିଲେ । ମୋ ନିଜ କଥା ନ କହିଲା ବା । ହିଁ, ହେତୁ ଅଛି ମୁଁ କହି ଯାଇଥିଲି ତାଙ୍କ ପାଇଁ ନିଶ୍ଚୟ ଉଲ୍ କିଣି ପଠେଇ ଦେବି । ଚିଠି ଲେଖୁଥିବୁ । ନିଶ୍ଚୟ, ନିଶ୍ଚୟ ।

 

ମନଟା ବି ଶଗଡ଼ଗୁଳାରେ ଗଡ଼ି ଚାଲିବାକୁ ଭଲପାଏ, ଝିଙ୍କା ଓଟରା ଅଉ ବିଦାବିଦ, ଖଲି ଦୁଖଃ ।

 

କି ଅତର ସେ, ନାଁ ଟା ମନେ ନାହିଁ, କିନ୍ତୁ ଏବେ ବି ନିଛାଟିଆବେଳେ ସେ ବାସ୍ନାଟା ମନେପଡ଼େ । ସେ ସଞ୍ଜଟା ମନେପଡ଼େ । ସେଦିନ ମୁହଁପଟୁ ଆକିଶରେ ମେଘ ବି ନ ଥଲା ଟିକିଏ, ଖଲି ଫାଙ୍କା ମଉଳା ଆକାଶ, ଆଲୁଅ ମରି ଆସୁଥିଲା । ସେ ବାସ୍ନା ସାଙ୍ଗେସାଙ୍ଗେ ସେ ଆକାଶକୁ ଫାଳେ ଭାସି ଆସେ, ଗହୀର ଗହୀର ଲୁହଟୋପାଗୁଡ଼ାଏ ପାଖକୁ ପାଖ ଲଗାଲଗି ନାହିଁ ।

 

ଗୋଟାଏ ପରିଚ୍ଛଦର ଶେଷ ପଟ, ସେ ଫାଙ୍କା ବାସ୍ନା ।

 

ନୂଆ ଆଲୁଅର ସନ୍ଦେଶ ଧରି ପୁରୁଣା ରାତି ଶେଷରେ ନୂଆସୂର୍ଯ୍ୟ ଉଏଁ । ଜୀର୍ଣ୍ଣ ରାତିର ସ୍ମୃତି ସୁଦ୍ଧା ମିଳେ ନାହିଁ । ଆଖି ଝଲସା ନୂଆ ଆଲୁଅରେ । ରାତି ଥିଲା, ଭଲ ଥିଲା ଦିନ ହୋଲା ସେ ବି ଭଲ । କ୍ଲାନ୍ତ ସଞ୍ଜର ମ୍ଲାନ ବାରୁଣୀ ଭିତରେ ଉଜ୍ଜଳ ଦିନର ଦୀପ ପୁଣି ହଜିଯାଏ, ଆଉ ତାର ପରିଚୟ ନାହିଁ ।

 

ସବୁ ଭଙ୍ଗା, ଆଉ ଧରି ବସିଲେ ସବୁ ଫାଙ୍କି । ଧରି ବସିବା ମନର କ୍ରମ, ଧରା ନ ଦେବା ସ୍ମୃତିର ସ୍ୱଭାବ ।

 

ଆଜି ଏ ବୃଦ୍ଧା ବୟସରେ ମନେ ହୁଏ କ’ଣ ? ସଜ୍ଜିତ ପ୍ରାସାଦର ବିବିଧ ସାଜସଜ୍ଜା ପରି ଜୀବନର ଉଜ୍ଜ୍ୱଳର ମୁହୂର୍ତ୍ତଗୁଡ଼ିକ ସୁନ୍ଦର ମୁହୂର୍ତ୍ତଗୁଡ଼ିକ ଏହିପରି୍ ସଜା ହୋଇଥାନ୍ତା । ଅତୀତ ଦିନର ଗୌରବ ଅଭିଯାନର ସବୁ ରୂପ ରେଖା, ଶୋଭାଉଦ୍ୟାନର ଲତା ଗୁଳ୍ମ ପରି ।

 

କିନ୍ତୁ ତାର ପରିଚୟ ନାହିଁ ।

ଆଜିର ଏ ବୃଦ୍ଧ–ସୂର୍ଯ୍ୟର ହଳଦିଆ ଆଲୁଅରେ ହଳଦିଆ କାମଳବୋଳା ଦୃଷ୍ଟି ହୀନ ଆଖି ଆଗରେ ନିରର୍ଥକ ପ୍ରକୃତିର ଅର୍ଥହୀନ ରୂପ ବିନ୍ୟାସ ବିଦ୍ରୂପ କରି କରିଯାଏ, ଚୈତିପବନରେ ଛିଣ୍ଡାପନ୍ତ୍ର ପରି କାଲିର ସ୍ମୃତିର ତୌଲ ଆଜି କାହିଁ । ଭିତରେ ବାହାରେ ଯେତେ ଅଗଣିତ ପରିବର୍ତ୍ତନ ତାର କ୍ରିୟା–ପ୍ରକ୍ରିୟାର ସଂଘର୍ଷଣର ଫଳାଫଳ ମଣିଷ ମନର ଭାବ–ଦର୍ପଣ । କେତେ ଛବି ଫୁଟେ; କିନ୍ତୁ ଯାହା ମଣିଷ ଦେଖେ, ତାହା ଛବିର ନୁହେଁ, ମଣିଷର ବିକୃତ ମନୋଭବର ।

 

ଭାଷା, ଚିତ୍ରକର ତୁଳିର ରଙ୍ଗ, ଶିଳ୍ପୀର ବଟାଳି, କେତେ ବା ତାର କରାମତି ।

ଜିଭକଟା ସାରୀ ପରି ପ୍ରାଚୀନର ଭାବ ନୂତନର ଭାଷାପିଞ୍ଜର ଭିତରେ ଖାଲି ଛଟପଟ ହୁଏ ସିନା, ତାର ଗୁଞ୍ଜନ କେବଳ ସେହି ବୁଝେ, ଆଉ କେହି ନୁହେଁ ।

 

ସାହିତ୍ୟ ! ଭାବୁକର ବିଶ୍ଲେଷଣ–ବ୍ୟର୍ଥତାର ଉପହାସ ।

ରୁକ୍ଷ ପାହାଡ଼ କରରେ ଆଦିମ ଅକର୍ମଶିଳା ପରି, ତୁମେ ଦେଖିବ ପଥରରେ ଗାର, କେଉଁ ଗାରର କି ସଙ୍କେତ, କେତେ ବା ବତାସି କୁହୁଳ ବଜ୍ରର ଇତିହାସ, କି ବୁଝିବେ ଦର୍ଶକ ତାହା, ବୁଝିବ ହୁଏତ ପଥର କହିବାକୁ ଭାଷା ନାହିଁ ।

 

ସ୍ୱପ୍ନ–ହାୟ ।

ତେଣୁ କହେ ବୈଶାଖଶେଷର ଶୁଖିଲା ଠାଉ ଠାଉ ପୋଖରୀ–ଗଣ୍ଡ ଉପରେ ଯେଉଁ ଫଡ଼ା–ଫଡ଼ା ଫାଟ ତା’ର ବି ମୂଲ୍ୟ ଥିଲା । ଅଳସ ଦିନର ଅକାମି ଚିନ୍ତା ଅକାମି ଅନୁଭୂତି ଯାହାର ମୂଲ୍ୟ କେଭେ କେହି ଦେଇ ନାହିଁ, ସେ ବି ନମସ୍ୟ । ସେ ଦିନର ସୂର୍ଯ୍ୟ ଆଉ ଆସିବ ନାହିଁ ।

 

ମନ-ଗହରୀର ଅବୁଝା କଥା । ତାର ପ୍ରକାଶ ମଧ୍ୟ ଅଜ୍ଞେୟ, ଅବ୍ୟକ୍ତ କାରଣ ସେ ସରଳ, ଗଣ୍ଠି ନାହିଁ, ଧରିବାକୁ ମାପିବାକୁ ।

 

ଆଳସ ଦିନଗୁଡ଼ାକ ପାଣି ପରି ବୋହି ଯାଉଥାଏ । ସେ ଦିନ ରମେଶ ଘରକୁ ଯାଇଥିଲି । ଲୋକେ କହନ୍ତି ସେ ଭଲ ପାଏ । ତା’ର ଡାଇରିରେ ତାରିଖ ସମୟ ଦିଆ ହୋଇ ଅନ୍ତତଃ ଦୁଇ ଡଜନ କାହାଣୀ, ନାୟକ ସେ ନିଜେ ନିଜେ । ତାର ବୈଠକଖାନାରେ ଗଣି ଗଣି ସତରଟି ଛବି, କେତୋଟି ସିନେମା ନଟୀମାନଙ୍କର କେତୋଟି ବା ତାର ବାନ୍ଧବୀମାନଙ୍କର । ରମେଶ ଭଲ ଫଟୋ ନିଏ । ତାର ଆଲ୍‍ବମ୍ ଅଛି । ସେ ଗର୍ବ କରେ କୌଣସି ସ୍ମୃତି ତାକୁ ଫାଙ୍କି ଦେଇପାରିନାହିଁ । ସବୁ ତାର କୋଥଳିରେ । ଏତେ ଦିନର ପରିଚୟ ସତ୍ତ୍ୱେ କେବେ ହେଲେ ମୁଁ ତାକୁ ଚିନ୍ତିତ ଦେଖି ନାହିଁ । ଅନ୍ୟମନସ୍କ ଦେଖି ନାହିଁ ।

 

କିନ୍ତୁ ଗେଟାଏ କଥା ଲକ୍ଷ୍ୟ କରୁଚି, ହସ ଛଳ ଛଳ ରମେଶ, ସୁଖୀ ରମେଶ, ସୌଖିନ୍ ରମେଶ କେବେ ହେଲେ ତାର ଡାଇରିର କୌଣସି କାହାଣୀକୁ ଆଉ ଥରେ ପଢ଼ିନାହିଁ, ତାର ଛବିକୁ ଏଲ୍‍ବମ୍‍କୁ ଥରେ ଥରେ ନିରେଖି ଦେଖି ନାହିଁ, କେବେ ତାର ଆଖିରେ ମେଘ ଆଭାସି ନାହିଁ, ସବୁଦିନେ ସୁଖୀ ଉଜ୍ଜ୍ୱଳ ରମେଶ ।

ରମେଶ ଗୌରବ ନିଏ କିଛି ତାକୁ ଫାଙ୍କି ଦେଇ ନାହିଁ, ହୁଏତ ସେ ଭାଗ୍ୟବାନ, ହୁଏତ ସେ ମିଛୁଆ, ନ ହେଲେ ସେ ମଣିଷ –ପଥର, ଯାହାର ଅନୁଭୂତି ଚିରଦିନ ସୁଷୁପ୍ତ ।

ରମେଶ ସଙ୍ଗେ ଥରେ ଯାଇଥିଲି, କେତେ ଥର ଯାଇଚି ଏଥରକର ବିଶିଷ୍ଟତା ଥିଲା । ଅନ୍ଧାର ରାତି, ଆକାଶରେ ମେଘ, ସହର ଆଲୁଅକୁ ନିଦ ଝାଙ୍କୁଥିଲା । ଏହି ବେଳ, ଯେତେବେଳେ ମଣିଷର ଦେହର ଭୋକ ପ୍ରେତ-ରୂପରେ ମନ-ଗହୀରରୁ ବାହାରେ ଛପି ଛପି କବାଟରେ ଖିଲ ମାରି ଦିଏ । ଗଡ଼ି ଜିତେ ।

ବନରାସୀ ଖିଲ ଦୋକାନରୁ ପାନ ଖାଇଲୁ ସେ ଆଉ ମୁଁ । ଅନ୍ଧାରରେ ସିଟି ମାରି ମାରି ବେକରେ ଫୁଲମାଲ ପକାଇ କିଏ କେତେ ଚାଲିଥାନ୍ତି । ସେ ବି ବେଳ ।

ରମେଶ କହିଲା–

‘ଆରେ ବୋକା ରାଧୁ, ଛାଇ ପଛରେ ଧାଇଁ ଧାଇଁ ଭୋକରେ ଆପଣାର ଚର୍ବି ହଜମ କଲା ପରି ମଣିଷ ଖାଲି ନିଜକୁ ଖାଇ ଭସ୍ମ କରେ । ସରମା, ନିରୁପମା, ଆଶାଲତା, ଏମାନେ ଖଲି ବାକ୍ୟମୟୀ, ଏମାନେ ଖାଲି ଦ୍ୟୋତନା, ଖାଲି ଶୋଷ । ଶୋଷରେ ଘାରିହୋଇ ଏମାନଙ୍କ ଗଳ୍ପ–ଭଉଁରିରେ କେତେ ଯୁଗ ଲଟ୍‍କଣ ଖାଇ ଖାଇ ଶେଷରେ ହାଉଁହାଉଁଆ ପାଟିକି ଖାଲି ଟୋପାଏ କାଦୁଅମିଶା ପାଣି । ଶେଷରେ ଦିନର ଆଲୁଅ ପଡ଼ିଲେ ପାଣି ଉଡ଼ିଯାଇ ଖାଲି କାଦୁଅ । ବୋକା ରାଧୁ, କବିତା ଛାଡ଼୍‍, ଏଇ ତ ବେଳ । ଆ ।’

ଜାଣେ ନା ରମେଶର ଯୁକ୍ତି ତା ତୁଣ୍ଡର, ଅଥବା ମୋ ମନର ।

ହଠାତ୍ ହୋସ୍ ହେଲା,–ଅନ୍ଧାରୁଆ ଗଳି, ଗଳି ଭିତରେ ଗଳି, ଠିକ୍ ଜାଲ ପରି । ଏପାଖ ସେପାଖ ଠାଏ ଠାଏ ମିଞ୍ଜି ମିଞ୍ଜି ଆଲୁଅରେ ଜିକି ଜିକି ଧୋବ ଧୋବ ଶାଢ଼ି, ଅତର ବାସନା ।

ଆଉ ଦଶ ପାହୁଣ୍ଡ ଥିଲା, ରମେଶ କହିଲା–

ବୋକା-ରାଧୁ ଠିଆହେଲୁ କ’ଣ ? ଆଃ ।’

ଦୁଆର ମୁହଁରେ ଜଣେ ଧ୍ୟାନରେ ଠିଆ ହୋଇଥିଲା । କି ଧ୍ୟାନ ସେ ।

ତା’ର ଚାରିପାଖ ଅନ୍ଧାରଘେରା । ତା’ର ମୁହଁପାଖେ ଅଳ୍ପ ଅନ୍ଧାର ଆଲୁଅ । ତା’ରି ପୃଷ୍ଟପଟ ଅନ୍ଧାର-କାରାଗାର ।

ଅତି ପରିଚିତ ସମ୍ଭାଷଣ ଦେଇ ସେ ଦୁଇ ପାହୁଣ୍ଡ ଆଗେଇ ଆସିଲା, ରମେଶର ପଞ୍ଜାବୀ–ପକେଟ୍ ହଠାତ୍ ଝଣ ଝଣ ହେଲା । ଅତି ସହଜଭାବେ ରମେଶ ଆଗେଇ ଗଲା, କାନ୍ଧ ଉପରେ ଡାକଟାଏ ଫୋପାଡ଼ିଲା,

‘ରାଧୁ !’

ମୁଁ ଅପେକ୍ଷା କଲି ନାହିଁ । ପ୍ରାଣପଣେ ଦଉଡ଼ିଲି, ଚାରିପାଖରେ ଅନ୍ଧାର ମୋତେ ଗ୍ରାସ କରିବାକୁ ଚାହେ, ଏହି କଥା ମୋ’ର ମନର କଥା । ଏଥିପାଇଁ କ’ଣ ମୋ’ର ମନ ଏତେଦିନ ପ୍ରସ୍ତୁତ ହେଉଥିଲା ?

 

ମୁଁ ଦୌଡ଼ିଲି, ଜୀବନରେ ଏପରି କେବେ ଦୌଡ଼ିବାକୁ ପଡ଼ିନାହିଁ । ପାଖରୁ ହସର ଗୋଳ ଶୁଭୁଥାଏ । ହସନ୍ତୁ ସେମାନେ, ମନଇଛା । ମୁଁ ପ୍ରାଣ ପାଇଛି । ବଡ଼ ରାସ୍ତାରେ ଉଜ୍ଜ୍ୱଳ ଆଲୁଅ ପାଖେ ହେଲାବେଳକୁ ମୋର ଛାତି ଦୁଲୁକୁ ଥାଏ, ଝାଳ ଫାଟି ପଡ଼ୁଥାଏ । କାନେ କାନେ କି ଗରମ ! ମନଭିତରେ ଯେପରି କିଏ ଟାପରା କରୁଚି, ‘ତୋ’ର ବୟସ ତେଇଶ, ତା’ର ଷୋହଳ, ତୁ ଶିକ୍ଷିତ, ସେ ଅଶିକ୍ଷିତ, ହାରିଲୁ ତୁ ?’

 

‘ଛି ଛି ନାମରଦ୍‍ !’

କିନ୍ତୁ ହେଉପଛେ ରମେଶ ଗୌଡ଼ବିଜେତା; ମୋର କ୍ଷୋଭ ନାହିଁ; ସ୍ୱୀକାର କରୁଚି ଅନ୍ଧାର ଗଳି ସନ୍ଧିରେ ବୁଡ଼ିଆଣୀ ଜାଲରେ ଛଟପଟ ହେବାର ତୀକ୍ଷ୍‍ଣ ଆନନ୍ଦ, ସେ ବି ଏଇ ଜୀବନର ଖଣ୍ଡେ । ସେଇ ଗଳି, ତା’ଉପରେ ବି ରାତିର ଚାନ୍ଦିନୀ ଜଳେ, ଦିନର ଖରା ନିଆଁ ଜାଳେ । ସେଇ କିଶୋରୀ, ପକ୍ଷୀର କାକଳି ତା କାନରେ ବି ବାଜେ । ବସନ୍ତର ଦମକା ପବନ ତାର ରୁନ୍ଧିଲା ମନର କବାଟରେ ଥିରି ଥିରି ହାତ ମାରି କହିଯାଏ ସେ ବି ମଣିଷ । ତା’ର ବି ସୁଖ ଦୁଃକ ଅଛି । ରମେଶହେରିକାଙ୍କ ପରି ଲୋକଙ୍କୁ ଖୁସି କରିବାଲାଗି ସେ ଖାଲି କଳ ନୁହେଁ, ତାର କ’ଣ ଅତୀତ ନାହିଁ ? ଖୋଜିବା ହଜେଇବା ଏତେବଡ଼ ଦୁନିଆରେ ତାର କ’ଣ କିଛି ସ୍ମୃତି ନାହିଁ, କେହି ନ ଥିଲାବେଳେ ଝରକା ପାଖେ ଠିଆ ହୋଇ ଫମ୍ଫା ରାସ୍ତାକୁ ଅନାଇଁ ଦୀର୍ଘଶ୍ୱାସ ମାରିବାକୁ ।

 

ଛାଡ଼ । ଯେଉଁଠି ଖୋଲା କ୍ଷେତରେ ଆଲୁଅର ଜୁଆର ଛୁଟେ, ସେଠି ଅନ୍ଧାର ନର୍ଦ୍ଦମାରେ ଆଲୁଅର ଧାରା ବିଶ୍ଲେଷି ଦେଖିବା ହୋଇପାରେ, କିନ୍ତୁ ତାର ପ୍ରୟୋଜନ ନାହିଁ ।

 

ସେ ମତେ ପରାଜିତ କରିଥିଲା, ଯାହା ହେଉ ତାର ପରିଚୟ; କିନ୍ତୁ ପରାଭୂତ କରିପାରିନାହିଁ । ପରାଜୟର ଆଘାତରେ ମନ ସବଳ ହୋଇଥିଲେ, ଚାରୁଆଡୁ କିଏ ଯେପରି ଆଲୁଅର ସୁଅରେ ଆଗକୁ ଆହୁରି ଢେଲାଏ ମାରିଥିଲେ । ସହରର ଆଲୁଅ ଢୁଳେଇ ଥିଲା ସତ, ମନର ନିଶାର ଘୋର ମୋ’ର କଟିଯାଇଥିଲା ।

 

ରମେଶ ଉପରେ ମୁଁ ରାଗିଥିଲି ଟିକିଏ, କିନ୍ତୁ ବିଚାର, ତାର ଚାରା କ’ଣ ? ଆଉ ସିଏ–ଯେ ହେଉ ସେ; ଭଗବାନ ତାର ମଙ୍ଗଲ କରନ୍ତୁ ମୋର ଅବଶୋଷ ନାହିଁ ।

 

ଏଇ ମଣିଷ–ତାର ଭିତରଟା ଖାଲି ମାଟି । କେଉଁ ଅଜଣା ଚାଷୀ–ବାହାରେ ବିରାଟ ପ୍ରକୃତିର ପାଗ-ଯୋଗ ଦେଖି ସେହି ମାଟିର କ୍ଷେତରେ ମଞ୍ଜି ବୁଣି ଦିଏ, ଜାତିଜାତିକା ଫୁଲ ଫଳର ମଞ୍ଜି, ବାହାରେ ଆକାଶରେ ଖରା ଲହଡ଼ି ଭାଙ୍ଗେ, ମେଘର ଯୁଆର ଛୁଟେ, କେତେବେଳେ ଖାଲି ଭବନାହୀନ ନିରନ୍ଧ୍ର ଜଡ଼ତା । ସେହି ପାଗଯୋଗର ମଣିଷର ଭିତରେ ମାଟି ଫାଟେ, ମଞ୍ଜି ଗଜା ହୁଏ, ଭିନ୍ନ ପାଗରେ ଭିନ୍ନ ଗଛ ।

 

ରମେଶର କଥା ଗଲା । ସକାଳେ ମୁଁ ବସିଛି ଆକାଶରେ ହାଲୁକା ବଉଦ ତଳେ, ଅବସାଦ ଆଉ ଶାନ୍ତ । ଭାବୁଥିଲି ।

 

ବହୁତ ଦିନ ପରେ କାଲି ଭାଉଜଙ୍କଠାରୁ ଖଣ୍ଡେ ଚିଠି ଆସିଥିଲା, କେତେଦିନ ହେଲା ମୁଁ ଯାଇନାହିଁ ସତ, ତେଣେ ସେମାନେ କୁଆଡ଼େ ରେଣୁକାର ବାହାଘରପାଇଁ ସମ୍ବନ୍ଧ ପଠାଉଛନ୍ତି ।

 

ପହରିଦିନ ଗାଁରୁ ପରିଆ ଭଣ୍ଡାରି ଆସିଥିଲା । କହୁଥିଲା, ବାପା ବୋଉ ମୋ ବାହାଘରପାଇଁ ବଡ଼ ଉଦ୍‍ବିଗ୍ନ, ଏଣେ ଚାକିରିପାଇଁ ଅପେକ୍ଷା କରୁଁ କରୁଁ ଟିଉସନ୍ କରି ମୋ’ର ସମୟ କଟୁଛି, ସନ୍ଧାନ ମିଳିଛି ଗଦେଇ ପଧାନ ଦୋକାନ ପାଖେ, ନାଁ-ଡାକ୍ ଯେଉଁ ହରି ବାବୁଙ୍କ ଘର–ସେଠି ଗୋଟିଏ ଟିଉସନ ଖାଲି ଅଛି । ବଢ଼ିଲା ଝିଅ ।

 

ନୂଆ ବାଇସ୍କୋପ ଆସିଛି, ବନ୍ଧୁମାନେ କହୁଥିଲେ ଭଲ ଆମେରିକାନ୍ ଛବି, ଅନେକ ଲଙ୍ଗଳା ଦେହ ।

 

ପ୍ରସ୍ତାବ ହେଉଛି ଅତିଶୀଘ୍ର ମୁନିସିପାଲିଟିରେ ଗୋଟିଏ ବଡ଼ ମେଳା ହେବ, ବହୁତ-ଆଡ଼ୁ ବିବିଧ ରଙ୍ଗର ଜନ୍ତୁ ଆସିବେ ନିଶ୍ଚୟ ।

 

ଏହିପରି ବହୁତ ଭାବନା, ସ୍ମୃତିର ଘୁଡ଼ିଉଡ଼ା ଖେଳ ।

ପୋଖରୀ ଆଡ଼କୁ ହଠାତ୍ ନଜର ଗଲା, ଦେଖିଲି ଦୂରରୁ ଚିହ୍ନା ବହୁତ ସ୍ତ୍ରୀଲୋକ ଗାଧୋଉଛନ୍ତି । ବଡ଼ ପୋଖରୀକୂଳରେ ମୋର ଛୋଟ ବସାଟି, ପ୍ରତିଦିନ ଏହି ଚଳଚ୍ଚିତ୍ର ଦେଖିବାର ଅଭ୍ୟାସ ହେଲାଣି ।

 

ଦୂରରୁ ସୁନ୍ଦର ଦିଶେ, ନିଶା ବଢ଼େ, ଅଳ୍ପ କେତେଦିନ ତଳର ରମେଶ ସାଙ୍ଗର ସେହି ଅନୁଭୂତି ମନେ ପଡ଼ିବାରୁ ସଙ୍କୁଚିତ ଲାଗିଲା । ଝରକାଆଡ଼ୁ ମୁହଁ ଫେରାଇ ଆଣିଲି, ଲାଗିଲା ଯେପରି କେତେ ଆଖି ଦୂରରୁ ସୁଦ୍ଧା ମୋ’ର ଅସ୍ତିତ୍ୱଟାକୁ ଧରାପକାଇ ଦେବାକୁ ଚାହୁଁଛି । ମନ ସହଜରେ ଭାବିପାରିଲା, ’କିନ୍ତୁ ସେଥିରେ କଅଣ ଅଛି । ଅନେଇବା ଅଧିକାର ସମସ୍ତକର ଅଛି ।’

 

କିଛି ସମୟ ପରେ ବାରିପଟକୁ ଗଲି । ବାରିପଟ କାନ୍ଥରେ ଗୋଟିଏ ଛୋଟ କଣା ଅଛି-। ଠିକ୍ ଏତିକିବେଳେ ସେପାଖେ ଝିଅଟିଏ ଆସି ବୁଲାଚଲା କରେ । ସାମାନ୍ୟ ଟିକିଏ ଉଙ୍କି ମାରିବ-। ସେ ବି ଦଶ ପନ୍ଧର ମିନିଟ୍, ଅଭ୍ୟାସ । କାମ କରୁ କରୁ ଅନେକ ସମୟରେ ସେ ପାଖେ ଘରୁ ସେ ଝିଅର ପାଟି ଶୁଭେ । ବେଳେ ବେଳେ ମୁଁ କାନାଏଁ । ଶୁଭଯାଉଛି–‘ମା ବଟିଆ ହଗିଛି, ଛଞ୍ଚେଇ ହେଉ ନାହିଁ….. ଜିଭ ଛେଲିବି ଦାନ୍ତକାଠି ଦେ...... ହାଣ୍ଡିରେ ବହୁତ କଳା…... ଏ ମାଛବାଲା ଏଗୁଡ଼ାକ ସଢ଼ା ମାଛ, କିଏ କିଣିବ’–ମୋର ମନର ମାଟିର ରଙ୍ଗରଙ୍ଗର ଗଜାପାଇଁ ଏ ସ୍ୱରସଂଗୀତ ବି ସାମଗ୍ରୀ–

 

ମନର ପ୍ରେତ ମନଭିତରେ ବୁଦାଜଙ୍ଗଲରେ ଲୁଚିଯାଏ, ସେ ଭଦ୍ର ମର୍ଯ୍ୟାଦାସମ୍ପନ୍ନ, ତାକୁ ଧରିବ କିଏ ?

 

ଭଦ୍ର ସମସ୍ତେ, ଅଭଦ୍ର ସମସ୍ତେ, କିଏ ବା ନିଜର କର୍ମ-ବିପାକରେ ଧରାପଡ଼ି ଅଭଦ୍ର ହୁଏ, ଆଉ କିଏ ସେ ଭାଗ୍ୟବାନ୍ ଧରା ପଡ଼େ ନାହିଁ ।

 

ନିତି ଦିନର ନିର୍ଘଣ୍ଟ, କାମଭିତରେ କଅଁଳ ମରମ ଅନୁଭୂତିର କେତେ ପ୍ରକାରେ କେଉଁଠି ଲୁଚି ରହେ ଯେ ତା’ର ପତ୍ତା ମିଳେ ନାହିଁ । ଧରାଯାଉ ସେ ଶୋଇଛି, କିନ୍ତୁ ସଚେତ ଅଛି । ହଠାତ୍ ସକ୍ରିୟ କେଉଁ ଉଚ୍ଛ୍ୱାସ ଅଜାଣତରେ ମନଭିତରେ ଉଠିଲା, ମନ ହେଲା ଭାରି ଚଞ୍ଚଳ । ପ୍ରଫେସର କ୍ଲାସରେ ପାଠ ପଢ଼ାଉ ପଢ଼ାଉ ଅବ୍ୟାଜରେ ବ୍ରାଉନିଂଙ୍କର କେଉଁ କବିତା ଉପରେ ଅଧିକ ଚର୍ଚା କରିବାକୁ କାହାର ମନ ହେଲା । କେତେବେଳେ ମନ ହେଲା ଇଂରେଜ କବି ମିଲ୍‍ଟନ୍‍ଙ୍କର ସଇତାନର ପଟ ନେଇ ଭଗବାନଙ୍କ ଉପରେ କଥା ଝାଡ଼ିଦେବାକୁ । ଏ ସବୁ ପ୍ରକାର ପ୍ରବୃତ୍ତିର ମୂଳରେ ମଧ୍ୟ ସୁଷୁପ୍ତ କ୍ରିୟାଶୀଳ ମରମ ଅନୁଭୂତି ।

 

କାମ ଶେଷ, ସଞ୍ଜ, ନଈକୂଳରେ ବିଶିଷ୍ଟ ବେଦୀ, ନିତି ଦିନର ଦେଖା-ଚିହ୍ନା ବନ୍ଧୁ-ବାନ୍ଧବ-। ନଈବାଲି ଉପରେ ନଈବନ୍ଧ ଉପରେ ଏହି ବେଳର ସେହି ପୁରୁଣା ଛବି, ସ୍ତ୍ରୀ ଆଉ ପୁରୁଷ, ସେହି ପାଉଡ଼୍‍ରମଖା ମୁହଁ, ସେହି ରଙ୍ଗିନ୍ ବ୍ଲାଉଜ୍, ଶାଢ଼ିର ସେ ବିଚିତ୍ର ଧଡ଼ି, ସେହି ଭଙ୍ଗୀ, ହାତହଲା, ରୁମାଲ ହଲା, କାନର ‘କାନ-ପଶା’, ହାତର ‘କଙ୍ଗନ୍’, କପାଳର ସିନ୍ଦୂର-ଟିପା । ପବନର ଉଡ଼ନ୍ତା ହସ, ନିଛାଟିଆ ସିଟିମାରି ନୀରବ ସାଧକ, ଦେଖଣାହାରି, ମରୀଚିକା, ଆଉ ଫଗୁ ଖେଳ ।

 

ଏ ବି ନିତି ଦିନର, କିନ୍ତୁ ଏହି ସ୍ମୃତି, ୟାର ବି ମୁହୂର୍ତ୍ତ ଅଛି, ଯେତେବେଳେ ସବୁ ଚପେଇ ଦେଇ ରେଣୁକା, କନକଲତା ଆଉ ମଞ୍ଜୁଳିକା ସମସ୍ତଙ୍କର ଉପରେ ଏ ରାଜତ୍ୱ କରେ ।

 

ମଣିଷର ମନ,–ବିଚିତ୍ର ।

ବଡ଼ ସହର,–ଏଠି ଧୂଳି ମଳି, କାଦୁଅ ଅଳିଆ, ଗଳିଏ ଗଳିଏ । ଏଠି ଘରସବୁ ଗେଞ୍ଜାଗେଞ୍ଜି, ମେଞ୍ଚିମାଞ୍ଚି, ଏଠି ରାସ୍ତାରେ ଠେଲାଠେଲି ଲୋକ, ବେଦରଦୀ ବେପାରିମନ ତାଙ୍କର, କାହାରି କାହାରିକୁ ନିଘା ନାହିଁ, ନିଜେ ନିଜ ଧନ୍ଦାରେ ସମସ୍ତେ ବ୍ୟସ୍ତ । ଏଠି ଗାଁର ଶିରୀ ନାହିଁ, ଗେଷ୍ଠୀର ସ୍ନେହ ନାହିଁ, ଖାଲି ଗୋଟାଏ କାରଖାନା, ଯେଉଁଠି ଗୋଟାଏ ବଡ଼ କଳ ଭିତରେ ଆଉ ସମସ୍ତେ ଖଲି ସାନ ସାନ କଳ ।

 

ଏଇ ବଡ଼ ସହରରେ ଆମର ସମୟ କଟେ, ଦୁଃଖରେ ପୋଡ଼ି ହୋଇ, ଅଭିମାନରେ ସନ୍ତୁଳି ହୋଇ, କିନ୍ତୁ ୟାର ଭିତରେ ଆମେ ଆମର ଘରକରଣା ତିଆର କରି ନେଉଁ, ଆଶ୍ରମର ଶାନ୍ତି ପାଉଁ, ମନକୁ ଭୁଲେଇ ରଖି ପାରୁଁ । ୟାରି ଭିତରେ ଆମର ଭଲପାଇବାର ଜୁଆର ବେଶ୍ ସୁନ୍ଦର ଭାଙ୍ଗେ, ମଣିଷପଣିଆଁର ସବୁ ପ୍ରବୃତ୍ତି ଅଭିଳାଷ ଆମେ ସାର୍ଥକ କରୁଁ, କିଛି ଅଟକ ରହେ ନାହିଁ ।

 

ଆମର ଦରକାର ହୁଏ ନାହିଁ ସମୁଦ୍ରକୂଳରେ ବାଲିଚରା, ନିଛାଟିଆ ଡାକବଙ୍ଗଳା ବା ଆମ୍ବତୋଟା । ଏଠି କୋଇଲି ନାହିଁ, ଡାହୁକ ନାହିଁ, ସୌଖୀନ୍ ସୂର୍ଯ୍ୟାସ୍ତ ନାହିଁ । ସବୁ ଧୂଆଁ ଆଉ ଧନ୍ଦା ଆଉ ଧୂଳି । ତଥାପି ବେଶ୍ ଚଳେ ।

 

ନାନୀ, ମାଉସୀ, ଭାଉଜ, ମାଇଁ, ଅପା–ଏମାନେ ଯେ ଖାଲି ଗାଁରେ ଥାଆନ୍ତି ଭାବିବା ଭୁଲ । ସବୁଠି ଥାଆନ୍ତି, ସହରରେ ବହୁତ । ସେମାନଙ୍କର ତାଲିକା ଦେବି ନାହିଁ, ଆସନ୍ତୁ ଯେ ଯେତେବେଳେ ଖୁସି, କିନ୍ତୁ ତାଙ୍କର ସ୍ନେହ ଆଦର ଅସ୍ୱୀକାର କଲେ ଜୀବନଗୋଟାକୁ ନାସ୍ତି କରିଦେବାକୁ ପଡ଼ିବ । ଆଜି ଏ ବୃଦ୍ଧ ବୟସରେ ତାଙ୍କୁ ବି ରାଧେଶ୍ୟାମ ସ୍ମରଣ କରୁଛି, ସେ ଅକୃତଜ୍ଞ ନୁହେଁ । ସେହିପରି ସହରର ଭାଇ ପୁଞ୍ଜା ପୁଞ୍ଜା ଏବଂ ଅନରେରି ଶଳାମାନେ ଏବଂ ଭିଶୋଇମାନେ । ପ୍ରତ୍ୟେକ ସମୟରେ ପ୍ରତ୍ୟେକ ବସ୍ତୁର ଉପାଦେୟାତା ଅଛି, ଆବଶ୍ୟକ ଅଛି, ସେମାନେ ବି ସ୍ମରଣୀୟ ।

 

ବନ୍ଧୁ ରାଘବ ଆସେ, କହେ, ରାଧେଶ୍ୟାମ, ଆସିଲୁ ନାହିଁ ଆମ ଘରକୁ ? ସେ ଖୁସମିଜାଜୀ ଲେକ । ଘରେ ବୋଉ ଆଉ ଭଉଣୀ-ମାଧବୀ । ସେ ମୋ’ର ଜାତି ନୁହେଁ, ତା ସହିତ ମୋର ବନ୍ଧୁ-ବାନ୍ଧବ ସମ୍ପର୍କ ଗଢ଼ିବା ଅସମ୍ଭବ । କିନ୍ତୁ ସେ ମୋର ଗୋଟିଏ ଭାଇ ପରି,–ସେତେବେଳେ ହୋଇଥିଲା ।

 

ରାଘବ-ବୋଉ କେଡ଼େ ସ୍ନେହରେ କଥାଭାଷା କରନ୍ତି । ତାକୁ ବାତଜର ହୁଏ, ମୁଁ ନାନାପ୍ରକାର ପ୍ରବୋଧ ଦେଇ ଔଷଧ ବତାଏଁ । ଗୋଟାଏ ପାଖେ ମାଧବୀ ବସି ତାର ପଢ଼ାବହିରେ ମନ ଦେବାକୁ ଚେଷ୍ଟା କରୁଥାଏ । କେତେଥର ମୁଁ କବାଟରେ ବାଡ଼େଇଲେ ମାଧବୀ ବସି ଡିବିରିଟିଏ ନେଇ ଆସି ହସି ହସି କବାଟ ଫିଟେଇ ଦେଇଛି । ସବୁଦିନେ ତାର ସେହି କଥା, ‘ରାଧୁଭାଇ, ତୁମ କବାଟ ବାଡ଼ିଆରୁ ମୁଁ ଜାଣି ନେଇଛି କିଏ ତୁମେ ।’ ରାଘବ ନ ଥିବ, ବାହାରେ କିଟିକିଟିଆ ଅନ୍ଧାର ରାତି, ଭିତରେ ନିଛାଟିଆ, ବଖରାଏ ଖାଲି ଘର ଆଉ ଗୋଟାଏ ଦୁଆର ଟପିଲେ ଯାଇ ରହିବା ଘର, ମୁଁ ଆଉ ମାଧବୀ ହସଖୁସ୍‍ରେ କଥାଭାଷା ହୋଇ ହୋଇ ଭିତରକୁ ଯାଉଁ । ରାଘବ-ବୋଉ ସବୁଦିନେ ମୋର ବୋଉ ପରି, ଆଉ ମାଧବୀ ମୋର ସାନ ଭଉଣୀ ପରି ।

 

କେବେ ଦିନେ ସୁଦ୍ଧା ଛନ ଛନ ଲାଗିନାହିଁ, ଲାଗୁଥାଏ କି ପବିତ୍ର ସେ । ଲାଗୁଥାଏ ସହାନୁଭୂତି ମିଶା ସ୍ନେହ ।

 

ସେମାନେ ଗରିବ, କେତେ ବର୍ଷ ଇସ୍କୁଲରେ ପଢ଼ିଲାପରେ ଦରମା ଦେଇ ନ ପାରି ମାଧବୀର ନାଁ କଟିଯାଇଥିଲା । ପଢ଼ିବାକୁ ତାର ଭାରି ମନ, ବାସନ ମାଜି ରେଷେଇ କରି ଘର-ସମ୍ଭାଳି ଯେତେବେଳେ ସେ ଟିକିଏ ସମୟ ପାଏ, ତାର ଫୁଗୁଳା ବହିଗୁଡ଼ାକ ଆଗରେ ବସେ, ଆଉ ପୁଣି ପୁଣି ସେଇଆକୁ ପଢ଼େ । ବେଳେବେଳେ ସମୟ ପାଇଲେ ମୁଁ ଯାଇ ତାକୁ ଏଣୁ ତେଣୁ ପଢ଼େଇ ଦେଇ ଆସେଁ । ତାର ବୋଉ କହନ୍ତି, ‘ପ୍ରାଇଭେଟ୍‍ରେ ପରୀକ୍ଷା ଦବ ବୋଲି କହୁଚି ଯେ, କିଏ ପଢ଼େଇଦେବ କହ ? ରାଘବଟା ତ ଯୋଉ ଚଗଲା ତୁମେ ଜାଣିଛ ।’

 

ରାଘବ ବି ଅଧାପାଠୁଆ, ବିଚାର ଗରିବ, ଗୋଟିଏ ଓକିଲ ପାଖେ ଛୋଟିଆ ଶିରସ୍ତା-କିରାନି, ସେଇଥିରୁ ଯାହା ଦି ପଇସା ପାଏ, ତହିଁରେ ଦେଖା ପଡ଼ିଗଲେ ବନ୍ଧୁମାନଙ୍କୁ ଖିରମୋହନ୍ ଖୋଇ ସରବତ୍‍ ଖୋଇ ଖାଲି ପକେଟ୍‍ରେ କେବେ କେବେ ଘରକୁ ଫେରେ ।

 

ଏ ଘରେ ମତେ ଆପଣାର ଲାଗେ । ଚାରିଆଡ଼ୁ ଠେଲାଖାଇ ଘାଉଲି ହେଇ ଏଠିକି ମୁଁ ବେଳେବେଳେ ଆସେ, ମାଧବୀକୁ ଜବରଦସ୍ତି ପାଠ ପଢ଼ାଏ, ଆଉ ଗପ କରେ, ରାଘବ ଥିଲେ ଭଲ, ନଇଲେ ନାହିଁ ।

 

ଧୀରେ ଧୀରେ ମୋ’ରି ଆଖି ଆଗରେ ମାଧବୀ ବଢ଼ି ଯାଉଛି, କିନ୍ତୁ ସ୍ୱାସ୍ଥ୍ୟ ନାହିଁ । ଗାଲ ପଶି ଯାଉଛି, ଆଖି ତଳେ କାଳିଆ ଛାଇ । ତାକୁ ଦେଖିଲେ ଦୁଃଖ ଲାଗେ । ତାର ସ୍ୱାସ୍ଥ୍ୟ ଉନ୍ନତି କରିବାକୁ ଉପଦେଶ ମୁଁ କମ୍‍ ଦିଏ ନାହିଁ ।

 

ବେଳେବେଳେ ଯାଚି ଯାଚି ମୋର ଉପଦେଶଗୁଡ଼ାକ ତା’ଉପରେ ଅଜଡ଼ି ଦେଲାବେଳେ, ପଢ଼ାଶୁଣା ବିଷୟରେ, ଭବିଷ୍ୟତରେ ସାତ ପାଞ୍ଚ ବିଷୟରେ ଦୀର୍ଘ ବକ୍ତୃତା ଦେଲାବେଳେ, ସମୟ ସମୟରେ ମାଧବୀ ଅମାନିଆଁ ହୁଏ, ପାଖରେ ବସି ରହିବାକୁ ଚାହେଁ ନାହିଁ । ମଝିରେ ମଝିରେ ଚାଇଁ କରି ସେ ଅନେଇଁ ଦିଏ, ସେ ଦୃଷ୍ଚିର ଅର୍ଥ କ’ଣ ଠିକ୍ ଚିହ୍ନା ପଡ଼େ ନାହିଁ ।

 

ଏହିପରି ଦିନେ ଦିନେ ତା କଥା ମୁଁ ବେଶି ଭାବେଁ । ଇଛା ହୁଏ ତା’ର ଭଳ କରନ୍ତି–କେମିତି କେମିତି ହେଲେ ପ୍ରକୃତରେ ତା’ର କାମରେ ଆସନ୍ତି । ସବୁ ଇଛା ହୁଏ, କିଛି କରିପାରେ ନାହିଁ ।

ଏହିପରି ମାସେ ମାସେ ରାଘବ ଘରଆଡ଼କୁ ମୁଁ ଆଦୌ ଯାଏ ନାହିଁ । ବାର ଧନ୍ଦା ଭିତରେ ତାଙ୍କ କଥା ମୁଁ ପ୍ରାୟ ପାସୋରି ପକେଇ ଥାଏଁ । ଯେତେବେଳେ ଥରେ ଯାଏଁ, ଯାଏ ଏକାଠି ଲାଗେ ଲାଗେ ସାତ ଦିନ ଆଠଦିନ । ପହିଲା କେଇଦିନ ହସ ଖୁସି, ପଛକୁ ପଛକୁ ତାଙ୍କର ପ୍ରଶ୍ନ ସବୁ ମୁଁ ମନଭିତରେ ବୋଝେଇ କରେଁ, ଶେଷ ଆଡ଼କୁ,–ମୋର ସ୍ନେହର ଭଉଣୀଟି ମାଧବୀ, କେମିତି ନରମ ହୋଇ ଆସେ, ମୁଁ ବି ଖରା ଆଡ଼କୁ ଅନେଇଁ ଥାଏଁ, କେମିତି ଛାଇ ନେଉଟିଲେ ମୁଁ ତାଙ୍କ ଘରକୁ ଯିବି । ପୁଣି ଦି ଦିନ ତିନିଦିନ ମୋର ବକ୍ତିମା, ମାଧବୀର ଅସ୍ୱସ୍ତି ଆଉ ତାର ସେ ବିଚିତ୍ର ଚାହାଣୀ, ଯାହାର କଷଟିରେ ମୁଁ ଆପଣାକୁ କଳି ଦେଖେଁ ଯେ ମୋର ସବୁ ଖାଲି ବାଜେ କଥା, ମୁଁ ମୁର୍ଖ, ମୁଁ ଅପାରାଗ । ମନ ଭିତରେ ଛିଣ୍ଡିଲା ପରି ଲାଗେ, ମୁଁ ପଳେଇ ଆସେଁ ।

ଦିନାକେତେ ହେଲା ମୋର ଝୁଙ୍କ ଲାଗିଛି, ମାଧବୀ ପାଇଁ ବରପାତ୍ର ଖୋଜିବା । ସହରର ଅନେକ ଅଭାଗାକୁ ମୁଁ ଚିହ୍ନେ, ଯେଉଁମାନେ ମୋ’ର ପରି । କଥା ପ୍ରସଙ୍ଗରେ ସୋମାନଙ୍କର ବିଭାଘର କଥା ଉଠାଏ । କାହାଠୁଁ କେବଳ ଟିକିଏ ଭରସା କଥା ଶୁଣିଲେ ରାଘବ ଘରକୁ ଯାଏ, ଅନେକ ସମୟ ରାଘବ–ବୋଉ ଆଉ ମୋର ଏକାଠି କଟେ, ଖାଲି ତର୍କ ଆଉ ଆଲୋଚନା । ବାରମ୍ବାର ତାଙ୍କ ମୁହଁରେ ମାଧବୀର ଗୁଣକୀର୍ତ୍ତନ ମୁଁ ଶୁଣେଁ, ମତେ ଖୁସିଲାଗେ । ଏହିପରି ଘଣ୍ଟାଏ ଦି’ଘଣ୍ଟା ମାଧବୀ ବିଷୟରେ ଚର୍ଚ୍ଚା ଆଉ ଧ୍ୟାନରେ କଟେ, ମତେ ଭଲ ଲାଗେ ଏହିପରି ଭାବ, ଯେ ସେ ଘରେ ମୁଁ ମାଧବୀର ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରୁଛି, ମୋର ଶ୍ରମ ନିତାନ୍ତ ନିଷ୍କାମ, ମୁଁ ପରର ଉପକାର କରୁଛି ।

ମୁଁ ତାର ବାହାଘର ଠିକଣା କରିଦେଇ ପାରିବି, ପ୍ରକୃତରେ କେବେ ମୋର ନିଜର ବିଶ୍ୱାସ ହୋଇନାହିଁ ।

କାହିଁକି ତେବେ ମୁଁ ସେ ବିଷୟରେ ଏତେ ଆନ୍ଦୋଳନ କରେ ?

ମୁଁ ଜାଣେ ନାହିଁ ।

କିନ୍ତୁ ନିରୋଳାରେ ବସି ସ୍ୱପ୍ନ ଦେଖିବାକୁ ମୋତେ ଭଲଲାଗେ । ଭାବି ଭାବି ସକେଇ ହେବାକୁ ମତେ ଭଲ ଲାଗେ, ଯେ ‘ଆହା ମାଧବୀ ! ଗରିବ ମାଧବୀ–ମୋର ସାନଭଉଣୀ ପରି ମାଧବୀ ! ମାଧବୀ ରଙ୍ଗ ଲୁଗା ପିନ୍ଧିଛି, ମୁଣ୍ଡରେ ସିନ୍ଦୂର, ହାତରେ ଶଙ୍ଖା, ମାଧବୀ ବାହାହୋଇ ଯାଇଛି ଘର ସଂସାର କରିବାକୁ । ଶକୁନ୍ତଳାଙ୍କ ବିଦାବିଦିବେଳେ କଣ୍ୱ ଋଷିଙ୍କ ପରି ମନର ପ୍ରବୃତ୍ତି କରି ମେଘୁଆ ଆଖିରେ ଶୂନ୍ୟକୁ ଚାହିଁ ମୁଁ ସକେଇ ହୁଏ,–ମାଧବୀ କାନ୍ଦି କାନ୍ଦି ଯାଉଛି ମୋ ଦେହରେ ଆଉଜି ପଡ଼ି କଇଁ କଇଁ ହୋଇ କାନ୍ଦୁଛି, ଗଲାବେଳେ ହାତ ମୁଠାରେ ଜାବ ପକେଇ ମୋର ପାପୁଲିକୁ ମୁଠେଇ ଧରିଛି, ତାର ବଡ଼ ବଡ଼ ଆଖିରୁ ଲୁହ କେରା କେରା ଗଡ଼ିପଡ଼ିଛି, ମୁଁ ବି କାନ୍ଦୁଛି ।

ଏହିପରି ଭାବିବାକୁ ଭଲ ଲାଗେ, ସହରର ଧୂଳି ଧୂଆଁର ଅନିଶ୍ଚିତ, ଆବରଣ କୁଆଡ଼େ ଭାସି ଚାଲିଯାଏ, ମୋର ନିଃସ୍ୱର୍ଥ ମନ ପୂଜା ଖୋଜେ, ପୂଜା ପାଏ, ସମୟ କଟିଯାଏ ।

ମାଧବୀ–ଆଜି ସେ କେଉଁଠି କିଛି ଖବର ମୁଁ ରଖିନାହିଁ, କେହି ରଖନ୍ତି ନାହିଁ । ସେତେବେଳେ ଯେ ବଡ଼ ଦିଶୁଥିଲା କେଇଟା ମୁହୂର୍ତ୍ତରେ ହେଉ, ଆଜି ସେ ନାହିଁ । ସେତେବେଳେ ସେ ସବୁ ହୋଇଥିଲା, ଆଜି ସେ ମୋର କେହି ନୁହେଁ । ମୁଁ ତାର ଭାଇ ନୁହେଁ, ସେ ମୋର ଭଉଣୀ ନୁହେଁ । କେହି କାହାର କିଛି ନୋହୁଁ ।

ମୁଁ ତାର ବାହାଘର ଠିକ୍ କରିବା ପାଇଁ ଏତେ ଯେ ଧାଁ ଧପଡ଼ ଲଗେଇ ଦେଉଥିଲି ସେ ଖାଲି ମୋର ମନର ଓରମାଣ ମେଣ୍ଟେଇବା ପାଇଁ । ସେଥିପାଇଁ ପରା, ମୋର ଏତେ ସମୟ ଏତେ ବଳ ମୁଁ ଖଚର୍ଚ କରିଥିଲି, ସେ ଖୁସି ହେଉଥିଲା, ମୁଁ ଖୁସି ହେଉଥିଲି । ସେ ବେଳ ଗଡ଼ିଯାଇଛି । ଏତେ ସକ ଏତେ ସରାଗ ସବୁ ବାମ୍ଫ ହୋଇ ଉଡ଼ିଯାଇଛି କୁଆଡ଼େ ଆଜି ଖୋଜିଲେ ଆଦରି ହେବନାହିଁ, ବୁଢ଼ା ଦେହରେ ଟୋକା ଅଭିନୟ କଲାପରି ଦିଶିବ । ଯାହା ଯାଇଛି ଯାଉ ।

ଏକା ଏଇ ମାଧବୀ ନୁହେଁ, କିଏ କେତେ ଥିଲେ, ଭାବି ବସିଲେ ଗୋଟାଏ ଚଳଚ୍ଚିତ୍ର ।

ମାଧବୀର ଅନେକ ବହିରେ ମୋର ହାତଲେଖାରେ ତାର ନାଁ ଆଉ କ୍ଲାସ ଲେଖାହେଇଥିଲା । ସେତେବେଳେ ଦଖଲ ଜ୍ଞାନ ମୋର ତା ପ୍ରତି ଥିଲା, ମୋ ମନର ସବୁ ସ୍ନେହ ଝାଡ଼ଝୁଡ଼ କରି ମୁଁ ଅତି ଶରଧାରେ ତା’ର ନା ଲେଖି ଦଉଥିଲି, ବଡ଼ ଆହ୍ଲାଦରେ ତାର ନୂଆକିଣା ବହିଗୁଡ଼ିକ ସେ ମୋ ଆଡ଼କୁ ମୋହିଁ ଧରୁଥିଲି, ମୁଁ ନା ଲେଖି ନ ଦେଲେ ବହି ପଢ଼ିବାକୁ ତାର ମନ ଯିବନାହିଁ ସତେ କି ।

ଆଜି ମାଧବୀ ହଜିଛି, ତାର ବହି ହଜିଛି, କେତେ ଅଜଣା ନାଁ ଅଜଣା ହାତ ଅକ୍ଷର ତଳେ ମୋର କରଣିର ସବୁ ଚିହ୍ନ ସେଠି ଛପି ଯାଇଥିବ, ନିଜେ ମୁଁ ବି ନିଜକୁ ସେଠି ଦେଖି ଚିହ୍ନି ପାରିନାହିଁ ।

ଉଡନ୍ତା ଖଇ !

ଆଜି କହୁଚି ଗୋବିନ୍ଦେ ସ୍ୱାହା–ସେତେବେଳେ କହିବାକୁ ସତ ବଳୁ ନ ଥିଲା ।

ଟାଆଁସିଆ ଖରାବେଳେ ମନ ଭିତରେ ଜଳି ପୋଡ଼ି ଯାଏ । ହସ ସେତିକିବେଳେ । କଳପରି କାମ କରିହୁଏ । ଖରା ଶେଷରେ ବେଳବୁଡ଼େ, ଆସେ ଫମ୍ପା ମନର ଗହ୍ୱର କଳିବାକୁ ପ୍ରବୃତ୍ତି, ତା’ପରେ ଉଦାସ ସଞ୍ଜ । ବରଷାରେ ଭାବ ଉପୂଜେ । ଫମ୍ପା ଭିତରେ କଢ଼ୀ ଫୁଟେ, ଅଭାବ ହୁଏ ଭାବନର ସୁଅ । କେବଳ ବାରମାସର ତେର କବିତା ନୁହେଁ, ସେ ତ ଅତି ସ୍ୱାଭବିକ, ଭାବି ବସିଲେ ବୁଝିହୁଏ ଭଞ୍ଜ କବିଙ୍କର ଋୁତୁ ବିଶେଷର ଧାରଣ, ଓ କଳ୍ପନା । ଆଲୁଅର ତେଜ, ପରିସ୍ଥିତିର ଛାଇ, ସ୍ଥାନର ଦ୍ୟୋତନା, ଘଟନାର ଚମକ–ଗୀତ, ବାଜା, ବିଳାପ, ଦୁଃସମ୍ବାଦ,–ସ୍ଥୂଳ ଦେହଭିତରେ ବରଡ଼ା ପତ୍ର ପରି ଥର ଥର ଭାବନା ଗୁନ୍ଥିବାର ସରଳ ପର୍ଦ୍ଦା,–ନିଜେ ନ ଜାଣି ନାନା ରାଗିଣୀରେ ମଣିଷ ଗୀତ ବୋଲେ, ।

ମନ ଭିତରେ ଅନ୍ଧାରିଆ ଗୁମ୍ପା ଚିରଦିନ ଅନ୍ଧାର । କବାଟରେ ଶିଙ୍କୁଳି ।

ସେଇ ପର୍ଦ୍ଦାରେ ସବୁ ଭାବନା ଭିତରେ ଢାଳି ହୋଇଯାଏ କେତେ କେତେ ସ୍ନେହର, ଭଲ ପାଇବାର, ଚାପି ଧରିବାର ଅଦ୍ଭୁତ ଧାରଣା, କେତେ ଅନୁଭୂତି ଲଦାଲଦି, କେତେ ଛବି କଟାକଟି । ମନ ଭିତରର ଅନ୍ଧାରି କଣ ଭିତରେ ଅସଂଖ୍ୟ ଜନ୍ତୁଙ୍କର ମୁହଁ ଦିଶି ପୁଣି ଲୁଚିଯାଏ । ସମୟ ଯାହା ହେଉ, ପରିସ୍ଥିତି ଯାହା ହେଉ, ଫଳିତ କ୍ରିୟା ଯାହା ହେଉ, ମନ ଭିତରେ ଅନ୍ଧାର ଚିଡ଼ିଆଖାନା ସବୁବେଳେ ପୂର୍ଣ୍ଣ, କେବେ ଫାଙ୍କା ନୁହେଁ ।

ସ୍ୱପ୍ନ ! କେବଳ ଗୋଜିଆ ପର୍ବତ ଆଉ ଶାଉଁଳିଆ ପାହାଡ଼ର ଢାଲୁ । ଆଉ ଅନ୍ଧାରରୁ ଗହ୍ୱର ଭିତରେ ସୁଲୁ ସୁଲୁ ପାଣି । ଉଚ୍ଚ ଖାଲ, ମନ୍ଦିର ଆଉ ପୋଖରୀ, ଗଛ ଆଉ ଧାନକ୍ଷେତ, ବାହାରର ପୃଥିବୀରୁ ମନର ଛପିଲା ଇଛା ଅନୁଯାୟୀ ରୂପାନ୍ତର ଚିତ୍ର ।

 

ସେଇ ସେ ସ୍ୱପ୍ନର ଦେଶ ।

ଏଠି ଆକାଶରେ ଶାଢ଼ିର ଧଡି ଦିଶେ, ନାନା ବର୍ଣ୍ଣର କିଶୋରୀ ଦିଶନ୍ତି, ଘୁଡି ପରି ଉଡ଼ିବୁଲନ୍ତି, କାହାର ମୁହଁର ଦେହର ବିଶିଷ୍ଟ ବିଶିଷ୍ଟ ଛାଇ, କାହାର ଆଖି ଯୋଡ଼ିକ, କାହାର ଗଭାରୁ ଫାଳେ, କାହାର ନାକ, କାହାର ଓଠ, ସେଠି ଏଇ ଭଗ୍ନାଂଶ ଦିଅନ୍ତି ।

 

ଯେ କୌଣସି ଅଂଶକୁ ନିରେଖି ଦେଖିଲେ ଆକାଶରେ ରଙ୍ଗ ବଦଳିଯାଏ । ଋତୁ ବଦଳିଯାଏ ।

 

କାହା ଚିନ୍ତାରେ କୋଇଲି ବୋବାଏ । କାହା ଚିନ୍ତାରେ ଡାଆଣିଆଁ ଖରାରେ ଲୋଟଣୀ ପାରା ସାଧନ ଭାଙ୍ଗନ୍ତି ।

 

ଯେତେବେଳେ ମଣିଷ ନିଜର ସବୁଯାକ ଭଲପାଇବାରୁ ବେଶି ଭାଗ କୌଣସି ଗୋଟିଏ ନାରୀ ଉପରେ ଅଜଡ଼ା ଦେଇ ନ ଥାଏ, ତା’ର ପ୍ରବଣତା ଥାଏ ଅତି ଅଧିକ । ଦେହ ତା’ର ସ୍ଥାଣୁ ହେଲେ ସୁଦ୍ଧା ତା’ର ମନ ଦର୍ପଣରେ ଛାଇ ପଡ଼ିବାକୁ ସେ ରୋକି ପାରେନାହିଁ । ଦର୍ପଣ ତାର ଜଳକା ହୋଇ ନ ଥାଏ ।

 

ସବୁ ଛାଇ ଚାଲିଯାଏ, ଅଶେଷ ପ୍ରବଣତାର ଶେଷ ହୁଏ । ଫାଙ୍କା ଗୁହାଳରେ ତୁଛା ଗୋରୁ–ବନ୍ଧା ଖୁଣ୍ଟଗୁଡ଼ାକ ଗଣି ଗଣି ମଣିଷ କହେ, ଉଡ଼ନ୍ତା ଖଇ, ଗୋବିନ୍ଦେ ସ୍ୱାହା, ଆପଣାକୁ ବୋଧଶୋଧ କରି ସେ ଶାନ୍ତ ହୁଏ ।

 

ସେତେବେଳେ ସେ ଢୋଲ ପିଟି ପିଟି ବଡ଼ ପାଟିରେ ପ୍ରଚାର କରିବସେ, ସେ ସ୍ଥବୀର, ସେ ପ୍ରବୀଣ, ସେ ଋଷି,ସେ ସ୍ଥିତପ୍ରଜ୍ଞ । ସେତିକିବେଳେ ତାକୁ ଅବସର ମିଳେ ବର୍ଦ୍ଦିଷ୍ଣୁ (?) ସମାଜ ପାଇଁ ଶାସନ ଖସଡ଼ା ତିଆରି କରିବାକୁ, ସେତିକିବେଳେ ସେ ମାନ ଖୋଜେ, ଅପମାନ ବୁଝେ, ବସି ବସି ଅଙ୍କ କଷି ତିଆରି କରେ ବଡ଼ ବଡ଼ ଫର୍ଦ୍ଦ,ବ୍ୟାକରଣ ଲେଖେ ।
 

ସାନ ସାନଙ୍କ ଦଉଡ଼ ଧାପଡ଼ା ହାତ ଛଟାଛଟିକୁ ସେ ହେୟଜ୍ଞାନ କରେ । କହେ ‘ଜଗତ୍ ମରଣଶୀଳ, ସଂସାରରେ ଦୁଇପଦ, ପାପ ଆଉ ପୁଣ୍ୟ, କାମନା ତ୍ୟାଗକର, ଗୋଟାଏ ହାତରେ ଧର୍ମର ଠେଙ୍ଗା ଓ ଆର ହାତରେ ପୁଣ୍ୟର ଟର୍ଚ୍ଚ ଲାଇଟ୍‍ ଧରି କର୍ତ୍ତବ୍ୟ ପଥରେ ଏକ ମୁହାଁ ହୋଇ ଶୂନ୍ୟ ଆଡ଼କୁ ପ୍ରାଧାବିତ ହୁଅ ।

 

ସେହି ବେଳେ, ଯେତେବେଳେ ଥୋମଣି ତଳେ ଦ୍ୱିତୀୟ ଚିବୁକ ବାହାରେ, ଦେହରେ ଚର୍ବିଲାଗେ, ପେଟ ଓହଳେ ।

 

ଏହିମାନଙ୍କୁ ଅବହେଳା କରି ଯେ କବିତା ଲେଖେ, ସେ ଦୁଃସାହସିକ, ସେ ଚାରିଦଉଡ଼ି କଟା, ତାର ଭାଗ୍ୟ ଅନିଶ୍ଚିତ । କାରଣ ଏହି ପ୍ରଜ୍ଞମାନେ, ସ୍ଥାବରମାନେ ପୃଥିବୀର ଅନ୍ନର ଭଣ୍ଡାରେଇ ତରୁଣର ଅଭିଯାନକୁ ଏମାନଙ୍କର ଏକମାତ୍ର ଅମୋଘାସ୍ତ୍ର ପଡ଼ିକାଟ୍ । ତରଳ ସରଳ ସାହିତ୍ୟକୁ ଚୁଲୀରେ ବସେଇ ଏମାନେ କରନ୍ତି କାଠୁଆ, ଏମାନେ ଆଇନ୍ ଗଢ଼ନ୍ତି, ଯେଉଁଥିରେ ତରୁଣର କଳ୍ପନାରେ କାଠର ଗୋଡ଼ ଲାଗେ, ସେ ଖଟ୍ ଖଟ୍ କରି ମାଟିରେ ଚାଲେ । ଅନୁସନ୍ଧାନର ନୂତନ ଶୈଳୀକୁ ଏମାନେ ନାଲି ଆଖି ଦେଖାନ୍ତି, ଏମାନଙ୍କର ଅସ୍ତ୍ର ଆଇନ୍, ଧରପଗଡ଼ ।

 

ଯାହା ସେମାନେ ପାସୋରିଛନ୍ତି, ତାହା ଏମାନଙ୍କୁ ସ୍ମରଣ କରାଇ ଦେବାକୁ ଏମାନେ ପାପ ବୋଲି ମଣନ୍ତି । ଆପଣା ବିରୁଦ୍ଧରେ ଏହିପରି ଏମାନଙ୍କର ଅଭିଯାନ ।

 

ଆଷାଢ଼ ଆସିଥାଏ, ପହିଲି ପହିଲି ହାତୀଶୁଣ୍ଢଆ ମେଘ ପଛେପଛେ ଝୁରୁଝୁରୁ ହାଲୁକା ମେଘ । ସେଇ ଧୋବ ଫରଫର ଝୁରୁଝୁରା ଭିତରେ ପହଁରି ପହଁରି ଦିନେ ସକାଳୁ ସକାଳୁ ଗାଡ଼ିଟିଏ ଆସି ପହଞ୍ଚିଲା ଆମର ପଡ଼ିଶା ବସାରେ । ପୁରୁଣା ଭଡ଼ାଟିଆ କେଉଁଦିନୁ ଉଠିଯାଇ ଥାନ୍ତି । ନୂଆ ଭଡ଼ାଟିଆ ଓହ୍ଲେଇଲେ।

 

ଛୋଟିଆ ହୋଇ ମଝି ଦାଣ୍ଡରେ ଗୋଟିଏ କୋଠାଘର, ଛାତ ଉପରକୁ ଉଠିବାକୁ ସିଢ଼ି ଅଛି । ସାମ୍ନାରେ ଗୋଟିଏ ଆଲୁଅ ଖୁଣ୍ଟି ।

 

ଏଠି ଆଗେ ଯେଉଁ ପରିବାର ଥିଲେ ପୃଥିବୀ ତାଙ୍କର ହାଲ୍‍ଚାଲ ବେଶି ଜାଣିନଥିଲା । କଚିରୀ ବେଳର ଅଳ୍ପ ସମୟ ଆଗରୁ ମୋଟା ସୋଟା ହୋଇ ଦରବୁଢ଼ା ଭଦ୍ରଲୋକ ଜଣେ ଚଷମା ଲଗେଇ ଛତାଟିଏ ଧରି ଚାଲି ଯାଉଥିଲେ, ଆସୁଥିଲେ ପ୍ରାୟ ପାଞ୍ଚଟାବେଳକୁ । ଘରେ ମଧ୍ୟବୟସ୍କା ଜଣେ ସ୍ତ୍ରୀଲୋକ, ଅନେକ ଅଳଙ୍କାର ନାଆନ୍ତି, ଜଣେ ବୁଢ଼ୀ ଏବଂ ଚାରୋଟି ସାନ ସାନ ପିଲା ।

 

ସେ ଘରର ବିଶିଷ୍ଟତା କିଛି ନ ଥିଲା । ବେଳେବେଳେ ପିଲାଙ୍କ ପାଟି ଶୁଭେ । କାନ୍ଦଣା ଶୁଭେ । ଝରକାଗୁଡ଼ାକ ସବୁବେଳେ ବନ୍ଦଥାଏ, କୋଠା ଉପରକୁ ଯିବାକୁ ସମସ୍ତିକୁ ମନା । ଦାଣ୍ଡ ପ୍ରାୟ ଖାଲିଥାଏ । ବେଳେ ବେଳେ କେହି କେହି ବୁଲି ଆସନ୍ତି ବାହାରେ ଖଣ୍ଡେ ସତରଞ୍ଜିପଡ଼େ, କେବେ କଦବା ।

 

ତଥାପି ଗୋଟାଏ ନିତିଦେଖା ଛବି ସେମାନେ ଚାଲିଗଲେ, ସେ ଜାଗାଟା ଖାଲି ।

ନୂଆ ଭଡ଼ାଟିଆ ଆସିଲେ । ଗାଡ଼ିରୁ ଓହ୍ଲେଇଲେ । ସତର ଅଠର ବର୍ଷର ଦୁଇଟି ଝିଅ, ଜଣେ ପ୍ରୌଢ଼ା, ହସ ହସ ହୋଇ ଜଣେ ଭଦ୍ରଲୋକ । କାଲିପରି ଲାଗୁଛି, ସବୁ ମନେ ଅଛି, ସେଦିନ ଥାଏ ରବିବାର ଛୁଟି ।

 

ଦୁଇଘଣ୍ଟା ପରେ ଗୋଟିଏ ଛାତ୍ରର ପ୍ରଶ୍ନ ଉତ୍ତର ଖାତା ନିରେଖି ନିରେଖି ଦେଖିଥିଲି, ଧ୍ୟାନଭଙ୍ଗ ହେଲା, ଭାରି ଖୁସିବାସିଆ ହସ ଶୁଭିଲା । କୌତୂହଳ ଜନ୍ମିଲା, କିଏ ? କଥା କ’ଣ ? ସେହିଦିନ ଛାଇନେଉଟାବେଳେ କୌତୂହଳ ଭାଙ୍ଗିଲା । ସେ ଘରର ଛାତ ଉପରେ ଦୁଇଜଣ ଟହଲିବାକୁ ବାହାରିଲେ । ଧୋବଶାଢ଼ି ଆଉ କଳାଶାଢ଼ି । ଧୋବଶାଢ଼ି ଗୋଲମୁହଁ, ଟିକିଏ ଗମ୍ଭୀର, ମୋଟା ମୋଟି ହୋଇ କୁନ୍ଦିଲା ପରି । କଳାଶାଢ଼ି ଧାରମୁହଁ, ମୁହଁରେ ଗମ୍ଭୀରତା ଟିକିଏ ବୋଲି ନାହିଁ । ଧୋବଶାଢ଼ି ଶ୍ୟାମଳୀ । କଳାଶାଢ଼ି ଗୋରା ।

 

କୌତୂହଳ ବଢ଼ିଲା । ନାନା କାରଣରୁ ଉପରକୁ ଅନାଇଁବାକୁ ମନ ହେଲା,–ଆକାଶର ବର୍ଣ୍ଣ କିପରି ଉଡୁଛି । ଚାରିଟା ସରି ଆସିଥାଏ । ଅଳ୍ପ ଖରା ।

 

କଳାଶାଢ଼ି ହସର ଅପାଦାନ, ଧୋବଶାଢ଼ି ଅତିବେଶିର ହସର ଅଧିକରଣ ବା କିଛି ସମୟ ୟାଡ଼କୁ ସାଡ଼କୁ ଅନେଇଁ ଚାରିପାଖରେ ପରିସ୍ଥିତ ଦେଖାଚାହିଁ । କରିସାରି ଦୁହେଁ ତଳକୁ ଓହ୍ଲେଇ ଗଲେ । ନିବାଙ୍କ୍ ହୋଇ ଆହୁରି ଥୋଡାଏ ବେଳ ଆକାଶରେ ରଙ୍ଗ ଦେଖଲି । ପରେ ଧୀରେ ଧୀରେ ବୁଲି ବାହାରିଲେ ।

 

ରାତିର ପହିଲି ପହରେ ସେଇ ଘରୁ ପ୍ରାର୍ଥନା ଗମ୍ଭୀର ଗୁଞ୍ଜନ ଶୁଣାଗଲା । ଘଣ୍ଟି ଟିଂ ଟାଂ, ପୁଣି ସବୁ ବନ୍ଦ ।

 

ରାତିଯାକ ବିଡ଼ି ଫୁଙ୍କିଫୁଙ୍କି ବହୁତ ବେଳ ଭାବିହେଲି–ସଂସାରରେ କେହି କାହାର ନୁହେଁ ସତ, କିନ୍ତୁ ବାଜେଲୋକଙ୍କ ପାଇଁ ଭାବି ଭାବି ଯେତେ ସମୟ ନଷ୍ଟ ହୁଏ, ସେଥିରେ ଅନେକ କାମିକା କାମ ବୋଧହୁଏ କରି ହେଉଥାନ୍ତା । ସେପରି ଭାବନାର ବି ଆନନ୍ଦ ଆସେ ।

 

ମନ ପ୍ରତୀକ୍ଷା କରି ରହିଲା, ଭବିଷ୍ୟତର ଆହୁରି ମଧୁର ମୁହୂର୍ତ୍ତକୁ । ତହିଁ ଆରଦିନ ବଡ଼ି ସକାଳୁ ନିଦ ଭାଙ୍ଗିଲା ପରେ ସାମ୍ନାରେ ସେ ଘରର ଝରକା ଆଡ଼କୁ ଅନେଇଁ ରହିଲି । ହଠାତ୍ ସେ ପାଖରେ ବୁଜା ଝରକା ଅସୁନ୍ଦର ଝରକା କାହିଁକି ସକାଳୁ ଏତେ ଦେଖିବାକୁ ଭଲ ଲାଗିଲା ମୁଁ କହିପାରିବି ନାହିଁ । କିନ୍ତୁ ବୋଧହୁଏ ଦିନର ଆରମ୍ଭ ସକାଶେ ସେଇ ଝରକା ସେପାଖୁ ମନ ଗୋଟାଏ ଉତ୍ତର ଖୋଜୁଥିଲା । ତା’ରି କଥା କହେଁ ।

 

କିଛି ସମୟ ପରେ ଝରକା ଅବାଜ୍ କରି ଖୋଲିଲା, ଦଶିଲା ଜଣେ ପ୍ରୌଢ଼ଙ୍କ ମୁହଁ । ନିତାନ୍ତ ସନ୍ଦିଗ୍‍ଧ ଅପରିଚିତ ଦୃଷ୍ଟିରେ ସେ ମୋ ଝରକା ଆଡ଼କୁ ଅନାଇଲେ । ତା’ପରେ ସେଠୁ ଚାଲିଗଲେ ।

 

ଦିନମାନ କାମକାର୍ଯ୍ୟରେ ବୁଲି ବୁଲି ଫେରିଲେ ସୁଦ୍ଧା ଛାଁ କୁ ଛାଏଁ ମନ ବସା ଖୋଜୁଥାଏ । କାମ କାର୍ଯ୍ୟରେ ମନ ଲାଗିଲା ନାହିଁ । ପୁଣି, ପାଞ୍ଚଟା ପରେ, କୋଠାର ଛାତ ଉପରେ ସେ ଦୁହେଁ ଉଇଁଲେ । ନିତାନ୍ତ ଅନ୍ୟମନସ୍କ ବହି ଖଣ୍ଡେ ଧରି ମୁଁ ପୁଣି ସେହି ଦିଗରେ ଆକାଶକୁ ତଥ୍ୟ ଖୋଜିବାକୁ ସେ ଆଡ଼କୁ ମନ ଦେଲି । ସଞ୍ଜବୁଡ଼େ ପୁଣି ସେହି ପ୍ରାର୍ଥନା ଆଉ ସେ ଘଣ୍ଟି ।

 

ଭାବିଲି,–କ’ଣ ଏମାନେ ଠାକୁରଙ୍କ ପାଖେ ଗୁହାରି କରନ୍ତି ? ଯୋଡ଼ାଏ ଝିଅ, ଦୁହିଙ୍କ ଭବିଷ୍ୟତ୍ ନିଆରା, ବାପା ମା ଦୁହେଁ –କେଉଁ ଅଖାଡ଼ୁଆ ପତ୍ତନ ଉପରେ ଏଇ ଚାରିଜଣଙ୍କ ମନ ଏକାଠି ହୋଇ ଏକା ଠାକୁର ଆଡ଼କୁ ଉହୁଙ୍କ ପଡ଼େ ? ସେମାନେ ଠାକୁରଙ୍କୁ ଭାବୁଥିଲେ । ଇପ୍‍ସିତ ଆଦର୍ଶ ଯଦି ଠାକୁରଙ୍କର ସଂଜ୍ଞା ନିଶ୍ଚୟ ଏମାନଙ୍କର ପରସ୍ପରଙ୍କ ଠାକୁର ପରସ୍ପରଠାରୁ ଭିନ୍ନ ହୋଇଥିବେ । ମା’ ଝିଅ ଦେଉଳ ପଶିଲେ,–ନୁହେଁ ? ମୁଁ ଭାବୁଥିଲି ସେମାନଙ୍କୁ ।

 

ତହିଁ ଆରଦିନଠାରୁ ସଞ୍ଜବୁଡ଼େ ମୁଁ ମଧ୍ୟ ପ୍ରାର୍ଥନା ଆରମ୍ଭ କରି ଦେଇଥିଲି । ଇସ୍କୁଲରେ ସଂସ୍କୃତ ପଢ଼ିଥିଲି ଏବଂ ପ୍ରାର୍ଥନା ଶ୍ଲୋକର ଏଠୁ ସେଠୁ ମଧ୍ୟ ଟିକିଏ ଟିକିଏ ମନେଥିଲା । ମୁଁ ପ୍ରାର୍ଥନା କରେଁ–

 

‘ସର୍ବେ ଭବନ୍ତୁ ସୁଖିନଃ

ସବେ ସନ୍ତୁ ନିରାମୟାଃ

ସର୍ବେ ଭଦ୍ରାଣି ପଶ୍ୟନ୍ତୁ

ମା କଶ୍ଚିଦ୍ ଦୁଃଖଭାଗ୍ ଭବତେ୍’

 

ସମସ୍ତଙ୍କର ସୁଖ କଳ୍ପନା କଲାବେଳକୁ ମୋ ଆଖି ଆଗରେ ସେ ଦୁଇଟି ପ୍ରାଣୀଙ୍କ ସୁଖର କଥା ମଧ୍ୟ ମୋର ମନେଥାଏ । ସେମାନଙ୍କର ଚେହେରା ଥରେ ମନ ପଡ଼ିଯାଏ, ମୁଁ ମନେ ମନେ କହେଁ, ଭଲ ହେଉ, ଭଲ ହେଉ ତୁମର, ସୁଖରେ ଥାଅ ।

 

ଅଳ୍ପ କେଇଟା ଦିନ ଭିତରେ ସେ ଘରର ଚେହେରା ବଦଳିଗଲା, କବାଟରେ ଝରକାରେ ପର୍ଦ୍ଦା, କୋଠା ଉପରେ ଫୁଲକୁଣ୍ଡ, ଦୁଆର ମୁହଁରେ ଟେବୁଲ୍ ଚୌକି ଭର୍ତ୍ତି । ଭିତରେ ବାହାରେ ସୋର୍ ଶବ୍ଦ ।

 

ଘରର ମାଲିକଙ୍କୁ କେତେ ଥର ଦେଖିଛୁ,– ସୁନ୍ଦର ଚେହେରା, ହସ ଭଦ୍ରଲୋକ, ରିକ୍‍ସା ଚଢ଼ି ଯା’ଆସ କରନ୍ତି । ଉପରେ ପଡ଼ି ଚିହ୍ନା ହସ ପରିଚ ହେବାକୁ ମନହୁଏ । ଭାବେଁ, ଭାରି ମେଳାପି ଲୋକଟିଏ ତ, କିନ୍ତୁ ଅଟକି ଯାଏଁ । ସହରରେ ସମସ୍ତେ ସମସ୍ତିଙ୍କି ଦେଖନ୍ତି ଚିହ୍ନା ପରିଚ ହୋବାକୁ ପଛୋଟି ଯାଆନ୍ତି ନାହିଁ ।

 

ପରିଚୟ ହେଲା ବଡ଼ ଆଶ୍ଚର୍ଯ୍ୟ ଉପାୟରେ । ସୋମାନେ ସେ ଘରକୁ ଆସିବାର ପ୍ରାୟେ ମାସେକାଳ ହୋଇଯାଇଥାଏ । କୋଠା ଉପରକୁ ଅନେଇ ରହି ହାଇଁପାଇଁ ହେବାର ଅବସ୍ଥା କଟି ଯାଇଥାଏ, ଉଭୟପକ୍ଷ ପ୍ରାୟ ଶାନ୍ତ ଥାଉଁ । ଦିନେ ଆମ ସାଙ୍ଗ ପଢ଼ୁଆ ସେଇ ରଘୁବାବୁ ସିଲ୍‍କ୍ ପଞ୍ଜାବୀ ପିନ୍ଧି ଲମ୍ବା କୁଞ୍ଚ ଓହଳେଇ ହସ ହସ ମୁହଁରେ ଆସି ପହଞ୍ଚିଯାଇ କହିଲେ, ‘ରାଧୁ ଜାଣିଛୁ ମୋର ବିଭାଗର ହୋଉଚି ।’ ରଘୁବାବୁ ବ୍ରାହ୍ଣଣ, ହାଲି ସେକ୍ରେଟେରିଏଟ୍‍ରେ ଖଣ୍ତିଏ ବଡ଼ ଚାକିରି ପାଇଥାନ୍ତି ।

 

ଆସନ୍ନ ଭୋଜି ଓ ବିଭାଘରର ମଉଜମଜ୍‍ଲିସ୍ କଳ୍ପନା କରି ଖୁବ୍ ଖୁସିହୋଇ ମୁ ପଚାରିଲି, ‘କେବେ ? କୋଉଠି ?’

 

‘ରଘୁବାବୁ କହିଲେ– ‘ତୋ’ର ବସା ସେପାଖେ ଯେଉଁ ନଳିନାକ୍ଷ କର ଅଛନ୍ତି ତାଙ୍କ ଘରେ । ଜାଣିଛୁ ତ, ନିଳନାକ୍ଷ ବାବୁ ଏଠିକି ବଦଳି ହୋଇ ଆସିଛନ୍ତି । ଶୁଣୁଛି ଝିଅ ଯୋଡ଼ିକ ଟକିଏ ଟିକିଏ ପାଠ ପଡ଼ିଛନ୍ତି ବୋଲି, ପ୍ରାୟ ଠିକ୍ ଠାକ୍ । ଜାଣିଛୁ ତ ମୁରବି ହେବାକୁ ସଂସାରରେ ମୋ’ର କେହି ନାହିଁ, ଆଉ ନିଜେ ଥରେ ନ ଦେଖିଲେ ମୁଁ ବାହା ହୋବାକୁ ପ୍ରସ୍ତୁତ ନୁହେଁ, ତେଣୁ ଠିକଣା ହୋଇଛି ଆଜି ସନ୍ଧ୍ୟାରେ ମୁ ଯିବି, ତୁ ବି ମୋ ତରଫରୁ ମୋ ସଙ୍ଗରେ ଯିବୁ ବୋଲି ମୁ ଖବର ପଠେଇଚି ।’

 

ମତେ ଖରାପ ଲାଗିଲା । ମୁ କହିଲି, ‘ବାହା ହବୁ, ଖୁବ୍ ଭଲ କଥା, କିନ୍ତୁ ଭାଇ ବାହା ହବା ସବୁ ଠିକଣା ତ ? ଦେଖ, ବ୍ରାହ୍ଣଣ ଘର, ତୁ ପୁଣି କନ୍ୟା ଦେଖିବୁ ବୋଲି କହୁଚୁ, ସବୁ ଦେଖାଦେଖି କରିସାରି ଯଦି ମୁହଁମୋଡ଼ି ଦବୁ ତେବେ କ’ଣ କଥାଟା ଠିକ୍ ହବ ଭାଇ ?’

 

‘ରଘୁ ଆଶ୍ଟର୍ଯ୍ୟ ହେଲା । ‘ମୁହଁମୋଡ଼ି ଦେବି ? ଏଁ, ତୁ ବୋଧେ ଦେଖିଚୁ ? କହ, କ’ଣ ନିତାନ୍ତ ଅସୁନ୍ଦର ? ବଡ଼ ସିରିୟସ୍ କଥା ତ ? ମୁ ତ ପ୍ରାୟ ଜବାବ୍ ଦେଇଦେଇଛି ।’

 

ମୁଁ କହିଲି– ‘ମୋ କଥାକୁ ଓଲଟା ବୁଝିଲୁ ପରା । ନା ମୁଁ ସୋମାନଙ୍କୁ ଆଦୌ ଦେଖିନାହିଁ, କି ମୁଁ କହୁ ନାହିଁ ସୋମାନେ ଅସୁନ୍ଦର ହୋଇଥିବେ ବୋଲି– ’

 

ସେ ବାଧାଦେଇ କହିଲା– ‘ସୋମାନେ ! ତା’ହେଲେ ତୁ ନିଶ୍ଚୟ ଦେଖିଚୁ । କହ କହ !’

 

ମୁଁ ବଡ଼ ଅଡ଼ୁଆରେ ପଡ଼ିଲି । କହିଲି, ‘ହଁ ଦେଖିଛି, କିନ୍ତୁ ପର ଝିଅଙ୍କ ରୂପରେଖ ଚର୍ଚ୍ଚା କରିବା ମୋର ଉଚିତ ହେବନାହିଁ । ସୋମାନେ ସୁନ୍ଦର । କିନ୍ତୁ ତୁ,–ମାନେ, ଆଗ ଗୋଟାଏ ଫାଇନାଲ କରି ତା’ପରେ ଦେଖିଯିବା ଭଲ । ତା’ପରେ ମୁ ତୋର ଜାତିର ଲୋକ ନୁହେଁ, ମୁ ବଣିଆଁ ତୁ ବ୍ରାହ୍ଣଣ । ମତେ ନେଇ ପରଘରକୁ ବୋହୂ ଦେଖିବାକୁ ଯିବା କି ଦରକାର ?’

 

ସେ ମତେ ଛାଡ଼ି ଦେବାକୁ ରାଜି ହୋଲାନାହିଁ । କହିଲା , ‘ତୁ ତ ଆଉ ବାହା ହବାକୁ କହୁନାହୁଁ, ମୁ କହୁଚି, ତେଣୁ ଖାଲି ସାଙ୍ଗରେ ଯିବାକୁ ତୋର ଏତେ ଆପତ୍ତି କାହିକିଁ ? ତୁ ନ ଗଲେ ମୋର ହୋଇ ମୋ ତରଫରୁ ଯିବ କିଏ ? ତତେ ଯିବାକୁଇ ପଡ଼ିବ । ସୋମାନଙ୍କ ତରଫରୁ ବି ଦ୍ୱିଧା କରିବାକୁ କୌଣସି କାରଣ ନାହିଁ । ମୁ ଯାହା ଶୁଣିଛି ସୋମାନେ ଖୁବ୍ ଆଡ୍‍ଭାନସ୍‍ଡ୍ । ‘

 

ସେ ଦିନର ସଞ୍ଜ ବି ମୋ’ର ମନେଅଛି ।

ଆଧୁନିକତାର ଯେତେ ଅପରୂପ ଧାରଣା ନୂଆ ଯୁଗକୁ ଗଢ଼ି ଲାଗିଛି, ଅଭିଆଡ଼ା ଟୋକା ଅଭିଆଡ଼ି ଝିଅଙ୍କୁ ବୋହୂ-ଦେଖା ଦେଖିବାର ଧାରଣା ମଧ୍ୟ ତା’ ଭିତରୁ ଅନ୍ୟତମ । କିନ୍ତୁ ମୋ’ର ମଫସଲି ପ୍ରାଣ ଭାବୁଥାଏ, ଅଦ୍ଭୁତ ହେଉ ହେଉ କିଛି ଗୋଟାଏ କିଂଭୂତ ହୋଇ ବସିବ ପରା ! ମୁ ଭାବିପାରୁ ନ ଥାଏଁ କ’ଣ କେମିତି ହେବ । ନିରୋଳାରେ ବସି ଆକାଶର ଚଢ଼େଇକୁ ନିଘା କରୁ କରୁ କୋଠା ଉପରକୁ ଚୋରେଇ ଚୋରେଇ ଅନେଇବା ଗୋଟାଏ ରକମ, ମୁହାଁମୁହିଁ ବୋହୂଦେଖା ଦେଖିବାକୁ ଯିବା ଅନ୍ୟ ରକମ । ମୋ’ର ଉତ୍ସାହ ଦବି ଯାଇଥାଏ ।

 

କିନ୍ତୁ ଅଖାଡ଼ୁଆ କିଛି ହୋଲାନାହିଁ । ମୁ ଆଉ ରଘୁ ଦିହେଁ ପହଞ୍ଚିଲୁଁ । ନଳିନାକ୍ଷ ବାବୁ ପଦାରେ ବସି ଫାଇଲ୍ କାମ କରୁଥିଲେ । ରଘୁ ଆଗ ବଳିପଡ଼ି କହିଲା, ‘ମୁ ରଘୁନାଥ ।’

 

ନଳିନାକ୍ଷ ବାବୁ ଚମକି ପଡ଼ିଲେ, କହିଲେ, ‘ଆରୋ–ଆସନ୍ତୁ ଆସନ୍ତୁ ।’

 

ଆମେ ଦୁହେଁ ବସିଲୁଁ । ନଳିନାକ୍ଷ ବାବୁ ଟିକିଏ ଅପ୍ରସ୍ତୁତ ହେଲାପରି ଦିଶିଲେ । ସୁଧାରି ନେଇ ଅତିଶୟ ମିଳାମିଶା ହେବାକୁ ଚେଷ୍ଟାକଲେ । ଚାହିଁଦେଇ ମୋର ପରିଚୟ ମାଗିବାରୁ, ରଘୁ ଚିହ୍ନେଇ ଦେଲା, ‘ମୋ’ର ବନ୍ଧୁ ରାଦେଶ୍ୟାମ ସାହୁ । ବି.ଏ ପାଶ୍ କରଛନ୍ତି, ଆଇ.ପି ପାଇଁ ଦରଖାସ୍ତ ଦେଉଛନ୍ତି ।’

 

ସତକୁ ସତ ଆଇ.ପି ଚାକିରି ପାଇଁ ମୁ ସେତେବେଳେ ଖଣ୍ତିଆ ଦରଖାସ୍ତ ଦେଇ ଅବସର ସମୟରେ ଦଣଅତ ବୈଠକ୍ କରୁଥାଏଁ ।

 

ନଳିନାକ୍ଷ ବାବୁ ସମ୍ମାନରେ ମୁଣ୍ତଟେକି ମତେ ଅନେଇଲେ । ମୁଁ ଆଗ ବଳିପଡ଼ି ମୋ’ର ସବୁଯାକ ପରିଚୟ ଦେଇଦେଲି ଓ ମୋ’ର ବସାର ସାନ୍ନିଧ୍ୟ ଜଣାଇଲି । ତା’ପରେ ନଳିନାକ୍ଷ ବାବୁ ରଘୁକୁ କୁଶଳ ପଚାରିଲେ । ଆମକୁ ବସେଇ ଦେଇ ସେ ଉଠିଗଲେ, ପୁଣି ଆସିଲେ । ପାନ ଆସିଲା, କିଛି ସମୟ ପରେ ଦାଣ୍ତ ଘରର କବାଟ ସେପାଖ ଫୁସୁର୍ ଫାସୁର୍ ପାଟି ଶୁଭାଲା, ଫିସି ଫିସି ହସ । ଆମର,–ଅନ୍ୟମନଷ୍କପଣିଆ, ପ୍ରତୀକ୍ଷା । ନଳିନାକ୍ଷ ବାବୁ ଅନର୍ଗଳ ବକୃତା ଦେଉଥାନ୍ତି-

 

ସେ ତାଙ୍କର ନିଜର ଇତିହାସରୁ କିଛି କିଛି କହୁଥାନ୍ତି । ସେ ଉତ୍ତର ବାଲେଶ୍ୱର ଅଞ୍ଚଳର ଲୋକ । ତାଙ୍କର ଧାରଣା ଖୁବ୍ ଆଧୁନିକ । ଧର୍ମ ସମ୍ବନ୍ଧରେ ତାଙ୍କର ଉଦାର ମତ । ବି.ଏ ପରୀକ୍ଷା ଦେଇଥିବା ପୂର୍ବରୁ ମା’ ବେମାର ପଡ଼ିବାରୁ ତାଙ୍କୁ ବି.ଏ ଛାଡ଼ିବାକୁ ପଡ଼ିଲା । ବି.ଏ ରେ ତାଙ୍କର ସଂସ୍କୃତ ଅନର୍ସ ଥିଲା । ସେତେବେଳେ ଦିଦ୍ୟାସାଗର କଲେଜରେ ଧୀରେନ୍ ଭଟ୍ଟାଚାର୍ଯି ଭଲ ସଂସ୍କତ ପଢ଼ାଉଥିଲେ । ସେ ନିଜେ ସାହିତ୍ୟ ଭଲ ପାଉଥିଲେ । ତାଙ୍କ ମତରେ ଭାରବୀ କାଳିଦାସଙ୍କଠାରୁ ବଡ଼ କବି । ତାଙ୍କ ମତରେ ହିନ୍ଦୁ ଧର୍ମର ସଂସ୍କାର ଆବଶ୍ୟକ । ଇତ୍ୟାଦି ।

 

ରଘୁ ଶିଷ୍ୟବୃତ୍ତି ଅବଲମ୍ବନ କରି ମୁଣ୍ତ ନୋଇଁଥାଏ । ମୁଁ ମୁହଁ ଉପରେ ସ୍ନିଗଧ୍ ହସଟିଏ ଯୋଡ଼ିଦେଇ ଆଶ୍ଟର୍ଯ୍ୟ ଦୃଷ୍ଟିକରି ତାଙ୍କ ଆଡ଼କୁ ମୁହଁ ବୁଲାଇ ଥାଏଁ । ଆମ ଦୁହିଁଙ୍କ କାନରେ ବେତାର ଏକାବେଳକେ ମୋହିଁଥାଏ କବାଟ ଆଡ଼କୁ ।

 

କିଛି ସମୟରେ ନଳିନାକ୍ଷ ବାବୁ ଚମକି ପଡ଼ି କହିଲେ ‘ହୁଁ’ । ‘ଡାକିଲେ– ‘ଆଲୋ ଛବି ତୁମେମାନେ ଆସ !’

 

ଦୁହେଁ ଆସିଲେ, ଉଭୟେ ସୁସଜ୍ଜିତା । ନଳିନାକ୍ଷ ବାବୁ ଚିହ୍ନେଇ ଦେଲେ, ‘ଏଇଟି ମୋର ବଡ଼ ଝିଅ–ଲେଖା (ଧଳା ଶାଢ଼ି, ଶ୍ୟାମଳୀ), ଏଇଟି ସାନ,–ଛବି, (କଳା ଶାଢ଼ି, ଗୋରୀ, ସୁନ୍ଦର) । ଦୁହେଁ ମ୍ୟାଟିକୁଲେଶନ୍ ପର୍ଯ୍ୟନ୍ତ ପଢ଼ିଥିଲେ । ଆଉ ବେଶି ଫଢ଼େଇଲି ନାହିଁ । ଘରେ ଘରେ ପଢ଼ନ୍ତି, ମୋ’ରି ପରି ବାୟା, ଖାଲି ସାହିତ୍ୟ ।’

 

ରଘୁର ମୁହଁ ଆମ୍ବିଳା ପଡ଼ିଯାଇଥାଏ । ତା’ର ଦୋଷ ନୁହେଁ । ଲେଖା ଆଉ ଛବିଙ୍କି ଆଣିବା ଏକାଠି ଠିକ୍ ହୋଇ ନ ଥିଲା । ନଳିନାକ୍ଷ ବାବୁ କହି ଲାଗିଥିଲେ, ‘ଏଇ ଲେଖାଟି ଠିକ୍ ସାକ୍ଷାତ୍ ଲକ୍ଷ୍ମୀ, ଏଡ଼େ ଶାନ୍ତ, ଆଉ ଏ ଛବି ଚିହ୍ନିଥାନ୍ତୁ ୟାକୁ, ରଘୁନାଥ ବାବୁ, ଆପଣକୁ ବଡ଼ ହଇରାଣ କରିବ,–ସାକ୍ଷାତ୍ ବିଛୁଆତି ଲତା, ନୁହେଁ ଲୋ ଛବି ? ସବୁବେଳେ ନୁଟୁରୁ କୁଟୁରୁ ।’

 

ମନକୁ ମନ ସେ ଲେଖାରେ ଶାନ୍ତପଣିଆ ବିଷୟରେ ବକୃତା ଦେଉଥାନ୍ତି । ଫଳ ଭଲ ହେଉ ନ ଥାଉ । ମୁଁ ଦେଖିଲି ସେ ଧରି ନେଇଥାନ୍ତି ଯେ ରଘୁ ତାଙ୍କର ନିସର୍ଗସୃଷ୍ଟ ଜାମାତା । ତାଙ୍କର ସଂକୋଚ ନ ଥାଏ । ‘ମୁ ଏ ଆଡ଼ ଉଢ଼ୁଆଳରେ ପକ୍ଷପାତୀ ନୁହେଁ ! ରାଧେଶ୍ୟାମ ବାବୁ ! ଶାସ୍ତ୍ରରେ ଏ ସବୁ କଥା ଲେଖିନାହିଁ, ବୃଥା କଷ୍ଟ ।’ ତାଙ୍କର ସୁଅ ଚାଲିଥାଏ ।

 

ଲେଖା କିଛି ସମୟ ରହି ଚାଲିଗଲା, ଛବି ଏପାଖ ସେପାଖ ହେଉଥାଏ । କେତେ ଥର ଛବି ଓ ମୋର ଚାହାଣି ଏକାଠି ଭେଟିଲା । ସେ ସଂକୋଚ କଲାନାହିଁ । ରଘୁ ପଚାରିଲା, ‘ଆପଣଙ୍କର ଆଡ଼ିସନେଲ୍ କ’ଣ ଥିଲା ?’ ସେ କହିଲା ‘ମାଥ୍‍ମେଟିକସ୍ ଆଉ ଆପଣଙ୍କର ? ସଂସ୍କୃତ ବୋଧହୁଏ ?’ ଛବି ହସିଲା ।

 

ସେତେବେଳେ ସେ ଦୃଶ୍ୟର ସବୁଯାକ ମୋ’ର ଟିକି ଟିକି ହୋଇ ମନେଅଛି । ସେମାନଙ୍କୁ ଥରେ ପାଖରେ ଦେଖିସାରିଲା ପରେ ମୋ’ର ମନର ସବୁ ବିକାର କଟିଯାଇଥିଲା । ମୁ କଠିନ ହୋଇ ଭାବିବାକୁ ଚେଷ୍ଟା କରୁଥିଲି ।

 

ଭାବୁଥିଲି– ରଘୁନାଥ ଆଉ ଯାହା ହେଉ ବେକୁବ୍ ନୁହେଁ, ଯେଉଁ ବ୍ୟବସାୟ-ବୃଦ୍ଧି-ସମ୍ପନ୍ନ ରଘୁନାଥକୁ କଲେଜରେ ଏତେଦିନ ମୁ ଚିହ୍ନି ଆସିଲି, ଦେଖି ଆସିଲି, ସେ ସାଧାରଣ ବୁଦ୍ଧିରେ ଭୁଲ କରିବାର ଲୋକ ନୁହେଁ ।

 

ଭାବୁଥିଲି– ଛବି ପାଖେ ପାଖେ ଥିବାଯାକେ ଲେଖାର ଭବିଷ୍ୟତ ଅନ୍ଧାର ।

 

ଦୁଇଟି ଝିଅ ସରଳ ହୋଇ ବଢ଼ିଛନ୍ତି । ସଂସାରରେ ଛନ୍ଦ କପଟ ଜାଣନ୍ତି ନାହିଁ । କିନ୍ତୁ ଦୁହେଁ ଦି ପ୍ରକାର, ଲେଖା ଆଡ଼େଇ ହୋଇ ରହିବ, ଛବି ଆଗକୁ ମାଡ଼ିଯିବ, ତା’ର ଅଧିକାର ଦାବୀ କରିବ ।

 

ଲେଖା ପାଇଁ ମୁ ଦୁଃଖିତ ହୋଇ ଫେରିଲି । ବାଟରେ ରଘୁକୁ ପଚାରିଲି,‘କେମିତି ଦେଖିଲୁ ?’

‘ହୁଁ ’–ରଘୁ କହିଲା ।

କିଛି ସମୟ ପରେ ବାଟରେ ଚାଲୁ ଚାଲୁ ରଘୁ କହିଲା, ‘ଛବି ଯଦି ବଡ଼ ଭଉଣୀ ହୋଇଥାନ୍ତା ।’

 

ମୁଁ କହିଲି, ‘ହୁଁ –’

ତହିଁ ଆର ଦିନ ସକାଳେ ମୁ ଟିଉସନ୍‍କୁ ଯିବାକୁ ତର ତର ହେଉଥିଲି, ନଳିନାକ୍ଷ ବାବୁ ଆସି ଡାକିଲେ । ବଡ଼ ହସ ହସ, ବହୁତ ଦିନର ଚିହ୍ନା ବନ୍ଧୁଟିଏ ପରି । ମନେ ମନେ ଠିକ୍ କରିନେଲି, ଆଜି ଟିଉସନକୁ ଯିବା ହେବ ନାହିଁ । ବଡ଼ ଚଞ୍ଚଳ ହୋଇ ପଡ଼ିଲି । କେଉଁଠି ତାଙ୍କୁ ବସେଇବି, କିପରି ତାଙ୍କୁ ଚର୍ଚ୍ଚା କରିବି –ସବୁ ମହା ମୁଷ୍କିଲ । ବଡ଼ ସହଜ ଭାବରେ ମୋ’ର ଖଟ ଉପରେ ବସିପଡ଼ି ଗୋଡ଼ ଦୋ’ଟି ହଲେଇ ହଲେଇ ସେ କହିଲେ ।

 

‘କ’ଣ ରାଧେଶ୍ୟାମ ବାବୁ ! ସକାଳାଟା କେମିତି ଖୋଲିଛି ଭାବୁଛନ୍ତି ? ସାହିତ୍ୟିକ କର୍ଣ୍ଣନା କିଛି ମନେ ପଡ଼ୁଛି ?’

 

ମୁଁ କହିଲି, ‘ଆଜ୍ଞା ନାହିଁ ।’

ପ୍ରଶ୍ନସୂଚକ ଦୃଷ୍ଟିରେ ତାଙ୍କ ମୁହଁକୁ ଅନାଇ ରହିଲି । ସେ ଭାବିଲେ ହୁଏତ, ଯେ ଏଥର ବର୍ଣ୍ଣନାଟି ତାଙ୍କୁ ବଖାଣିବାକୁ ପଡ଼ିବ । ତେଣୁ କଥା ବଦଳେଇ ଦେଇ ୟାଡ଼ୁକୁ ସ୍ୟାଡ଼ୁକୁ ଆଥି ବୁଲାଇ ଆଣି କହିଲେ, ‘ଆପଣ ବୋଧହୁଏ ଆଇ.ପି ପରୀକ୍ଷା ପାଇଁ ଭାରି ବ୍ୟସ୍ତ ଆଛନ୍ତି । ନୁହେଁ ? କୁଆଡ଼େ ବାହାରିଛନ୍ତି ? ନାନା ପ୍ରକାର କଥା ପଡ଼ିଗଲା । ମୋ’ର ଆଇ. ପି ପରୀକ୍ଷା କଥା, ଆଉ କିଏ କିଏ ପ୍ରତିଦ୍ୱନ୍ଦୀ ଅଛନ୍ତି । ଏ ସହରରେ ବର୍ଷା ଋୁତୁଟା ବଡ଼ ଅସନା, ନୁହେଁ ? ସାହିତ୍ୟଟା ଠିକ୍ ଚାହା ଆଉ ସିଗାରେଟ୍ ପରି ତରୁଣର ଜୀବନରେ ବଡ଼ ଦରକାର ଜିନିଷ । ଦଣ୍ଡ ବୈଠକ ନା ଭଲ ପ୍ୟାରେଲେଲ ବାର୍ ଭଲ । ବର୍ଷା ଦିନର ଖଡ଼ାଗୁଡ଼ାକ ବେଶି ମିଠା ହୁଏ ନାହିଁ, ଏହିପରି ବହୁତ କଥା ।

 

ହଠାତ୍ ସେ ଥା ଥା ମା ମା ହୋଇ ପଚାରିଲେ– ‘ରଘୁବାବୁ କିଛି କହୁଥିଲ କି ନାହିଁ ? ମୁଁ କହିଲି ‘ନାହିଁ ତ ।’

 

ଆଜିକାଲି କା ବିବାହ ବିଭ୍ରାଟ କଥା ପଡ଼ିଲା । ମୁଁ ବୁଝେଇ ଦେଲି ଯେ, ମୁ ନିତାନ୍ତ ମହରଟିଆ ଲୋକ, ଏତେ ନାକୁଟା ନିକୁଟି ପସନ୍ଦ କରେ ନାହିଁ ।

 

ସେ ନିଜର ଆଧୁନିକତାକୁ ମତଦ୍ ଦେଇ କହିଲେ ଯେ ଦେଖାଦେଖି ଫଟୋ ପଠାପଠିରେ କିଛି ଯାଏ ନାହିଁ, ଆସେ ନାହିଁ । ତହିଁରେ କନ୍ୟା ଦେହରି ଫଡ଼ାଏ ଛିଣ୍ଡିଯିବ ନାହିଁ । ସେ କହିଲେ ଯେ ବଙ୍ଗ ଦେଶରେ ବିବାହ ବଛାବଛି ପାଇଁ ନାନା ଲଟପଟ ହେଉଛି । ଝିଅମାନଙ୍କୁ ବରମାନଙ୍କ ଆଗରେ ଗୀତ ବୋଲି ନାଚିବାକୁ ପଡ଼ୁଛି ବେଳେ ବେଳେ ।

 

ମୁଁ ମୋ’ର ଅର୍ଥଶାସ୍ତ୍ର ବ୍ୟାଖ୍ୟାନ କଲି, ଓଡ଼ିଶାର ଝିଅ ଓ ପୁଅମାନଙ୍କ ସଂଖ୍ୟା ନିର୍ଣ୍ଣୀତ ହେଲା । କଥା ଛିଡ଼ିଲା ଯେ ଆମ ମନ ଭାରବୀ-ଲୋକ ବା କାଳିଦାସ-ଲୋକରେ ଥିଲେ ସୁଦ୍ଧା ଆମର ଚଳାଚଳ ଯେଉଁ ପର୍ଯ୍ୟନ୍ତ ଏ ପୃଥିବୀରେ ଅଛି, ସେ ପର୍ଯ୍ୟନ୍ତ ସେ ଅର୍ଥଶାସ୍ତ୍ରର ଅଛପା ସୂତ୍ରଦ୍ୱାରା ନିୟନ୍ତ୍ରିତ, ତେଣୁ ବାଧ୍ୟ ହୋଇ ଆମର ବ୍ୟବହାର ମଧ୍ୟ ତାହାରି ଅନୁରୂପ ହେବ । ମଡ଼ର୍ଣ୍ଣିଜିମ୍‍ର ମୂଳ ଭିତ୍ତି ଏହି ସତ୍ୟ ଅନୁସାରେ ଆଚରଣ ।

 

ଶେଷରେ ଅଭାବନୀୟ ସୂଚନା ଆସିଲା । ସେ କହିଲେ ‘ଆପଣଙ୍କୁ ବଡ଼ ଏକୁଟିଆ ଲାଗୁଥିବ, ସବୁବେଳେ ଖାଲି ପଢ଼ା ଆଉ ପରିଶ୍ରମ । ଆସୁ ନାହାନ୍ତି କାହିଁକି ଓପରଓଳି ଆମ ଘରକୁ-? ଆମେ ପଡ଼ୋଶୀ, ପୁଣି ଆମର ଆପଣ ଆମ ରଘୁନାଥବାବୁଙ୍କର ବନ୍ଧୁ । ଅତଏବ ଆମର ବି ବନ୍ଧୁ, ଆପଣ ତ ଆମ ଘରର ଲୋକ । ‘ମନୀଷୀନାଂ ସାପ୍ତପଦୀନମୂଚ୍ୟତେ, ଆମେ ଏତେଗୁଡ଼ାଏ କଥା ହେଲୁଣି ଆଉ ବାକି ରହିଲା କ’ଣ ?

 

ଆମେ ଉଭୟେ ଭାରି ହସିଲୁଁ । ସେ ବିଦାହେଲେ । ମୋ’ଠୁଁ ନିର୍ଭର ଜବାବ୍ ନେଇଗଲେ ଯେ ମୁଁ ଓପରଓଳି ଅବଶ୍ୟ ଯିବି ।

 

ଦିନଯାକ ରଘୁନାଥକୁ ଅପେକ୍ଷା କଲି, ସେ ଆସିଲା ନାହିଁ । ସୋମାନେ କୋଠା ଉପରକୁ ଯିବାବେଳ ହେବାର ଅଧଘଣ୍ଟା ପୂର୍ବରୁ ମୁଁ ସଜ ହେଲି । ଏଡ଼େ ଚମକ ଲାଗିଲା ଭଳି କିଛି ହେତୁ ନ ଥିଲା । କିନ୍ତୁ ଆଜି ମୋର ପରିଷ୍କାର ମନେଅଛି, ସେଦିନ ମୋ ବିପହରେ ହୋସ୍‍ ଆସିଥିଲା ଯେ ଧୋବା ଲୁଗାଗୁଡ଼ାକ ବହୁତ ଦିନ ହେଲା ନେଲାଣି, ଦେଇ ନାହିଁ । ଧୋବାଘରକୁ ଯାଇଁ ଖଣ୍ତିଏ ଲୁଗା କମିଜ୍ ଆଣିଥିଲି । ମୁଣ୍ତ ବାଳ ମୋ’ର କୁଣ୍ତା ହୁଏନାହିଁ, ସେ ଦିନ ଯଥା ସଂଭବ ବାଳଗୁଡ଼ାକୁ ଶାଉଁଳେଇ ଥିଲି ।

 

ନଳିନାକ୍ଷ ବାବୁ ଥିଲେ, ବଡ଼ ଆଦରରେ ବସେଇଲେ । କହିଲେ ‘ମତେ ପର ବୋଲି ମନେକରିବ ନାହିଁ ରାଧେଶ୍ୟାମ ବାବୁ, ମୋ ଘର କିଏ, ଆପଣଙ୍କ ଘର କିଏ ।’

 

ଭିତର ପାଖରେ ଦରମେଲା କବାଟ, ସେପଟୁ ଆବାଜ ହୋଲା ‘ପର ବୋଲିତ ଭାବିଛନ୍ତି । ନ ହେଲେ ଏତେଦିନ ହୋଲା ଆମେ ଆସିଲୁଣି ଟିକିଏ ପଚାରିବାକୁ ଆସନ୍ତେ ନାହିଁ କିଏ ବୋଲି ?’

 

ନଳିନାକ୍ଷ ବାବୁ କହିଲେ, ‘କିହୋ ଭିତରକୁ ଆସୁନା, ତୁମର ପୁଅ ପରି, ତୁମେ ଲାଜକରି କରଛଡ଼ା ଦେଉଛ, କହୁଛ କ’ଣ ନା ସେ ପର ବୋଲି ଭାବୁଛନ୍ତି ?’

 

ଲେଖା – ବୋଉ ଆସିଲେ । ମୁଣ୍ତକୁ ଅଧବାଟ ଯାଏ ମାଡ଼ିଦେଇ ଦଣ୍ତବତ କଲି, ସେ କିଛି କହିଲେ ନାହିଁ । ତୁନିତାନି ହସୁଥାନ୍ତି । କିଛି ସମୟ ରହି ସେ ଚାଲିଗଲେ । ଥାଳିଆଟିକରେ ଜଳଖିଆ ଧରି ଛବି ଆସିଲା, ଧଳା ଶାଢ଼ି ଖଣ୍ତିଏ ପିନ୍ଧିଥାଏ, ଦିଶୁଥାଏ ସୁନ୍ଦର । ସେ ଯାହା ପିନ୍ଧିବ ତାକୁ ମାନିବ । ତା ବାପା ପଚାରିଲେ, ‘ନାନୀ ନାହିଁ କି ଲୋ ?’ ଛବି କହିଲା ‘ପଢ଼ୁଛି ।’

 

ଛବିର ସଂକୋଚ ନାହିଁ । ମୋ ପାଖକୁ ଆସି ଟେବୁଲ୍ ଉପରେ ଜଳଖିଆ ଥୋଇ ଦେଇ ଛବି କହିଲା ‘ଖାଆନ୍ତୁ ।’ ବାପା ମା ଦୁହେଁ ହସିଲେ, କହିଲେ, ‘ଏମିତି ଚର୍ଚ୍ଚା କରିବୁ ତୁ ଲୋ, ଭଦ୍ରଲୋକଙ୍କୁ କହୁଚୁ, ଖାଆନ୍ତୁ ?’ ସୋମାନେ ସମସ୍ତେ ହସିଲେ, ମତେ ଅସଜ ଲାଗିଲେ ବି ମୁ ହସୁଥାଏ ।

 

ଏହିପରି ଆମର ପରିଚୟ ହେଲା । କିଛି ସମୟ ଗଲାରୁ ଲେଖା ବି ଆସି ମାଡ଼ିମୁଡ଼ି ହୋଇ ଗୋଟିଏ ଚୌକିରେ ବସିଲା । ନାନା ପ୍ରକାର ଗପ ଜମିଲା । ଚା’ ଖିଆ ହେଉଥାଏ । କ୍ରମେ କ୍ରମେ ଛବିର ଅଳ୍ପ ଅଳ୍ପ ସଂକୋଚ ଖୋଲିଗଲା । ଲେଖା ଅଳ୍ପ କହେ । ଛବିର ଉପରେ ପଡ଼ି କଥା କହେ, ହସାଏ ଓ ଖୋଞ୍ଚାମାରେ । ଥରେ ଦି’ ଥର ଛବି ଅନୁପସ୍ଥିତ ରଘୁ ପ୍ରତି କଟାକ୍ଷ କରି ଦି’ ଚୋଟ ଥଟ୍ଟା ମାରିଥିଲା ।

 

ଛବି ଅନୁରୋଧ କଲା କିଛି ଗପ ବହି ଆଣିଦେବାକୁ । ମୁ ହଁ କଲି ।

ଏହିପରି,–ସବୁ ମାମୁଲି ଗତ ।

 

ମଣିଷ ଭାବେ ତା’ର ଅଭିଜ୍ଞାତାଗୁଡ଼ାକ ସବୁ ନୂଆ, ତହିଁରେ ନୂଆ ଗୁଣ ସବୁ ତା’ର ଏକଚେଟିଆ । କିନ୍ତୁ ସବୁ କଥା ଫର୍ମାରେ ପଡ଼ିଯାଏ, ଗୁରେଇ ତୁରେଇ ହୋଇ ଘଟଣାଗୁଡ଼ିକ ଘଟେ, ସେହି ଘୋରତେଇ ପୋରତେଇ ବନ୍ଧାଗତ ଅନୁସାରେ ।

 

ସେଦିନ ନୂଆ ଯମକ ଅନୁପ୍ରାସରେ ବୋଝେଇ ହୋଇ ମୁଁ ଘରକୁ ଫେରିଲି । ମୋ’ର ଆଖି ଆଗରେ ସେହି ଉଜ୍ଜ୍ୱଳ ମୁହୂର୍ତ୍ତଗୁଡ଼ିକ । ମନେ ମନେ ରଘୁ ପ୍ରତି ମୋ’ର ଅନୁକମ୍ପା ହୋଉଥାଏ-। ବିଚରା ଲେଖାକୁ ବିଭାହେବ, ଛବିକୁ ନୁହେଁ । ଲେଖା ଆଉ ଛବି ଉଭୟେ ମୋ’ର ଭଉଣୀ ହେଲେ, କିନ୍ତୁ ସାନ ଭଉଣୀ ପ୍ରତି ମୋର ଅଧିକ ସ୍ନେହ । ମୁଁ ଭାବୁଥାଏ, କେଡ଼େ ଭଲ ଲୋକ ଏମାନେ, ଏମାନେ ଆମ ସରକାରଙ୍କ ଆଦର୍ଶ । ଅନ୍ଧ ପ୍ରାଚୀନ ସସ୍କାରର ଜରାଜୀର୍ଣ୍ଣ ବଳ୍‍କଳ ଏମାନଙ୍କ ସହଜ ସୁନ୍ଦରପଣିଆକୁ କଳଙ୍କିତ କରୁନାହିଁ । ଏଠି ଶକ୍ଷା ଅଛି ସଂଯମ ଅଛି, ସୁରୁଚି ଅଛି । ସବୁ ଆନନ୍ଦର ଉପାଦାନ ଅଛି । ମୋ’ର ପଢ଼ାବହିରୁ ଇଂରେଜି କବିଙ୍କର ନିବେଦନ ମନେପଡ଼ିଲା ‘ଯଦି ଆନନ୍ଦ ଦେବାକୁ ମୋ’ର ଶକ୍ତି ନାହିଁ, ଯଦି ସକାଳୁ ଉଠି ଦଶ ଜଣଙ୍କ ଆଡ଼କୁ ହସହସ ମୁହଁ ବୁଲେଇ ରଖିବାକୁ ମୋ’ର ପ୍ରବୃତ୍ତି ନାହିଁ, ତେବେ ହେ ଭଗବାନ ମୋ’ର ମଲା ମନକୁ ତୀକ୍ଷ୍‍ଣ ଅନୁଭୂତିର ମୁନିଆଁ କେଞ୍ଚାରେ ଖେଞ୍ଚି ଖେଞ୍ଚି ତୁମେ ମତେ ଭଲ କରିନିଅ ।’ ଏହିମାନେ ପ୍ରକୃତରେ ଆନନ୍ଦର ସନ୍ତାନ । ରଘୁ ଭାଗ୍ୟବାନ ହେବ ଅନ୍ତତଃ ଏତିକିରେ ଯେ, ଏ ଘର ସହିତ ତାର ବନ୍ଧୁ ପଣିଆ ହେବ ।

 

ମନେ ମନେ ମୋ’ର ଦାୟିତ୍ୱଜ୍ଞାନ ସଞ୍ଚରିଲା – ଯେ ଏମାନଙ୍କୁ ମୁଁ କାୟୋମନବାକ୍ୟେ ସାହାଯ୍ୟ କରିବି । ଲେଖାର ବର ଠିକ୍ ହେଉପଛେ ଛବି ପାଇଁ ବର ମୁଁ ଠିକ୍ କରିପାରିବି । ମୋଠୁ ଯାହା ଗ୍ରହଣୀୟ ତା’ ମୁ ଦେବି ।

 

ଆନନ୍ଦ ଆସିଛି ।

ଯେତେ ଥର ଆସେ, ତା’ର ପ୍ରକାର ସବୁ ନୂଆ ।

 

ସାମନାରେ ସେ କୋଠାଘର ପ୍ରତି ଆଉ ଅସ୍ୱାସ୍ଥ୍ୟ କୂତୂହଳ ଆସୁ ନ ଥିଲା । ସେ ଘରେ ଯେଉଁମାନେ ଅଛନ୍ତି, ସୋମାନେ ମୋ’ର ନିତାନ୍ତ ଆପଣାର । ଯେତେଥର ମନହୁଏ ଯାଏଁ, ପ୍ରତିଥର ଚା ମିଳେ, ଜଳଖିଆ ମିଳେ । ନଳିନାକ୍ଷ ବାବୁ ଓ ତାଙ୍କ ସ୍ତ୍ରୀଙ୍କ ସାଙ୍ଗରେ ଦଃଖ ସୁଖ ହୁଏଁ । ଛବି ସଙ୍ଗରେ କଥାଭାଷା ହୁଏ, ବହିପତ୍ର ଦେଣ ନେଣ ଲାଗେ, ବେଳେ ବେଳେ ସେ ଓ ମୁଁ ପଢ଼ିଥିବା ବହିପତ୍ର ଚର୍ଚ୍ଚା ପଡ଼େ । ସେ ବଡ଼ ଆଗ୍ରହରେ ଶୁଣେ । ଲେଖା – ତା’ର ଭାବୀ ସ୍ୱାମୀର ବନ୍ଧୁ, ତା’ର ତ ଗମ୍ଭୀର ହେବାର କଥା । ସେ ବି ଆସେ, ଅଳ୍ପ କହେ, ସାଧାରଣ ଚିହ୍ନା ପରିଚର ଆନନ୍ଦରେ ଭାଗ ନିଏ ।

 

ଗୋଟାଏ ସପ୍ତାହ ମୋଟେ । ରଘୁ ଆଉ ଆସି ନାହିଁ, ସହରରେ ଥିଲା ପରି ବି ଆଉ ଦିଶୁ ନାହିଁ । ତା’ର କଥା ତାଙ୍କ ଘରେ ପ୍ରାୟ ପଡ଼େ, ସୋମାନେ ତା’ର ଚିଠିକୁ ଅନେଇ ରହନ୍ତି ।

 

ଗୋଟିଏ ସପ୍ତାହରେ ଚିହ୍ନାପରିଚ । ଏତିକି ଅଳ୍ପ ସମୟ ଭିତରେ ମନ ଭିତରେ ଅନେକ ଛାଇ ମିଳେଇ ଯାଇଥାଏ । ନିରୋଳା ଥିଲାବେଳେ କାନ୍ଥର କଣାବାଟେ ସେ ଆରପଟ ବାରିକୁ ଅନେଇ ଚିଙ୍କ୍ ପ୍ରାକ୍‍ଟିସ କରିବା ଅଭ୍ୟସ ମୁଁ ଛାଡ଼ି ଦେଇଥାଏଁ । ପୋଖରୀ ଉପରକୁ ଆଁ ଟାଏ କରି ଅନେଇଁ ରହିବାର ଅଭ୍ୟାସ ମଧ୍ୟ । ମୋ’ର ନିଜର ବିଭାଘର କଥା ଆଦୌ ମନେ ନ ଥାଏ । ଚାରିଆଡ଼କୁ ଚିଠି ଦେବାର ମହଲତ୍ ଗଡ଼ିଯାଇ ସବୁ ବଳେଇ ପଡ଼ି ଯାଇଥାଏ । ସବୁ ପଛର ଅନୂଭୂତି ଯେପରିକି କି ପୋଛିପାଛି ଯାଇଛି, ନୂଆ ଜୀବନ, ସାମନାରେ ନୂଆ ରାସ୍ତା, ଭବିଷ୍ୟତ୍ ।

 

ଏଇ ସାତଦିନ ଭିତରେ କେତେ କେତେ ବନ୍ଧୁ ବାନ୍ଧବଙ୍କ ସାଙ୍ଗ ସୁଖକୁ ମୁ ଛାଡ଼ି ସାରିଛି, ବେଳେ ବେଳେ ବାଟରେ ଦେଖାହେଲେ କେହି କେହି ଚେତେଇ ଦିଅନ୍ତି, କ’ଣ ଏପରି କାମ ଭିଡ଼ ପଡ଼ିଛି ମୋ’ର ଯେ ଆଡ୍‍ଡା ଦେବାକୁ ଯିବା ସକାଶେ ବେଳ ଅଣ୍ଟୁ ନାହିଁ ? ଏଣୁ ତେଣୁ ଗୋଟାଏ ନା ଗୋଟାଏ ଜବାବ ଦେଇ ମୁ ପଳେଇଯାଏ ।

 

ମୁଁ ମୋ’ର ଟିଉସନ୍, ମୋ’ର ଚାକିରି ପାଇଁ ଦିନଗଣା, ଆଉ ଘର ।

ଆଉ ତାଙ୍କ ଘର,–ଅବଶ୍ୟ ।

 

ସହରରେ ହାତୀ ପରି ବଢ଼ିଲେ, ବିଶେଷତଃ ଏ ବୟସରେ ମନକୁ ବୁଲେଇବାକୁ ଅନେକ ପ୍ରକାର ଜିନିଷ ମିଳେ । କେବଳ ଆଖି ଆଉ କାନଖୋଲା ରଖିଲେ ହେଲା । ନିଜେ ଅଙ୍ଗେ ନିଭେଇବା ଅନୂଭୂତି ଅପେକ୍ଷା ପର ଅଙ୍ଗେ ନିଭେଇଥିବା ଅନୁଭୂତିକୁ ଆପଣାର କରି ମନେ ମନେ ଆନନ୍ଦ ପାଇବାର ସୁବିଧା ଅନେକ ଆସେ । ଏଠି ପୋଖରୀକୂଳ ନାହିଁ, ବାରିଆଡ଼ର ବାଉଁଶବଣ କି ଆମ୍ବତୋଟା ନାହିଁ, କିନ୍ତୁ ଏହି କୋଠା ଜଙ୍ଗଲରେ ଅନେକ ଘଟଣା ଆଖିରେ ପଡ଼େ, ଯାହା ଗାଁ ଗୋହିରିରେ ମିଳନ୍ତା ନାହିଁ ।

 

ଦୂର ଦୂର ହୋଇ ଦିଓଟି କୋଠା । ତା’ର ଗମ୍ବୁଜ ଘରୁ ଗୋଟାଏ ପାଖରୁ ଆରପାଖକୁ ବେତାର ବାର୍ତ୍ତ ଚାଲିଛି । ନିୟମିତ ସମୟରେ ଗୋଟାକ ଉପରେ ଖବରକାଗଜ ଧରି ଯୁବକଟିଏ ବସେ, ମୁଣ୍ତ କୁଣ୍ତେଇବାକୁ ଆର କୋଠା ଉପରେ ତରୁଣୀଟିଏ ଚଢ଼େ । ସେ ପାଖେ ଖବର କାଗଜର ନାନାବିଧ ହଲାହଲି ସଙ୍ଗେ ସଙ୍ଗେ ଏ ପାଖେ ମୁକୁଳା ବେଣୀର ହିଲ୍ଲୋକ ଛୁଟେ, ଦେଖା ଚାହାଁ ହୁଅ ମନେ ମନେ ।

 

ରଘୁବାବୁଙ୍କ ମେସ୍,–ଠିକ୍ ସମୟ ହେଲେ ବିଲେଇଟିଏ ଆସେ, ଠିକ୍ ସମୟ ହେଲେ ବିଲେଇଟି ସେପାଖକୁ ଯାଏ । ବିଲେଇ ବେକରେ ସାନ ଡିବାଟିଏ ବନ୍ଧା ହୋଇଥାଏ, ଯେ ଦେଖିବ କହିବ, କେଉଁ ପିଲା ଖେଳିବାକୁ ବାନ୍ଧି ଦେଇଛି । ସେହି ସାନ ଡିବାଟିରେ ସାନ ଚିଠିଟିଏ ପଶିପାରେ । ବଉଳିଥିବା ଦୁଇଟି ପ୍ରାଣର କି ନୀରବ ଘେନା ଘେନି ତାହାର ଭିତରେ ।

 

ସେଦିନ ରାମପ୍ରସାଦ ବାବୁ ବାହାରେ ଥିଲେ । ଚୂନଗୋଦାମ ଘର କୋଠାତଳେ ଅନ୍ଧାରରେ ନୟନଜୋରି ପାଖେ ଏକ କରି ବସୁଥିଲୁଁ । କ’ଣ ଗୋଟାଏ ପୋକ, ଯେତେ ତଡ଼ିଲେ ବି ବାରମ୍ବାର ହଟିଯାଇ ନାକରେ ବାଜୁଥାଏ । ଆଲୁଅ ପକେଇ ଦେଖିଲି ସେ ପୋକ ନୁହେଁ, ଖଣ୍ତେ ଚିଠି, ଦୋମହଲାର ଝରକାରୁ ସରୁ ସୂତାରେ ବନ୍ଧା ହୋଇ ଓହଳିଛି । ଖୋଲି ଦେଖିଲୁଁ, ରାମପ୍ରସାଦ ବାବୁ ଆଉ ମୁଁ । ଚିଠି ଖଣ୍ତେ – ‘ସମସ୍ତେ ନାଇଟ୍‍ଶୋକୁ ବାଇସ୍କୋପ ଦେଖିବାକୁ ଯିବେ, ତା’ପରେ ତିନିଘଣ୍ଟା – ।’

 

ଉଦ୍ଭିତ ଜଗତରେ ପାଣି, ପବନ, ପକ୍ଷୀ ଓ ପତଙ୍ଗମାନେ ଫୁଲରାଣୀ ଓ ଫୁଲରାଜାଙ୍କ ଭିତରେ ଦୌତ୍ୟକାର୍ଯ୍ୟ କରନ୍ତି । ମଣିଷ ଓ ଉଦ୍ଭିଦ ଭିତରେ ସାମଞ୍ଜସ୍ୟ ବହୁତ, ତେଣୁ ଆମ ସହରର ନାନା ଉପାୟରେ ଭାବ ଅଭିବ୍ୟକ୍ତ ହୁଏ, ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ବେଳବୁଡ଼େ ଦେଖି ଦେଖି, ଶୁଣି ଶୁଣି ବୁଲି ବାହାରିଲେ ଅନେକ କଥା ମନେପଡ଼େ ।

 

କିନ୍ତୁ ଏହି ସାତଦିନ ସେ ସବୁ କଥାକୁ ମୋର ଖିଆଲ ନ ଥିଲା । ନାଜେ ବୁଝିପାରି ମୋ’ର ପୁରୁଣା ଧରଣ ଧାରଣାଠୁଁ ମୁଁ ଦଉଡ଼ି କାଟି ଭାସି ଚାଲିଗଲି । ପୁରୁଣା ବାଟଚଲା ରାସ୍ତା ଫାଁଗାଳିଆ ଦେଇ ପଡ଼ି ରହିଲା । ସେଠି ଭିକାରି ଭିକ ମାଗେ, ସେଠି ଗରିବର ଧୋକଡିରୁ ଫଡ଼ା ଫଡ଼ା ହୋଇ ଚିରା କନା ଛିଣ୍ତେ, ସେଠି ବଡ଼ ଲୋକର ମଟର ଟକର ଚାପାରେ ପିଚକାରୀ ପରି ନାଲିପାଣି ଛିରିକି ପଡ଼େ, ଏକବସ୍ତ୍ର ଦରିଦ୍ରର କାନିଜ୍‍ ନଷ୍ଟ କରବାକୁ । ରାସ୍ତା । ସେଠି କୁକୁର, ସେଠି ଭାକିଲା ମଣିଷ ।

 

ନିତିଦିନିଆଁ ଦୁନିଆରେ ପ୍ରୟୋଜନ ଅନେକ । ସମସ୍ୟା ବହୁତ କୌଣସି ସମାଧାନର କୌଣସି ନିଷ୍ପତ୍ତି ଶେଷ ନୁହେଁ କି ସ୍ଥିର ନୁହେଁ, କୌଣସି ସମସ୍ୟା ବୁଝାସୁଝା କରିବା ଲୋକ ଅଭାବ ନାହାନ୍ତି । କିନ୍ତୁ ତେଣିକି ମୋ’ର ଦୃଷ୍ଟି ନ ଥିଲା । ଯହିଁକି ଦୃଷ୍ଟିଥିଲା ସେ ବି ସମସ୍ୟା । ସେଥିରେ ଭାବିବାକୁ ବୁଝିବାକୁ ଅନେକ ଅଛି ।

 

ଜୀବନ–ସେ ଅତି ଉଦାସ, ଅତି ଅମନୋଯୋଗୀ–କାହାର ସମସ୍ୟାରେ ତା’ର କିଛି ଯାଏ ଆସେ ନାହିଁ । ମଣିଷର ସବୁ ହାତ ଗୋଡ଼ ଛଟାଛଟିକୁ ତା’ର ଗୋଟାଏ ଚିରନ୍ତନୀ ବିକୃତ ହସ-

 

ସାତଦିନ ଗଲା । ଆହୁରି ଦିନ ଗଡ଼ି ଚାଲିଲା । ଦିନୁଦିନୁ ଘନିଷ୍ଠତା ଆମର ବଢ଼ିଗଲା । ପନ୍ଦର ମିନିଟ୍‍ରୁ ଆରମ୍ଭ କରି କ୍ରମେ କ୍ରମେ ଅଧଘଣ୍ଟାଏ ପର୍ଯ୍ୟନ୍ତ ତାଙ୍କ ଘରେ କଟେ । ଛବିର ମୋ’ର ବେଶି କଥାଭାଷା ହେଉଁ, ଲେଖା ବସି ବସି ଶୁଣେ, ବେଳେ ବେଳେ କଥାରେ ଯୋଗ ଦିଏ-। ନଳିନାକ୍ଷ ବାବୁ ବା ତାଙ୍କର ସ୍ତ୍ରୀ ସବୁବେଳେ ଆମ ପାଖେ ବସି ରହିପାରନ୍ତି ନାହିଁ, ନଳିନାକ୍ଷ ବାବୁ ତାଙ୍କର ଫାଇଲରେ ନିଘାଦିଅନ୍ତି, ତାଙ୍କର ସ୍ତ୍ରୀ ଘର କାମରେ ବ୍ୟସ୍ତ ଥାଆନ୍ତି । କିଏ କେତେବେଳେ ଅନୁହୁତି ଆସି ଆମର ଗପରେ ଯୋଗ ଦିଅନ୍ତି । ସେଥିପ୍ରତି ଆମର ଭ୍ରୂକ୍ଷେପ ନ ଥାଏ ।

 

ଛବି–ସେ ଛବିଟିଏ ସତେ ।

ବାର୍ଦ୍ଧକ୍ୟରେ ପରଳପଡ଼ା ଆଖିରେ ଆଜି ସେ ଦିଶେ ଛବି ପରି ସୁନ୍ଦର ପବନ ପରି ଉଦ୍ଦାମ, ଲତା ପରି ଲୀଳାୟିତ । ସୌନ୍ଦର୍ଯ୍ୟ ଆଉ ପ୍ରାଣବତ୍ତା ଖାଦ୍ୟବସ୍ତୁ ନୁହେଁ, ସେ ଆଲୁଅ ପରି, ଯେ ତା’ର ପରିସର ଭିତରେ ଆସିବ, ତା ଉପରେ ଆଲୁଅ ପଡ଼ିବ । ଆଲୁଅରେ ସେ ନୂଆ ନୂଆ ପଦାର୍ଥ ଦେଖି ପାରିବ । ସେହିପରି ଥିଲା ଛବି ଆଲୁଅର ଝରଣା ।

 

ତା’ ପାଖେ ଗଳ୍ପ ପାଇଁ ବିଶିଷ୍ଚ ସଭାର ଆବଶ୍ୟକ ନ ଥିଲା । ତା’ର ସମ୍ପର୍କରେ ଆପେ ଆପେ ବିଷୟବସ୍ତୁ ମନେପଡ଼େ, ଗଳ୍ପ ଯୋଜନା ଗଢ଼ା ହୁଏ । ଛବି କଥା କହେ, କଥା ଶୁଣେ, ହସେ ହସାଏ । ଛବି ପାଇଁ କାମ କରିବାକୁ ଭଲ ଲାଗେ, ସେ ନାନା ପ୍ରକାର ଫର୍ମାସି ଦିଏ, ତା’ର ସବୁକଥା ହୁକୁମ୍ । ଫାଳ ଫାଳ ଆଖି ଉପରେ ଧନୁ ପରି ଭ୍ରୂଲତାର ଚିତ୍ର, କିନ୍ତୁ ଭ୍ରୂଲତାର ଦଣ୍ତା ଉଞ୍ଚ ଉଞ୍ଚ । ସୂକ୍ଷ ଚିବୁକର ଦାଢ଼ ଧାରୁଆ ଆଉ ପରିଷ୍ଟୁଟ, ଛବିର ଅନୁରୋଧହିଁ ହୁକୁମ୍ ।

 

ମନେଅଛି ସେଇ ବରଷା ପାଗରେ ତା’ ପାଇଁ ଗପ ବହି ଖୋଜିବାକୁ ବାର ଦୁଆର ବୁଲି କେତେ ମୁଁ ନେହୁରି ହୋଇଛି । ତ’ର ଊଲ୍ କିଣିବାକୁ, ଯୋତା ବାଛିବାକୁ କେତେ ଦୋକାନ ହୋଇଛି । ସାମାନ୍ୟ ସାମାନ୍ୟ ଭେଟି, ସୌଖିନ ପେନ୍‍ସିଲ୍‍ଟିଏ, ଛୁରି ଖଣ୍ତେ ବାଛିବାକୁ କେତେ ପରିଶ୍ରମ କରିଛି । ସବୁ ପରିଶ୍ରମରେ ଆନନ୍ଦ ଲାଗେ, ଯେତେ ବାଛି ବାଛି ବୁଲେଇ ବି ମନହୁଏ ଆହୁରି ବାଛିବାକୁ ।

 

ମାସେ ପରେ ଲାଗୁଥାଏ, ଏମାନଙ୍କୁ ଆଜନ୍ମ ମୁଁ ଚିହ୍ନଛି । ନଳିନାକ୍ଷ ବାବୁଙ୍କ ସ୍ତ୍ରୀ ବାରମ୍ବାର ରଘୁ କଥା ପଚାରନ୍ତି । କ’ଣ ହେଲା ? କାହିଁକି ଏ ପର୍ଯ୍ୟନ୍ତ ସେ ଉତ୍ତର ଦେଇ ନାହାନ୍ତି ? ଇତ୍ୟାଦି । ଛବି ପାଇଁ ପରିତାପ କରନ୍ତି । ଏଡ଼େ ଅଲିଅଳ ହୋଇ ବଢ଼ିଛନ୍ତି, ପୁଅ ତ ନାହିଁ, ଏଇମାନେ ପୁଅ ଝିଅ ସବୁ । କେଉଠିଁ ବିଧାତା ତା’ ପାଇଁ ରଖିଥିବ..… ଏହିପରି ।

 

ରଘୁ ଉତ୍ତର ଦେଲା ନାହିଁ । ଦିନେ ଖବର ଆସିଲା, ନବଘନ ବାବୁ ଡିପୋଟିଙ୍କ ଝିଅକୁ ରଘୁ ବିଭାହେବା ଠିକ୍ ହୋଇଗଲା । ନିର୍ବନ୍ଧ ସରିଯାଇଛି । ସେହିଦିନ ନଳିନାକ୍ଷ ବାବୁ ମଧ୍ୟ ତାଙ୍କର ଯେଉଁ ବନ୍ଧୁ ଜରିଆରେ ଖବର ପାଇଥାନ୍ତି ସଞ୍ଜବୁଡ଼େ ମତ ଦେଖି କହିଲେ– ‘ତା’ ହେଲେ ଆପଣଙ୍କ ରଘୁନାଥ ବାବୁ ଅନ୍ୟତ୍ର ବିଭାଘର ଠିକ୍ ହୋଇଗଲା, ନା କ’ଣ ।’

 

ମୁଁ କହିଲି, ‘ମୁଁ ଜାଣେ ନାହିଁ । ରଘୁ ମତେ ଚିଠି ଲେଖି ନାହିଁ କି ରଘୁକୁ ସେହିଦିନୁ ମୁଁ ଦେଖିନାହିଁ ।’

 

ନଳିନାକ୍ଷ ବାବୁ ଟିକିଏ ମୁହଁ ଶୁଖାଇଲେ । ପାଖରେ ଘରର ସମସ୍ତେ ଥାଆନ୍ତି । ତାଙ୍କ ସ୍ତ୍ରୀ ଉଠି ଚାଲିଗଲେ, ଲେଖା ଉଠି ଚାଲିଗଲା । ଛବି ଟିକିଏ ନିଷ୍ପ୍ରଭ ହୋଇ କରୁଣାଭାବେ ମତେ ଅନେଇଲା । କହିଲା– ‘ଚାହା ଆଣିବି ?’ ମୁ ବାଁରେଇ କହିଲି– ‘ନା, ଦେହ ଭଲ ନାହିଁ ଆଜି ଥାଉ । ନଳିନାକ୍ଷ ବାବୁ ହସିଲେ, କହିଲେ, ‘ଆଣ୍‍ଲୋ ମା, ଚା ଟିକିଏ ଖାଇବେ ନାହିଁ ?’

 

ଛବି ମୁହଁ ବିଚିକିଟେଇ ଦେଇ ଖତେଇ ହୋଇ କହିଲା, ‘ହୁଁ ଖାଇବେ ନାହିଁ ନା ?’ ହଠାତ୍ ଖୁସି ହେଲା ପରି ନାଚିଲା ପରି ସେ ଚାଲିଗଲା । ମୁହୂର୍ତ୍ତକର ମନଭିତରର ତୋଫାନ, ବିଚାରରେ ସନ୍ଧିସ୍ଥଳ । ସେ ନିଷ୍ପତ୍ତି କରି ସାରିଥିଲେ, ସେ ଜିତିଥିଲା ।

 

ବିଷର୍ଣ୍ଣ ହୋଇ ପାପୁଲି ଉପରେ ଗାଲ ଭରା ଦେଇ ତାହାରି ଆଡ଼କୁ ଅନେଇଁ ଅନେଇଁ ମୁ ଦୀର୍ଘଶ୍ୱାସ ପକାଇଲି । ନଳିନାକ୍ଷ ବାବୁ ଅନହୁତି ବକୃତା ଆରମ୍ଭ କଲେ–

 

‘ଆମେ ଗରିବ, ରଘୁନାଥ ବାବୁ ବଡ଼ଲୋକ, ସେ ଉପଯୁକ୍ତ ସମ୍ବନ୍ଧ କଲେ । ମୋ’ର ସେଥିକି କହିବାର କିଛିନାହିଁ ଯେ ରାଧେଶ୍ୟାମ ବାବୁ ! ମୁଁ ଦୁଃଖିତ ହେଉଛି, ଏଇଆ ଭାବି ଯେ, ଆମ ଦେଶର ଆଶା ଭରସା, ଯେଉଁମାନେ ଶିକ୍ଷିତ ଯୁବକ, ଦେଶର ସ୍ରଷ୍ଟା ଯେଉଁମାନେ, ତାଙ୍କର ବିଚାର ସେତେ ସଳଖ ନୁହେଁ କି କ୍ଷିପ୍ର ନୁହେଁ । ୟାବି କୁହାଯାଇପାରେ ଯେ ତାଙ୍କ ବିଚାର କରିବାର ଶକ୍ତି ଆଦୌ ନାହିଁ । ନା କ’ଣ କହୁଛନ୍ତି ? ଦୋଷ କାହାକୁ ଦେବା ରାଧେଶ୍ୟାମ ବାବୁ ? ଦେଶର ଅବସ୍ଥା ସେହିପରି । ପରାଧିନତା ଆମର ଏତେ ଭିତରକୁ ବୋଲି ଭେଦିଛି ଯେ, ଆମେ ଧରି ନେଇଛୁଁ, ଆମେ ଅବସ୍ଥାର ଦାସ, ଭାସୁ ଭାସୁ ଯେଉଠିଁ ଯାଇଁ ଲାଗିବା, ନିଜେ ଦିଗ ନିଶ୍ଚିତ କରିବା ସକାଶେ ହାତ ହଲାଇ ଆମେ ଆହୁଲା ମାରିବା ନାହିଁ । ଦୋଷ ଯାଇଁ ସେଠି, ବିଚାର କରିବାକୁ ଆମର ଯୁବକମାନେ ଶିଖି ନାହାନ୍ତି, କାରଣ ଆମର ଭାଗ୍ୟବାଦୀ ଦେଶ । ହେଇ ଦେଖନ୍ତୁ ବିଲାତରେ ଆମେରିକାରେ– ’

 

ନଳିନାକ୍ଷ ବାବୁ ଦୀର୍ଘ ବତ୍କୃତାଟିଏ ଦେଲେ । ବତ୍କୃତାର ବେଷ୍ଠିନୀ ଅଷ୍ଟ୍ରେଲିଆଠୁ ଉତ୍ତର ମେରୁ ଅଞ୍ଚଳ ପର୍ଯ୍ୟନ୍ତ ରେଖାଙ୍କିତ ହୋଇ ଆସିଲା । କ୍ଲାସରେ ଅଧ୍ୟାପକଙ୍କ ଭାଷଣ ଶୁଣିଲାବେଳେ ଅନେକ ସମୟରେ ମନ ଲାଗେ ନାହିଁ, ପାଦଦ୍ୱାରା ଟଟାଣରୁ ଓ ଆଙ୍ଗୁଠିଦ୍ୱାରା ଡେସ୍କରୁ ସୂର ବାହାର କରି ସମତା ରଖାଯାଏ । କିନ୍ତୁ ନଳିନାକ୍ଷ ବାବୁଙ୍କ ବତ୍କୃତାକୁ ମୁଁ ମୁଣ୍ତ ନୁଆଇଁ ପାଟି ଅଳ୍ପ ଆଁ କରି ଆଖି ସ୍ଥିର ରଖି ଶୁଣିଗଲି, ଗିଳିଗଲି ।

 

ସେ ଛବିର ବାପା । ଲେଖାର ମଧ୍ୟ । ମହନଭୋଗଥାଳିଆଏ ନେଇ ଛବି ଆସିଲା । ନଳିନାକ୍ଷ ବାବୁ କ୍ଲାନ୍ତ ହୋଇଥିଲେ, ପଦାକୁ ଗଲେ କହିଲେ, ଆପଣ କିଛି ଭାବନ୍ତୁ ନାହିଁ । ‘ଆପଣ’ ଉପରେ ଜୋର୍‍ ଦେଇ ଗଲେ ।

 

କେହି ନ ଥିଲେ ଛବି ମୋ’ର ମୁହଁକୁ ଅନେଇଲା, ପିଲାଳାଆ ଦୁଷ୍ଟ ହସ ହସି ମୋ ପାଖେ ଠିଆ ହୋଇ କହିଲ, ‘ସବୁଯାକ ଖାଇବାକୁ ହେବ। ମୁ ନିଜେ କରିଛି ଜାଣନ୍ତି ?’

 

ମହନଭୋଗକୁ ଅନେଇ ଦେଖିଲା । ତା ଉପରେ ଗୋଟିଏ ହାତ ପାପୁଲିରେ ଛାପା ଥିଲା । ଧୀରେ ଧୀରେ ଆପଣା ହାତରେ ତାକୁ ସାଉଁଳି ବସିଲା । ଛବି ପାଟିକରି କହିଲା– ‘ବାଃ’, ସେ ଭାରି ହସୁଥାଏ । ଧାଇଁ ଧାଇଁ ବାହାରି ଯାଉ ଯାଉ ସେ କହିଲା– ‘ବସି ବସି ସବୁଯାକ ଖାଆନ୍ତୁ-।’

 

‘ମୁଁ ଚାହା ଆଣେଁ–’

ମନେଅଛି, ବାହାରେ ଝପର ଝପର ମେଘ ଛିଞ୍ଚିଥାଏ, ଘରେ ମୁଁ ଏକୁଟିଆ । ଗୋଟିଏ ନଲ୍‍ଟଣ ଜଳୁଥାଏ । ଟେବୁଲ୍ ଉପରେ ସୋମାନଙ୍କର ଅଗଡ଼ମ୍ ବାଗଡ଼ମ୍ ବହି, ଗୋଟିଏ ଟାଣ ଡବା, ସେଥିରେ ଛବିର କାନ୍ଥରେ ଖଣ୍ତିଏ ଫଟୋ, ଛବିର ଓ ଲେଖାର ପିଲାଦିନର । ଆରପାଖେ କାନ୍ଥର ଜଳାବାଟେ ପଦାରୁ ଗୋଟିଏ ପୋଟଳ – ଲଟା ଗର ଭିତରକୁ ହାତ ବଢ଼ାଇ ଥାଏ ।

 

ଶେଷ ଛବିଟିର ପ୍ରତ୍ୟେକ ଟିକି ଟିକି ଅଂଶ ମନରେ ଅଟକି ରହିଯାଏ, ମନ ଏକ୍‍ସପୋଜର୍ ନିଏ, କୌଣସିଟିକୁ ଛାଡ଼ିପାରେ ନାହିଁ ଯେ କୌଣସି ଅଂଶ, ଏପରିକି ଆଲୁଅର ଧାସ କେତେ, ବେଳ କେତେ କୌଣସିଟିକୁ ଛାଡ଼ି ହୋଇଗଲେ ଅନୁଭୂତିକୁ ଜୀଆଇ ହୁଅନ୍ତା ନାହିଁ । ଯେତେବେଳେ ଅନୁଭୂତି ନିଜେ ନିଜକୁ ଜୀଆଏ, ଛବିର ସମୁଦାୟ ଭାବରେ ଜଳଜଳ ଦିଶେ, ସବୁ ଆପେ ଆସେ, ଚଳନ୍ତି ଛବି ଭିତରେ ଶେଷ ଛବି ମଧ୍ୟ ଆଗରୁ ଥାଏ, ଶେଷ ସରିଲାପରେ ଆଙ୍ଗୁଠି ଚାଲିଯାଏ ସେଇ ଛବିକୁ ।

ମଣିଷ କହେ, ‘ଏଇଟା ଶେଷର ଛବି ଏତିକି ସମ୍ବଳ ।’

ଭାବି ଭାବି ଠିକଣା କଲି, ଆଉ ତାଙ୍କ ଘରକୁ ଯିବି ନାହିଁ ।

ରଘୁ ସେଠି ବିଭାହେବ, ତା’ର ବନ୍ଧୁ ବୋଲି ସେଠି ବୋଧହୁଏ ଏତେ ସେହ୍ନ ଆଦର ପାଉଥିଲି । ପରକୁ ଆପଣା କରା ହୋଇଥିଲା କେବଳ ରଘୁପାଇଁ । ରଘୁ ମତେ ଭାଲୁ ଧରେଇଦେଇ ଛୁ’ କଲା । ଅତଏବ ମୋର ସମ୍ବନ୍ଧଟା ରଟ୍‍କରି ସେଠୁ ଛିଣ୍ତିଗଲା । ଗଲେ ଗଲ, ଆଉ କାହିଁକି ?

ସୋମାନେ କେଡ଼େ ଆଶା କରି ବସିଥିଲେ, ରଘୁ କନିଆଁ ଦେଖିବି ଗଲା, ଠକିଲା । ରଘୁ ଉପରେ ରାଗି ଦୁନିଆଁ ଉପରେ ଚିଡ଼ି ମୁଁ ବାଧ୍ୟ କରି ଯିବା ବନ୍ଦ କଲି । ପରୀକ୍ଷା ସବୁ ପାଖହୋଇ ଆସିବାରୁ ରାତି ଓଳି ମଧ୍ୟ ଟିଉସନ୍ ଟିଏ ମିଳିଗଲା, କାମ ବେଶି । ଟାଣି ଓଟାରି ତାଙ୍କ ଘରଠୁଁ ମୁଁ ନିଜ ଛାଁକୁ ଛାଁଏ ପାଖେଇ ପାଖେଇ ଚାଲିଲି । ଘରେ ଥିଲାବେଳେ ପଦାକୁ ବାହାରେ ନାହିଁ, ଭାରି ଖରାପ ଲାଗୁଥିଲା । ଦିନ ତିନିଟା ଲାଗିଲା ଗୋଟାଏ ଯୁଗ ପରି ।

ତା’ପରେ ଦିନେ, ବୁଲି ଚାଲି ଛାଇ ଲେଉଟାବେଳେ ବସାକୁ ଫେରିଛି, ଦେଖିଲି କୋଠା ଉପରେ ସୋମାନେ ଦୁଇଜଣ । ଛବି ମତେ ନିଘାକରି ସାରିଥିଲା, ଲେଖାକୁ ଆଙ୍ଗୁଠି ଦେଖାଇ ମୁହଁରେ ଲୁଗାମାଡ଼ି ହସିଲା । କୁଆଡ଼ୁକୁ ଖିଆଲ ନ କରି ବାରମ୍ବାର ହାତ ହଲେଇ ହଲେଇ ମତେ ଡାକିଲା, ତଳକୁ ଯିବାରୁ ଖାଲି ଏତିକି କହିଲା– ‘ଆସିବେ ।’

ସଞ୍ଜବୁଡ଼ିଲା, ଛକପକ ଲାଗୁଥାଏ । ବିରକ୍ତ ହୋବାକୁ ମନ ହେଉଥାଏ, କାହିଁକି ସେ ଡାକିଲା ମୋର ଛାତ୍ରଟି ଅପେକ୍ଷା କରି ବସିଥିବ, ତା’ର ପରୀକ୍ଷା ପାଖହେଲା । ମୋ’ର କର୍ତ୍ତବ୍ୟ ଅଛି, ମୁ କାମିକା ମଣିଷ, ପରଘରେ ମତେ ଗପ କହିବାକୁ ସମୟ କାହିଁ ? ଭାବି ଭାବି ଦୃଢ଼ ନିଶ୍ଚୟ କଲି, ମୁ ଯିବିନାହିଁ । ଛବି ମୁହଁ ଶୁଖେଇପାରେ ବା ରାଗିପାରେ ।

ଛବି ମୋ’ର କିଏ ?

ମୁଁ ତାକୁ ଖାତିରି କରେ ଥୋଡ଼ା !

ସଞ୍ଜବତୀ ଲାଗିଲା, ସେପାଖେ ଘଣ୍ଟି ଠୁଣୁ ଠୁଣୁ ହେଲା, ଅନ୍ୟମନସ୍କଭାବେ ସେ ଘରକୁ ବାହାରିଲି । ଦୁର୍ବଳ ଲାଗୁଥାଏ ।

ଛବି କହିଲା, ‘ଠାକୁରଙ୍କୁ ଜଣାଉଥିଲି, ରାଧେଶ୍ୟାମ ବାବୁ ଆସିଲେ ନାହିଁ କାହିଁକି, ନାହିଁଲୋ ନାନି ? ହୋଇ ଦେଖ୍ ରାଧେଶ୍ୟାମ ବାବୁ କେମିତି ଚାଲି ଆସିଲେ ।’

ନଳିନାକ୍ଷ ବାବୁ ହସିଲେ, କହିଲେ, ‘ଆପଣଙ୍କ ପାଖକୁ ଯିବି ଯିବି ହଉଥିଲି, ରାଧେଶ୍ୟାମ ବାବୁ କୁଆଡ଼େ ଥିଲେ ଏତେଦିନଯାକେ ? ଆଚ୍ଛା, କଲେଜରୁ ଏଇବର୍ଷ ବି.ଏ.ପାଶ୍ କଲେ ଯେଉଁ କିଶୋରୀମୋହନ ମିଶ୍ର, ହିଷ୍ଟ୍ରିରେ ଅନର୍ସ ପାଇଛନ୍ତି, ଆପଣ ତାଙ୍କୁ ଚିହ୍ନନ୍ତି ?’

ଲେଖା ଚାଲିଗଲା ଛବି ରହିଲା । ନଳିନାକ୍ଷ ବାବୁ କହିଲେ, ଲେଖାପାଇଁ କିଶୋରମୋହନ ବାବୁଙ୍କ ବିଷୟରେ ଟିକିଏ ବୁଝାସୁଝା କରିବାକୁ । ନଳିନାକ୍ଷ ବାବୁ ପଦାକୁ ଗଲେ-। ଖଣ୍ତି କାଶ ଶୁଭୁଥାଏ ।

 

ଛବି କହିଲା– ‘ଆପଣ ମନେ ମନେ କ’ଣ ଭାବୁଛନ୍ତି, କହିବେ ନାହିଁ ? କ’ଣ ? କ’ଣ ? କୁହନ୍ତୁ ।’

 

ମୁଁ କହିଲି, ‘କାହିଁ ନାହିଁ ତ । ସେ ଜିଦି ଧରିଥାଏ, ତା’ର ଆଖି ଯୋଡ଼ିକ ଅସ୍ୱାଭାବିକ ଉଜ୍ଜ୍ୱଳ ଦିଶୁଥାଏ । ଗୋଟାଏ ମୁନ ଭଙ୍ଗା ପେନ୍‍ସିଲ୍‍ ଧରି ସେ ଟେବୁଲ ଉପରେ ଏଣୁ ତେଣୁ ଗାରୋଉଥାଏ । ତା’ର ଆଙ୍ଗୁଠି ମୋ ହାତରେ ବାଜିଲା । ଧୀରେ ଧୀରେ ତା’ର ପାପୁଲି ସାଉଁଳିଲି । ଛାତି ଭିତରେ ଢିଙ୍କି ପାହାର ପଡ଼ୁଥାଏ, କାନମୁଣ୍ତା ଗରମ ଲାଗୁଥାଏ ।

 

ତୁନିତାନି ତା’ର ପାପୁଲି ଉପରେ ମୋ’ର ଆଉଁସା ସେ ସହିଲା । କହିଲା, ‘ଆପଣ ହାତ ଦେଖି ଜାଣନ୍ତି କି ?’

 

ତା’ର ପାପୁଲି ମୋ’ର ମୁହଁ ପାଖକୁ ରଖି ଟେବୁଲ୍ ଉପରେ ମୁଣ୍ତ ଦେଇ ମୋ’ର ଆହୁରି ପାଖକୁ ସେ ନଇଁ ପଡ଼ିଲା । କିଛି ସମୟ ତୁନିତାନି କଟିଲା । ସେ ମୁଣ୍ତ ଟେକିଲା, ମୁହଁ ଗୋଟାକ ରଙ୍ଗ ପଡ଼ିଯାଇଥାଏ, କପାଳ ଉପରେ ବୁନ୍ଦା ବୁନ୍ଦା ଝାଳ । ଦୃଷ୍ଟି ତଳକୁ କରି ବିକୃତ ଗଳାରେ ଧୀରେ ଧୀରେ ସେ କହିଲା–

 

‘କହିଲେ ନାହିଁ, ମୋ’ର କପାଳରେ କ’ଣ ଅଛି, ଭଲ କି ମନ୍ଦ ?’

ତା’ର ସ୍ୱର କମ୍ପୁଥାଏ, ଖସ୍ ଖସ୍ ଶୁଭିଲା । ଦେଖିଲା ଲେଖା ଘରଭିତରକୁ ଆସୁଛି । ଛବି କହିଲା, ‘ନାନି ତୁ ବସି ଗପ କର, ମୋ’ ର ମୁଣ୍ତ ବଥୋଉଚି, ମୁ ଯାଏଁ ।’

 

ଛବି ଚାଲିଗଲା । କିଛି ସମୟ ଲେଖାର ମୁହଁକୁ ଅନେଇ ପାରିଲି ନାହିଁ । ଲେଖା ଅନାୟାସରେ ପଚାରିଲା, ‘ଏତେଗୁଡ଼ାଏ ଦିନ ହେଲାଣି କାହିଁକି ଆପଣ ଏଣେ ଆସନ୍ତି ନାହିଁ ?’

 

ହସି ହସି କହିଲି, ‘ଭାରି କାମ ଭିଡ଼ ନା, ତେଣୁ । ଆସିଥିଲି ତ ସେଦିନ ।’

ମୋ’ର ହସ ଫେରସ୍ତ ଦେଇ ଲେଖା କହିଲା, ‘ଆପଣ ଆସିଲେ, ନାହିଁ, ତେଣୁ କୋଠାଉପରୁ ଆପଣଙ୍କୁ ଡାକିବାକୁ ବାଧ୍ୟ ହେଲୁଁ । ଆପଣ ଆସୁଥିଲେ, ନ ଆସିଲେ କାହିଁକି ?’ ତା’ର ପଚାରିବାର ବାଗ ବଡ଼ ସହଜ ଜଣାପଡ଼େ, କିନ୍ତୁ ଜବାବରେ ଧରା ନ ଦେବାକୁ ଛଟପଟ ଲାଗେ । ‘ଭାରି ଖରାପ ଲାଗେ ଏକୁଟିଆଟା–’

 

ଦୁଆରମୁହଁରୁ ଶବ୍ଦ ହେଲା, ‘ହୁ ତୁ ୟାଡୁକୁ ଆ, ଯା’ ପାନ ଆଣିବୁ ।’ ଲେଖା ଗଲା । ପୁଣି ଶବ୍ଦ ହେଲା–‘ଲେଖାପାଇଁ କୋଉଠି ଗୋଟିଏ ବର ଠିକଣା କରନ୍ତୁ । ଆଜିକାଲିକା ଟୋକାଙ୍କ ସାଙ୍ଗରେ ଆପଣଙ୍କର ବେଶି ଚିହ୍ନା ଥିବ । ଟିକିଏ ମନଦେଇ ଖୋଜିବେ, ଭୁଲିବେ ନାହିଁ । ପାଠ ଦି’ ଅକ୍ଷର ପଢ଼ିଥିବ, ଭଲ ପିଲା ହୋଇଥିବ, ଘରେ ଖଣ୍ତିଏ ଖାଇବାକୁ ଥିବ, ଏତିକି ହେଲେ ଆମର ହେଲା, ଆଉ ଅଧିକା କ’ଣ ହେବ ?

 

‘ୟେ କହୁଥିଲେ, ରାଧେଶ୍ୟାମ ବାବୁ ଭାରି ଭଲପିଲା, କୋଟିକରେ ଗୋଟିଏ–’

ସେ ମତେ ଅନର୍ଗଳ ପ୍ରଶଂସା କରିଗଲେ ମୁହଁ ଉପରେ, ମୁ ସ୍ୱର୍ଗରେ ବସିଲି ।

ପାନ ଆସିଲା, ଅନ୍ୟାନ୍ୟ ଦିନ ଛବି ମୋ’ର ଖବର ବୁଝେ ବେଶି, ଆଜି ପାନ ସାଙ୍ଗରେ ଛବି ନାହିଁ । ପାନ ଦି’ ଖଣ୍ତ ପକେଟରେ ପକେଇଲି ।

 

ଚାଲି ଆସିଲି । ବିଚିତ୍ର ଲଗୁଥାଏ । ଭାବୁଥିଲି କ’ଣ ଗୋଟାଏ ପାଇଛି । ପୁଣି ଭାବୁଥିଲି କିଏ କେଉଁଠି ମତେ ସତ୍କାରରେ ଊଣା କରିଛି, ଅପମାନ ଦେଇଛି, କିଏ ଯେପରିକି କହୁଚି– ‘ତମର ମନ ହେଲେ ଆସ, ନ ହେଲେ ନାଇଁ, କିଏ ତମର ଗୋଡ଼ ଧରି ବିନତି କରୁଛି ?’

 

ମନ ପ୍ରଫୁଲ୍ଲ ନ ଥାଏ, ଲାଗୁଥାଏ–ପାଗ ଭଲ ହୋଇଥିଲା, ଜହ୍ନ ଉଇଁ ଆସୁଥିଲା, ହଠାତ୍ ଦେଲା ମେଘ ଢାଙ୍କି । କ’ଣ ଏ ଘରେ ରହିଗଲା ଯାହା ସୁଧାରିବାକୁ ପଡ଼ିବ । ଆଉଥରେ ଆସିବା ଦରକାର–ନିଶ୍ଟୟ ।

 

ଆଉଥରେ ଆସିବି ବୋଲି ଭାବେଁ, ଆସି ପାରେନାହିଁ । ଗୋଡ଼ରେ କ’ଣ ଛନ୍ଦି ହୋଇଯାଏ ଯେପରି । ନିଜ ଭିତରେ ଅହେତୁକ ଗୋଟାଏ ଦ୍ୱନ୍ଦ୍ୱ ଚାଲେ, କିଛି ସମାଧାନ ହୁଏନାହିଁ ।

 

ସାତଦିନ ଛାଡ଼ି ପୁଣି ମୁଁ ଗଲି । ଛବିର ମୁହଁ ଉଜ୍ଜ୍ୱଳ ଦିଶୁଥିଲା, ପୁଣି ସେ ଗମ୍ଭୀର ହୋଇଗଲା, ମତେ ଛାଡ଼ି ଚାଲିଯାଏ ନାହିଁ । ବସି ରହେ ଅଥଚ ମୁହଁଟାକୁ ଲଦିଥାଏ–କିଏ ଯେମିତି କି ଶହେ ଷାଠିଏ ଧାରିଛି । ଛବି ଗମ୍ଭୀର ହେଲେ ଲେଖା ବେଶି ଗପେ । ମୋ’ର ସତ୍କାରରେ ତ୍ରୁଟି ହୁଏନାହିଁ । ଆସିଲାବେଳେ ପୁଣି ଭାବିଲି, ଅଡ଼ୁଆ ରହିଗଲା, ସମାଧାନ କରିବାକୁ ଆହୁରି ଥରେ ଆସିବା ନିତାନ୍ତ ଦରକାର ।

 

ତହିଁ ଆରଦିନ ସକାଳେ ଆସିଲି, ଖରା ପଡ଼ିଥାଏ । ଛବି ଗାଧୋଇ ପାଧୋଇ ମୁହଁ ପୋଛି ପୋଛି ଆସିଲା । ମୁହଁ ଶାନ୍ତ ଦିଶୁଥାଏ । ମୁଁ ତା’ର ଟେବୁଲ ପାଖେ ବସି ଟିଣ ଡବାର ଅଳିଆ ଘାଣ୍ଟୁଥାଏ । ଏଣୁ ତେଣୁ ଆସିଥିବା କେତେ ଖଣ୍ତ ଚିଠି ତହିଁରେ ଥାଏ । ଖଣ୍ତେ ସାନ ଖାତାରେ ଛୋଟ ଛୋଟ ଅକ୍ଷରରେ କବିତା ପୁଞ୍ଜିଏ ।

 

ଭାରି ଖୁସି ହୋଇ ଦୁଆର ମୁହଁରେ ଛବି ପାଟିକଲା, ‘ଆରେ ! ଆପଣ କେତେବେଳେ ଆସିଲେ ?’ ଲେଖା ଆଉ ଲେଖାର ବୋଉ ଆସି ଚାଲିଯାଇଥାନ୍ତି ।

 

ମୁଁ ହସୁଥାଏ, କବିତା ପଢ଼ୁଥାଏଁ । ଛବି ଚମକି ଆସି ଥଣ୍ତା ହାତରେ ମୋ’ର ହାତକୁ ଧରି ପକାଇ କହିଲା, ‘ଆରୋ ! ଆରୋ ! ସେହିପରି ତା’ର ହାତ ମୋ’ର ହାତରେ ଥାଏ । ମୁଁ ପଚାରିଲି– କେବକାର ଲେଖା ?’

 

ଛବି ଝିଙ୍କା ଓଟରା କରି ମୋ ହାତରୁ କବିତା ଖାତା ଛଡ଼େଇନେଲା । ମତେ ଭଲ ଲାଗୁଥାଏ, ସେ ହସି ହସି ଫାଟି ପଡ଼ୁଥାଏ । ମୋ ଉପରେ ଦଖଲ ଜାରି କରି ସେ କହିଲା– ‘ନାହିଁ ନାହିଁ, ଆପଣ ଏଗୁଡ଼ାକ ଦେଖିବେ ନାହିଁ, ଏଥିରେ କ’ଣ ଅଛି ? କିଛି ତ ନାହିଁ ।’

 

ମୁଁ ତା’ଠୁଁ ଆଖି ବୁଲେଇ ନେଇ ପଛଆଡ଼େ ତା’ର ପିଲାବେଳର ଛବି ଉପରେ ଆଖି ପକେଇଲି । ବଡ଼ ନିରେଖି ଦେଖୁଥାଏ । ସେ ଦୁଇ ହାତରେ ମୋ’ର ବେକ ବୁଲେଇ ନେଇ କହିଲା, ‘ଛି–ଛି–ଏ କ’ଣ କରୁଛନ୍ତି ନାହିଁ ନାହିଁ ତେଣେ ଅନାନ୍ତୁ ନାହିଁ ।’

 

ମୁଁ କହିଲି,’ହଉ, ତେବେ କୁଆଡ଼େ ଅନେଇବି ?’

ସେ ଜବାବ୍ ଦେଲା ନାହିଁ, ଖାଲି ହସିଲା । ମୁଁ ତା’ର ମୁଖକୁ ଚାହିଁ ରହିଲି । ସେ ପୁଣି ଚମକିଲା । ତଳଓଠ ଥରୁଥାଏ । କହିଲା, ‘ଆପଣ ଏମିତି ଅନାନ୍ତୁ ନାହିଁ ଏମିତି କ’ଣ ଚାହିଁଛନ୍ତି ମୁଁ, ଆରେ ।’ ସେ ତୁନି ତୁନି କହୁଥାଏ ଫ: ଫଁ ହଉଥାଏ, ତା’ର ସ୍ୱର ପ୍ରକୃତରେ ବିକଳ ଶୁଭୁଥାଏ ।

 

ମୁଁ କହିଲି, ‘କିଛି ଖବର ନାହିଁ ? ତେବେ ମୁଁ ଯାଉଛି ।’

ସେ ଗୋଟାଏ ଚଉକି ଟାଣଇନେଇ ମୋ’ର ଗୋଟାଏ କରକୁ ବସି ପଡ଼ି କହିଲା– ‘ଯିବେ ? ଆଜି ଏତେ ଚଞ୍ଚଳ ? ହୁଁ ମୋ’ର ହାତ ଦେଖିଥିଲେ କ’ଣ ଫଳାଫଳ କିଛି କହିଲ ନାହିଁ-?’

 

କଣେଇ ହସି ମୋ’ର ମୁହଁକୁ ଅନେଇ ଦେଲା, ସାମ୍ନାରେ ତା’ର ନାଲଚା ପାପୁଲି ଆଗେଇ ଧରିଲା, ମୁଁ ଖାଲି ତାର ପାପୁଲିକୁ ଚାହିଁଥାଏ, ଧୀରେ ଧୀରେ ସାଉଁଳୁଥାଏ, ବଡ଼ ଦୁର୍ବଳ ଲାଗିଲା, କିଛି କହିପାରିଲି ନାହିଁ ।

 

ଲେଖା ଆସିଲା । ମୁଁ ଜାଣିବା ପୂର୍ବରୁ ଛବି ତା’ର ଆସିବା ଜାଣିପାରି ସୁସ୍ଥ ଗଳାରେ କହିଲା, ‘ଆସିଲୁ କିଲୋ ନାନୀ, ଆ ହାତ ଦେଖେଇବୁ ଆ ।’

 

ଲେଖା ବି ମୋ’ର ପାଖକୁ ଆସିଲା । ବଡ଼ ବିରତ୍ୱ ଦେଖେଇ ଆଗ ବଳିପଡ଼ି ତା’ର ପାପୁଲି ଧରି ପକାଇ କହିଲି, ଆଣ ଦେଖା ।’

 

ସେ ଟିକିଏ ସଂଙ୍କୁଚିତ ହୋଇଥାଏ । ଯାହା ମନେ ପଡ଼ିଲା କହିଲି, ଶଷରେ ମୁହଁ ଦମ୍ଭ କରି କହିଲି,

 

‘ବିଭାଘର ବି ହେବ ଚାରି ପାଞ୍ଚ ମାସରେ । ବେଶ୍ ଭଲ ବର ।’

ଛବି ମୋ ଆଡ଼କୁ ଝୁଙ୍କି ପଡ଼ି କହିଲା ‘ସତେ ସତେ ? ଦେଖ୍‍ଲୋ ନାନୀ କ’ଣ କହୁଚନ୍ତି-।’

ଲେଖା ଲଜ୍ଜିତ ହେଲା । କହିଲା, ‘ତୋ ବାହାଘର କଥା ପଚାରୁନୁ ।’

ଛବିର ମୁହଁ ଶେଥା ପଡ଼ିଗଲା । ମୁଁ କହିଲି ‘ନା ତାଙ୍କ ବାହାଘର ଦେଢ଼ ବର୍ଷ ଡେରି ଅଛି-।’

ଛବି ଲାଜରା ହୋଇ ଖତେଇ ହୋଇ କହିଲା,’ହେଁ ।’

ସମସ୍ତେ ହସିଲୁଁ ।

କିଛି ମୁଁ ବୁଝିପାରି ନାହିଁ, କେବଳ ଭାସି ଚାଲେ ।

 

ଅନ୍ୟ ସବୁ ପ୍ରକାର ଦରକାରଠୁ ମୁହଁ ବୁଲେଇ ଆଣେ, ସବୁଯାକ ଦରକାର ଯାଇଁ ମୋ’ର ଗୋଟାଏ ମୁହଁରେ । ଲାଗେ ଯେମିତିକି ସୋମାନଙ୍କ–ମାନେ, ତା’ର ସାନ୍ନଧ୍ୟ ମୋ’ର ଦରକାର, ତାଠୁଁ କଥା ଶୁଣିବା ଅତି ପ୍ରୟୋଜନ, ମୋର ଜୀବନର କର୍ତ୍ତବ୍ୟ ତାକୁ ଅର୍ଥାତ୍ ସୋମାନଙ୍କୁ ଖୁସି କରିବା । ଅଥଚ କଥାରେ ବଖାଣି ବସିଲେ କି ଖିଅ ଉଣ୍ତି ଧରି ବସିଲେ, ଗୋଟାଏ କିଛି ସରଳ ବିଶେଷ୍ୟ ଆଡ଼କୁ ମୋ’ର ଦରକାର ସବୁ ଗଡ଼େଇ ଆଣି ହେବନାହିଁ । ସେ କୌଣସି ଗୋଟାଏ ପ୍ରଣାଳୀ ଖୋଜେ ନାହିଁ, ହୁଏତ ବା ଖୋଜୁଥିବ, ମୋର କେବେ ମନେ ପଡ଼ିନାହିଁ । ମୋ’ର କାମ କରିବା ଓ କେବଳ ସେଠିକି ଯିବା ଏତିକି କଥାରେ ମୁଁ ନିଜ ଭିତରେ ନିଜେ ମୁଁ ସନ୍ତୁଷ୍ଟ ହୋଇଥାଏଁ ।

 

ଭଲ ବାଇସ୍କୋପ ଆସିଲା, ସମସ୍ତେ ଗଲେ, ମୁଁ ଦେଖିବାକୁ ଗଲିନାହିଁ । ଗୋଟାଏ ବାଜେ ବାଇ-ସ୍କୋପ୍ ଆସିଥାଏ, ସୋମାନେ ସେଦିନ ଛ’ଟାବେଳେ ଯିବେ ମୁଁ ଜାଣିଥାଏଁ । ପାଞ୍ଚଟାବେଳେ ମୋ’ର ବାହାରି ପଡ଼ିବା କଥା । କିନ୍ତୁ ଦେଖିଲି, ମୋ’ର ରାତିର ଛାତ୍ରପାଇଁ ବସି ବସି ଗୁଡ଼ାଏ ପ୍ରଶ୍ନ ତିଆରି କରିବା ନିତାନ୍ତ ଦରକାର । ଠିକ୍ ଛ’ଟାଯାକେ ମୋ’ର କାମ ଲାଗିଲା।

 

ତା’ପରେ ମୁଁ ସାଇକଲ ଚଢ଼ି ଛୁଟିଲି ।

ବାଟରେ ଯେ ତାଙ୍କ ଗାଡ଼ି ମୋ ଆଗରେ ଦିଶିଲା, ସେଇଟା ଯେ ନିତାନ୍ତ ଗୋଟିଏ ଯୋଗର କଥା ଏଥିରେ କ’ଣ ସନ୍ଦେହ ଅଛି ? ଗାଡ଼ି କଟେଇ ଦେଇ ମୁଁ ଯାଇଥାନ୍ତି ବାହାରି, କିନ୍ତୁ ପକେଟରୁ ପାନ ସରିଗଲାଣି, ଟିକିଏ ଅଟକି ଯାଇ ପାନ ଦି’ପଇସାର କିଣିବାକୁ ପଡ଼ିବ । ପାନ ନ ନେଲେ ଛାତ୍ର-ମେସ୍‍ରେ ମତେ ପାନ ଦିଅନ୍ତା କିଏ ? ପୁଣି ସେହି ଗାଡ଼ିଟା ମୋ’ ଆଗେ ଆଗେ, କି ବିଚିତ୍ର ! ସେପାଖର ସେ ଗଳିଟା ଛାଡ଼ି ମୁଁ ଏକଦମ୍‍ ରାସ୍ତାଏ ରାସ୍ତାଏ ଛୁଟିଲି କାହିଁକି ? ଠିକ୍ ଖିଆଲ ହେଲା ଆରେ ସତେ ତ, ସାଇକଲର ଘଣ୍ଟିଟା ଟିକିଏ ବିଗିଡ଼ି ଯାଇଛି । ତା’ପରେ ସେ ଗଳିଟା, ଠିକ୍ ଏତିକିବେଳେ ସେଠି ଗୁଡ଼ାଏ ପିଲା କିଲିବିଲି ହେଉଥିବେ, ସାଇକଲ ମାଡ଼ିଗଲେ ସେତେବେଳେକୁ କିଏ ପାରେ ?

 

ଗାଡ଼ିଟା ଆଗେ ମଗେ ଯାଉଥାଏ ।

ମନେପଡ଼ିଲା, ଆଚ୍ଛା ଏବାଟେ ଯଦି ଆସିଲି, ଆମ ବୁଢ଼ୀ ମାଉସୀର ବୁଢ଼ି ନଣନ୍ଦଟି, ତା’ର ବଡ଼ ପୁତୁରା ହେଇ, ସେ ଆଗରେ ଗୋଟାଏ ଦୋକାନ ଦେଇଛି । କେତେ ଦିନ ହେଲା ମୁଁ ବୁଢ଼ୀକୁ ପଚାରି ଆସିନାହିଁ । ଯାଏ ଟିକିଏ ଦେଖି ଆସିଲେ ଭଲ ହେବ ନାହିଁ ? ଦଶ ମିନିଟ୍ ଡେରି ହେଲେ ହେବ, ଟିଉସନ କରିଛି ବୋଲି ତ ମୁଣ୍ତ ବିକି ନାହିଁ ।

 

ଗାଡ଼ି ପଛେ ପଛେ କରେ କରେ, ଗଲି । ଛବି ମୋତେ ଅନେଇଁ ଦେଉଥାଏ, ଲେଖା ବି ଦେଖିଥିବ ହୁଏତ । ବିଶେଷ କରି ଛବିର ଦୃଷ୍ଟି ଆକର୍ଷଣ କରି ମାଉସୀର ନଣନ୍ଦର ପୁତୁରାର ଘର ଦୁଆର ମୁହଁରେ ଓହ୍ଲେଇ ପଡ଼ିଲି । ଛବି ଚିକିଏ ହସି ଦେଲା । ଗାଡ଼ିଟା ଚାଲିଗଲା । ଭାରି ଖରାପ ଲାଗୁଥାଏ ।

 

ପୁତୁରା ଦୋକାନରେ ବ୍ୟସ୍ତ, ଗୁଡ଼ାଏ ଗରାଖି କଟାଳ ଲଗେଇଥାନ୍ତି–ଅଳଙ୍କାରଗୁଡ଼ାକ ଏତେଦିନ ହେଲା ତିଆରି ହୋଇ ନାହିଁ କାହିଁକି ? ଘରେ କେହି ନ ଥାନ୍ତି, ଗାଁ କୁ ଗଲେଣି ସାତଦିନ ଦିନ ହେବ, ନାହା ଆସିଥିଲା ।

 

ସେଠୁ ଫେରି ଟିଉସନ୍ ଗଲି । ଅନ୍ୟମନସ୍କ ଲାଗୁଥାଏ । ଦେଖିଲି ପ୍ରଶ୍ନଗୁଡ଼ାକ ଏତେ ପରିଶ୍ରମ କରି ଲେଖିଥିଲି ! ଆଣିଲା ବେଳକୁ ଭୁଲି ଯାଇଛି । କ’ଣ ଆଉ କରାଯାଏ ?

 

କୋଠା ଉପରୁ ନିଘା ପଡ଼ିଗଲେ ଛବି ଡବ ଡବ ଆଖିରେ ଅନେଇଁ ଦିଏ । ବାଟରେ ଘାଟରେ ଗାଡ଼ିରୁ ସେ କେତେ ଥର ଅନାଏଁ ।

 

ତା’ର ପଦାର ଚାହାଁଣି ଆଉ ଘର ଭିତରର ଚାହାଣିରେ କେତେ ତଫାତ୍ ପଡ଼ିଯାଏ, ଏତେ ଜନଗହଳରେ ପଦାର ଚାହାଁଣି ବଡ଼ ଆପଣାର ବୋଲି ମନେହୁଏ । ଘରେ କେମିତି ଆଉ ଜାତିଏ, କେତେବେଳେ ନିହାତି ନିର୍ବାକ୍, କେତେବେଳେ ଏତେ ବାଙୟ ଯେ ମୁଁ ବଡ଼ ଗୋଳମାଳରେ ପଡ଼ିଯାଏ ।

 

କିଛିଦିନ ପରେ–ଘନିଷ୍ଠତା ବଢ଼ି ଯାଇଥାଏ । ଛବିପାଇଁ ଖଣ୍ତିଏ ବହି ଆଣିଥାଏଁ ଉପହାର ।

 

ମୁଁ ଜାଣେ ଲେଖା ତାକୁ ବେଶି ପଢ଼ିବ, ଛବି ହାତରେ ଧରିବ ବେଶି ।

କଥା କହୁ କହୁ ମୋ ହାତ ଲେଖା ନାଁ ବାରମ୍ବାର ଛବି ଓଠରେ ଘଷୁଥାଏ, ମୁହଁ ଲାଲ୍ ପଡ଼ିଯାଇଥାଏ । ମଝିରେ ଟେବୁଲ୍‍, ଗୋଟାଏ ପାଖେ ଲେଖା ବସିଛି, ସାମ୍ନରେ ଛବି । ବହିରେ ଲେଖାର ନାଁ ବି ଥିଲା । ଲେଖା ବହି ଛଡ଼େଇ ନେଲା, ଛବି ମୁହଁ ଶୁଖେଇ କହିଲା,

 

‘ଆମେ ଆପଣଙ୍କୁ କ’ଣ ଉପହାର ଦେବୁ ?’

ଲେଖା ଥଟ୍ଟାକରି କହିଲା, ‘କ’ଣ ଦେବାକୁ ମନ ହଉଛି ?

ଛବି ପଚାରିଲା– ‘ତୁ କ’ଣ ଦେବୁ ?’

ଦୁହେଁ ଦୁହିଁଙ୍କୁ ଅନାଇ ହସିଲେ, ମତେ ବକା ବକା ଲାଗୁଥାଏ ।

ନଳିନାକ୍ଷ ବାବୁ ଆସିଲେ । ଅବସ୍ଥା ସୁଧାରିଗଲା କହିଲେ,

‘ଓହୋ ! ଆଜି ଯେଉଁ କାମ ବର୍ତ୍ତମାନ ମଣିଷ ଘରକୁ ଫେରୁଚି । ଛବି ଗଲୁ ଏ କୋଟ୍‍ଟା ରଖିଦେଇ ଆସିଲୁ, ଲେଖା ତୁ ଯା ପାନ ଆଣିବୁ ।’

 

ଦୁହେଁ ଗଲେ । ତାଙ୍କର ସ୍ତ୍ରୀ କବାଟ ପାଖକୁ ଚାଲି ଆସିଥାନ୍ତି ।

ନଳିନାକ୍ଷ ବାବୁଙ୍କର ଭାରି ଉତ୍ସାହ ଜଣାପଡ଼ୁଥାଏ କହିଲେ,

‘ଜାଣନ୍ତି ଆଜି କ’ଣ ଘଟଣା ହେଉଚି ? ଶୁଣ ହୋ ରାଧେଶ୍ୟାମ ବାବୁ ତ ଆମ ଘରର ଲୋକ, ତାଙ୍କ ଆଗରେ ନ କହିବା ଆଉ କାହାକୁ କହିବା ? ଆମ ହରି ଭାଇନାଙ୍କୁ ତ ପଠେଇଥିଲି-।’

 

ହରି ଭାଇନା କିଏ ତ କୁଆଡ଼େ ତାଙ୍କୁ ପଠା ହୋଇଥିଲା, ମୁଁ ଜାଣି ନ ଥିଲି । ସେ କହୁଥାନ୍ତି,

 

‘ନାଇଁ ହରିଭାଇନା ନଉ ପଛେ ଦଶ ଟଙ୍କା, ବୁଢ଼ା ଏକ୍‍ସାପାର୍ଟ୍‍ ମଧ୍ୟସ୍ଥ, ଯେଉଁଥିରେ ହାତ ଦବ ସବୁଥିରେ ସିଦ୍ଧି । ବୁଝିଲ ହୋ ଏଥର ଗଣ୍ଠିରି ମୁଣ୍ଠିରି ବାନ୍ଧ । ବୁଝିଲେ ନା, ରାଧେଶ୍ୟାମ ବାବୁ–ସେ କିଶୋରୀମୋହନ, ତା ଘରେ ରାଜି ହୋଇଛନ୍ତି ଲେଖା ବିଷୟରେ ବାହାଘର କରିବାକୁ-। ଆଉ ରଘୁନାଥବାବୁ ହରି ଭାଇନାକୁ କହିଲେ– ‘ଯଦି ଛବି ବିଷୟରେ ବାହାଘର କରିବ ତ ମୁଁ ରାଜି’

 

ହରିଭାଇନା ତ ଲେଖା ବିଷୟରେ କିଶୋରୀମୋହନ ସମ୍ବନ୍ଧ ପକ୍‍କା କରି ସାରିଥିଲେ, ଆଉ ରଘୁନାଥ ବାବୁଙ୍କ ଛବି ବିଷୟରେ ନାସ୍ତି କରନ୍ତେ କାହିଁକି ? କହିଦେଲେ– ହଉ, ଆପଣଙ୍କର ଯେଉଁଥିରେ ରାଜି ।’

 

ତା’ ସେ ରଘୁନାଥ ନାବୁ ଏକଦମ୍ ଜବାବ୍ ଠିକଣା କରିଦେଲେ । ଯାଇ ହଉ ଦିହିଁକା ଦୁହେଁ ଭଲ ଜାଗା, ନା କ’ଣ କହୁଛନ୍ତି ରାଧେଶ୍ୟାମ ବାବୁ ?

 

ହରିଭାଇନା କହିଛନ୍ତି ତେବେ ଗୋଟିଏ କଥା– ‘ବାହାଘର ନିକଟରେ ହେବ, ସେଥିପାଇଁ ତମେ ପ୍ରସ୍ତୁତ ହଉଥା। ଇତ୍ୟବସରେ ଗାଁକୁ ଚାଲିଯା, ସେଠିଯାଇ ସବୁ ସିଜିଲ୍ ସାଜିଲ୍ କର ।’

 

ହରିଭାଇନା କହିଲେ– ‘ବାବୁ ସେତେ ବଡ଼ ଆଜିକାଲିକା ଫେସନବାଲା ତମେ ହୁଅ ପଛେ, ବିଭାଘର ଠିକଣା ହେଲା ଉତ୍ତରୁ ବଢ଼ିଲା ଝିଅଙ୍କୁ ଆଉ ସହରରେ ତମେ ରଖନାହିଁ, ଗାଁକୁ ନେଇଯା । ସହରରେ ବାର ନବରଙ୍ଗ, ଭାଙ୍ଗିବା ଭଙ୍ଗେଇବା ଲୋକ ତ ଏଠି କମ୍ ନାହାନ୍ତି ? ଖାଲି ଦବ୍ ଲୋକଗୁଡ଼ାକ ।’

 

ନା କ’ଣ ରାଧେଶ୍ୟାମ ବାବୁ, ଏଁ ?’

ମୋ’ର ତଣ୍ଟି ବନ୍ଦ ହୋଇ ଯାଉଥାଏ । ମୁଁ କହିଲି,‘ନିଶ୍ଟୟ, ନିଶ୍ଟୟ ।’

ଲେଖାର ବୋଉ ଭଗବାନଙ୍କୁ କୋଟି ନମସ୍କାର କଲେ, ଆନନ୍ଦରେ ଗୋଡ଼ ତଳେ ପଡ଼ୁ ନ ଥାଏ । ମୋ ପାଇଁ ଭଲ ଜଳଖିଆ ଆସିଲା, ପାନ ଆସିଲା । ସେହି ଛବି ଆଣି ଦେଇଗଲା, ତା’ର ମୁହଁ କଳାକାଠ ପଡ଼ିଯାଇଥିଲା, କେଉଠି କାନପାତି ସେ ସବୁ କଥା ଶୁଣିଥିବ ନିଶ୍ଟୟ । ନଳିନାକ୍ଷ ବାବୁ ଆଉ ତାଙ୍କ ସ୍ତ୍ରୀ ଉଭୟଙ୍କ ତାଡ଼ନାରେ ମୁଁ ଜବରଦସ୍ତି ସେଗୁଡ଼ିକ ଗିଳିଲି ।

 

ପଦାକୁ ଆସିଲି । କିଏ ମତେ ତଣ୍ଟିଆ ମାରି ସେ ଘରୁ ତଡ଼ିଦେଲା ପରି ଲାଗୁଥାଏ । ମୁଣ୍ତ ଭାଁ ଭାଁ, ଛାତି ଭିତର ପାଣି ହୋଇ ଯାଉଥାଏ । କ’ଣ ହୋଇ ଯାଉଥାଏ, ସତେ ଯେପରି କି ସବୁ ମୋ’ର ସରିଛି ।

 

ଖୁଣ୍ଚ ଉପରେ ନଲ୍‍ଟଣଟା ଆହୁରି ବିରକ୍ତ ଲାଗୁଥାଏ, ଭାଙ୍ଗି ଦେବାକୁ ମନ ହେଉଥାଏ-। ଥିରି ଥିରି ବସାକୁ ଲେଉଟି ଗଲି ।

 

ମୁଁ ଯାହାଙ୍କର ଭଲ ଖୋଜୁଥିଲି ତାଙ୍କର ଭଲ ହୋଇଛି, କିନ୍ତୁ ମୋ ମନରେ ଶାନ୍ତି ନାହିଁ-। ମନଭିତରୁ ପ୍ରତିବାଦ ଆସୁଥାଏ, ‘ୟା ହୋଇପାରେ ନାହିଁ ।’ ମନ ଜଳିଯାଉଥାଏ । ମୋ’ର ଉପର ମନର ଭଲ ଖୋଜିବାର ମୁଖାପିନ୍ଧା ଏକା ଝିଙ୍କାକେ କିଏ ଚିରି ଫେଫାଡ଼ି ଦେଇଥାଏ ।

 

ରାତି–

ମନ ଭଲ ନ ଥାଏ । ଅନ୍ୟ ମନସ୍କଭାବେ ବସାରୁ ମୁଁ କେତେବେଳେ ବାହାରି ପଡ଼ିଛି । ମନର କୋହ ମୁଣ୍ତରେ ଚଢ଼ିଗଲା । ଜୋର୍‍ରେ ଜୋର୍‍ରେ ବାଟ ଚାଲିଲେ ତରତର ଭାବନା ସଙ୍ଗରେ ମନର ତାଳ ରହେ, କେମିତି ଯେପରି ଆପଣା ଆପେ ପ୍ରବୋଧ ଆସେ,–ମୁଁ ତୁନି ହୋଇ ବସି ନାହିଁ, କ’ଣ ଗୋଟାଏ କରିଛି’ ।

 

କ୍ଲାନ୍ତ ହୋଇ ସହର ଶେଷରେ ମୁର୍ଦ୍ଦାରଖାନା ପାଖେ ଗୋଟିକିଆ ବରଗଛତଳେ ମୁଁ ବସି ପଡ଼ିଥଲି । ମନର ଅବସ୍ଥା ସାଙ୍ଗେ ସାଙ୍ଗେ ମନ ନିଜେ ପରିସ୍ଥତି ବାଛିନିଏ । ଉଦାସ ମନରେ ଉଦାସ ପରିସ୍ଥିତି–ସହାନଭୂତି ହେଉଥିଲା । ଏଠି ସବୁ ଶେଷ, ସବୁ ଶାନ୍ତି ।

 

ଉଠି ଠିଆହୋଲି ସହର ଏଠୁଁ କେତେଦୂର ! ଅନ୍ଧାର ଭିତରେ ତା’ ଉପରେ ତା’ ଉପରେ ଖଞ୍ଜା ହେଲାପରି ଅନ୍ଧାର ସହରର ଆଲୁଅ । ସେଠି କୋଳାହଳ, ମଣିଷ ସାଲୁ ସାଲୁ, ହୁଏତ ଜୀବନ ବା । ମୋ’ର ସେଠି କିଛି ନାହିଁ,–ସବୁଥିଲା କିଛି ତ ଆଉ ନାହିଁ ।

 

ସେଇ ଆଲୁଅ ଜଳ ଜଳ, କୋଠା ବଲବଲ ବଡ଼ ସହର,–ସେ ମୋ’ର ପର, ସେ ମୋ’ର ଶତ୍ରୁ, ମୁଁ ଅଲଗା ସେ ଅଲଗା ।

 

ଖୁବ୍ ଦୃଢ଼ଭାବରେ ମୋ’ର ମନେ ହେଉଥାଏ, ଆଜି ବିଦାବିଦି କଥା ଉଠିବାରୁ ମନର ତଳ ମନର ଉପର ପାଖେ ଧରା ଦେଇ ଜଣେଇ ଦେଉଥାଏ,–ଛବିକୁ ମୁଁ ଭଲପାଏଁ, ଛବିକୁ ମୁଁ ଚାହେଁ, ଛବି ବିନା ମୋ’ର ଜୀବନ ଏ ଅପନ୍ତରା ବାଲି ମଶାଣି ପରି । ଏତେଦିନ ଏପରିଭାବେ କଥାଟିକୁ ମୁଁ ଧରିପାରି ନ ଥିଲି ।

 

ଏଥର ଆସିଲେ କିଏ କିଏ, ଅନ୍ଧାରେ ଅନ୍ଧାରେ ଛବିକୁ ମୋ ମୁହଁପାଖରୁ ଦୂରକୁ ବୋହି ନେବାକୁ । ତେଣୁ ଆଜି ମୁଁ ତା ସହିପାରିବି ନାହିଁ । ଆଉ–ମୁଁ ତାକୁ ଏତେ ଭଲ ପାଏଁ, ତା’ର ଭଲ ପାଇବାରେ ମୁଁ ଏକବାରିକ ବୁଡ଼ି ଯାଇଛି, ତାକୁ ଛାଡ଼ି ମୁଁ ବଞ୍ଚିରହିବା ଅସମ୍ଭବ।

 

କେବଳ ମୁଁ ଏତିକି ଜାଣେ, ଆଉ ସବୁ ଗୋଳମାଳିଆ,–ଭଲ ପାଇବା କି ଜିନିଷ, ଭଲ ପାଇଲେ କ’ଣ କ’ଣ ହୁଏ, କେବେଠୁ ମୁଁ ଭଲ ପାଇବାକୁ ଆରମ୍ଭ କଲି–ଏସବୁ କଥାରେ ଜବାବ୍ ମତେ ବି ଜଣାନାହିଁ ।

 

ଛବି ମତେ ଭଲ ପାଏ କି ?

ଦିନ-ଦିନ କଥାଭାଷା, ଚାହାଣୀ, ଭଙ୍ଗୀ ପୁଣି ସୁମରି ଦେଖିଲି, ଛବି ମତେ ଭାରି ଭଲପାଏ । ମୁଁ ଅନ୍ଧ ଥିଲି, ତା’ର ଜବାବ୍‍ ଦେଇନାହିଁ । ଜବାବ୍‍ ନ ପାଇ ସୁଦ୍ଧା ସେ ଆତ୍ମହରା ହୋଇ ଭଲପାଇ ଚାଲିଛି ।

 

ମନେ ମନେ ଆମେ ପରସ୍ପରର, ୟା ବି ବିଧାତାର ବିଧାନ ।

କେଡ଼େ ଡେରିରେ ବୁଝିଲି ! କେବଳ ଧକ୍‍କା ବାଜି ବୁଝିଲି !

ଯହିଁରେ ଧକ୍‍କା ବାଜିଲା, ତା’ରି ନା ସମାଜ ।

ତା’ରି ନା ସମାଜ, ସେ ଦୈବଠୁଁ ବି ନିର୍ଦ୍ଦୟ, କେତେ ପ୍ରେମିକ, ପ୍ରେମିକାଙ୍କାର ତତଲା ଲୁହ ତା ଗୋଡ଼ ତଳେ ନଈ ପରି ବୋହିଯାଇଛି ।

 

ସେଇ ନଈ ବାଲି ପଠାରେ ବି, କେତେ ହାଡ଼ଗୋଡ଼ ଅତୀତରୁ ବର୍ତ୍ତମାନଯାକେ–

ଦୈବକୁ ଗାଳିଦେଲି, ସମାଜକୁ ଗାଳି ଦେଲି, କୋହ ବଢ଼ିଲା ସାନ୍ତ୍ୱନା ମିଲିଲା ନାହିଁ । ଦୂରରସେ ଆଲୁଅ ଜଳ-ଜଳ ବଡ଼ ସହର, ସେଠି ବି ସମାଜର ରାଜୁତି ।

 

ସମାଜ ଅଛି କି ନ ଅଛି, ଜଣାପଡ଼େ ନାହିଁ, ଯେତେବେଳେ ଖେଞ୍ଚାଏ ମାରେ ସେତେବେଳେ ଜଣାପଡ଼େ । ମନଭିତର କୁହୁଳି ଉଠି ମଣିଷ କହେ– ‘ଭାଙ୍ଗି ଦିଅ ଏ ସମାଜ, ମଣିଷପାଇଁ ସମାଜ, ସମାଜପାଇଁ ମଣିଷ ନୁହେଁ ।’

 

ଏତେ ଦୁଃଖ ଭିତରେ ବିଦ୍ରୋହ ଜଳି ଉଠିଲା । ଭାବିଲା, କାହାର ମୁଁ ଖାଏ ନା ଧାରେଁ ଯେ ପରର ମୁହଁକୁ ଅନାଇଁ ଶାନ୍ତ ସୁବୋଧ ହୋଇ ବସି ରହିବି ।

 

କେତେ ଲୋକ ସମାଜକୁ ଡେଇଁ ଆପଣାର ସୁଖ କରୁଛନ୍ତି, ମୁଁ ବା ନ କରିବି କାହିଁକି ।

 

ଗୁଡ଼ାଏ ଭାବିଗଲି, ଅନ୍ଧାରଭିତରେ ଆଶା ଦିଶୁଥାଏ ଝକ୍‍କରି ପୁଣି ଭାବୁଥାଏଁ ଛବି କ’ଣ ରାଜିହେବ ? ଛବିର କ’ଣ ଏତେ ବଳ ଅଛି ?

ସେପଟେ ତା’ର ଘରଲୋକେ, ଏପଟେ ମୋ’ର ଦୁଇ ତରଫ ରକ୍ଷଣଶୀଳ । ଏହି ନିର୍ଦ୍ଦୋଷ ବୁଢ଼ାବୁଢ଼ୀମାନଙ୍କ ମୁହଁରେ କାଳି ବୋଳି ଦେଇ ଛାତି ଉପରେ ଗୋଡ଼ ପକାଇ ମାଡ଼ି ଦଳି ଦେଇ ଯିବାକୁ ପଡ଼ିବ । କିଏ ପାରିବ ? ଛବି ନା ମୁଁ ?

ବନ୍ଧନ, –କେତେ ସେହ୍ନର କେତେ ସ୍ୱାର୍ଥର । ସ୍ୱାର୍ଥର ବନ୍ଧନ କାଟିହେବ, ସେହ୍ନର ବନ୍ଧନ କାଟିବାକୁ ସତବଳେ ନାହିଁକି ।

ଭାରି ଦୁଃଖରେ ଫେରିଲି । ରାତି ଗୋଟାକ ଯେ କେମିତି କଟିଲା ଜାଣେନାହିଁ । ସକାଳରୁ ନିଦରୁ ଉଠିଲାବେଳକୁ ଭାରି ଖୁସି ଲାଗିଲା । ଧୀରେ ଧୀରେ ସୁକ୍ଷିପ୍ତିର ଚଟାଣ ଦବିଗଲା ମନତଳକୁ ବୋଲି । ପର୍ବ ଶୋକ ବାହୁଡ଼ିଲା ।

କେବଳ ମେଘୁଆ ଆକାଶ–ନିଛାଟିଆ ବଡ଼ ପୋଖରୀକୂଳ, ଭଙ୍ଗା ଦେଉଳ ଖସି ପଡ଼ୁଥିବା ଫଟା କାନ୍ଥରେ ଓସ୍ତ ଗଛ, ପାଖରେ ମଶାଣି, ସେଠି ଥଣ୍ତା ଅଙ୍ଗାର ପାଉଁଶଗଦା, ଖଣ୍ତ ଖଣ୍ତ କଳା ଫିମ୍ପାମରା ପୋକରା ବାଉଁଶ, ଧୋବ ଫରଫର ହାଲୁକା ମେଘ ମିଶା ସାଇଁ ସାଇଁ ପବନ-

ବୃଥା ଏ ଚେତନା–ମା ପେଟରୁ ବୁସୁଧାରେ ପଡ଼ି କୁଆଁ କୁଆଁ ଡାକି ଆଖି ବୁଜି ଦେଇଥିବା ପିଲା ପରି ।

ତହିଁକି ସାନ୍ତ୍ୱନା ନା ନାହିଁ,...... ।

ଉପରଓଳି ଗଲି, ଲେଖା ଖୁସିଥାଏ । ଛବିର ମୁହଁରୁ କଳାପାଣି ବୋହି ପଡ଼ୁଥାଏ । ଖାଲି ଆଖି ଦ’ଟା ନିଆଁ ପରି । ନେଳିଚା ଶୁଖିଲା ଓଠରେ ଅଭ୍ୟାସ ଗତ ହସି ହସି ଛବି ସଂଭାଷଣ କଲା, ଭାରି ଛକପକ ହେଉଥାଏ ।

ପଚାରିଲି, ‘କେବେ ଯାଉଛ ?’

ଲେଖା କୁଟିଳ ହସି ହସି ଓଲଟି ପଚାରିଲା ‘କୁଆଡ଼େ ?’

ଜାଣି ଜାଣି ମାଣ୍ଟେଇଲି, ନିରୋଳା ପଡ଼ିଲା । ନଳିନାକ୍ଷ ବାବୁ ନ ଥାନ୍ତି, ମୁଁ ପ୍ରାୟ ତାଙ୍କୁ ଅପେକ୍ଷା କରି ବସିଥାଏ । ଘଣ୍ଟି ଠୁଣୁ ଠୁଣୁ ହେଲା, ବଡ଼ ଦୁର୍ବଳ ଶୁଭୁଥାଏ ।

ଅଭିମାନ ହେଲା ମୋ’ର ଏ ଘଣ୍ଟି ଉପରେ, ୟାରିପାଇଁ ଯେତେ ବ୍ୟବଧାନ, ୟାରି ଉପରେ ସମାଜର ହିଡ଼ବାଡ଼ ତିଆରି ହୋଇଛି ମୋ’ରିପାଇଁ ।

ଏକୁଟିଆ ଭାବୁଥିଲି, କେବେ ପହିଲେ ଆସିଥିଲି ଏ ଘରକୁ, ଏଣିକି ଏ ଘର ଦୁଆରେ ମୋ’ର ଛାଇ ପଡ଼ିବନାହିଁ, ପଦାରେ ଭୂତ ଜଗିଥିବ, ତା’ର ଛାଇ ପଡ଼ିଥିବ ସାମ୍ନାରେ ଏଇ ରାସ୍ତାରେ-। ଏଣିକି ଶେଷ–ସବୁ ଶେଷ !

ଅନ୍ୟମନସ୍କ ହୋଇ ବସିଥିଲି । କିଏ ଆସି ପଛଆଡ଼ୁ ଆଖି ବୁଜି ଧରିଲା–କଅଁଳ–ଉଷୁମ–ଆଙ୍ଗୁଠି ଥରୁଥାଏ । ମୁଣ୍ତ ପଛକୁ ଝାଙ୍କି ହୋଇ ଯାଉଥାଏ । ଟପ ଟପ ଉଷୁମ ଲୁହ ମୋ’ର ମୁହଁ ଉପରେ ଝଡ଼ି ପଡ଼ିଲା ।

ଆସ୍ତେ ଆଖି ଖୋଲିଲି । କହିଲି ‘ଛି ଛବି !–ସୁନାଟି ପରା–କାନ୍ଦୁଛ ?’

ସେ ଆହୁରି କାନ୍ଦିଲା ।

କିଛି ସମୟ ପରେ–

କହିଲି ‘ଛବି–ମନର ଯଦି ଜୋର ଅଛି ଆସ ବିଭାହେବ । ଭଲ ପାଇବା ପାପ ନୁହେଁ । ବାପାଙ୍କୁ କହିବି । ତୁମେ ନିଜେ ମଧ୍ୟ କୁହ । ସମାଜ ବଦଳୁଛି, ବଦଳୁଥିବ । ଲୋକ କହିବେ, କହନ୍ତୁ, ଯାହା ଉପରେ ନିର୍ଭର ନାହିଁ ତାକୁ ମୁଁ ଡରେ ନାହିଁ । ଆମେ ବିଭା ହେବା, କେହି ଅଟକେଇବେ ନାହିଁ । କହ ଛବି, ରାଜି ତ ?’

 

ସେ ଆହୁରିୁ କାନ୍ଦିଲା, କହିଲା ‘କାହିଁକି ଆପଣ ମୋ ପାଇଁ ଏତେଦୁଃଖ ମୁଣ୍ତେଇବେ ? ଆପଣ କ’ଣ ବାପା ବୋଉଙ୍କୁ ଜାଣନ୍ତି ନାହିଁ ? କ’ଣ ବୋଲି କହିବେ ତାଙ୍କୁ ? କି ଜବାବ୍ ଦେବେ ସୋମାନେ ? ....ମୁଁ ମଲେ ବି ଆପଣଙ୍କୁ ଭୁଲି ପାରିବି ନାହିଁ– ’

 

ତା’ର ହାତ ଧରି ପକେଇଲି । ମୋ’ର ପ୍ରସ୍ଥାବକୁ ସେ ଆହୁରି ଆହୁରି ମୁଣ୍ତ ଝାଙ୍କୁଥାଏ, ଆଉ ନାହିଁନାହିଁ କହୁଥାଏ, ଆଉ କାନ୍ଦୁଥାଏ ।

 

କେତେ ସମୟ ଏପରି ବସିଥାନ୍ତି ମୁଁ ଜାଣେ ନାହିଁ । ନଳିନାକ୍ଷ ବାବୁଙ୍କ ପାଟି ଶୁଭିଲା । ଆମେ ସମସ୍ତେ ତାଙ୍କୁ ଦେଖିବାକୁ ଗଲୁଁ । ଛବି ରହିଲା ।

 

ଯେ କୌଣସି ମତେ କଥା କଟେଇ ମୁଁ ବାହାରି ଚାଲିଗଲି ।

ଆଉ ଯାଇ ନାହିଁ ।

ତା’ପରେ,–ବହୁତ କୁଣିଆଁ ଆସିଥାନ୍ତି,–ଘର ଭାରି ଗୋଳମାଳ, ଯା’ ଆସ ସବୁବେଳେ-। ପ୍ରକାର ପ୍ରକାର ମଣିଷ ।

 

ସୋମାନେ ଯିବା ଦିନ, ନଳିନାକ୍ଷ ବାବୁ ନିଜେ କହି ଯିବାକୁ ଆସିଲେ । ବହୁତ ଅନୁରୋଧ କଲେ, ବିଭାଘରକୁ ,ଯେପରି ମୁଁ ନିଶ୍ଟୟ ଯିବି । ଆଉ ହଁ, ସେ ତ ଚାଲି ଯାଉଛନ୍ତି, ଅବଶ୍ୟ ବସାରେ ଜିନିଷ ବେଶି ନାହିଁ; କିନ୍ତୁ ବେଳେ ବେଳେ ମୁଁ ଟିକିଏ ନିଘା ରଖିଥିଲେ ସେ ବଡ଼ ଉପକୃତ ହୁଅନ୍ତେ ।

 

ଗାଡ଼ି ସଜା ହୋଇଥାଏ । ଏତେ ଗୋଳମାଳରେ ଏତେ ସଙ୍ଖୁଳି ଯିବାକୁ ତାଙ୍କୁ ବେଳ ହେଲା, ସେଥିପାଇଁ ମୁଁ ଖୁବ୍ ଧନ୍ୟବାଦ ଦେଲି ।

 

ଗପ କରୁ କରୁ ସେହିପରି ଖାଲି ଦେହରେ ତାଙ୍କ ଘରଯାକେ ଚାଲିଗଲି । ସମସ୍ତେ ଲୁଗାପଟା ପିନ୍ଧି ପିଣ୍ତାରେ ଠିଆ ହୋଇଥାନ୍ତି ।

 

ଛବି ଥରେ ଦି’ଥର ଚାହିଁଲା । ତା’ର ଚାହାଣିରୁ ତା’ର ଓଠର ଭଙ୍ଗୀରୁ ମୁଁ ତା’ର ମନର କଥା ଆପେ ବୁଝିପାରିଲି ।

 

ଏତେ ମଣିଷରେ ସେ ତା’ର ମନର କଥା କହିଦେଇଗଲା–ତା’ର ଭଲ ପାଇବାର ନିଷ୍ପଳ ତୋଫାନ–

 

‘ମୁଁ ତୁମର ତୁମର–’

ଗାଡ଼ି ଚାଲିଗଲା ।

ଛବି ପଛରେ ପଛରେ ଚାଲିଲା ପରି ଲାଗୁଥିଲା ।

ଛବି ଚାଲିଗଲା, ଆଜି ଆଉ ତା’ର ସନ୍ତକ ନାହିଁ ।

ଦୁଇଦିନ ପରେ ବସା ବଦେଳେଇ ମୁଁ ବି ଚାଲିଗଲି ସେଠୁ ବହୁତ ଦୂରକୁ ।

 

ମନ ଭାଙ୍ଗି ପଡ଼ିଥିଲା, ଆଶା ନ ଥିଲା ଆଉବ କେବେ ଯୋଡ଼ିହେବ ବୋଲି । ଦେହ ଝଡ଼ିଗଲା ଦିନୁଁ ଦିନ । ପଣ କଲି ଅବିବାହିତ ରହିବି । ଅନେକ ଦେଶରେ ଅନେକ ଅବିବାହିତ ରହନ୍ତି ବୋଲି ବହିରେ ଅଛି । କାମିକା ଲୋକ, ଯେ ଜୀବନର ମୂଲ୍ୟ ବୁଝେ ତା’ପକ୍ଷରେ ବିବାହ ପ୍ରୟୋଜନ ନାହିଁ । ଯେଉଁ ବିବାହ ଭଲପାଇବାର ଫଳ ନୁହେଁ; ସେ ବିବାହ ନୁହେଁ ।

 

ଏହିପରି ଅନେକ ଚିନ୍ତା ମୋ’ ମନରେ ଥିଲା, ଜୀବନକୁ ସଂସାରକୁ ଛି କରି ଦେବା ଭଳିଆ ଚିନ୍ତା, ହାଁ – ପଶିଲା ମନରୁ ଯାହା ବାହାରେ । ତା’ର ବି ଗୋଟାଏ ରାଗିଣୀ ଆଛି, ତା’ର ରୂପ ଅଛି, ସେ ମନକୁ ଭୁଲାଏ । କଟୁ ତିକ୍ତ ଆନନ୍ଦ ।

 

ଦିନ ଗଲା । ଚବିଶ ଘଣ୍ଟାରୁ ଘଣ୍ଟାକୁ, ଅଧଘଣ୍ଟାକୁ ଆସିଲା ଛବି ବିଷୟରେ ଚିନ୍ତା । କ୍ରମେ ଦିନିକିଆ ନ ହୋଇ ସେ ହେଲା ସମୟ ସମୟରେ, କେତେବେଳେ କେଉଁପରି ଅବସ୍ଥାରେ ହଠାତ୍‍ ମନେପଡ଼େ, ମନରେ ଚୋଟମାରେ, ଗୁମ୍ ହେବାକୁ ମନହୁଏ, ଦିନେ ଦି’ଦିନ ରହି ଗୁମ୍‍ସୁମ୍‍ ବଳେ କଟିଯାଏ । ଛୋଟ ଛୋଟ କଥାରୁ ସେ ମନେପଡ଼େ ଅଜାଣତରେ, ହସୁ ହସୁ ହସ ଅଟକି ଯାଏ ।

 

ଭାବିଥିଲି ଆଉ ହସିବି ନାହିଁ ବୋଲି । ପୁଣି ହସିଲି, ପୁଣି ଆହାର ଧରିଲି । ଛବି ରହିଲା ମନର ଗହୀର ତଳରେ, ବେଳ କାଳକୁ ଉଠି ଖେଞ୍ଚା ମାରିବାକୁ ।

 

ଶୂନ୍‍ଶାନ୍ ଲମ୍ବା ନାଲି ସଡ଼କରେ କେବେ ଗୋଟିକିଆ ବାଟୋଇ ଜଣକୁ ଦେଖିଥିଲି ।

 

ଗୋଡ଼ଯାକ ତା’ର ଧୁଳି, ନଳି ଗୋଡ଼ରେ ଶିର ଟଣକ ଉଠୁଛି, କପାଳରୁ କେରା କେରା ଝାଳ ନିଗିଡ଼ି ପଡ଼ୁଛି, ଆବୁଡ଼ା ଖାବୁଡ଼ା ଦାଢ଼ିର ରୁଢ଼ବାଟେ । କାନ୍ଧରେ ଖଣ୍ତେ ସାନ ମୋଟା ବାଡ଼ି,ତହିଁରେ ବିଜୁଳି ଝୁଲୁଛି । ଅଳ୍ପ ବାଙ୍କୁଆ ହୋଇ ବାଟୋଇ ଚାଲିଛି ସାମ୍ନାକୁ ।

 

ପଚାରିଲି ‘କେତେ ଦୂର ଯିବ ବାଟୋଇ ?’

ନ ଅଟକ କହିଦେଇ ଗଲା,’ବହୁତ ଦୂର, ବହୁତ ଦୂର ।’

 

କେତେ ଦିନେ ସାରିଙ୍ଗି କାନ୍ଧେଇ ଦୃଷ୍ଟିହୀନ ବଡ଼ ବଡ଼ ଆଖିରୁ ଲୁହ ଗଡ଼େଇ ଗଡ଼େଇ ସୁରଦାସଙ୍କ ଭଜନ ବୋଲି ବୋଲି ପଶ୍ଚମା ଭୀକାରି ଜଣେ ଲୋକ ଗହଳି ଛକବାଟେ ଯାଉଥିବାର ଦେଖିଥିଲି । ତା’ର କଳାକୋଟ୍ ଖଣ୍ତିକ ଠାଏ ଠାଏ କଣା ହୋଇ ଯାଇଥିଲା । ସେ ଘାଗଡ଼ା ପାଟିରେ ବିକଟାଳ ବୋଲି ଗାଉଥିଲା, ।

 

‘ପ୍ରତୀ କରି କାହୁ ସୁଖନ ଲହ୍ୟୋ,

ତା’ର ମୁହଁ ଭୁର୍କୁଣ୍ତା ଦିଶୁଥିଲା, ତା’ର ଲହୁଧାର ନିଗିଡ଼ି ଚାଲିଥିଲା ଶ୍ରାବଣର ଧାରାପରି-

 

ନିଛାଟିଆ ପର୍ବତ ଉପରେ ସାନ ଟୁଙ୍ଗି ଘରେ କେବେ ଦେଖିଥିଲା ପାଉଁଶବୋଳା ଯୌବନ ଲହଲହ ଟୋକା ସନ୍ନସୀ ଜଣକୁ । କେତେ ଲୋକ ତା ପାଖେ ମୁଣ୍ତିଆ ମାରି ମାନସିକ ଯାଚନ୍ତି । ଗୋରା ଗୋରା ସୁନ୍ଦର ହାତ ଯୋଡ଼ିଏ ଟେକି ସେ ଆଶୀର୍ବାଦ କରେ, ତୁନିହୋଇ ଉଦାସ ହସ ଟାଏ ହସିଦିଏ, ଦେଖିଲେ କାନ୍ଦମାଡ଼େ । ସେ ମୌନୀ ।

 

କେବେ କେନ୍ଦେରା ବଜେଇ ‘ଗୋବିନ୍ଦ’ ଚନ୍ଦ୍ର ଗୀତ ଗାଇ ଗାଇ ଗଲା ପିଲା ଯୋଗୀଟିଏ, କହିଗଲା, ।

 

‘ଜୀବନ ଅଟଇ ମିଛରେ କୁମର ମରଣ ଅଟଇ ସତ ।’

କେନ୍ଦେରା କାନ୍ଦି କାନ୍ଦି ଗଲା ଜୀବନ ଉପରେ ଅଭିମାନ କରି । ବେଳେ ବେଳେ ଲାଗେ ଏତିକି ଠିକ୍, ବାକି ସବୁ ମିଛ । ଯାହା କଥା ଭାବେ ତା’ ପାଇଁ ମନ କାନ୍ଦେ, ଭାବିଲାବେଳକୁ କେହି କାହାର ନୁହେଁ, ସବୁ ଅଢ଼େଇଦିନିଆଁ, ସବୁ ଫାଙ୍କି ।

 

ରାଧେଶ୍ୟାମ ଦରବୁଢ଼ା ହେଲାଣି, ତାର ପିଲାଏ ଧୂଳିଖେଳ ଖେଳିଲେଣି । ମୋ ବୟସର କେତେ ବୁଦ୍ଧିମନ୍ତ ଲୋକ ପିଲାଙ୍କୁ ଆକଟନ୍ତି, ନାଲି ଆଖି ଦେଖାନ୍ତି, କେହି କେହି ବିଦ୍ୟାବନ୍ତ ଲୋକ ସମୟ ନଷ୍ଟକରି ଆପଣାର ଅଭିଜ୍ଞତା ବଖାଣି ବୁଝାନ୍ତି, ‘ପିଲାଏରେ ଏସବୁ ମିଛ ବୃଥା, ବୃଥା ।

 

ମଣିଷ ପିଲା କୁହାର ବୋଲାର ନୁହେଁ । ଚିହିଁକି ଉଠି ଜବାବ୍‍ ଦିଏ,

ତମର କ’ଣ ଅଛି, ? ତମେ ତୁନିପଡ଼ ।’

ମୁଁ ଭାବେଁ ବାଧାଦେବା ପ୍ରୟୋଜନ ନାହିଁ, ଜୀବନର ସୁଅ ଚିରଦିନ ପଡ଼ିଥିବ ମରଣମୁହାଁ, ଆଉ ଭୁଲ କରିବା ସମସ୍ତିଙ୍କର କର୍ତ୍ତବ୍ୟ, କାରଣ ଭୁଲ୍ ହିଁ ଅଭିଜ୍ଞତା ଅର୍ଜିବାର ସାରାଂଶ-

 

ଆଜି ଭାବୁଛି, କେଉଁଟି ଭୁଲ୍ କଲି କି ?

ଭାବନାର ଥଳ କୂଳ ପାଉ ନାହିଁ, କାରଣ ଭୁଲ୍‍ତ ସବୁଠିଁ ।

ଛବି ଗଲା ଯାଉ, ସେ ବି ଭୁଲ୍, ହୁଏତ ।

ଚାରି ମାସ ପରେ ରାଘବ ଘରକୁ ଯାଇଥିଲି । ମାଧବୀ କହିଲା, ‘ଏତେ ଦିନହୋଲା କୁଆଡ଼େ ଯାଇଥିଲ ଭାଇ ?’

 

ଦେଖିଲି ସେ ବଦଳି ନାହିଁ କିନ୍ତୁ ମତେ କାହିଁକି ଭଲ ଲାଗେ ନାହିଁ ସେଠି ବସି ରହିବାକୁ ଚାଲି ଆସିଲି ।

 

ସହରରେ ବାଟରେ ଘାଟରେ କେବେ କେମିତି ମଞ୍ଜୁଳିକାକୁ ଦେଖେଁ, କଲେଜର ସହପାଠିନି ମଞ୍ଜୁଳିକା । ସେ ଗାଡ଼ିରେ ଚଢ଼ି ଚାଲିଯାଏ । ମୋ’ର ମନରେ ଆଦୌ ଉତ୍ସାହ ହୁଏନାହିଁ-

 

କଞ୍ଚନମାଳାର ବର ମୋ’ର ଚିହ୍ନା ଲୋକ । ଗାଁ-ପାଖିଆ ବୋଲି ଅନେକ ଥର ତା’ଘରକୁ ଯିବାକୁ ମୋର ସମୟ ନ ଥାଏ ।

 

କେବଳ ଦରକାର ଛଡ଼ା ଅନ୍ୟ ସମୟରେ ଗାଁକୁ ଯିବାକୁ ମନ ହୁଏନାହିଁ ।

ମୁଁ ଖୁବ୍ ବଢ଼ି ଯାଇଛି, ଗାଁରେ ମିଶିବାକୁ ସାଙ୍ଗ ସୁଖ ନ ଥାନ୍ତି । ଗାଁ ମାଇପିଙ୍କ ଟାହି ଟାପରା,’–ରାଧୁ ତୁମେ କେବେ ବାହା ହଉଚ ? ରାଧୁ ତୁମେ ବାହା ହଉନ କାହିଁକି ?,–ଭାରି ଚିଡ଼ିମାଡ଼େ–ଭାବେଁ ଏମାନଙ୍କର ରୁଚି ଏପରି, ବାଜେକଥା କହି ମଣିଷକୁ ବିରକ୍ତ କରନ୍ତି ।

 

ଆପଣାର ମଉଜି ସାଙ୍ଗୀମାନେ, କେତେ ଜାତି ରସରସିଆ କଥା କହି ଯେଉଁମାନେ ହସାନ୍ତି, ଯାହାଙ୍କ ପାଖରେ ବସି ପଡ଼ିଲେ ବାରଆଡ଼ର ମଉଜ ସମ୍ବାଦ ଶୁଣିବାକୁ ମିଳେ, ସୋମାନଙ୍କୁ ମୁଁ କେଉଁଦିନୁଁ ତାଙ୍କ ନିଜ ଉପାୟରେ ସଙ୍ଖୁଳି ନାହିଁ ।

 

କେତେ ମେସ୍ ଭାଙ୍ଗିଲାଣି, କେତେ ମେସ୍ ଅଛି, ଯେଉଁଠି ଆଉ ମୋ’ର ଚିହ୍ନାଲୋକ ନାହାନ୍ତି ।

 

ଆଉ ସେ ପୁରୁଣା କଥା ପ୍ରତି ଆସକ୍ତି ନାହିଁ ।

ଆଉ ମୁଁ ଖବର ରଖିବାକୁ ଉତ୍ସୁକ ନୁହେଁ–କିଏ କ’ଣ କଲା, କିଏ କ’ଣ କରୁଛି, ଇତ୍ୟାଦି-। ସେଗୁଡ଼ାକ ବାଜେ କଥା, ଯାହା ସାଙ୍ଗରେ ମୋ’ର ଚିହ୍ନା ଭାଙ୍ଗିଯାଇଛି ।

 

ବାହାଘଡ଼ି ପଡ଼ିଲେ କେତେଆଡ଼ୁ କେତେ ବିଭାଘର ନିମନ୍ତ୍ରଣ ଆସେ,–ସୁନ୍ଦର କାଗଜରେ ସୁନ୍ଦର ନିମନ୍ତ୍ରଣ । ବେଳେ ବେଳେ ବିଭାଘର ଗୀତ । ଖୋଳୁ ଖୋଳୁ ଆଖି ଗଡ଼େଇ ଯାଏଁ, ଦୁଇ ଥର ବି ଦେଖ ନାହିଁ, ରଖିଦେଇ ଥାଏଁ ସେହିପରି ।

 

ବଡ଼ ଗମ୍ଭୀର ମୁଁ ।

ଲୋକେ କହନ୍ତି ଭଦ୍ରଲୋକ ।

କେହି ମୋ’ର ଶତ୍ରୁ ନାହାନ୍ତି, ବନ୍ଧୁ କିଏ ବା ଥିବେ, ମୁଁ ଖୋଜେ ନାହିଁ ।

ଘରେ କହନ୍ତି ‘ପୁଅ ହୁସିଆର ହୋଲାଣି, ଘର ସମ୍ଭାଳିବ’ ।

ଆରସିରେ ଚେହେରାଟି ଦେଖେଁ, ମନ୍ଦ ନୁହେଁ । ବେଶ୍ ବଳିଷ୍ଠ ଗଢ଼ଣ । କଠିନ ଗମ୍ଭୀର ମୁଁହଁ । କୁଆଡ଼େ ଥିଲା ଏତେ କଠିନତା ! ମଦ ନୁହେଁ । କେବଳ କପାଳ ସାମ୍ନାରେ ଅଳ୍ପ ଟିକିଏ ଚନ୍ଦା ହୋଇଯାଇଛି, କପାଳଟା ଆହୁରି ଚଉଡ଼ା ଦିଶୁଛି । ଗହୀର ଆଖି ଆଉ ସରୁ କଠିନ ଓଠ ଦିଇଟା କ୍ଷମତାସୂଚକ ।

 

ଡାହାଣ ପାପୁଲିରେ ଭାଗ୍ୟରେଖା ଧୀରେ ଧୀରେ ବୃହସ୍ପତି କ୍ଷେତ୍ର ଉପରକୁ ଚଢ଼ୁଛି, ସବୁ ଭଲ ହେବ ।

 

କେବଳ ରହି ରହିକା ଅନହୁତି ପ୍ରାଣ ଭିତରୁ ତୋଫାନ୍ ଉଠେ, ମନଟା ଚିତ୍‍କାର କରି କାନ୍ଦେ, ମନେ ମନେ କହେଁ–

 

‘ଛବି,–ଛବି ଯଦି ମୋ’ର ହୋଇଥାନ୍ତା ! ହୁଏତ ଜୀବନର ଗତି ହୋଇଥାନ୍ତା ଆଉ ପ୍ରକାରେ !’

 

ବହୁତ ଦିନ ପରେ–

କଥା ଉଠିଥାଏ ମୁଁ ବିଭାହେବି । ଘରୁ ପେଷଣ ଆଉ ଉତ୍‍ପୀଡ଼ନ, ବାହାରୁ ବହୁତ ପ୍ରକାର ଉପଦେଶ, ସାନ୍ତ୍ୱନା, ସହାନୁଭୂତି ଏବଂ ମୋର ମତି ଠିକଣା କରିବାକୁ ନାନାଜାତି ଚେଷ୍ଟା । ସବୁ ପ୍ରକାର କୌଶଳ ଓ ଷଡ଼ଯନ୍ତ୍ର ଭିତରେ କଟାକଟି ଠେଲାଠେଲି କରି ମୁଁ ଏପର୍ଯ୍ୟନ୍ତ ମୁଣ୍ତ ଟେକି ରହିଛି, ମୋ’ର କେତେ ବନ୍ଧୁ ଡୁବିଲେଣି । କାହାର ଦୁଇଟି ଛୁଆ କାହାର ତିନୋଟି, ଭାବିଲେ ହସମାଡ଼େ ।

 

ସୋମାନେ ସମସ୍ତେ ସମାପ୍ତ, ସୋମାନଙ୍କର କଥା ଦୁଇ ଥର ପଚାରେ ନାହିଁ, କେବଳ ତାଙ୍କର ଘରକରଣା ଯଦି କେଉଁଠି ବେସୁରା ବାଜେ, ସମାଜ ବସିଛି ଚାହିଁ କଥା ରଟେଇ ତାଳି ମାରିବାକୁ ।

 

ମୁଁ ନୁହେଁ । ମୁଁ ଅଦ୍ୟାପି ଅସମାପିକା ।

ମୁଁ ଭାବେଁ, ବଢ଼ି, ଧୋଇ, ମରୁଡ଼ିପରି ଏ ବିବାହ ସଂସ୍କାର, ଆସେ ମଣିଷକୁ ବୁଢ଼ା କରାଇବାକୁ, ତେଣୁ ବିବାହରୁ ଏଡ଼ି ଚଳି ଆସିଛି ।

 

କିଏ ଗର୍ବ କରେ ନିଜ ସ୍ତ୍ରୀ କଥା କହି, କିଏ ଦୁଃଖ କରେ, କିନ୍ତୁ ମୁଁ ଦେଖେଁ,–ବିବାହିତ ସର୍ବସାଧାରଣ ଆପଣା ଅବସ୍ଥା ପ୍ରତି ଉଦାସୀନ । ବିବାହ ଜୀବନରେ ଗୋଟାଏ ଅବସ୍ଥା ତାଙ୍କର ମନେ ନାହିଁ ।

 

ବିବାହ ମତେ ଛୁଏଁ ନାହିଁ ।

ବେଳେ ବେଳେ ଅବଶ୍ୟ ଦୁର୍ବଳ ମୁହୂର୍ତ୍ତରେ,–ମୁଁ ଭାବେଁ ମୋ’ର ନିତାନ୍ତ ଆପଣାର ହୋଇ ପାଖେ ପାଖେ ପାଖେ ଜଣେ କେହି ଥାଆନ୍ତା, ମୋ’ର ତା’ର ଏକା ମତ ଏକା କାମ, ମୁଁ ତାକୁ ଦେଖି ଖୁସି ହେଉଥାନ୍ତି ।

 

ସେତିକିବେଳେ ବାହାଘର ଚିନ୍ତା ଆସେ ।

ମୁଁ ଦୂରକୁ ଦୂରକୁ ସ୍ୱପ୍ନ ଦେଖିଯାଏଁ ଯେ ମୁଁ ବୁଢା ହୋଇଛି, ମୋର କୋହି ନାହିଁ, ମୁଁ ଏକୁଟିଆ । ଏଘର ସେ ଘର ହେଉଛି, ଗୃହସ୍ଥମାନେ ଆଦର ଯନ୍ତ୍ର କରୁଛନ୍ତି । ମତେ ଲାଗୁଛି ଗୋଗିଏ ଦରିଦ୍ର କୁଣିଆ ପରି ।

 

ସେତେକିବେଳେ,–ସେହି ଦୁର୍ବଳ ମୁହୂର୍ତ୍ତରେ, ମୁଁ ଥିରି ଥିରି ମନକୁ ମନ କହେଁ, ମୋ’ର ସ୍ତ୍ରୀଟିଏ ଦରକାର, ଯେ ମତେ ସହିବ, ଆଉ ମୋର ହେବ ।

 

କିନ୍ତୁ ତାର ରୂପ ଗୁଣ ଅନେକ ହେବା ଦରକାର । ମୁଁ ମନେ ମନେ ତାଲିକା କରେଁ, ଯେତେବେଳେ ବାହାରୁ ଆସୁଥିବା ପ୍ରସ୍ତାବକୁ ନିନ୍ଦାକରେ, ଦେଖେ ତାଲିକାରୁ ଅନେକ ଉଣା ଅଛି, ମନ ଭାଙ୍ଗିଯାଏଁ ।

 

ଦିନ ଯହୁଁ ଯାଏ, ମୋ’ର ଦୁର୍ବଳ ଚିନ୍ତା କ୍ରମେ ସବଳ ହୁଏ । ମୁଁ ବିଭାହେବାକୁ ପ୍ରସ୍ତୁତ ହୁଏଁ । ମନକୁ ପ୍ରବୋଧ ଦିଏଁ ଏହିପରି କିଛି ଯେ ମୋ’ର ତାଲିକାରୁ ଊଣା ହେଲେ ମୁଁ ବିଭାହେବି ନାହିଁ, ତେଣୁ ଦୁଃଖ ନାହିଁ, କିନ୍ତୁ ଯେତେବେଳେ ବିବାହ ଠିକଣା ହେଲା ବୋଲି ଧରି ନେବାକୁ ମନ ସ୍ଥର କରିବାକୁ ପଡ଼େ, ମୁଁ ପଛକୁ ହଟେଁ, କ’ଣ ଯେପରି ମତେ ଅଟେକେଇ ଦିଏ, ମତେ ଭାରି ଖରାପ ଲାଗେ ।

 

ସତେ ମୁଁ ବିଭା ହେବି ? ମୋ’ର ସ୍ୱାଧୀନ ଜୀବନ–ସମାଜର ଅବୁଝା ବନ୍ଧାଗତରେ ଛନ୍ଧିଛାନ୍ଧି ହୋଇଯିବ ? ଅସମ୍ଭବ ।

 

ଏହିପରି ଅସମ୍ଭବ ଅସମ୍ଭବ କହି ବହୁତ ପ୍ରସ୍ତାବ ସଙ୍ଗେ ଲୁଚାକାଳି ଖେଳାଲି । ନାନା କୌଶଳରେ ଅନେକ ସମ୍ବନ୍ଧ ମୁଁ ପରଖି ଦେଖିଲି । କୌଣସିଠିଁ ଭରସା ହୁଏନାହିଁ, ବିନା କାରଣରେ ନିଜର ମନ ଅଡ଼ୁଆ ବାହାର କରେ ବିବାହ ହୁଏ ନାହିଁ ।

 

ତା’ର କାରଣ, ଅଭାବଟା ମୋର ମନ ଭିତରର, ସେଠି ନୀତି ନିଷ୍ପତ୍ତି ସମ୍ବନ୍ଧେ ଦ୍ୱନ୍ଦ୍ୱ ଚାଲିଛି, ମୀମାଂସା ସଂପୂର୍ଣ୍ଣ ହୋଇନାହିଁ, ତେଣୁ ପଦାକୁ ଅନେଇଲେ ମୁଁ ଅପୂର୍ଣ୍ଣତା ଦେଖେଁ, କୌଣସିଠିଁ ମୋ’ର ରାଜି ନାହିଁ ।

 

ଆଦୌ ବିଭାଘର ହେବ ନାହିଁ, ଭାବିଲେ ଖରାପ ଲାଗେ, ହେଇତି ବିଭାଘର ହୋଇଯିବ କହିଲେ ଖରାପ ଲାଗେ । ମୋ’ର ମନ ଦୁଇକୂଳ ମଝିରେ ।

 

ଏହିପରି ଦିନେ, ବହୁତ ଦିନପରେ ଭାଉଜଙ୍କୁ ପାଖରୁ ଖଣ୍ତେ ଚିଠି ପାଇଲେ–,

‘ରାଧୁ–ଅଭାଗିନି ଭାଉଜଙ୍କୁ ଆଉ କାହିଁକି ପଚାରିବି ? ନିଲଠାପଣିଆ କରି ଚିଠି ଲେଖିଛି, ଚିଠି ଲେଖିବାକୁ ତୁମର ସମୟ ହୁଏ ନାହିଁ, ଚିଠି ପଢ଼ିବାକୁ ସମୟ ହେବ ତ ?

 

ଆମେ ରେଣୁକା ବିଷୟରେ ତୁମ ବାହାଘର କରିବାକୁ ତୁମ ବାହାଘର ତାଙ୍କ ଘରଭିତରେ ଚିଠିପତ୍ର ଚାଲିଥିଲା । ତୁମ ବାପାବୋଉ ଖାଲି କହୁଚନ୍ତି, ପୁଅର ଯେଉଁଠି ମନ ହେବ, ଆମର ସେଇଠି ମତ । ମୁଁ ଭାବୁଥିଲି ଲେଖିଦେଇଥାନ୍ତି, ହଁ ତମର ତ ମତ ଅଛି । ପୁଣି ଭାବିଲି, ତୁମେ ସେହି ରାଧୁ ଅଛଟି ? ଯଦି ବଦଳିଥିବ ମା’ଲେ, ମେତେ ଡର ମାଡ଼ିଲା । ତୁମକୁ ମୋ ରାଣ ସତ କହିଲ, ରାଧୁ ତୁମର କ’ଣ ମତ ନାହିଁ ? କେଉଁ ଗୁଣରେ ରେଣୁ ଊଣା ? ତୁମେ ଗୁଣ ଚାହଁ କି ନା ତୁମେ ଟଙ୍କାକୁ ବାହା ହେବ ? ମୁଁ ଜାଣେ ରେଣୁ ତୁମକୁ ଭାରି ଭଲପାଏ, ସବୁବେଳେ ବାରେଇ ହଉଥିବ । କାନ ଟେକି ରହିଥିବ ଖାଲି ତୁମରି କଥା ଶୁଣିବା ପାଇଁ । ସୁନାଟି ପରା ତୁମେ ନାହିଁ କରନାହିଁ । ମୋ-ରାଣ ଚଞ୍ଚଳ ଫେରନ୍ତା ଡାକରେ ଜବାବ ଦବ ।

 

ମୁଁ ଯାଉଛି, ତେମେ ତରକାରି ବସେଇ ଦେଇ ଆସିଛି । ତର ତର ହେଲି ଅକ୍ଷରଗୁଡ଼ାକ ବାଲୁରୁ ବାଲୁରୁ ହୋଇଗଲା । ଭୁଲିବ ନାହିଁ ଚିଠି ଦେବ ।’

 

ସବୁ ଧାରଣା ଚହଳି ଗଲା । କେତେ ଦିନର ବହଳ ସୃତିତଳୁ ରେଣୁକା ଉଠିଲା,–କେମିତି ହେବଣି ସେ ..... !

 

ମନକୁ କଠିନ କଲି । ଜବାବ ଲେଖିଦେଲି – ‘ମତେ କ’ଣ ତୁମେ ପଚାରୁଛ ? ତୁମ ଠୁ କ’ଣ ମୋ’ର ଭଲ ମନ୍ଦ ମୁଁ ବେଶୀ ବୁଝେ ? କେଉଁ କଥାରେ ଭଲା ତୁମର ଅବାଧ୍ୟ ହୋଇଛି ଯେ ଇଂରେଜି କାଇଦାରେ କ୍ଷମାପ୍ରର୍ଥନା ମାଗିଲା ଭଳି ଥଙ୍ଗେଇ ଥଙ୍ଗେଇ ହୋଇ ତୁମେ ଚିଠି ଲେଖିଛ ? ମତେ କିଛି ପଚାର ନାହିଁ – ଯାଃ ।’

 

ମୁଁ କଳି ଦେଖେଁ,–ହଁ ରେଣୁକା ଭଲ ପିଲା, ମୁଁ ତାକୁ ଭଲ ପାଉଥିଲି । କିନ୍ତୁ ମୁଁ ତାଙ୍କୁ ବିଭାହେବା ଭଳି କେତେଦୂର ତା’ର ଉପାଦୟତା, କେତେ ମୁଁ ତାକୁ ଦେଖିଛି–କ’ଣ ମୁଁ ତା’ର ଜାଣେ-? ଅନେକ ପ୍ରଶ୍ନ ଯାହାର ଜବାବ୍‍ ନାହିଁ ।

 

ଭାବେ ବିଭାଘର ପିଲାଖଳ ନୁହେଁ, ଦୂରରୁ ଦେଖିବା ଓ ଦାୟିତ୍ୱ ମୁଣ୍ତେଇବା ଭିତରେ ତଫାତ୍ ଅନେକ । ଥଟ୍ଟା ନକଲରେ ଗେଲରେ ଗେଲରେ ପରିଚୟ ଆରମ୍ଭ ହୋଇଥିଲା । ରହିଥିଲା ଯେଉଁଠି ସେଇଠି । ଆଉ ବର୍ତ୍ତମାନ ବିଭାଘର ହେବ । ସେତିକି ହେବ ଜୀବନଯାକ ମୋ’ର, ଆଉ ଅଧିକ ନୁହେଁ, ଯେତିକି ରେଣୁକାଠିଁ ଆବଦ୍ଧ ।

 

ତା’ ବିଷୟରେ ଅନେକ ପ୍ରଶ୍ନ ମନରେ ଉଠେ, ବେଳେ ବେଳେ କେତେ ଖରାପ ଲାଗେ, ଭାବେଁ–

 

‘ରାଧେଶ୍ୟାମ ବର୍ତ୍ତମାନ ବି, ସମୟ ଅଛି, ତା’ନେଡ଼ିଗୁଡ଼ କହୁଣୀକୁ ବୋହିଯାଇଥିବ, ହସୁଆର !’

 

ଦଶଲୋକଙ୍କ ଖୁସି ଆନନ୍ଦରେ ପୁଣି କେତେବେଳେ ନିଜେ ଖୁସି ହୁଏଁ । ମନଭିତରେ ସବୁ ଓଲା ଚିନ୍ତାକୁ ପଛକୁ ଠେଲିଦେଇ କହେଁ, ‘ସବୁଥିରେ ଦୁଇପାଖ ଅଛି । ଭାବୁଥିଲେ ଯୁଗ ପାହିଯିବ, ସବୁ ଝିଅ ସମାନ ।’

 

ମୁଁ ପ୍ରସ୍ତୁତ ହେଲି, ବିଭାଘର ସରିଗଲା । ହଠାତ୍ କେମିତି ସରିଗଲା ଆଶ୍ଚର୍ଯ୍ୟ ହେଲି, ଏଡ଼େ ସହଜରେ ଏଡ଼େ ସୁରୁଖୁରୁରେ ଗୋଟାଏ ନିହାତି ଅଛିଣ୍ତା ଜିନିଷ ଶେଷ ହେଲା କିପରି ?

 

ଦିନ ଯେମିତି ଥିଲା ସେମିତି ଅଛି । ମଣିଷ ଯେମିତି ଥିଲେ ସେମିତି ଅଛନ୍ତି । ପୃଥିବୀର କିଛି ପରବର୍ତ୍ତନ ଘଟିନାହିଁ, ଅଥଚ, ମୋ’ ବିଭାଘର ସରିଛି ।

 

ତାଙ୍କ ଘରେ ବିଦାବିଦିବେଳେ ପୁରୁଣା ରୀତିରେ କାନ୍ଦ ବୋବା ଲାଗିଲା, କାନଡ଼େରି ରେଣୁକାର କାନ୍ଦଣା ମୁଁ ଶୁଣେ, ମନ କଅଁଳ ହୋଇଯାଏ । ମୋ’ର ବିବାହିତ ଭଲ ପାଇବା ଏଇଠୁ ଆରମ୍ଭ । ରେଣୁକା ପ୍ରତି ମୋ’ର ଦୟା ହେଲା । ପ୍ରତିଜ୍ଞା କଲି ମୁଁ ତା’ର ସୁଖ ଦୁଃଖର ଭାଗ୍ୟ ନେବି, ମୁଁ ତାକୁ ଖୁସି ରଖିବି । ମୁଁ ବିବାହିତ, ଆଉ ସେ ମୋ ଜୀବନର ଅଧେ ।

 

ଗହଳ ଚହଳ କମିଗଲା, ବହୁତ ରାତି ହୋଇଥାଏ, ଜହ୍ନଟା ଗୋଟାଏ କରକୁ ଝାଙ୍କି ପଡ଼ିଥାଏ । ପଦାରେ ବସି ଆକାଶକୁ ଅନେଇଁଥିଲି, ଅନ୍ୟମନସ୍କ ହୋଇ ଭାବୁଥିଲି ମୋ’ର ଜୀବନର କଥା । କାନ୍ଧରେ କାହାର ଥଣ୍ତା ହାତ ବାଜିଗଲା, ଚମକି ପଡ଼ିଲି । ଦେଖିଲି ନିଦ ମଳ ମଳ ଆଖିରେ ଭାଉଜବୋଉ । ରହସ୍ୟ ଲଗେଇ କହିଲେ,

 

‘କି ରାଧୁ, କ’ଣ ଏଇଠି ଧ୍ୟାନରେ ଖାଲି ବସିଥବ କି ? ତେଣେ ଯେ ପିଲାଟା ଏକୁଟିଆ ବସିଛି, ସେ କଥା ଭାବୁନା ସୁଦ୍ଧା ଟିକିଏ ? ଯାଅ ।

 

ମୁଁ କହିଲି ‘କାହିଁକି ତୁମେ ଯାଉ ନା, ‘ମୁଁ ମେ।’ର ବସିଛି କାହିଁକି ଗୋଳମାଳ କରୁଛି ଭଲା ?’

 

ମୋ’ର ହାତ ଧରି ଉଠେଇ ଦେଇ କହିଲେ,

 

ହେଁ–ପିଲାଟିଏ ହୋଇ ‘ଯାଉଛନ୍ତି ମ, କିଛି ଜାଣନ୍ତି ନାହିଁ, ଯାଉଛ ନା କାନମୋଡ଼ିବି ଦେଖିବ ?’

 

ଝିଙ୍କି ଓଟାରି ମତେ ସେ ନେଇ ଚାଲିଲେ, ଘରଭିତରକୁ ଠେଲି ଦେଇ କବାଟ କରିନେଲେ । ଲାଜରେ ମୁଁ ଜଳିଯାଉଥାଏ ।

 

ସେ ଚାଲିଯିବାର ପାଦ ଶବଦ ଶୁଣିଲି କବାଟପାଖେ ଥିରି ହୋଇ ଠିଆ ହୋଇଥାଏଁ ।

 

କେମିତି ଗୋଟିଏ ଅଖାଡୁଆ ଲାଗୁଥାଏ । ସମସ୍ତେ ଜାଣନ୍ତି ମୁଁ ନିଜେ ଜାଣେ, ସଚ୍ଚରିତ୍ର ପିଲା, ମୁଁ ପ୍ରାଚୀନ, ମୁଁ ଖାଣ୍ଟି, ମୋର ଧରଣ-ଧାରଣାରେ କେଉଁଠି ଏତେ ଟିକିଏ ବୋଲି ମଳିଧୂଳି ନାହିଁ । ଏତେଦିନ ସ୍ତ୍ରୀ-ଲୋକ ବିଷୟରେ ମୋ’ର ଧାରଣା ଯାହାକିଛି ସବୁ ମନେ ମନେ,–ଆଉ କିଛି ଭାବିବାକୁ ମନଭିତରେ ସବୁ ସଂସ୍କାର ବିଦ୍ରୋହ କରି ଉଠେ ।

 

ଆଉ ଆଜି, ଏକ’ଣ ହେଉଛି ? ଛାତିରେ କିଏ ସେ ଧୁଡ଼ମୁସ୍ ପିଟୁଥାଏ କ’ଣ କେମିତି ଲାଗୁଥାଏ । ନିରୋଳାରେ ବସି କାହା ବିଷୟରେ ମନେମନେ ଚର୍ଚ୍ଚାକରିବା ଭିନ୍ନେ, ସେଥିରେ ଆପେ ସାହାସ ହୁଏ । ଆଜି ସମାଜ ଆଗରେ, ସମାଜର ଅପେକ୍ଷାମାଣ ଚିନ୍ତା ଆଗରେ ଏକା ଘରକେ ଗୋଟାଏ ସ୍ତ୍ରୀଲୋକ ସାଙ୍ଗରେ ଏକାଠି ରହିବା କି ବିପଦ ! କି ଲାଜ କଥା ! ନିଜେ ଭାଉଜବୋଉ ଆସି କବାଟ କିଳିନେଲେ !–ଭାଉଜବୋଉ–ଯାହାଙ୍କୁ ମୁଁ ଆପଣାର ବଡ଼ ଭଉଣୀ କି ମାଆ ପରି ଦେଖି ଆସିଥଛି !...... ଛି ଛି ।

 

ସବୁ ଶବ୍ଦ ବନ୍ଦ ହେଲା ।

ଚୁପ୍-ଚାପ୍‍ ଚୋର ପରି ଅନେଇ ଦେଖିଲି, ଘର ଭିତରେ ହେଇ ସେ ଦୂର କ’ଣରେ ଓଢ଼ଣା ପକେଇ ମୁହଁକୁ ତଳକୁ ପୋତି ମେଞ୍ଚିମାଞ୍ଚି ହୋଇ ବସିରହିଛି ସେ ।

 

ମୋ’ର ସଂସ୍କୃତି, ମୋ’ର ଆଦର୍ଶ, ମୋ’ର ଏତେଦିନର ସବୁ ଗଢ଼ାଗଢ଼ିର ଶେଷ ପରିଣାମ,–ସବୁ ହୁଏତ ସେ ସାର୍ଥକ କରିବ । ସେ ମୋ’ର ସହକର୍ମିଣୀ ହେବ । ସୁଖରେ ଦୁଃଖରେ ସବୁଥିରେ ସେ ଆଉ ମୁଁ । ବାପଘରଠୁଁ, ପିଲାଦିନର ଖେଳର ସାଥିମାନଙ୍କଠାରୁ, ସମସ୍ତିଙ୍କଠାରୁ, ସମ୍ବନ୍ଧ ତୁଟେଇ ଆସିଛି ସେ । ତା’ର ଆଉ କୋହି ନାହାନ୍ତି । ମୋ’ର ସହାନଭୂତି ଆସିଲା ।

 

କାନଡେରି ଚାରିଆଡ଼େ ନିଘାକରି ସହାନଭୂତି ସହିତ ମୁଁ ମୋ’ର ଦେହର ଭୋକ ବଢ଼େଇବାକୁ ଭାବିଗଲି, ମୁଁ ପୁରୁଷ, ସେ ସ୍ତ୍ରୀ ।

 

ସେହ୍ନ ସହାନୁଭୂତି ସହିତ କାମନା ମିଶେଇ ଆପଣା ମନକୁ ତେଜିଦେଇ ଧୀରେ ଧାରେ ସେଇ ମେଞ୍ଚିମାଞ୍ଚି ମୂର୍ତ୍ତି ପାଖକୁ ଚାଲିଯାଇ ଓଢ଼ଣା ଟେକି ଦେଇ ମୁଁ ଧୀରେ ଧୀରେ ଡାକିଲି,

 

‘ରେଣୁ–’

ନିଦ ଢଳ ଢଳ ଆଖିରେ ଟିକିଏ ହସିଦେଇ ପୁଣି ସେ ଓଢ଼ଣାଦେଇ ମୁହଁ ତଳକୁ ପୋତିଦେଲା । ତା’ ମୁହଁକୁ ଟେକି ଧରି ପୁଣି ଡାକିଲି, ‘ରେଣୁ–ରେଣୁ– ।’

 

ବାସ୍ତବ ଆଉ ଆଦର୍ଶର ସଂଘର୍ଷରେ ମୋ’ର ମନ ଦବିଗଲା, ଭାବିଲି–ସବୁ କ’ଣ ଏତିକି-?

 

ଏତେଦିନର ଜୀବନର ସବୁ ଅଭିଜ୍ଞତାର ରୂପ ଛାଇପରି ଚାଲିଗଲା ଭାସି ଭାସି, ତା’ର ପରିସମାପ୍ତି–କେବଳ ଏତିକି ।

 

ଏଣିକି ସ୍ୱପ୍ନରେ ଲାଗି ରହିଲା କେବଳ ଏତିକି, ସୀମାହୀନ ବିସ୍ତୃତି ବନ୍ଦ ହୋଇଯାଇ ରଖି ଦେଇଗଲା କେବଳ ଗୋଟିଏ ଗୋଲାପ, ତା’ର କଣ୍ଟା ଆଉ ଫୁଲସମେତ ।

 

ସବୁ ନିରାଶା ଦବରଦସ୍ତି ତଳକୁ ମୁଁ ଆନନ୍ଦ ଉଜୁଆଁରେ ମନଦେଲି, ଭାବିଲି, ଜୀବନରେ କର୍ତ୍ତବ୍ୟ ବହୁତ, ଅନୁଭୂତି ଆହୁରି ବେଶି, ଅନ୍ତତଃ ଆଜି ଏତିକି ।

 

ରେଣୁକାର ଲାଜ ସଙ୍କେଚ ଖୋଲି ଦେବାକୁ ମୁଁ ମନକରି ପଛକଥା ସ୍ମରଣ କରେଇ ଦେଇ ଆରମ୍ଭକଲି,

 

‘ରେଣୁ, ମନେ ଅଛି ନା–?’

ଭାବିଥିଲି ଛବି ଯିବା ସଙ୍ଗେ ସଙ୍ଗେ ମୋ’ର ଭଲ ପାଇବା ସରିଥିଲା । ଦିନୁଦିନ ରେଣୁକାର ମୋହର ବୁଡ଼ି ରହି ମୁଁ ଆପଣାର ବିଶ୍ୱାସ ତିଆରି କଲି ଯେ ଛବିକୁ ମୁଁ ବୋଧହୁଏ ଭଲପାଇ ନ ଥିଲି । ଛବି ଆଉ ମୋ’ ମଧ୍ୟରେ ଗୋଟାଏ କ୍ଷଣିକ ମୋହ ବଢ଼ି ଉଠିଥିଲା, ସେ ଯୌବନର ସୂରୂପ, ଟୋକା-ଟୋକୀ ଏକାଠି ହେଲେ ସେପରି ବୋଧହୁଏ ଘଟିଥାଏ । ଯଦି ସେ ପ୍ରକୃତ ଭଲପାଇବା ହୋଇଥାନ୍ତା, ମୁଁ ଛବିକୁ ଛାଡ଼ି ରହିଥାନ୍ତି କିପରି ? ଛବି ବା ସ୍ୱାର୍ଥତ୍ୟାଗ ନ କରିଥାନ୍ତା କାହିଁକି ? ଏପରି ଭାବିଲେ ସବୁ ପ୍ରଶ୍ନ ନିଜେ ନିଜେ ତୁଟେ । ପୁଣି ବେଳେ ବେଳେ ଛବି ଆଉ ରେଣୁକୁ ଏକାଠି ତୁଳନା କରି ଯେତେବେଳେ ମୁଁ ରେଣୁଠିଁ ଯାହା ଅଭାବ ଛବିଠି ତାହା ପୂର୍ଣ୍ଣ ରହିଛି ଦେଖେଁ, ରେଣୁ ପ୍ରତି ମୋ’ର କର୍ତ୍ତବ୍ୟ ଡୋର ଟଣାଓଟରା ଚାପରେ କଟକଟ ମଡ଼ମଡ଼ ହୁଏ, ମୁଁ ସେତେବେଳେ ଛବି ଉପରେ ଅଭିମାନ କରେଁ, ମନେ ମନେ ତା’ର ଦୋଷ କଳ୍ପନା କରି ଦେଖେଁ-। ଛବି ଉପରେ ପ୍ରତିଶୋଧ ନିଏଁ ମୁଁ ରେଣୁକାକୁ ଆହୁରି ଗେହ୍ଲା ଆଦର ଦେଖାଇ ।

 

ଛବି ବି ବିଭାହୋଇଛି ତ । କିଏ ଜଣେ କହୁଥିଲା, ତା’ର ଶାଶୁ ଶଶୁର ତାକୁ ଦେଖିପାରୁ ନାହାନ୍ତି ବୋଲି । ମତେ ଭିତରେ ଭିତରେ ସେତେ ଖରାପ ଲାଗିଲାନାହିଁ ଶୁଣିବାକୁ । ତା’ର ପତନରେ ମୋ’ର ଉତ୍‍ଥାନର ଆନନ୍ଦ ଅବଶ୍ୟମ୍ଭାବୀ ବୋଲି ମୁଁ ଧରି ନେଇଥିଲି ।

 

ଆମର ବିବାହିତ ଜୀବନର ପହିଲି ଭାଗ ଖୁବ୍ ଭଲ ଚାଲିଥିଲା । ରେଣୁକା ସେତେବେଳେ ଖେଳେଣା କଣ୍ଢେଇଟିଏ ପରି, ସେ ଲିଜକୁ ପ୍ରକାଶ କରିବାକୁ ସୁଯୋଗ ପାଇନାହିଁ, ଯେ ଯେପରି ଚଳେଇଲେ, ସେ ସେପରି ଚାଲେ । ତା ପିଛା ମୋ’ର ଅନେକ ସମୟ ଯାଏ । ସେ ଯାହା ଅଳ୍ପ କଥା କହେ, ମୁଁ ତହିଁରେ ଆମୋଦ ପାଏଁ, ଅନେଇଁ ରହିଥାଏ ତା ଆଡ଼କୁ ତା’ର କ୍ତମାଂସର ଗଠନର ଆନନ୍ଦକୁ କବିତା କରି ।

 

ଲୋକ ଗହଳରେ ଦିନଯାକ ରେଣୁକା କେଉଁଆଡ଼େ ଛପି ରହିଥାଏ । ସେତେବେଳେ ତା’ ଉପରେ ଅଧିକାର ସମାଜର ବେଶି । ନୂଆବୋହୂ ସେ, ସମସ୍ତେ ଦେଖିବାକୁ ଆସନ୍ତି, ବନ୍ଧୁତା କରିବାକୁ ଆସନ୍ତି । ଦିନବେଳେ ତା’ ଗୁଣ ମୁଁ ପଦାରେ ଶୁଣେଁ, ସେ ସୁନ୍ଦରୀ, ସେଭାରି ସୁଧାର, ସେ ଭାରି ଲାଜକୁଳୀ, କେତେ ଭଦ୍ର ଦୟାର୍ଦ୍ର ବିଶେଷଣ । ନାନା ଉପାୟରେ ଦିନବେଳେ ମୁଁ ତାକୁ ଉଙ୍କିମାରି ଦେଖେଁ । ଧରାପଡ଼ିଲେ ଲାଜରା ହୁଏଁ । ମୁଁ ଭାବେଁ ଏତିକି ଲୁଚା ଚୋରା ପିଲାଖେଳରେ ମଧ୍ୟ ସୁଖ ଆଛି, ଚଳେଇନେଲେ ସବୁ ସୁଖର ହୁଏ ।

 

ରାତି ହେବା ସଙ୍ଗେ ସଙ୍ଗେ ମୁଁ କ୍ରମେ ଉଚ୍ଛନ୍ନ ହୁଏ । ଉତ୍କଣ୍ଠା ଆହୁରି ଆନନ୍ଦକୁ ବଢ଼େଇ ଦିଏ । ରାତି ଯାକ ଆମେ ଫୁସୁରୁ ଫୁସୁରୁ ହୋଇ ଗପ କରୁ ଯେତେ ସମୟ ସମ୍ଭବ, କେତେ ସୁଖଦୁଃଖ ଦିନଯାକର ଅଭିଜ୍ଞତା ତା’ର ଆଉ ମୋ’ର ଭାରି ଭଲ ଲାଗେ ।

 

ସମାପିକା ଭଲ ଲାଗିଲା । ଆକାଶର ଆଦର୍ଶ, ତା ପଛରେ ଗୋଡ଼େଇବା ଖାଲି ସାର ହୁଏ, ସେ ଧରାଦିଏ ନାହିଁ, ଶୋଷ ବଢ଼ାଏ ।

 

ଆଉ ଏ ରେଣୁକା, ସେ ଗୋଟାସୁଦ୍ଧା ମୋ’ର ।

ଦଖଲ ଓ ଅଧିକାର ମନକୁ ଦମ୍ଭ ଦିଏ । ଲୋକେ ଘର ତୋଳିଲେ ପେଟରେ ଓଦାକନା ଦେଇ ସୁଦ୍ଧା ମୋଟା ହୁଅନ୍ତି ।

 

ଏଇ ରେଣୁକା ମୋ’ର ୟାର ଦେହ ଗୋଟାକ, ମନ, ୟାର ମଣିଷ ପଣିଆଁ, କେବଳ ମୋର ଏକୁଟିଆ ।

 

କେବେ ମୁଁ ପାଣି ଅପେକ୍ଷା ଶୋଷକୁ ଭଲ ପାଉଥିଲି ମୋର’ ମନେ ନାହିଁ ।

Image